ନୂଆଦିଲ୍ଲୀ: ଚଳିତବର୍ଷ ଫେବୃଆରୀ ୧୪ରେ ଜମ୍ମୁ କଶ୍ମୀରର ପୁଲଓ୍ୱାମାରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ। ଏ ନେଇ ସିଆରପିଏଫ ଏକ ଅନ୍ତରୀଣ ରିପୋର୍ଟ ବିଭାଗର ମୁଖ୍ୟ ଅଧିକାରୀଙ୍କୁ ଦେଇଛି। ଯେଉଁଥିରେ ଆତଙ୍କବାଦୀ ଆକ୍ରମଣ ପଛର କାରଣ ଗୁଇନ୍ଦା ବିଭାଗର ବିଫଳତା ବୋଲି ଦର୍ଶାଯାଇଥିବା ଜଣାପଡ଼ିଛି। ସିଆରପିଏଫର ଅନ୍ତରୀଣ ରିପୋର୍ଟ ଏଭଳି କିଛି ଇଙ୍ଗିତ କରିଛି। କିନ୍ତୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିକଟରେ ପୁଲଓ୍ୱାମା ଆତଙ୍କବାଦୀ ସଂକ୍ରାନ୍ତରେ ଏକ ବିବୃତି ରଖିଥିଲା। ଯେଉଁଥିରେ ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଗୁଇନ୍ଦା ବିଭାଗର ବିଫଳତା ଯୋଗୁଁ ହୋଇନି ବୋଲି କୁହାଯାଇଥିଲା। ଏହି ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ଶହୀଦ୍ ହୋଇଥିଲେ।
ସିଆରପିଏଫର ଅନ୍ତରୀଣ ରିପୋର୍ଟ ଅନୁଯାୟୀ ଆଇଇଡି ବିସ୍ପୋରଣ ହେବ ବୋଲି ସୂଚନା ମିଳିଥିଲା। କିନ୍ତୁ ଏକ ଆତ୍ମଘାତୀ କାର ମାଧ୍ୟମରେ ଆକ୍ରମଣ ହୋଇପାରେ ବୋଲି କୌଣସି ସୂଚନା ନଥିଲା। ଏମିତିକି ଘାଟିରେ ମୁତୟନ ଥିବା ଗୁଇନ୍ଦା ଅଧିକାରୀଙ୍କ ରିପୋର୍ଟରେ ମଧ୍ୟ କାର୍ରେ ଆତ୍ମଘାତୀ ବିସ୍ଫୋରଣ ହେବ ବୋଲି ସୂଚନା ମିଳିନଥିଲା।
ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଏ ବାବଦରେ ଜୁନରେ ପ୍ରତିକ୍ରିୟା ରଖିଥିଲା। ସ୍ୱରାଷ୍ଟ୍ର ରାଜ୍ୟ ମନ୍ତ୍ରୀ ଜି. କିଷାନ ରେଡ୍ଡୀ କହିଥିଲେ ଜମ୍ମୁ କଶ୍ମୀରରେ ଲଗାତର ଭାବରେ ସୀମାପାର ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢ଼ି ଚାଲିଛି। ସମସ୍ତ ଗୁଇନ୍ଦା ସଂସ୍ଥା ସଠିକ୍ ଭାବରେ କାମ କରୁଥିବା ବେଳେ ସମସ୍ତ ଗୁଇନ୍ଦା ସଂସ୍ଥା ମଧ୍ୟରେ ସୂଚନା ଆଦାନ ପ୍ରଦାନ ନେଇ ମଧ୍ୟ ଭଲ ବୁଝାମଣା ରହିଛି। ଏମିତିକି ଗୁଇନ୍ଦା ରିପୋର୍ଟ ଆଧାରରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପ ଭଣ୍ଡୁର ହୋଇଛି। ଆତଙ୍କବାଦୀଙ୍କ ବିରୋଧରେ ଜୀରୋ ଟଲରେନ୍ସ ନୀତି ସରକାର ଆପଣାଇଛନ୍ତି। ଏହା ଦ୍ୱାରା ଗତ କିଛି ବର୍ଷ ହେବ ଆତଙ୍କବାଦୀ କାର୍ଯ୍ୟକାଳପ କମିଥିବା ସ୍ୱରାଷ୍ଟ୍ର ରାଜ୍ୟ ମନ୍ତ୍ରୀ କହିଥିଲେ।
ସିଆରପିଏଫ ଯେଉଁ ଅନ୍ତରୀଣ ରିପୋର୍ଟ ପ୍ରସ୍ତୁତ କରିଛି ସେଥିରେ ଗୁଇନ୍ଦା ବିଭାଗର ବିଫଳତାକୁ ଦର୍ଶାଇଛି। ସିଆରିଏଫ୍ ବସ୍ ଯାଉଥିବା ବେଳେ ସାଧାରଣ ଯାନବାହାନକୁ ଯିବା ପାଇଁ ଅନୁମତି ଦେବା, ଲମ୍ୱା ଶୃଙ୍ଖଳାରେ ଏକା ସମୟରେ ସିଆରପିଏଫ୍ ବସକୁ ଯିବା ପାଇଁ ଅନୁମତି ଦେବା ବୋଲି ଦର୍ଶାଯାଇଛି।
ଫେବୃଆରୀ ୧୪ରେ ସିଆରପିଏଫର ୨୫୪୭ ଜଣ ସୁରକ୍ଷା କର୍ମୀ ୭୮ଟି ବସରେ ଜମ୍ମୁରୁ ଶ୍ରୀନଗର ଯାଉଥିଲେ। ଅପରାହ୍ନ ୩ଟା ସମୟରେ ୭୬ ସିଆରପିଏଫ ବାଟାଲିୟନର HR 49F 0637 ନମ୍ୱର ବସଟି ଆତ୍ମଘାତୀ ଆକ୍ରମଣର ଶିକାର ହୋଇଥିଲା। ଏକ ସାଙ୍ଗରେ ୭୮ଟି ବସ୍ ଧାଡ଼ିରେ ଯାଉଥିବା ବେଳେ ଆତ୍ମଘାତୀ କାରର ଶିକାର ହୋଇଥିବା ଏହି ବସଟି ୫ ନମ୍ୱରରେ ଥିଲା। ଏହି ସମୟରେ ସିଆରପିଏଫ୍ ଏସଓପି ନିୟମ ପାଳନ କରିଥିଲା। କିନ୍ତୁ ପ୍ରତି ୪ଟି ଗାଡ଼ି ମଧ୍ୟରେ ଲମ୍ୱା ବ୍ୟବଧାନ ନଥିଲା। ଯାହାକି ଏକ ବିଫଳତା ବୋଲି ଅନ୍ତରୀଣ ରିପୋର୍ଟରେ ଦର୍ଶାଯାଇଛି।
ସୂଚନାଯୋଗ୍ୟ, ସିଆରପିଏଫ ପ୍ରସ୍ତୁତ କରିଥିବା ୧୫ ପୃଷ୍ଠାର ଅନ୍ତରୀଣ ରିପୋର୍ଟ ସିଆରପିଏଫ ଡିଜିଙ୍କୁ ଗତ ମେ ମାସରେ ପ୍ରଦାନ କରାଯାଇଛି। ଏହା ଉପରେ କିନ୍ତୁ ଡିଜି ଆରଆର ଭଟନଗର କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।