କୋଲକାତା: ଲଗାତାର ଦ୍ୱିତୀୟ ଥର ପାଇଁ ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ। ଦିନ ପ୍ରାୟ୧୨ଟା ୪୫ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ମମତାଙ୍କ ବ୍ୟତୀତ ୪୧ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ପଦର ଶପଥ ନେଇଥିଲେ। ଏମାନଙ୍କ ମଧ୍ୟରେ ୧୭ ଜଣ ନୂଆ ମୁହଁ ଅଛନ୍ତି।
ମମତାଙ୍କ ଶପଥ ଗ୍ରହଣ ଉତ୍ସବ କୋଲକାତାର ପ୍ରସିଦ୍ଧ ରେଡ୍ ରୋଡ୍ରେ ଆୟୋଜିତ ହୋଇଥିଲା। ଏଥିରେ ୩୫,୦୦୦ ରୁ ଅଧିକ ଲୋକ ଯୋଗ ଦେଇଥିଲେ।
ମମତାଙ୍କ ଶପଥ ଗ୍ରହଣ ଉତ୍ସବରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ନ୍ୟାସ୍ନାଲ୍ କନ୍ଫରେନ୍ସ ନେତା ଫାରୁକ ଅବଦ୍ଦୁଲା ଓ ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପ୍ରମୁଖ ଯୋଗ ଦେଇଛନ୍ତି।
ମମତା ଗୁରୁବାର ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କୁ ସାକ୍ଷାତ କରି ଶପଥ ଗ୍ରହଣ କରିବାକୁ ଥିବା ମନ୍ତ୍ରୀଙ୍କ ତାଲିକା ପ୍ରଦାନ କରିଥିଲେ।
୨୯୫ଟି ବିଧାନସଭା ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ୨୯୪ଟି ଆସନରେ ନିର୍ବାଚନ ହୋଇଥିଲା। ଏଥିରୁ ମମତାଙ୍କ ତୃଣମୂଳ କଂଗ୍ରେସ ୨୧୧ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଓ ବାମ ମେଣ୍ଟ ୭୬ଟି ଏବଂ ବିଜେପି ୬ଟି ଆସନରେ ବିଜୟୀ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।