ନୂଆଦିଲ୍ଲୀ/ଭୁବନେଶ୍ୱର: କେତେକ ରାଜ୍ୟରେ ମେଡିକାଲ୍ ପାଠ୍ୟକ୍ରମ ଲାଗି ଉଦ୍ଦିଷ୍ଟ ‘ନ୍ୟାସ୍ନାଲ୍ ଏଲିଜିବିଲିଟି ଆଣ୍ଡ୍ ଏଣ୍ଟ୍ରାସ୍ ଟେଷ୍ଟ୍’ ବା ‘ନିଟ୍’କୁ ସ୍ଥଗିତ ରଖିବା ନେଇ କେନ୍ଦ୍ରର ଅଧ୍ୟାଦେଶକୁ ଅନୁମୋଦନ ଦେଇଛନ୍ତି ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ। ବର୍ଷେ ପାଇଁ ଲାଗୁ ହେବ ଏହି ସ୍ଥଗିତାଦେଶ।
ଏହି ଅଧ୍ୟାଦେଶ ଫଳରେ କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ପରି କିଛି ରାଜ୍ୟରେ ସରକାରୀ ସିଟ୍କୁ ଛାଡି ସାରା ଦେଶର ସମସ୍ତ ସରକାରୀ, ଘରୋଇ ଏବଂ ଡିମ୍ଡି ୟୁନିଭର୍ସିଟି ଗୁଡିକରେ ଥିବା ମେଡିକାଲ ସିଟ୍ ଗୋଟିଏ ପରୀକ୍ଷା ନିଟ୍ ଜରିଆରେ ପୂରଣ ହେବ। ସାରା ଦେଶରେ ଗୋଟିଏ ପରୀକ୍ଷା ନେଇ ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଚଳିତ ମାସ ୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିଟ୍ ହୋଇଥିବା ବେଳେ ଜୁଲାଇ ୨୪ରେ ନିଟ୍-୨ ଅନୁଷ୍ଠିତ ହେବ। ଉଭୟ ପରୀକ୍ଷାକୁ ମିଶାଇ ଅଗଷ୍ଟ ୧୭ରେ ରେଜଲ୍ଟ ପ୍ରକାଶ ପାଇବ। କିଛି ରାଜ୍ୟ ପୂର୍ବରୁ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଥିଲେ।
ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା କହିଛନ୍ତି,“ ସାରା ଦେଶର ସମସ୍ତ ସରକାରୀ, ଘରୋଇ ଏବଂ ଡିମ୍ଡି ୟୁନିଭର୍ସିଟି ଗୁଡିକରେ ଥିବା ମେଡିକାଲ ସିଟ୍ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ଜରିଆରେ ପୂରଣ ହେବ। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ।”
ଅନ୍ୟପକ୍ଷରେ ଓଡ଼ିଶା ସମେତ ହରିୟାଣା, ହିମାଞ୍ଚଳ ପ୍ରଦେଶ, ମଣିପୁର, ମେଘାଳୟ ଓ ରାଜସ୍ଥାନ ଭଳି ରାଜ୍ୟରେ ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଗତ କିଛି ବର୍ଷ ତଳେ ସାମିଲ ହୋଇଛନ୍ତି। ତେଣୁ ଏସବୁ ରାଜ୍ୟର ସରକାରୀ ଓ ବେସରକାରୀ କଲେଜ ନିଟ୍ ଜରିଆରେ ପୂରଣ ହେବ। ସେହିପରି ଏସବୁ ରାଜ୍ୟରେ ଥିବା ଡିମ୍ଡ ୟୁନିଭର୍ସିଟି ମଧ୍ୟ ଚଳିତବର୍ଷଠାରୁ ନିଟ୍ ଜରିଆରେ ପୂରଣ ହେବ।
ରାଜ୍ୟରେ ନିଟ୍ ପରୀକ୍ଷା ନେଇ ଓଜେଇ ଅଧ୍ୟକ୍ଷ ତୁଷାର କୁମାର ନାଥ କହିଛନ୍ତି,“ଯେଉଁ ଛାତ୍ରଛାତ୍ରୀମାନେ ନିଟ୍-୧ରେ ଆବେଦନ କରିନାହାନ୍ତି ସେମାନେ ଚାହିଁଲେ ନିଟ-୨ ପାଇଁ ଆବେଦନ କରପାରିବେ। ନିଟ୍-୧ ପରୀକ୍ଷା ଦେଇଥିବା ପିଲା ଚାହିଁଲେ ପୁଣିଥରେ ନିଟ୍-୨ ପରୀକ୍ଷା ମଧ୍ୟ ଦେଇପାରିବେ। କିନ୍ତୁ ନିଟ-୧ର ମାର୍କ ରଦ୍ଦ ହୋଇଯିବ। ଆଜିର ଅଧ୍ୟାଦେଶରେ ଆମ ରାଜ୍ୟର ଦୃଷ୍ଟିକୋଣରୁ କୌଣସି ପରିବର୍ତ୍ତନ ହୋଇନାହିଁ। ଓଡ଼ିଶା ୨୦୧୩ରୁ ଏହି ସର୍ବଭାରତୀୟ ପରୀକ୍ଷା କରାଉଛି।”
ଏହି ଅଧ୍ୟାଦେଶ ପରେ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଥିବା ଆଶା ଓ ଆଶଙ୍କାର ସମାଧାନ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।