ସତରେ ଦୀପାବଳି ଭେଟି ନା ନିର୍ବାଚନୀ ଚାଲ୍‌; ବିଜେପି ଶାସିତ ରାଜ୍ୟ ବି କମାଇଲେ ଭାଟ

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ପେଟ୍ରୋଲ, ଡିଜେଲ ଦରରେ ଲାଗିଥିବା ନିଆଁ ଯୋଗୁ ତ୍ରାହି ତ୍ରାହି ଡାକୁଥିଲେ ସାଧାରଣ ଲୋକ। ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଦୀପାବଳି ଭେଟି ସ୍ୱରୂପ କେନ୍ଦ୍ର ସରକାର ପେଟ୍ରୋଲର ଲିଟର ପିଛା ଦର ୫ ଟଙ୍କା ଓ ଡିଜେଲ ଦର ୧୦ ଟଙ୍କା ଉତ୍ପାତ ଶୁଳ୍କ ହ୍ରାସ କରିଛନ୍ତି। ଆଜିଠାରୁ ଏହି ପରିବର୍ତ୍ତିତ ଦର ଲାଗୁ ହୋଇଛି। ହେଲେ କେନ୍ଦ୍ର […]

petrol

petrol

Niharika Rout
  • Published: Thursday, 04 November 2021
  • Updated: 04 November 2021, 12:10 PM IST

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ପେଟ୍ରୋଲ, ଡିଜେଲ ଦରରେ ଲାଗିଥିବା ନିଆଁ ଯୋଗୁ ତ୍ରାହି ତ୍ରାହି ଡାକୁଥିଲେ ସାଧାରଣ ଲୋକ। ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଦୀପାବଳି ଭେଟି ସ୍ୱରୂପ କେନ୍ଦ୍ର ସରକାର ପେଟ୍ରୋଲର ଲିଟର ପିଛା ଦର ୫ ଟଙ୍କା ଓ ଡିଜେଲ ଦର ୧୦ ଟଙ୍କା ଉତ୍ପାତ ଶୁଳ୍କ ହ୍ରାସ କରିଛନ୍ତି। ଆଜିଠାରୁ ଏହି ପରିବର୍ତ୍ତିତ ଦର ଲାଗୁ ହୋଇଛି। ହେଲେ କେନ୍ଦ୍ର ସରକାର ସତରେ ଦେଶବାସୀଙ୍କୁ ଦିପାବଳୀ ଭେଟି ଦେଲେ ନା ଏହା ନିର୍ବାଚନୀ ଚାଲ୍‌ ତାକୁ ନେଇ ଆରମ୍ଭ ହୋଇଗଲାଣି ତର୍ଜମା।

ବିଗତ କିଛି ଦିନ ମଧ୍ୟରେ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା ଲାଗିଥିଲା। ବିଶେଷ କରି ହିମାଚଳ ପ୍ରଦେଶରେ  ନିଜର ଗଡ଼ ଭାବେ ପରିଚିତ ମଣ୍ଡି ଲୋକସଭା ଆସନରେ ବିଜେପି ପରାଜୟର ସ୍ୱାଦ ଚାଖିଥିଲା। ଏହି ପରାଜୟ ପରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଦର ବୃଦ୍ଧି ହିଁ ବିଜେପିର ପରାଜୟର କାରଣ ବୋଲି କହିଥିଲେ। ଏହି ବୟାନକୁ ୨୪ ଘଣ୍ଟା ନପୂରୁଣୁ  କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ ସମ୍ପର୍କରେ ଘୋଷଣା କରିଛନ୍ତି।

ଏବେ ପେଟ୍ରୋଲ, ଡିଜେଲ, ରୋଷେଇ ଗ୍ୟାସ୍‌ ସାଙ୍ଗକୁ ଖାଇବା ତେଲ ଦାମ ବଢ଼ି ଚାଲିଥିବା ବେଳେ ଏହା ମଧ୍ୟରେ ହୋଇଥିବା ଉପନିର୍ବାଚନର ଫଳାଫଳରେ ଲୋକଙ୍କ ଅସନ୍ତୋଷ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି। ଆସନ୍ତା ବର୍ଷ ଦେଶର ୫ଟି ରାଜ୍ୟ ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ଆଗକୁ ଏହି ଧାରା ବଜାୟ ରହିଲେ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିପାରେ ଭାବି ବିଜେପି ପକ୍ଷରୁ ଏପରି ଆଗୁଆ ପଦକ୍ଷେପ ନିଆଯାଇଥିବା ଆଲୋଚନା ହେଉଛି।

କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ କମ୍‌ କରିବାକୁ ଘୋଷଣା କରିବା ପରେ ଏନଡିଏ ଶାସିତ ରାଜ୍ୟମାନେ ମଧ୍ୟ ତେଲ ଉପରୁ ଭାଟ କମ୍‌ କରିବାକୁ ଘୋଷଣା କରିଛନ୍ତି। ଫଳରେ ଏଥର ଦିପାବଳୀ ଅବସରରେ ବମ୍ପର ଭେଟି ପାଇଛନ୍ତି ଜନସାଧାରଣ।

କେନ୍ଦ୍ର ସରକାରଙ୍କ ପରେ ପରେ  ଆସାମ,  ତ୍ରିପୁରା, ମଣିପୁର, କର୍ଣ୍ଣାଟକ ଓ ଗୋଆ ସରକାର ଡିଜେଲ ପ୍ରତି ଲିଟର ୭ ଟଙ୍କା ଭାଟ କମ୍‌ କରିବାକୁ ଘୋଷଣା କରିଛନ୍ତି। ତେଣୁ ଏହି ଭାଟ ହ୍ରାସ ପରେ ଆଜିଠୁ ଆସାମ,  ତ୍ରିପୁରା, ମଣିପୁର, କର୍ଣ୍ଣାଟକ ଓ ଗୋଆରେ ପେଟ୍ରୋଲ ଲିଟର ପିଛା ୧୨ ଟଙ୍କା ଓ ଡିଜେଲ ୧୭ ଟଙ୍କା କମ୍‌ ହେବ । ଉତ୍ତରାଖଣ୍ଡରେ ଲିଟର ପିଛା ୨ ଟଙ୍କା କମ୍‌ ହେବା ପରେ ପେଟ୍ରୋଲ ଲିଟ୍‌ ପିଛା ୭ ଟଙ୍କା ଓ ଡିଜେଲ ୧୨ ଟଙ୍କା ଶସ୍ତା ହୋଇଛି।  ସିକିମ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ପେଟ୍ରୋଲ ଓ ଡିଜେଲ ଉପରୁ ଲିଟର ପିଛା ୭ ଟଙ୍କା  ଲେଖା ଭାଟ୍‌ ହ୍ରାସ କରିବାକୁ ଘୋଷଣା କରିଛନ୍ତି।

ଆସନ୍ତା ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବା ବେଳେ ଏହି ମଉକାକୁ ହାତ ଛଡ଼ା କରିବାକୁ ଚାହିଁ ନାହାନ୍ତି ଯୋଗୀ ସରକାର। କେନ୍ଦ୍ର ସରକାରଙ୍କ ଘୋଷଣା ପରେ ପରେ ଯୋଗୀ ଉଚ୍ଚସ୍ତରୀୟ ବୈଠକ ଡାକି ପେଟ୍ରୋଲ ଉପରେ ୭ ଟଙ୍କା ଓ ଡିଜେଲ ଉପରେ ୨ ଟଙ୍କା କମାଇବାକୁ ଘୋଷଣା କରିଛନ୍ତି। ଫଳରେ ୟୁପିରେ ଆଜିଠୁ ପେଟ୍ରୋଲ ଓ ଡିଜେଲ ୧୨ ଟଙ୍କା ଲେଖାଏ ଶସ୍ତା ହୋଇଛି।

ସେହିପରି ବିହାରର ନିତିଶ କୁମାର ସରକାର ପେଟ୍ରୋଲ, ଡିଜେଲ ଉପରୁ ଭାଟ ହ୍ରାସ କରିଥିଲେ ବି ଏହା ଅନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ କମ୍‌ ରହିଛି। ନିତିଶ ସରକାର ପେଟ୍ରୋଲ ଉପରୁ ୧ଟଙ୍କା ୩୦ ପଇସା ଓ ଡିଜେଲ ଉପରୁ ୧ ଟଙ୍କା ୯୦ ପଇସା ଭାଟ ହ୍ରାସ କରିଛନ୍ତି। ତେଣୁ ବିହାରରେ ପେଟ୍ରୋଲ ୬ଟଙ୍କା ୩୦ ପଇସା ଓ ଡିଜେଲ ୧୧ଟଙ୍କା ୯୦ ପଇସା ଶସ୍ତା ହୋଇଛି।

ହେଲେ ଦରଦାମ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଥିବା ଓଡ଼ିଶାର ବିଜେଡି ସରକାର କିନ୍ତୁ ଏ ପର୍ଯ୍ୟନ୍ତ ଚୁପ୍‌ ରହିଛି। ବିଭିନ୍ନ ରାଜ୍ୟ ପକ୍ଷରୁ ଭାଟ୍‌ ହ୍ରାସ୍‌ କରିବାକୁ ଘୋଷଣା କରାଯିବା ପରେ ବି ଓଡ଼ିଶା ସରକାର ନିଜ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି କରିବା ପରି କୌଣସି ନିଷ୍ପତ୍ତି ନେବାକୁ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos