ଲକ୍ଷ୍ନୌ: ଖବରକାଗଜର ସାମ୍ୱାଦିକ ହୋଇଥିଲେ ଭିଡିଓ ରେକର୍ଡିଂ କରିବା ଅପରାଧ। ଯଦି ଏପରି କେହି ସାମ୍ୱାଦିକତା କରୁଛନ୍ତି ତାହେଲେ ତାଙ୍କର ମନ୍ଦ ଉଦ୍ଦେଶ୍ୟ ରହିଛି। ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାପାଳ ଅନୁରାଗ ପଟେଲ ସାମ୍ୱାଦିକଙ୍କୁ ତାଙ୍କ ନୀତି ନିୟମ ବାବଦରେ ଏପରି ବୁଝାଇଛନ୍ତି। ତେଣୁ ମିର୍ଜାପୁରର ପ୍ରାଥମିକ ସ୍କୁଲରେ ମଧ୍ୟାହ୍ନ ଭୋଜନର ଅବ୍ୟବସ୍ଥା ଖବର ସଂଗ୍ରହ କରିଥିବା ଖବର କାଗଜ ସାମ୍ୱାଦିକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି ବୋଲି ଜିଲ୍ଲାପାଳ କହିଛନ୍ତି।
ଗତ ମାସରେ ଉତ୍ତର ପ୍ରଦେଶ ମିର୍ଜାପୁର ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରେ ରୁଟି ଓ ଲୁଣ ଖାଉଥିବାର ଖବର ପ୍ରକାଶ କରିଥିଲେ ସାମ୍ୱାଦିକ ପବନ ଜୟସ୍ୱାଲ। ଏହି ଖବର ପ୍ରକାଶ କରିଥିବାରୁ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। କାହିଁକି ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି ତାର ଜବାବ ଦେବାକୁ ଯାଇ ମିର୍ଜାପୁର ଜିଲ୍ଲାପାଳ ଅନୁରାଗ ପଟେଲ୍ ଆଜି ଏପରି କହିଛନ୍ତି।
ସାମ୍ୱାଦିକ ପବନ ଜୟସ୍ୱାଲ୍ ‘ଜନାଦେଶ ଟାଇମ୍ସ’(ଖବର କାଗଜ)ରେ କାର୍ଯ୍ୟ କରୁଥିବା ବେଳେ ଭିଡ଼ିଓ ରେକର୍ଡିଂ କାହିଁକି କଲେ ବୋଲି ଜିଲ୍ଲାପାଳ ପ୍ରଶ୍ନ କରିଛନ୍ତି। ପିଲାମାନେ ରୁଟି ଓ ଲୁଣ ଖାଉଥିବାର ଚିତ୍ର ଛାପି ପାରିଥାନ୍ତେ, ହେଲେ ରେକର୍ଡିଂ କରିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି। ତେଣୁ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଛି ବୋଲି ସେ କହିଛନ୍ତି।
https://twitter.com/alok_pandey/status/1168802000055619585
ସେହିପରି ସାମ୍ୱାଦିକଙ୍କ ସହିତ ଅନ୍ୟ ଜଣେ ଲୋକଙ୍କ ବିରୋଧରେ ମାମଲା ରୁଜୁ ହେବା ପଛର କାରଣ କହିବାକୁ ଯାଇ ଜିଲ୍ଲାପାଳ କହିଛନ୍ତି ସ୍କୁଲକୁ ପରିବା ଆଣି ଯୋଗାଡ଼ କରିଦେବା ବଦଳରେ ସମ୍ୱାଦିକଙ୍କୁ ଡାକିଆଣି ଖବର ପ୍ରକାଶ କରିବା ମନ୍ଦ ଉଦ୍ଦେଶ୍ୟ ଛଡ଼ା ଆଉ କିଛି ନୁହେଁ। ତେଣୁ ତାଙ୍କ ବିରୋଧରେ ମଧ୍ୟ ଅପରାଧିକ ମାମଲା ରୁଜୁ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।
ଅନ୍ୟପଟେ ଗତକାଲି ଏଡିଟରସ ଗିଲ୍ଡ ଅଫ୍ ଇଣ୍ଡିଆ ଉତ୍ତର ପ୍ରଦେଶ ସରକାର ସାମ୍ୱାଦିକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ନିନ୍ଦା କରିଛନ୍ତି।
ସୂଚନାଯୋଗ୍ୟ, ଗତମାସରେ ଉତ୍ତର ପ୍ରଦେଶର ମିର୍ଜାପୁର ପ୍ରାଥମିକ ସ୍କୁଲରେ ମଧ୍ୟାହ୍ନ ଭୋଜନ ବେଳେ ପାଖାପାଖି ୧୦୦ ଛାତ୍ରଛାତ୍ରୀ ରୁଟି ଲୁଣ ଖାଉଥିଲେ। ଯାହାର ଖବର ସଂଗ୍ରହ କରିଥିଲେ ‘ଜନାଦେଶ ଟାଇମ୍ସ’ ନାମକ ଦୈନିକ ଖବରକାଗଜର ସାମ୍ୱାଦିକ ପବନ ଜୟସ୍ୱାଲ୍। ଯାହାକି ଉତ୍ତର ପ୍ରଦେଶରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ କିଭଳି ଅବ୍ୟବସ୍ଥାରେ ଚାଲିଛି ତାହା ସାମ୍ନାକୁ ଆଣିଥିଲା। ଏହି ଘଟଣାରେ ସେତେବେଳେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଶିକ୍ଷକ ଏବଂ ଗ୍ରାମ ପଞ୍ଚାୟତର ସୁପରଭାଇଜର ନିଲମ୍ୱିତ ହୋଇଥିଲେ। ଏଥିସହ ଯେଉଁ ଏସଏଚଜି ଗ୍ରୁପ୍ ରୋଷେଇ ଦାୟିତ୍ୱରେ ଥିଲେ ତାକୁ ହଟାଇ ଦିଆଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।