‘ଯଦି ସମ୍ଭବ ୟୁପି ନିର୍ବାଚନ ଘୁଞ୍ଚାଇ ଦିଅ, ଜୀବନ ଥିଲେ ଦୁନିଆ ଅଛି’

ଲକ୍ଷ୍ନୌ: ଦେଶରେ ଧୀରେ ଧୀରେ ବଢ଼ି ଚାଲିଛି ଓମିକ୍ରନ । ଗତ କିଛି ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଶହ ପାର୍‌ କରି ସାରିଲାଣି। ଏପରି ସ୍ଥିତିରେ ଆସନ୍ତାବର୍ଷ ପ୍ରଥମ ଭାଗରେ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ନିର୍ବାଚନୀ ସଭା ଓ ରାଲିରେ ହଜାର ହଜାର ଲୋକ ଏକତ୍ରିତ ହେବେ। ତେଣୁ ଓମିକ୍ରନ୍ ସଂକ୍ରମଣ ଅଣାୟତ୍ତ ହୋଇପାରେ। ଏହିକୁ ଦୃଷ୍ଟିରେ ରଖି ନିର୍ବାଚନକୁ ଘୁଞ୍ଚାଇ ଦେବା ସହିତ କଟକଣା ନ ଲାଗାଇଲେ […]

election

election

Niharika Rout
  • Published: Friday, 24 December 2021
  • Updated: 24 December 2021, 12:40 PM IST

Sports

Latest News

ଲକ୍ଷ୍ନୌ: ଦେଶରେ ଧୀରେ ଧୀରେ ବଢ଼ି ଚାଲିଛି ଓମିକ୍ରନ । ଗତ କିଛି ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଶହ ପାର୍‌ କରି ସାରିଲାଣି। ଏପରି ସ୍ଥିତିରେ ଆସନ୍ତାବର୍ଷ ପ୍ରଥମ ଭାଗରେ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ନିର୍ବାଚନୀ ସଭା ଓ ରାଲିରେ ହଜାର ହଜାର ଲୋକ ଏକତ୍ରିତ ହେବେ। ତେଣୁ ଓମିକ୍ରନ୍ ସଂକ୍ରମଣ ଅଣାୟତ୍ତ ହୋଇପାରେ। ଏହିକୁ ଦୃଷ୍ଟିରେ ରଖି ନିର୍ବାଚନକୁ ଘୁଞ୍ଚାଇ ଦେବା ସହିତ କଟକଣା ନ ଲାଗାଇଲେ ପରିଣାମ କରୋନାର ଦ୍ୱିତୀୟ ଲହରଠୁ ବି ଅଧିକ ଭୟଙ୍କର ହୋଇପାରେ ବୋଲି କହିଛନ୍ତି ଆହ୍ଲାହାବାଦ ହାଇକୋର୍ଟ।

ଆହ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଶେଖର ଯାଦବ କହିଛନ୍ତି, ଜୀବନ ଥିଲେ ଦୁନିଆ ଅଛି। ଅଦାଲତରେ ପ୍ରତିଦିନ ଶହ ଶହ ଲୋକଙ୍କ ଭିଡ଼ ହେଉଥିବା ବେଳେ ଏଥିଯୋଗୁ କରୋନା ପୁଣି ଥରେ ବ୍ୟାପିବାର ଆଶଙ୍କା ରହିଛି। ଗୋଟିଏ ଜାଗାରେ ଶହ ଶହ ଲୋକ ଏକତ୍ରିତ ହେଲେ ସେଠାରେ ସାମାଜିକ ଦୂରତା ନିୟମ ମାନିବା ସମ୍ଭବ ନୁହେଁ। ବିଭିନ୍ନ ଦେଶରେ ଦିନକୁ ଦିନ ଓମିକ୍ରନ ମାମଲା ବଢ଼ିବାରେ ଲାଗିଥିବା ବେଳେ ବହୁ ଦେଶ ଲକ୍‌ଡାଉନ୍‌ ଲାଗୁ କରି ଦେଲେଣି।

ସେ କହିଛନ୍ତି, ୟୁପି ଗ୍ରାମପଞ୍ଚାୟତ ନିର୍ବାଚନ ଓ ପଶ୍ଚିମବଙ୍ଗ ନିର୍ବାଚନ ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଥିଲା। ବହୁ ଜଣଙ୍କ ଜୀବନ ମଧ୍ୟ ଚାଲିଗଲା। ବିଭିନ୍ନ ରାଜନୈତିକ ଦଳ ଏବେଠୁ ୟୁପି ବିଧାନସଭା ନିର୍ବାଚନ ନିମନ୍ତେ ରାଲି ଓ ସଭାର ଆୟୋଜନ କରିବାରେ ବ୍ୟସ୍ତ। ଏଗୁଡ଼ିକରେ ହଜାର ହଜାର ସଂଖ୍ୟାରେ ଲୋକ ରୁଣ୍ଡ ହେଉଥିବା ବେଳେ କୋଭିଡ ପ୍ରୋଟୋକଲ ପାଳନ କରିବା ଅସମ୍ଭବ।

ଏଥିସହ ଯେକୌଣସି ପ୍ରକାରେ ନିର୍ବାଚନ ନିମନ୍ତେ ହେବାକୁ ଥିବା ରାଲି ଓ ସଭା ଉପରେ ରୋକ ଲଗାଇବାକୁ ସେ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ରାଜନୈତିକ ଦଳ ଗୁଡ଼ିକ ସିଧାସଳଖ ପ୍ରଚାର ନ କରି ଦୂରଦର୍ଶନ କିମ୍ବା ଖବରକାଗଜ ମାଧ୍ୟମରେ ପ୍ରଚାର କରିବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ସେ ନିର୍ବାଚନ କମିଶନଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ, ଆସନ୍ତାବର୍ଷ ପ୍ରଥମ ଭାଗରେ ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଏବେ ଠାରୁ ରାଜନୀତିକ ଦଳଗୁଡ଼ିକ ଜୋରଦାର ପ୍ରଚାର କରୁଛନ୍ତି। ତେବେ ଦେଶରେ ମାରାତ୍ମକ ଓମିକ୍ରନ ଭାରିଏଣ୍ଟ କାୟା ବିସ୍ତାର କରୁଥିବା ବେଳେ ନିର୍ବାଚନ ରାଲିରେ ଭିଡ଼ ଜମିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏଥିପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ ସ୍ଥିତିର ସମୀକ୍ଷା କରି ଟେଷ୍ଟିଂ, କଣ୍ଟେନମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଓମିକ୍ରନ ଭାରିଏଣ୍ଟ ବିପଦ ସୃଷ୍ଟି କରିବାର ଆଶଙ୍କା ଥିବାରୁ   ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସତର୍କ ଓ ସାବଧାନ ରହିବାକୁ  ସେ କହିବା ସହ କରୋନା ବିରୋଧୀ ଲଢ଼େଇ ଏଯାଏ ଶେଷ ହୋଇ ନଥିବା ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos