cyclone-biparjoy
ଆରବ ସାଗରରେ ଆସୁଥିବା ବାତ୍ୟା ‘ବିପର୍ଯ୍ୟୟ’ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି। ‘ବିପର୍ଯ୍ୟୟ’ ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ଏହାର ପ୍ରକୋପ ଦେଖିବାକୁ ମିଳିଲାଣି। ଗୁଜରାଟର ବିଭିନ୍ନ ସ୍ଥାନରେ ବର୍ଷା ସହ ପ୍ରବଳ ବେଗରେ ପବନ ବୋହିବାରୁ ୩ ଜଣଙ୍କ ମୃତ୍ୟୁ ହୋଇ ଯାଇଛି। ମୃତକ ୩ ଜଣଙ୍କ ମଧ୍ୟରେ ୨ ସମ୍ପର୍କୀୟ ଭାଇଭଉଣୀଙ୍କ ସମେତ ଜଣେ ମହିଳା ଅଛନ୍ତି।
ମୃତକ ଭାଇଭଉଣୀଙ୍କ ମଧ୍ୟରେ ଭୁଜି ଅଞ୍ଚଳର ୬ ବର୍ଷର ନାବାଳିକା ଓ ୪ ବର୍ଷର ପୁଅ ଥିବା ଜଣାଯାଇଛି। ସେମାନଙ୍କ ଉପରେ କାନ୍ଥ ପଡ଼ିବାରୁ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଛି। ରାଜକୋଟ ଅଞ୍ଚଳରେ ଜଣେ ମହିଳା ବାଇକ୍ ଯୋଗେ ନିଜ ସ୍ୱାମୀଙ୍କ ସହ ଯାଉଥିବା ବେଳେ ଏକ ଗଛ ତାଙ୍କ ପରେ ପଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି।
ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଥିବା ‘ବିପର୍ଯ୍ୟୟ’ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୪ କିମି ବେଗରେ ଗତି କରୁଛି। ଗୁଜରାଟ ପୋରବନ୍ଦର ଠାରୁ ଏହା ୩୧୦ କିମି ଦୂରରେ ରହିଛି। ସେହିପରି ଦେବଭୂମି ଦ୍ୱାରକାଠାରୁ ୩୨୦ ଏବଂ ପାକିସ୍ତାନର କରାଚିଠାରୁ ୫୩୦ କିମି ଦୂରରେ ରହିଛି।
ଏହା ୧୫ ତାରିଖ ମଧ୍ୟାହ୍ନ ବେଳରକୁ ଗୁଜରାଟର ଜାଖାଉ ପୋର୍ଟ ଦେଇ ଅତିକ୍ରମ କରିବ। ଗୁଜରାଟର କଚ୍ଛ ଓ ପାକିସ୍ତାନର କରାଚି ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ଯଥେଷ୍ଟ ଆଶଙ୍କା ଥିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏଥିପାଇଁ ଗୁଜରାଟର ସୌରାଷ୍ଟ୍ର ଓ କଚ୍ଛ ଉପକୂଳରେ ‘ଅରେଞ୍ଜ୍ ଆଲର୍ଟ’ ଜାରି କରାଯାଇଛି। ସେପଟେ ବାତ୍ୟା ପ୍ରଭାବରେ କଚ୍ଛ ଅଞ୍ଚଳର ମାଣ୍ଡଭି ଉପକୂଳ ଅଶାନ୍ତ ରହିଛି ।
ନଭସାରି ଏବଂ ଦ୍ୱାରକା ଅଞ୍ଚଳରେ ମଧ୍ୟ ଉଚ୍ଚ ଜୁଆର ଦେଖାଦେଉଛି। ବାତ୍ୟା ପାଇଁ ଗୁଜରାଟରେ ୧୫ ତାରିଖ ଯାଏଁ ୯୫ଟି ଟ୍ରେନକୁ ବାତିଲ କରାଯାଇଛି। ସେପଟେ ଭାରତୀୟ ତଟ୍ଟରକ୍ଷୀ ବାହିନୀର ଜାହାଜ ଏବଂ ବିମାନ ଦ୍ୱାରା ତଟୀୟ ଅଞ୍ଚଳବାସୀଙ୍କୁ ସତର୍କ କରାଯାଉଛି। ଯେକୌଣସି ପରିସ୍ଥିତିର ମୁକାବିଲା ନିମନ୍ତେ ଏନଡିଆରଏଫର ୧୨ ଟିମ୍ ସଜାଗ ରହିଛନ୍ତି।
କଚ୍ଛ ଓ ଦ୍ୱାରକା ଜିଲ୍ଲାର ୧୨ ହଜାର ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇ ଯାଇଛି। ଏଯାଏଁ ୭ ହଜାର ୫ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗୁରୁବାର ରାତି ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବା ନେଇ ଆକଳନ କରାଯାଉଛି।
ଆସନ୍ତା ଗୁରୁବାର ‘ବିପର୍ଯ୍ୟୟ’ ଲ୍ୟାଣ୍ଡଫଲ୍ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିବା ବେଳେ ଗତ ରବିବାରଠୁ ଏହାର ପ୍ରଭାବ ଅନୁଭୂତ ହେଉଛି। ମୁଖ୍ୟତଃ ଗୁଜରାଟର କଚ୍ଛ ଓ ଦ୍ୱାରକା ଜିଲ୍ଲାରେ ଏହା ପ୍ରଭାବରେ ବର୍ଷା ହେବା ସହ ପ୍ରବଳ ବେଗରେ ପବନ ବୋହୁଛି। ଫଳରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ, ଇଲେକ୍ଟ୍ରି ଖୁଣ୍ଟ ଉପୁଡ଼ି ପଡ଼ିଥିବା ବେଳେ କାନ୍ଥ ବି ଭାଙ୍ଗି ପଡ଼ିଛି।
ଗିରି ସୋମନାଥ ଜିଲ୍ଲାର ସମୁଦ୍ର ତଟରେ ଥିବା ବହୁ ଘର ପବନ ମାଡ଼ରେ ଭାଙ୍ଗି ଯାଇଛି। ଫଳରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବୋତାଡ଼ ଜିଲ୍ଲାର ଏକ ସ୍ଥାନରେ ୫ଟି କାର୍ ଥିବା ବେଳେ ତାହା ଉପରେ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିବାରୁ କାର୍ଗୁଡ଼ିକ ଜଳି ଯାଇଛି। ଦ୍ୱାରକା ଜିଲ୍ଲାରେ ପ୍ରବଳ ବେଗରେ ପବନ ବୋହୁଥିବାରୁ ସମୁଦ୍ରରେ ଥିବା ୩ଟି ବୋଟ ଓଲଟି ପଡ଼ିଥିବା ଜଣାଯାଇଛି। ତେବେ ଏଥିରେ କେହି ମୃତାହତ ହୋଇଥିବା ଜଣାଯାଇନି।
ବାତ୍ୟା ‘ବିପର୍ଯ୍ୟୟ’ ର ମୁକାବିଲା ଲାଗି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟ୍ଟେଲଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍ ଯୋଗେ କଥା ହୋଇଛନ୍ତି।। ବାତ୍ୟାର ସ୍ଥିତି ଏବଂ ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ପଚାରି ବୁଝିଛନ୍ତି। ଯାହା ସହଯୋଗ ଆବଶ୍ୟକ କେନ୍ଦ୍ର ସରକାର ଯୋଗାଇଦେବେ ବୋଲି ମୋଦି ଆଶ୍ୱାସନା ଦେଇଥିବା ଗୁଜରାଟ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ବାତ୍ୟା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ଗତକାଲି ଏକ ବୈଠକ ମଧ୍ୟ କରିଥିଲେ।
ସେହିପରି ‘ବିପର୍ଯ୍ୟୟ’ ର ପ୍ରଭାବ ପାକିସ୍ତାନ ଦକ୍ଷିଣ ସିନ୍ଧି ଅଞ୍ଚଳରେ ପଡ଼ିବାର ଆକଳନ କରାଯାଉଥିବାରୁ ସମୁଦ୍ର ଉପକୂଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଗତକାଲିଠୁ ଆରମ୍ଭ ହୋଇଛି। ସିନ୍ଧ ପ୍ରଦେଶର ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ବାତ୍ୟା ଆଶଙ୍କା ଥିବା ଅଞ୍ଚଳର ଏରିୟଲ ସର୍ଭେ କରିଛନ୍ତି। ଏଥିସହ ବାତ୍ୟା ଲ୍ୟାଣ୍ଡଫଲ୍ ହେବା ପୂର୍ବରୁ ୮୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
