Advertisment

ଇତିହାସ ରଚିଲେ ସୁପ୍ରିମକୋର୍ଟ; ୭୫ ବର୍ଷରେ ୧୨, ଆଜି ଗୋଟିଏ ଦିନରେ ୧୧

ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଆଜି ମୋଟ ୫୬ ଜଣ ଓକିଲଙ୍କୁ ସିନିୟର ଆଡ୍‌ଭୋକେଟ୍‌ର ମାନ୍ୟତା ଦିଆଯାଇଥିଲା। ସେମାନଙ୍କ ମଧ୍ୟରେ ୧୧ ଜଣ ମହିଳା ଥିବା ବେଳେ ୩୪ ଜଣ ପ୍ରଥମ ଜେନେରେସନର ଓକିଲ ଅଛନ୍ତି।

author-image
Jitendra Garnayak
Supreme Court

Supreme Court

ଶୁକ୍ରବାର ଇତିହାସ ରଚିଛନ୍ତି ସୁପ୍ରିମକୋର୍ଟ। ୭୫ ବର୍ଷର ଇତିହାସରେ ଦେଶର ଏହି ସର୍ବୋଚ୍ଚ ନ୍ୟାୟାଳୟ ମାତ୍ର ୧୨ ଜଣ ମହିଳା ଓକିଲଙ୍କୁ ସିନିୟର ଆଡ୍‌ଭୋକେଟ୍‌ର ମାନ୍ୟତା ଦେଇଥିଲେ। କିନ୍ତୁ ଆଜି ଗୋଟିଏ ଦିନରେ ୧୧ ଜଣ ମହିଳାଙ୍କୁ ସିନିୟର ଆଡ୍‌ଭୋକେଟ୍‌ର ମାନ୍ୟତା ମିଳିଛି।

Advertisment

ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଆଜି ମୋଟ ୫୬ ଜଣ ଓକିଲଙ୍କୁ ସିନିୟର ଆଡ୍‌ଭୋକେଟ୍‌ର ମାନ୍ୟତା ଦିଆଯାଇଥିଲା। ସେମାନଙ୍କ ମଧ୍ୟରେ ୧୧ ଜଣ ମହିଳା ଥିବା ବେଳେ ୩୪ ଜଣ ପ୍ରଥମ ଜେନେରେସନର ଓକିଲ ଅଛନ୍ତି।

ଯେଉଁ ୧୧ ଜଣ ମହିଳା ଓକିଲଙ୍କୁ ସିନିୟର ଆଡ୍‌ଭୋକେଟ୍‌ର ମାନ୍ୟତା ପ୍ରଦାନ କରାଯାଇଛି, ସେମାନେ ହେଉଛନ୍ତି- ଶୋଭା ଗୁପ୍ତା, ସ୍ୱରୂପମା ଚତୁର୍ବେଦୀ, ଲିଜ୍ ମ୍ୟାଥ୍ୟୁ, କରୁଣା ନନ୍ଦୀ, ଉତ୍ତରା ବବ୍ବର, ହରିପ୍ରିୟା ପଦ୍ମନାଭମ, ଅର୍ଚ୍ଚନା ପାଠକ ଦବେ, ନିଶା ବାଗଚୀ, ଏନ୍‌ଏସ୍‌ ନପ୍ପିନାଈ, ଏସ୍ ଜନନୀ ଓ ଶିରୀନ ଖଜୁରିୟା।

Advertisment

ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ମହିଳା ଓକିଲଙ୍କୁ ସିନିୟର ଆଡ୍‌ଭୋକେଟ୍‌ର ମାନ୍ୟତା ଦିଆଯାଇଥିବାରୁ ଏହାକୁ ସ୍ୱାଗତ କରି ଅତିରିକ୍ତ ସଲିସିଟର ଜେନେରାଲ ତଥା ସିନିୟର ଆଡ୍‌ଭୋକେଟ୍ ଐଶ୍ୱର୍ଯ୍ୟା ଭାଟ୍ଟୀ କହିଛନ୍ତି ଯେ ଏହା ହେଉଛି ସୁପ୍ରିମକୋର୍ଟଙ୍କ ଐତିହାସିକ ପଦକ୍ଷେପ। ୭୫ ବର୍ଷର ଇତିହାସରେ ମାତ୍ର ୧୨ ଜଣ ମହିଳା ଓକିଲଙ୍କୁ ସିନିୟର ଆଡ୍‌ଭୋକେଟ୍‌ର ମାନ୍ୟତା ଦିଆଯାଇଥିଲା। କିନ୍ତୁ ୨୦୨୪ରେ ଗୋଟିଏ ଦିନରେ ଏକାଥରକେ ୧୧ ଜଣ ମହିଳା ଓକିଲଙ୍କୁ ଏହି ମାନ୍ୟତା ଦିଆଯାଇଛି। ଏହି ମହିଳା ଓକିଲଙ୍କ ଯୋଗ୍ୟତା ଓ ଦକ୍ଷତାକୁ ବିଚାରକୁ ନିଆଯାଇ ଏହି ମାନ୍ୟତା ଦିଆଯାଇଛି, ଯାହା ସେମାନଙ୍କ ପ୍ରତି ସମ୍ମାନକୁ ଦର୍ଶାଉଛି।

ପ୍ରକୃତରେ ସୁପ୍ରିମକୋର୍ଟ ଗତ ୭୫ ବର୍ଷରେ ୧୪ ଜଣ ମହିଳାଙ୍କୁ ସିନିୟର ଆଡ୍‌ଭୋକେଟ୍‌ର ମାନ୍ୟତା ଦେଇଥିଲେ। ତେବେ ସେହି ୧୪ ଜଣଙ୍କ ମଧ୍ୟରେ ୨ ଜଣ ଅବସରପ୍ରାପ୍ତ ବିଚାରପତି ଥିଲେ।

ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରଥମେ ସିନିୟର ଆଡ୍‌ଭୋକେଟ୍ ମାନ୍ୟତା ପାଇଥିବା ମହିଳା ଓକିଲ ହେଉଛନ୍ତି ଜଷ୍ଟିସ୍ ଇନ୍ଦୁ ମଲହୋତ୍ରା। ପରବର୍ତ୍ତୀ ସମୟରେ ସେ ସୁପ୍ରିମ୍‌କୋର୍ଟର ବିଚାରପତି ହୋଇଥିଲେ। ସୁପ୍ରିମକୋର୍ଟ ପ୍ରତିଷ୍ଠା ହେବାର ୫୭ ବର୍ଷ ପରେ ୨୦୦୭ରେ ଜଷ୍ଟିସ୍ ଇନ୍ଦୁ ମଲହୋତ୍ରାଙ୍କୁ ଏହି ମାନ୍ୟତା ମିଳିଥିଲା। ଏହା ପରେ ୨୦୧୩ରେ ଚାରି ଜଣ ମହିଳାଙ୍କୁ ସିନିୟର ଆଡ୍‌ଭୋକେଟ୍ ମାନ୍ୟତା ମିଳିଥିଲା। ସେମାନେ ହେଉଛନ୍ତି- ମୀନାକ୍ଷୀ ଅରୋଡ଼ା, କିରଣ ସୂରୀ ଓ ବିଭା ଦତ୍ତା ମଖିଜା। ଫଳରେ ମହିଳା ସିନିୟର ଆଡ୍‌ଭୋକେଟ୍‌ଙ୍କ ସଂଖ୍ୟା ୪ରେ ପହଞ୍ଚିଥିଲା। ୨୦୧୫ରେ ଆଉ ଦୁଇ ଜଣ ମହିଳା ଓକିଲ- ଭି ମୋହନ ଓ ମହାଲକ୍ଷ୍ମୀ ପବନୀଙ୍କୁ ସିନିୟର ଆଡ୍‌ଭୋକେଟ୍‌ର ମାନ୍ୟତା ମିଳିଥିଲା। ଏହା ସହିତ ଏହି ସଂଖ୍ୟା ୬ ରେ ପହଞ୍ଚିଥିଲା। ୨୦୧୯ରେ ସୁପ୍ରିମକୋର୍ଟ ୬ ଜଣଙ୍କୁ ସିନିୟର ଆଡ୍‌ଭୋକେଟ୍ ମାନ୍ୟତା ଦେଇଥିଲେ। ସେମାନେ ହେଉଛନ୍ତି- ମାଧବୀ ଦିୱାନ, ମାନେକା ଗୁରୁସ୍ୱାମୀ, ଅନୀତା ଶେନୋୟ, ଅପରାଜିତା ସିଂହ, ଐଶ୍ୱର୍ଯ୍ୟା ଭାଟ୍ଟୀ ଓ ପ୍ରିୟା ହିଙ୍ଗୋରାଣୀ।

ସୂଚନାଯୋଗ୍ୟ, ୨୦୦୬ରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଶାରଦା ଅଗ୍ରୱାଲ ଓ ୨୦୧୫ରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରେଖା ଶର୍ମାଙ୍କୁ ସିନିୟର ଆଡ୍‌ଭୋକେଟ୍‌ ମାନ୍ୟତା ଦେଇଥିଲେ ସୁପ୍ରିମକୋର୍ଟ।

Supreme Court