ବାଲି ମାଫିଆଙ୍କୁ ୩୬ କୋଟିର ଜୋରିମାନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ଶାସକ ବିଜେଡି ଗତ ୩ବର୍ଷ ଧରି ମୟୂରଭଞ୍ଜ ଜିଲ୍ଲା ଉପରେ ସର୍ବାଧିକ ଫୋକସ୍ କରୁଛି । ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି ବୋଲି ଶାସକ ବିଜେଡି ଡିଣ୍ଡିମ ପିଟୁଥିବାବେଳେ ୨ଜଣ ବାଲିମାଫିଆଙ୍କ ଉପରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି) ୩୬କୋଟି ଟଙ୍କାର ଜୋରିମାନା ରୁଜୁ କରିବା ପରେ ଜିଲ୍ଲାରେ କାହା ସୁରକ୍ଷାରେ ଏହି ବାଲିମାଫିଆ କୋଟିକୋଟି ଟଙ୍କାର ରାଜସ୍ୱ ହରିଲୁଟ୍ କରୁଛନ୍ତି ଓ ପ୍ରଶାସନ କାହିଁକି […]

sand

sand

Ordigital Desk
  • Published: Thursday, 01 September 2022
  • Updated: 02 September 2022, 01:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ଶାସକ ବିଜେଡି ଗତ ୩ବର୍ଷ ଧରି ମୟୂରଭଞ୍ଜ ଜିଲ୍ଲା ଉପରେ ସର୍ବାଧିକ ଫୋକସ୍ କରୁଛି । ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି ବୋଲି ଶାସକ ବିଜେଡି ଡିଣ୍ଡିମ ପିଟୁଥିବାବେଳେ ୨ଜଣ ବାଲିମାଫିଆଙ୍କ ଉପରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି) ୩୬କୋଟି ଟଙ୍କାର ଜୋରିମାନା ରୁଜୁ କରିବା ପରେ ଜିଲ୍ଲାରେ କାହା ସୁରକ୍ଷାରେ ଏହି ବାଲିମାଫିଆ କୋଟିକୋଟି ଟଙ୍କାର ରାଜସ୍ୱ ହରିଲୁଟ୍ କରୁଛନ୍ତି ଓ ପ୍ରଶାସନ କାହିଁକି ଜଳକା ହୋଇ ରହିଛି ତାକୁ ନେଇ ପ୍ରଶ୍ନ ଉଠିଛି।

ମିଳିଥିବା ସୂଚନା ଅନୁସାରେ ବୁଢ଼ାବଳଙ୍ଗ ନଦୀର ଡିଙ୍ଗିରିଆ, ଅର୍ପଟା ଓ ମହୁପୁରା ଗାଁ ନିକଟରେ ପରିବେଶ କ୍ଲିଅରାନ୍ସ ଓ ଖନନ ପାଇଁ ଅନୁମତି ନଥାଇ ବେଆଇନ ବାଲି ଖନନ କରି ଦୁଇ ଲିଜଧାରୀ ପ୍ରଦୀପ କୁମାର ବିନ୍ଧାଣୀ ଓ କୃପାସିନ୍ଧୁ ସିଂହ କୋଟି କୋଟି ଟଙ୍କାର ରାଜସ୍ୱ ହରିଲୁଟ୍ କରିଥିବା ଜଣାପଡ଼ିଛି । ଏନଜିଟି ପୂର୍ବାଂଚଳ ବେଂଚର ଜୁଡିସିଆଲ ସଦସ୍ୟ ବି.ଅମିତ୍ ଷ୍ଟାଲେକର ଓ ଶୈବାଳ ଦାସଗୁପ୍ତାଙ୍କ ଖଣ୍ଡପୀଠ ଏହି ଅଭିଯୋଗର ଶୁଣାଣି କରି ଦୁଇ ବାଲି ଲିଜଧାରୀଙ୍କ ଉପରେ ୩୬କୋଟି ଟଙ୍କାର ଜୋରିମାନା ରୁଜୁ କରିଛନ୍ତି । ଯାହାକି ଓଡ଼ିଶାରେ ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତି ବିଶେଷଙ୍କ ଉପରେ ସର୍ବାଧିକ ପରିମାଣର ଜୋରିମାନା ବୋଲି ଜଣାପଡ଼ିଛି ।ଆବେଦନକାରୀ ମୟୂରଭଞ୍ଜ ଜିଲ୍ଲାର ରାଧାମୋହନ ସିଂଙ୍କ ଆବେଦନ ଉପରେ ଗ୍ରୀନ୍ ଟ୍ରିବ୍ୟୁନାଲ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ ଲିଜଧାରୀ ପ୍ରଦୀପ କୁମାର ବିନ୍ଧାଣୀ ବୁଢ଼ାବଳଙ୍ଗ ନଦୀରେ ବଡ଼ସାହି ତହସିଲ ଅନ୍ତର୍ଗତ ଡିଙ୍ଗିରିଆ ଗାଁ ନିକଟରେ ୧୬.୧୨ ଏକର ପରିମିତ ସ୍ଥାନରୁ ଦୈନିକ ୨ହଜାର କ୍ୟୁବିକ ମିଟର ବାଲି ଉଠାଣ ନିମନ୍ତେ ଅନୁମତି ପାଇଥିଲେ । ମାତ୍ର ଶ୍ରୀ ବିନ୍ଧାଣୀ ଦୈନିକ ୨୨୯୫ କ୍ୟୁବିକ ମିଟର ଓ ବାର୍ଷିକ ୪.୮୧୯ଲକ୍ଷ କ୍ୟୁବିକ ମିଟର ବାଲି ଖନନ କରିଛନ୍ତି ଯାହାକି ତାଙ୍କୁ ଦିଆଯାଇଥିବା ଅନୁମତିର ୨୪୦ଗୁଣା ଅଧିକ । ଏହାଦ୍ୱାରା ରାଜ୍ୟ ରାଜକୋଷକୁ ପ୍ରାୟ ୪୩.୬୮କୋଟି ଟଙ୍କା କ୍ଷତି ସହିିବାକୁ ପଡ଼ିଛି ତଥା ପରିବେଶ ଅସନ୍ତୁଳନର କାରଣ ମଧ୍ୟ ହୋଇଛି।

୨୦୨୧-୨୨ ମସିହାରେ ଏହି ବାଲି ଖନନ ପାଇଁ ଶ୍ରୀ ବିନ୍ଧାଣୀଙ୍କୁ ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଠରୁ ଅନୁମତି ଦେଇନି । ଏପରିକି ରାଜ୍ୟ ପରିବେଶ ପ୍ରଭାବ ଆକଳନ ଅଥରିଟି ମଧ୍ୟ ସମ୍ପୃକ୍ତ ଲିଜଧାରୀଙ୍କୁ ପରିବେଶ କ୍ଲିଅରାନ୍ସ ଦେଇନାହାନ୍ତି । ଏହା ସତ୍ତ୍ୱେ ବେଆଇନ ଖନନ କରିଥିବା ଯୋଗୁ ଗ୍ରୀନ୍ ଟ୍ରିବ୍ୟୁନାଲ ତାଙ୍କ ଉପରେ ୧୧.୮୯କୋଟି ଟଙ୍କାର ଜୈବମଣ୍ଡଳର କ୍ଷତିପୂରଣ ଓ ୨୧ଲକ୍ଷ ଟଙ୍କା ପରିବେଶ କ୍ଷତିପୂରଣ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଅର୍ପଟା ଗାଁରେ ଶ୍ରୀ ବିନ୍ଧାଣୀ ବାର୍ଷିକ ଅନୁମତିର ପ୍ରାୟ ୨୪୦ଗୁଣ ଅଧିକ ଖନନ କରିଥିବା ଯୋଗୁ ରାଜ୍ୟ ରାଜକୋଷକୁ ୫୩.୨୬କୋଟି ଟଙ୍କା କ୍ଷତି ହୋଇଛି । ଏହି ବେଆଇନ ଖନନ ପାଇଁ ତାଙ୍କ ଉପରେ ୪.୯୨କୋଟି ଟଙ୍କା ଜୋରିମାନା ରୁଜୁ ହୋଇଛି ।

ସେହିପରି ଅନ୍ୟଜଣେ ଲିଜଧାରୀ କୃପାସିନ୍ଧୁ ସିଂହ ବୁଢ଼ାବଳଙ୍ଗ ନଦୀର ମହୁପୁୁର ଗାଁରେ ଅନୁମତିଠୁ ଅଧିକ ଖନନ କରିବା ଯୋଗୁ ଏନଜିଟି ତାଙ୍କ ଉପରେ ୧୨.୫୬କୋଟି ଟଙ୍କାର ଜୋରିମାନା ରୁଜୁ କରିଛନ୍ତି । ଏହି ବେଆଇନ ଭାବେ ଅଧିକ ଖନନ କରିଥିବାରୁ ଦୁଇ ଲିଜଧାରୀଙ୍କ ଉପରେ ଅତିରିକ୍ତ ଭାବେ ୭.୧୨ କୋଟି ଟଙ୍କା ରୟାଲିଟି ପୈଠ କରିବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ବେଆଇନ ଭାବେ ଏହି ଦୁଇ ବାଲି ଲିଜଧାରୀ ବାଲି ଖନନ କରୁଥିବାବେଳେ ସ୍ଥାନୀୟ ପ୍ରଶାସନ ଜାଣିପାରିଲା ନାହିଁ କିଭଳି? କିଏ ଏହି ଦୁଇ ବେଆଇନ ବାଲି ଖନନକାରୀଙ୍କୁ ସୁରକ୍ଷା ଦେଉଥିଲା? ରାଜ୍ୟ ସରକାରଙ୍କ ବିନା ସୁରକ୍ଷାରେ କିଭଳି ସେମାନେ ଏତେ ପରିମାଣର ବାଲି ଲୁଟ୍ କରିବା ସହ ପରିବେଶକୁ କ୍ଷତି ପହଂଚାଇବାରେ ସକ୍ଷମ ହେଲେ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଜଣେ ପ୍ରଭାବଶାଳୀ ବିଜେଡି ନେତାଙ୍କ ଛତ୍ରଛାୟାରେ ସେମାନେ ଏହି କାରବାର କରୁଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos