ଜୈବିକ ପଦ୍ଧତିରେ ସୁନା ଫଳାଉଛନ୍ତି ଭରତ କାଶୀ

ମୁନିଗୁଡ଼ା (ନନ୍ଦକିଶୋର ପଟ୍ଟନାୟକ): ଆଜିକାଲି ସବୁ ପ୍ରକାର ଚାଷରେ ରାସାୟନିକ ସାରର ବହୁଳ ବ୍ୟବହାର କରାଯାଉଛି। ଅବଶ୍ୟ କିଛି ଚାଷୀ ଅଛନ୍ତି ଯେଉଁମାନେ ଜୈବିକ ସାର ବ୍ୟବହାର କରନ୍ତି। ଆଉ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି, ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍‌ ସିଙ୍ଗାରୀ ଗାଁର ଭରତ କାଶୀ। ତାଙ୍କୁ କୁହାଯାଉଛି ସଫଳ ଜୈବିକ ଚାଷୀ।

ଭରତ ତାଙ୍କର ୧ ଏକର ୬୦ ଡିସିମିଲ୍ ଜମିରେ ଜୈବିକ ସାର ପ୍ରୟୋଗ କରି ଚାଷ କରୁଛନ୍ତି। ୧ ଏକର ଜାଗାରେ ସେ ଖରା, ବର୍ଷା ଓ ଶୀତ ଦିନେ ପରିବା ଚାଷ କରନ୍ତି। ବର୍ଷା ଦିନେ ସେ ଜହ୍ନି, ଝୁଡ଼ଙ୍ଗ, ବଇତାଳୁ, କଲରା ଓ ବାଇଗଣ ଆଦି ପରିବା ଚାଷ କରନ୍ତି।  ଶୀତ ଦିନେ କୋବି, ବିନ୍‌ସ, ମଟର, ଗାଜର, ମୂଳା, ଶିମ୍ୱ, ପିଆଜ ଏବଂ ଖରା ଦିନେ ଜହ୍ନି, ଭେଣ୍ଡି, କାକୁଡ଼ି, ସୁର୍ଯ୍ୟମୁଖୀ ଓ କଞ୍ଚାଲଙ୍କା ବ୍ୟତୀତ ଛତୁ ଚାଷ ମଧ୍ୟ କରନ୍ତି। ବଳକା ଜମିରୁ କିଛି ଅଂଶରେ ସେ ଧାନ କରନ୍ତି।  ଆଉ କିଛି ଜାଗାରେ ସେ ଆମ୍ୱ, ସପୁରୀ, କଦଳୀ ଓ ପଣସ ଗଛ ମଧ୍ୟ ଲଗାଇଛନ୍ତି। ତା’ ସହିତ ଛୋଟ ଗାଡ଼ିଆଟେ ରହିଛି, ଯେଉଁଥିରେ ସେ ମାଛ ଚାଷ କରନ୍ତି। ଏସବୁ କାର୍ଯ୍ୟ ଭରତଙ୍କୁ ତାଙ୍କ ସ୍ତ୍ରୀ ମଧ୍ୟ ସାହାଯ୍ୟ କରନ୍ତି।

ପରିବାରର ଆବଶ୍ୟକତା ମେଣ୍ଟିବା ପରେ ବଳକା ପନିପରିବାକୁ ସେ ମୁନିଗୁଡ଼ା ଓ ବିଷମକଟକ ଠାରେ ଥିବା  ଜୈବ ସାପ୍ତାହିକ ହାଟରେ ବିକ୍ରି କରନ୍ତି। ଆଉ ଏଥିରୁ ଭଲ ଦି’ ପଇସା ପା’ନ୍ତି। ଭରତଙ୍କ ଜୈବ ସାରରେ ଉତ୍ପାଦିତ ପରିବାରର ଏ ଅଞ୍ଚଳରେ ବେଶ୍‌ ଚାହିଦା ମଧ୍ୟ ରହିଛି। ଏଥିପାଇଁ ସେ ଅନେକ ସମ୍ମାନିତ ମଧ୍ୟ ହୋଇଛନ୍ତି। ୨୦୧୬ ମସିହାରେ ସେ ଶ୍ରେଷ୍ଠ ଚାଷୀର ମାନ୍ୟତା ପାଇଥିଲେ। ଏହାସହ ଜୈବିକ ସାର ପ୍ରୟୋଗ କରି ସଫଳ ହୋଇଥିବାରୁ ପିଜିଏସ୍‌-ଇଣ୍ଡିଆ-ଅର୍‌ଗାନିକ୍‌ ତରଫରୁ ପୁରସ୍କୃତ ହୋଇଛନ୍ତି।

ଭାରତ କାଶୀ କହିଛନ୍ତି, “ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ ମୁଁ ମାସେ ପ୍ରଶିକ୍ଷଣ ନେଇଥିଲି। ସେଠାରେ ରାସାୟନିକ ସାର ବଦଳରେ ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ  କୁହାଯାଇଥିଲା। ଏବେ ନିଜେ କମ୍ପୋଷ୍ଟ ତିଆରି କରି ଜୈବିକ ସାର ପ୍ରସ୍ତୁତ କରୁଛି ଓ ଫସଲରେ ବ୍ୟବହାର କରୁଛି। ଜୈବିକ ପଦ୍ଧତିରେ ଚାଷ କରିବାକୁ ଭାରି ଭଲ ଲାଗୁଛି। ଫସଲରେ ରୋଗ ପୋକ ଲାଗିଲେ ନିମ୍ୱ ତେଲ ପକାଉଛି। ଏଥିସହ କରଞ୍ଜପତ୍ର, ଅରଖ ପତ୍ର ଓ ନିମ୍ୱ ପତ୍ର ସିଝାଇ ଜମିରେ ପ୍ରୟୋଗ କରୁଛୁ।”

ଡମ୍ୱରୁ କାଶୀ ନାମକ ଜଣେ ଗ୍ରାମବାସୀ କହିଛନ୍ତି, “ଭରତ କାଶୀ ବିଭିନ୍ନ ପ୍ରକାର ଚାଷ କରନ୍ତି। ସେ ବଜାରରୁ କୌଣସି ପ୍ରକାରର ସାର କିଣି ଜମିରେ ପକାନ୍ତି ନାହିଁ। ନିଜେ ସାର ତିଆରି କରି ଜମିରେ ପକାନ୍ତି। ସେ ଆମ ଅଞ୍ଚଳର ଜଣେ ଭଲ ଚାଷୀ।”

ଜିଲ୍ଲା କୃଷି ଅଧିକାରୀ ରେଲିଜିୟସ୍‌ ବେକ୍‌ କହିଛନ୍ତି, “୩ ବର୍ଷ ହେଲାଣି ଭାରତ କାଶୀ ଜୈବିକ ପଦ୍ଧତିରେ ଚାଷ କରିଛନ୍ତି। ବର୍ତ୍ତମାନ ସେ ୧ ଏକର ୬୦ ଡିସମିଲ୍ ଜାଗାରେ ଚାଷ କରୁଛନ୍ତି। ସେ ବର୍ଷକୁ ୩ ଥର ଚାଷ କରୁଛନ୍ତି। ଆଜିର ଦିନରେ ଜୈବିକ ପଦ୍ଧତିରେ ଚାଷ କରିବା ବଡ଼ ଚ୍ୟାଲେଞ୍ଚ। କିନ୍ତୁ ସେ ପ୍ରାମାଣିତ କରିସାରିଛନ୍ତି ଯେ ଏହା ଆଦୌ ଅସମ୍ଭବ ନୁହେଁ। ଏହି ଉପାୟରେ ଚାଷ କରି ମଧ୍ୟ ଭଲ ଦି’ ପଇସା ରୋଜଗାର କରାଯାଇ ପାରିବ। ଅନ୍ୟ ଚାଷୀମାନେ ଭାରତଙ୍କଠୁ ଏହା ଶିଖିବା ଉଚିତ୍।”