Advertisment

ଶ୍ରୀମନ୍ଦିରରେ ଭକ୍ତ ପାଉଛି କଷ୍ଟ, ହେଉଛି ଶୋଷିତ; ଆସନ୍ତା ପହିଲାରେ ସୁପ୍ରିମ୍‌କୋର୍ଟରେ ଶୁଣାଣି

୨୫ ଗୁରୁତ୍ୱପୂର୍ଣ୍ଣ ଆଦେଶ ପାଳନ ହେଲାନା ନାହିଁ ତାହା ରାଜ୍ୟ ସରକାର ଆସନ୍ତା ମାସ ଏକ ତାରିଖ ସୁଦ୍ଧା ଜଣାଇବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାପରେ ଚେଇଁ ଉଠିଛି ଆଇନ୍‌ ବିଭାଗ।

author-image
Niranjan Mishra
ଅଦ୍ୟତନ ହୋଇଛି
Shree Jagannatha Temple

Shree Jagannatha Temple

ଶ୍ରୀମନ୍ଦିର ସମ୍ପତ୍ତି, ଗହଣା ଗାଣ୍ଠି, ଦାନରେ ମିଳୁଥିବା ସୁନାଗହଣା କିପରି ଗଣତି କରିଛ ଓ ସ୍ଥିତି କ’ଣ କୁହ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାବର ଓ ଅବସ୍ଥାବର ସମ୍ପତ୍ତି ସୁରକ୍ଷା ସମେତ ଏଥିରୁ କିପରି ଆୟ ମିଳୁଛି ଜଣାଅ। ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ହେଲା କି ନାହିଁ ଜଣାଅ। ଏଭଳି ୨୫ ଗୁରୁତ୍ୱପୂର୍ଣ୍ଣ ଆଦେଶ ପାଳନ ହେଲାନା ନାହିଁ ତାହା ଆସନ୍ତା ମାସ ଏକ ତାରିଖ ସୁଦ୍ଧା ରାଜ୍ୟ ସରକାର ଷ୍ଟାଟସ ରିପୋର୍ଟ ଜରିଆରେ ଜଣାଇବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାପରେ ଚେଇଁ ଉଠିଛି ଆଇନ୍‌ ବିଭାଗ। ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ, ଗୃହ ବିଭାଗ, ନଗର ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ଏଏସ୍‌ଆଇ, ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ କିଏ କେଉଁ ନିର୍ଦ୍ଦେଶ ପାଳନ କରିଛି ସେନେଇ ଜଣାଇବାକୁ ନିର୍ଦ୍ଦେଶ ଜାରି କରିଛି ଆଇନ୍ ବିଭାଗ। ଗତକାଲି ଏହି ନିର୍ଦ୍ଦେଶନାମା ଜାରି ହୋଇଛି।

Advertisment

ଗତମାସ ୨୯ ତାରିଖରେ ଶ୍ରୀମନ୍ଦିର ସମ୍ପତ୍ତି ସୁରକ୍ଷା ଓ ଶ୍ରୀମନ୍ଦିରରେ ଶୃଙ୍ଖଳା ପ୍ରତିଷ୍ଠା ନିମନ୍ତେ ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଥିଲା। କୋର୍ଟ ପୂର୍ବରୁ ଦେଇଥିବା ରାୟ ଓ ଆମିକସ୍‌କ୍ୟୁରିଙ୍କ ରିପୋର୍ଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କୁ ସାନି ରିପୋର୍ଟ ତଲବ କରିଛନ୍ତି। ୪ ସପ୍ତାହ ଭିତରେ ଜବାବ ଦେବାକୁ କୁହାଯାଇଥିବା ବେଳେ ଆସନ୍ତା ମାସ ୧ ତାରିଖରେ ମାମଲାର ଶୁଣାଣି ରହିଛି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାପୂଜା ଠିକ୍ ଭାବେ କରିବା, ପୁରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ମୁତାବକ ଶ୍ରୀମନ୍ଦିରର ଦୈନଦିନ ରୀତିନୀତି କରିବା, ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟ୍ ୬ ମାସ ଭିତରେ ଉପସ୍ଥାପିତ କରିବା, ରାଜ୍ୟ ବାହାରେ ଥିବା ମହାପ୍ରଭୁଙ୍କ ଅସ୍ଥାବର ସମ୍ପତ୍ତି ସୁରକ୍ଷା ସମେତ ପରିଚାଳନା ଓ ଗଣତି କରି ଜଣାଇବା, ମହାପ୍ରଭୁଙ୍କ ନାମରେ ଥିବା ଖଣିର ପରିଚାଳନା ଓ ରୋଜଗାର କେତେ ଜଣାଇବାକୁ କୁହାଯାଇଛି। ସେହିପରି ଭକ୍ତଙ୍କ ନିମନ୍ତେ ବିଶ୍ରାମ ସ୍ଥାନ ଓ ଦର୍ଶନରେ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରିବା, ଶୃଙ୍ଖଳାରକ୍ଷା ଓ ସ୍ୱଚ୍ଛତା ରକ୍ଷା, ଶିକ୍ଷିତ ସେବାୟତଙ୍କ ଦ୍ୱାରା ଠାକୁରଙ୍କ ନୀତି କରିବା, ଦାନ ଦକ୍ଷିଣା ଆଦାୟ ନାମରେ ଭକ୍ତଙ୍କୁ ଶୋଷଣ ବନ୍ଦ କରିବା, ରୋଷଘର ଓ ଆନନ୍ଦ ବଜାର ସ୍ୱଚ୍ଛ ରଖିବା ସହ ମାନ ପରୀକ୍ଷା କରି ଉତ୍ତମ ମାନର ମହାପ୍ରସାଦର ପ୍ରସ୍ତୁତ କରିବା, ମହାପ୍ରସାଦର ଦର ସ୍ଥିର କରି ରେଟ୍‌ ଚାଟ ଲଗାଇବା, ମହିଳା ଭକ୍ତଙ୍କୁ ଅସମ୍ମାନ ନ କରିବା, ୪ ମାସ ଭିତରେ ଭକ୍ତ ଓ ସେବାୟତଙ୍କ ନିମନ୍ତେ ବାଇକ୍‌ ଷ୍ଟାଣ୍ଡ କରିବା, ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି କରିବା ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ରହିଥିଲା। ହେଲେ କୌଣସି ନିର୍ଦ୍ଦେଶ ଏପର୍ଯ୍ୟନ୍ତ ପାଳନ କରିନାହାନ୍ତି ସରକାର।

Advertisment

ଭକ୍ତ ପ୍ରତିଦିନ କଷ୍ଟ ପାଉଛି। ଘଣ୍ଟାଘଣ୍ଟା ଖରାବର୍ଷା ସହି ବଡଦାଣ୍ଡରେ ଠିଆ ହେବା ପରେ ଶ୍ରୀମନ୍ଦିର ଭିତରକୁ ଯାଇପାରୁଛି। ଠେଲାପେଲା ଭିତରେ ଦର୍ଶନ କରିବା ଭକ୍ତଙ୍କୁ କଷ୍ଟ ଦେଉଛି। ଧାଡ଼ି ଦର୍ଶନ ପାଇଁ ସେଡ୍‌ ବ୍ୟବସ୍ଥା ହୋଇଥିଲେ ବି ଲୋକେ ଭିଡ଼ ଭିତରେ ଠେଲାପେଲା ହୋଇ ଦର୍ଶନ ପାଇଁ ଯାଉଛନ୍ତି। ବାହାର କାଠ ଓ ଭିତର କାଠରେ ଅସମ୍ଭାଳ ଭିଡ଼ ରହୁଛି। ଭକ୍ତ ଶୋଷଣର ଶିକାର ହେଉଛି। ବେଆଇନ ଦାନଦକ୍ଷିଣା ଆଦାୟ ପାଇଁ ବାହାର କାଠ ଓ ଭିତର କାଠ ସହ ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ପାଖରେ ରଖାଯାଉଥିବା ଥାଳି, ଗରା ଆଦି ହଟାଇବାକୁ କଡ଼ା ନିର୍ଦ୍ଦେଶ ଥିଲା। କିନ୍ତୁ ଏବେ ବି ଅବାଧ ଥାଳି, ଗରାରେ ଦାନ ଦକ୍ଷିଣା ନିଆଯାଉଛି। ‌ ଆନନ୍ଦବଜାରରେ ଦର ତାଲିକା ଲଗାଇବା ପାଇଁ ପରୀକ୍ଷାମୂଳକ ଭାବେ କୋଠଭୋଗରେ ମହାପ୍ରସାଦ ରୋଷେଇ ହେଲା, ଦର ନିର୍ଦ୍ଧାରଣ ହେଲା, କିନ୍ତୁ ଦର ତାଲିକା ଲାଗିଲାନି। ତେଣୁ ଏବେ ବି ମନଇଛା ମହାପ୍ରସାଦ ଦର କରାଯାଉଛି। ଭକ୍ତ ଶୋଷଣରେ ପଡ଼ୁଛି। ଉତ୍ତରଦ୍ୱାର ପ୍ରବେଶ ବନ୍ଦ ହୋଇଯାଇଥିବାରୁ ଭକ୍ତମାନେ ଦଲାଲଙ୍କ ହାବୁଡ଼ରେ ପଡ଼ି ମହାପ୍ରସାଦ ଦୁଇଗୁଣା ତିନିଗୁଣା ଦରରେ କିଣୁଛନ୍ତି। ସୁଲଭ ଦରରେ ଭକ୍ତଙ୍କୁ ରହିବା ନିମନ୍ତେ ଧର୍ମଶାଳା ଯୋଗାଇ ଦେବାର ବନ୍ଦୋବସ୍ତ କରାଗଲାନି।

ମହାପ୍ରଭୁଙ୍କ ସମସ୍ତ ଜମିକୁ ରେକର୍ଡଭୁକ୍ତ କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ ବି ମହାପ୍ରଭୁଙ୍କ ନାଁରେ ଥିବା ୬୦ହଜାର ୪୧୮ ଏକର ଜମିରୁ ଅଦ୍ୟାବଧି ୩୪ ହଜାର ୨୦୦ ଏକର ୯୭୬ ଡିସିମିଲ ଜମି ରେକର୍ଡଭୁକ୍ତ ହୋଇପାରିଛି। ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ କେତେ ସମ୍ପତ୍ତି ରହିଛି ତାହା ଗଣତି କରାଯାଉନି କିମ୍ବା ରତ୍ନ ଭଣ୍ଡାର ମରାମତି କରାଯାଉନି।

ଆଇନଜୀବୀ ମୃଣାଳିନୀ ପାଢ଼ୀଙ୍କ ପକ୍ଷରୁ ଦାୟ ଜନସ୍ୱାର୍ଥ ମାମଲାର ଶୁଣାଣି କରି ୨୦୧୯ ନଭେମ୍ବର ୪ ତାରିଖରେ ଜଷ୍ଟିସ୍‌ ଅରୁଣ ମିଶ୍ର, ଜଷ୍ଟିସ୍‌ ଏମ୍‌. ଆର. ଶାହା, ଜଷ୍ଟିସ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଶ୍ରୀମନ୍ଦିର ସଂସ୍କାର ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ।

ଏ ଭିତରେ ୪ ବର୍ଷ ବିତିଯାଇଛି। ଏବେ ସମୟ ଆସିଛି ସୁପ୍ରିମକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲର। ତେଣୁ ରାଜ୍ୟ ସରକାର କ’ଣ ଉତ୍ତର ରଖୁଛନ୍ତି ଓ ଏହା ଉପରେ କୋର୍ଟ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାର କଥା।

Puri Shreemandir Lord Jagannath Supreme Court