ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଡିଓ ଭାଇରାଲ ଘଟଣାରେ ଗିରଫ ୨ ଜଣଙ୍କ ଜାମିନ ମଞ୍ଜୁର କଲେ ଭୁବନେଶ୍ୱର SDJM କୋର୍ଟ। ଜଣେ ଜାମିନଦାର ଓ ୧୦ ହଜାର ଟଙ୍କା ମୁଚାଲିକାରେ ଉଭୟ ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କୁ ଜାମିନ ମିଳିଥିବା ଜଣାଯାଇଛି। ଏ ସମ୍ପର୍କରେ ଲକ୍ଷ୍ମୀକାନ୍ତଙ୍କ ଓକିଲ ଶୀଳାଭଦ୍ର ଶାସ୍ତ୍ରୀ ସୂଚନା ଦେଇଛନ୍ତି। ଭାଇରାଲ ଅଡିଓ ମାମଲାରେ ଗିରଫ ଲକ୍ଷ୍ମୀକାନ୍ତ ଓ ବିଶ୍ୱଜିତଙ୍କୁ ଗତକାଲି ଝାରପଡ଼ା ଜେଲ୍ରୁ ୩ ଦିନିଆ ରିମାଣ୍ଡରେ ନେଇଥିଲା କ୍ୟାପିଟାଲ ଥାନା ପୁଲିସ୍ ।
ରାଜ୍ୟବାସୀ ପୁଲିସ୍ର ଏପରି ମାତ୍ରାଧିକ ପଦକ୍ଷେପକୁ ସମାଲୋଚନା କରିଥିବା ବେଳେ ଗତକାଲି ଉଭୟ କଂଗ୍ରେସ ଓ ବିଜେପି ଟିମ୍ ଲକ୍ଷ୍ମୀକାନ୍ତଙ୍କ ପରିବାରକୁ ଭେଟିଥିଲେ। ସେମାନେ ଲକ୍ଷ୍ମୀଧରଙ୍କ ପରିବାରକୁ ସାନ୍ତ୍ୱନା ଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ନିନ୍ଦା କରିଥିଲେ।
ସୂଚନା ଅନୁଯାୟୀ, କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ଭାଇରାଲ ଅଡିଓ ଘଟଣାରେ ବାର୍ତ୍ତାଳାପ କରିଥିବା ସମ୍ପୃକ୍ତ ୨ ଜଣଙ୍କୁ ପୁଲିସ୍ ଗିରଫ କରିଥିଲା। ଲକ୍ଷ୍ମୀକାନ୍ତ ବେହେରା ଅରଟେଲ୍ କମ୍ୟୁନିକେସନ କର୍ମଚାରୀ ହୋଇଥିବା ବେଳେ ବିଶ୍ୱଜିତ ହେଉଛନ୍ତି ତାଙ୍କ ବନ୍ଧୁ । କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସା ସଂପର୍କରେ ଉଭୟଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ ହୋଇଥିଲା । ଲକ୍ଷ୍ମୀକାନ୍ତ କରୋନାରେ ଆକ୍ରାନ୍ତ ହେବାରୁ ଗତ ଜୁଲାଇ ୧୭ ତାରିଖରୁ ଅଫିସ ଯାଇନଥିବା ଜଣାପଡ଼ିଛି ।
ଲକ୍ଷ୍ମୀକାନ୍ତଙ୍କ ବନ୍ଧୁ ବିଶ୍ୱଜିତ ନିଜେ ଉକ୍ତ ଅଡିଓକୁ ଭାଇରାଲ୍ କରିଥିବା କଥା ସ୍ୱୀକାର କରିଥିଲେ। ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିବା ସହ ବିଶ୍ୱଜିତ କହିଥିଲେ ଯେ, ମୋବାଇଲ୍ରେ ୨୦ରୁ ୨୫ ଜଣ ସାଙ୍ଗଙ୍କୁ ସେ ଏହି ଅଡିଓଟିକୁ ପଠାଇଥିଲେ । ସେପଟେ ଅରଟେଲ୍ କର୍ମଚାରୀ ଲକ୍ଷ୍ମୀକାନ୍ତ ବେହେରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ସେ କରୋନା ସଂକ୍ରମିତ ହୋଇଥିଲେ ଏବଂ ନିଜର ଅନୁଭୂତି ସାଙ୍ଗଙ୍କ ସହ କଥା ହେଉଥିଲେ । ତେବେ ତାଙ୍କ କଥାକୁ ବିଶ୍ୱଜିତ ରେକର୍ଡିଂ କରୁଥିବେ ବୋଲି ତାଙ୍କ ଧାରଣା ନ ଥିବା କହିଥିଲେ ଲକ୍ଷ୍ମୀକାନ୍ତ ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।