ଭଦ୍ରକରେ ଲୋକାଲ୍‌ ବସ୍‌ ଚଳାଚଳ ବନ୍ଦ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକ୍‌ ଓ  ଗ୍ରାମାଞ୍ଚଳକୁ ଚାଲୁଥିବା ବସ୍‌ଗୁଡ଼ିକ ଆଜି ବନ୍ଦ ରହିଛି। ସକାଳ ୬ଟାରୁ ଏହି ବନ୍ଦ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ସକାଳ ୬ଟା ଯାଏ ଏହା ଲାଗୁ ରହିବ। ଭଦ୍ରକ ବସ୍‌ ସିଣ୍ଡିକେଟ୍‌ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ଲୋକାଲ୍ ବସ୍‌ଗୁଡ଼ିକ ବିଭିନ୍ନ ଗ୍ରାମାଞ୍ଚଳ ଓ ବ୍ଲକ୍‌ ଅଞ୍ଚଳକୁ ଚଳାଚଳ କରୁଛି। ହେଲେ ଏହି ସବୁ ରୁଟ୍‌ରେ ବହୁ ସଂଖ୍ୟାରେ ଟାଟା ଏସି, ଟାଟା ମ୍ୟାଜିକ୍‌ ଗାଡ଼ି  ମଧ୍ୟ ଯାତାୟତ  କରୁଛି।  ବସ୍‌ ପହଞ୍ଚିବା ପୂର୍ବରୁ ସେମାନେ ଯାତ୍ରୀଙ୍କୁ ଉଠାଇ ନେଉଛନ୍ତି। ସେଥିପାଇଁ ବସ୍‌ଗୁଡ଼ିକ ଖାଲିରେ ଯିବା ସହ ଏହାର ମାଲିକମାନଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡୁଛି।

ଏନେଇ ଆଞ୍ଚଳିକ ପରିବହନ ନିଗମ, ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ।  ଶେଷରେ ବାଧ୍ୟ ହୋଇ ଭଦ୍ରକ ବସ୍ ସିଣ୍ଡିକେଟ୍‌ ଲୋକାଲ୍ ରୁଟ୍‌ରେ ବସ୍‌ଚଳାଚଳ ବନ୍ଦ କରିଛି।