ବୌଦ୍ଧ(ଦୀପକ ଅଦାର): ସନ୍ଧ୍ୟା ବେଳେ ମହାନଦୀର ସୁଲସୁଲିଆ ପବନର ମଜା ନେବା ସହ ଖଟି କରିବାକୁ ଏକ ସ୍କୁଟିରେ ବୌଦ୍ଧ ମହାନଦୀ ବ୍ରିଜ ଉପରକୁ ଆସିଥିଲେ ୨ ସାଙ୍ଗ । ଏକ ସାଇଡରେ ସ୍କୁଟି ରଖି ତା’ ଉପରେ ଦୁଃଖସୁଖ ହେଉଥିଲେ। ଏହି ସମୟରେ ଆଖି ପିଛୁଳାକେ ମାଡ଼ି ଆସିଲା ମୃତ୍ୟୁ। ହଠାତ୍ ରାସ୍ତାର ଅପରପାର୍ଶ୍ୱରେ ଯାଉଥିବା ଏକ କାର୍ ମାଡ଼ି ଆସି ୨ ସାଙ୍ଗଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଛି। ଏପରି ଅଭାବନୀୟ ଓ ହୃଦୟ ବିଦାରକ ଘଟଣା ଗତକାଲି ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ମହାନଦୀ ବ୍ରିଜ ଉପରେ ଘଟିଛି। ମୃତ ୨ ସାଙ୍ଗ ହେଲେ ବୌଦ୍ଧ ସହର ବୁଟୁପାଲିର ମୋତିଲାଲ ଯୋଶୀରା ଓ ଅଭିଷେକ ସାହୁ । ଏହି ଦୁର୍ଘଟଣାରେ ଆଉ ଜଣେ ଗୁରୁତର ହୋଇଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ପରେ ରେଢ଼ାଖୋଲ ପଟୁ ବୌଦ୍ଧ ଅଭିମୁଖେ ଦ୍ରୁତ ଗତିରେ ଏକ କାର୍ ଯାଉଥିଲା। ଏହି ସମୟରେ ରାସ୍ତାର ବିପରୀତ ଦିଗରେ ଏକ ସ୍କୁଟି ଉପରେ ମୋତିଲାଲ ଓ ଅଭିଷେକ ବସିଥିଲେ। ଏହି ସମୟରେ ହଠାତ୍ କାର୍ଟି ବାମ ପଟୁ ଡାହଣ ପଟକୁ ମାଡ଼ି ଆସିଥିଲା। କାର୍ଟି ପ୍ରଥମେ ଜଣେ ବାଇକ୍ ଚାଳକଙ୍କୁ ଧକ୍କା ଦେଇଥିଲା। ଏହାପରେ କାର୍ଟି ବ୍ରିଜ୍ ବାଡ଼ାରେ ପିଟି ହୋଇ ସ୍କୁଟି ଉପରେ ବସିଥିବା ୨ ସାଙ୍ଗଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଭୟଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ବାଇକ୍ ଚାଳକଙ୍କୁ ପ୍ରଥମେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି।
ଏଥିଯୋଗୁ ବ୍ରିଜ ଉପରେ ଦୀର୍ଘ ସମୟ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ବୌଦ୍ଧ ପୁଲିସ୍ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ୩ଟିକୁ ଜବତ କରିଛି । ଏଥିସହ ଗାଡ଼ି ଚଳାଚଳକୁ ସ୍ୱାଭାବିକ କରିଛି।
ଦୁର୍ଘଟଣା ସମୟରେ କାର୍ରେ ଥିବା ଚାଳକ ଓ ଅନ୍ୟମାନଙ୍କ ସମ୍ପର୍କରେ କିଛି ଖବର ମିଳି ନ ଥିବା ବେଳେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।