କୁନି ଫୁଟ୍ବଲ୍ ତାରକା ଚନ୍ଦନଙ୍କୁ ମିଳିଲା ଜନ୍ମ ପ୍ରମାଣପତ୍ର
ଭୁବନେଶ୍ୱର: ଭୁବନେଶ୍ୱର ସବର ସାହିରୁ ଜର୍ମାନୀର ପ୍ରସିଦ୍ଧ ବାୟର୍ଣ୍ଣ ମ୍ୟୁନିକ୍ କ୍ଲବ୍ରେ ତାଲିମ ନେବା ପାଇଁ ମନୋନୀତ ହୋଇଥିବା କୁନି ଫୁଟ୍ବଲ୍ ଖେଳାଳି ଚନ୍ଦନ ନାୟକଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି। ଆଜି ଭୁବନେଶ୍ୱର ମେୟର ଅନନ୍ତନାରାୟଣ ଜେନା ଚନ୍ଦନଙ୍କୁ ଜନ୍ମ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏହା ପରେ ସେ ପାସ୍ପୋର୍ଟ ପାଇଁ ଆବେଦନ କରିପାରିବେ।
ଗତ କାଲି ଚନ୍ଦନ ପାସ୍ପୋର୍ଟ ପାଇଁ ଭୁବନେଶ୍ୱର ଆଞ୍ଚଳିକ ଅଫିସ୍କୁ ଯାଇ ନିରାଶ ହୋଇ ଫେରିଥିଲେ। ଚନ୍ଦନଙ୍କର ଜନ୍ମ ପ୍ରମାଣପତ୍ର ନଥିବାରୁ ତାଙ୍କ ଆବେଦନପତ୍ର ନାକଚ ହୋଇଯାଇଥିଲା। ଫଳରେ ସେ ନିରାଶ ହୋଇ ମେୟର ଜେନାଙ୍କୁ ଭେଟି ଗୁହାରି କରିଥିଲେ।
କ୍ୟାପିଟାଲ ହାଇସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଚନ୍ଦନଙ୍କୁ ଜର୍ମାନୀ ଯିବା ପାଇଁ ସ୍କୁଲରୁ ଅନୁମତି ମିଳିଛି। ପାସ୍ପୋର୍ଟ ମିଳିଲେ ଅଗଷ୍ଟ ୨୨ରେ ସେ ଜର୍ମାନୀ ଗସ୍ତରେ ଯାଇ ବାୟର୍ଣ୍ଣ ମ୍ୟୁନିକ ଫୁଟବଲ କ୍ଲବରେ ୨ ମାସ ଧରି କୋଚିଂ ନେବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।