ଦେବେନ୍ଦ୍ର ପୃଷ୍ଟି
ସନ୍ତନ ନିର୍ମାଲକରଙ୍କ ଦୁଃଖ କାହାଣୀ ଶୁଣିଲେ ଯେକୌଣସି ସମ୍ବେଦନଶୀଳ ଲୋକର ହୃଦୟ ତରଳିଯିବ। ସନ୍ତନ ହେଉଛନ୍ତି ଛତିଶଗଡ଼ ମୁଙ୍ଗେଲି ଜିଲ୍ଲା ଅନ୍ତର୍ଗତ ଘାଟୋଲିପଡ଼ାର ବାସିନ୍ଦା। ସେ ଜାତିରେ ଧୋବା। ତିନି ବର୍ଷ ତଳେ ୨୦୧୬ ମସିହାରେ ତାଙ୍କର ଜଣେ ଯୁଆନ ପୁଅର ଦୁର୍ଘଟଣାରେ ମୃତ୍ୟୁ ହୋଇଗଲା। ସେତେବେଳେ ପୁଅର ବୟସ ଥିଲା ୨୦ ବର୍ଷ। ହିନ୍ଦୁ ପରମ୍ପରା ଅନୁଯାୟୀ ସେ ପୁଅର ଶେଷକୃତ୍ୟ ସଂପନ୍ନ କଲେ। ଜାତିଭାଇଙ୍କୁ ଭୋଜି ବି ଦେଲେ। ମାତ୍ର ସନ୍ତନଙ୍କର ଜାତିଭାଇମାନଙ୍କୁ ଭୋଜି ପସନ୍ଦ ହେଲା ନାହିଁ। ସେମାନେ କହିଲେ, ଏହା ପରମ୍ପରା ଅନୁଯାୟୀ ହେଲା ନାହିଁ। ତେଣୁ ସେମାନେ ସନ୍ତନକୁ ଗାଁରୁ ବାସନ୍ଦ କରିଦେଲେ। ସନ୍ତନ ଏବେ ଗାଁରେ କିଛି କାମ କରିପାରୁ ନାହିଁ। ପର ଗାଁରେ ଯାଇ ମୂଲ ଲାଗୁଛି। ସବୁଦିନ ମୂଲ ମିଳୁ ନାହିଁ। ଅଲଗା ଗାଁର ଅଲଗା ଲୋକ। ଲୋକଙ୍କ କାମଧନ୍ଦା ଓ କୌଳିକ ସେବା ଯୋଗେଇ ଯତକିଂଚିତ ରୋଜଗାର କରୁଛି। ସେଥିରେ ତା’ ପରିବାରର ଗୁଜୁରାଣ ମେଣ୍ଟୁ ନାହିଁ। ତିନି ବର୍ଷ ହେଲାଣି ସେ ବଂଚିବା ପାଇଁ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛି।
ଏ ବିଷୟରେ ସେ ସ୍ଥାନୀୟ ମୁରବୀମାନଙ୍କୁ କହିଛି। କେହି କିଛି ବୁଝିଲେ ନାହିଁ। ପୁଲିସରେ ମଧ୍ୟ ଅଭିଯୋଗ ଦାଖଲ କରିଛି। ପୁଲିସ ବି କିଛି ବୁଝିନି। ଏବେ ଜିଲ୍ଲା ପୁଲିସ ଦପ୍ତରରେ ଅଭିଯୋଗ କରିବାରୁ ସାନ୍ତ୍ୱନା ମିଳିଛି, ସେମାନେ ଯାଇଁ ଘଟଣାର ତଦନ୍ତ କରିବେ। କିନ୍ତୁ ଆଇନ ଅନୁସାରେ ସନ୍ତନଙ୍କୁ ବାସନ୍ଦ କରିଥିବା ଲୋକମାନଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ। ଯଦି ଜାତିଭାଇ କିଛି ଜୋରିମାନା କରିଥିବେ ତେବେ ବେଆଇନ ଓ ଜୋରଜବରଦସ୍ତ ଅର୍ଥ ଆଦାୟ ଅଭିଯୋଗରେ ସେମାନଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ହୋଇପାରିବ। ମାତ୍ର, ସେଥିରେ ସନ୍ତନର ଦୁଃଖ ଦୂର ହେବ କି? ବାସନ୍ଦ ଅବସ୍ଥାରେ ତା’ର ଯେଉଁ ୩ ବର୍ଷ ଗଲା ତାହାର କ୍ଷତିପୂରଣ ମିଳିବ କି? ଜାତିଭାଇଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ହେଲେ ସେମାନେ ରାଗ ରଖି ସନ୍ତନ ବିରୋଧରେ ମେଳି ବାନ୍ଧି ପାରନ୍ତି। ତା’ ଘରଦ୍ୱାର ଉଜାଡ଼ି ଦେଇପାରନ୍ତି। ସନ୍ତାନର ପାଞ୍ଚ ପିଲା। ଏବେ ସେମାନଙ୍କୁ ନିରାପଦରେ ରଖିବା, ପୋଷିବା, ପାଠ ପଢ଼େଇବା ତା’ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି।
କେବଳ ଛତିଶଗଡ଼ରେ ନୁହେଁ, ଓଡ଼ିଶା ସମେତ ଦେଶର ଅନେକ ରାଜ୍ୟରେ ଏପରି ଅନେକ ଅବାଞ୍ଛିତ ସାମାଜିକ ପରମ୍ପରା ବଳବତ୍ତର ରହିଛି। ଓଡ଼ିଶାର ଅନେକ ଅଂଚଳରେ, ଅନେକ ଜାତିରେ ଏଭଳି ମୃତ୍ୟୁଭୋଜି ଏକରକମ ବାଧ୍ୟବାଧକତାର କଥା। ଲୋକ ମଲେ ତାଙ୍କର ଶବ ସତ୍କାର ପାଇଁ ଅନେକଙ୍କ ପାଖରେ ସାଧନ ନଥାଏ। ଗରୀବ ଓ ଭୂମିହୀନ ଲୋକଙ୍କର ଶବ ପୋଡ଼ିବାକୁ କାଠ ନଥାଏ ବୋଲି ରାଜ୍ୟ ସରକାର ହରିଶ୍ଚନ୍ଦ୍ର ଯୋଜନା କରିଛନ୍ତି। ବଜାରରେ କାଠ କୁଇଣ୍ଟାଲ ୮୦୦-୧୦୦୦ ଟଙ୍କା। ବୟସ୍କ ଲୋକ ଜଣେ ରୋଗରେ ପଡ଼ି ପରଲୋକ ଗମନ କଲେ ପରିବାର ଲୋକଙ୍କ ଉପରେ ଦି’ ଆଡ଼ୁ ବୋଝ। ମେଡିକାଲ ଖର୍ଚ୍ଚ ଉପରେ ଶୁଧିକ୍ରିୟା ଖର୍ଚ୍ଚ। ମେଡିକାଲରେ ପୁଣି ଆଜିକାଲି ଯାହା ହେଉଛି! ମାସ ମାସ ଧରି ଚିକିତ୍ସାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ। ଯିଏ ପାରୁଛି କରୁଛି। ଲୋକ ଭଲ ହେଲେ ଭଲ। ନହେଲେ ମେଡିକାଲର କିଛି ଦୋଷ ନାହିଁ। ପାଉଣା ତୁଟେଇ ନଥିଲେ ଶବ ବି ଛାଡ଼ୁ ନାହାନ୍ତି। ସରକାରୀ ଡାକ୍ତରଖାନାରେ ମରିଗଲେ ବି ଆମ୍ବୁଲାନ୍ସ ମିଳେ ନାହିଁ। ଗରୀବ ଲୋକ ହୋଇଥିଲେ ଦାନ ମାଝୀ ପରି ଶବକୁ କାନ୍ଧରେ ବୋହି ଘରକୁ ନେବାକୁ ପଡ଼େ। ତା’ ପରେ ପୁଣି ଭୋଜି!
ଓଡ଼ିଶାର ଅନେକ ଜାତିରେ ଭୋଜି ପୁଣି ଥରେ କି ଦି’ ଥର ନୁହେଁ। ତିନି ତିନି ଥର। ରୋଗରେ ହେଉ କି ଦୁର୍ଘଟଣାରେ, ଆତ୍ମହତ୍ୟା କରି ହେଉ ବା ଅନ୍ୟ କୌଣସି କାରଣରୁ ପରିବାରର କେହି ମରିଗଲେ ତାହା ଏକ ଦୁଃଖଦାୟକ ଘଟଣା। ଶବ ସତ୍କାର ପରେ ଦ୍ୱିତୀୟ ଦିନ କଷାଖିଆ। ଏଥିରେ କୁଟୁମ୍ବ ଲୋକ କଷା ଖାଇବେ। କଷାଖିଆରେ ଅବଶ୍ୟ ଜାକଜମକ ନଥାଏ। ଉଷୁନା ଭାତ ଓ ବିନା ବଘରାର ଡାଲି ଓ ତରକାରୀ। ଅଣହଳଦିଆ। ତା’ପରଠୁଁ ଜ୍ଞାତିକୁଟୁମ୍ବ ପିଆଜ ରସୁଣ ବଘରା ଖାଇବେ କିନ୍ତୁ ମୃତ-ଲୋକର ପରିବାର ଲୋକେ ୧୦ ଦିନ ଯାଏଁ ଅବଘରା ଅଣହଳଦିଆ ସାଦା ଖାଇବେ, ରୁଚୁ କି ନରୁଚୁ। ଦଶ ଦିନ ଜ୍ଞାତିକୁଟୁମ୍ବ ଶୁଧ ହେବେ। ଧୋବା, ଭଣ୍ଡାରୀ, କୁମ୍ଭାର, ବ୍ରାହ୍ମଣ ଆଦି ପାଉଣା ନେବେ, ଦକ୍ଷିଣା ନେବେ। ନୂଆ ଲୁଗାପଟା, ଦଶାହ ଭୋଜି ବା ଦଶାଖିଆ ଖର୍ଚ୍ଚ। ଏକାଦଶାହ ଭୋଜି। ପୁଣି ଅନେକ ସ୍ଥାନରେ ଦ୍ୱାଦଶାହ ଭୋଜି, ଏଥିରେ ପୁଣି ଆମିଷ ହୁଏ। ଦ୍ୱାଦଶାହରେ ମାଛ ଖାଇବା ମଧ୍ୟ ଗୋଟେ ପରମ୍ପରା। ମରିବା ପୂର୍ବରୁ ଯଦି ବୟସ୍କ ଲୋକ ଅଧିକ ଦିନ ରୋଗ ଭୋଗ କରନ୍ତି, ଅନେକ ଅଂଚଳରେ ଦାନଦିଆ ବୋଲି ଗୋଟେ କର୍ମକାଣ୍ଡ ଚଳେ। ସଂପୃକ୍ତ ବ୍ୟକ୍ତିଙ୍କ ନାମରେ ବ୍ରାହ୍ମଣଙ୍କୁ ଗୋ, ଭୂମି, ସୁବର୍ଣ୍ଣାଦି ଦାନ ଦିଆଯାଏ। ଏପରିକି ବିଛଣାଚଦର, ଛତାଜୋତା, କଂସାବାସନ ମଧ୍ୟ ଦାନରେ ଦିଆଯାଏ। ସତେ ଯେମିତି ସଂପୃକ୍ତ ମଲା ପରେ ସ୍ୱର୍ଗଲୋକ ବା ଆଉ କେଉଁ ଲୋକରେ ସେସବୁ ଜିନିଷ ବ୍ୟବହାର କରିବେ! ସେ ବି ଗୋଟେ ବୋଝ। ସେଥିରେ ବି ଭୋଜି ଦିଆଯାଏ। ସବୁ ଲୋକ ଅବଶ୍ୟ ଦାନ ଦିଅନ୍ତି ନାହିଁ। ଯାହାର ଅଛି ସେ ଦିଏ। ଯାହାର ନାହିଁ ସେ ଦିଏ ନାହିଁ। କିନ୍ତୁ ମୃତ୍ୟୁ ସଂସ୍କାର ବାଧ୍ୟତାମୂଳକ, କି ଧନୀ କି ଗରୀବ ସମସ୍ତେ ମାନିବାକୁ ବାଧ୍ୟ। ପ୍ରଥା ଓ ପରମ୍ପରା ମାନି ଗୋଟେ ଗୋଟେ ମୃତ୍ୟୁ-ସଂସ୍କାର ଶେଷ କଲାବେଳକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୁଏ।
କିଛି ଲୋକ ଏହାକୁ ସାଂସ୍କୃତିକ ପରମ୍ପରା ବୋଲି ଦାବି କରନ୍ତି। କିଛି ଲୋକ କହନ୍ତି ଏହା ଧର୍ମ ଓ ବିଶ୍ୱାସର କଥା। କିନ୍ତୁ ଏଭଳି ପ୍ରଥା ବା ପରମ୍ପରା କ’ଣ ମାନବ ସମାଜର ମଙ୍ଗଳ କରେ? ମଙ୍ଗଳ କରେ ପ୍ରିୟଜନଙ୍କୁ ହରେଇ ଦୁଃଖରେ ଭାଙ୍ଗି ପଡ଼ିଥିବା ଲୋକର? ଏହା କ’ଣ ବେଡ଼ି ଉପରେ କୋରଡ଼ା ମାଡ଼ ନୁହେଁ? ନୁହେଁ ବୋଝ ଉପରେ ନଳିତା ବିଡ଼ା? ଏଭଳି ପ୍ରଥା ଓ ପରମ୍ପରା ହିନ୍ଦୁ ସମାଜକୁ ଦୁର୍ବଳ କରୁନାହିଁ? ହିନ୍ଦୁ ସମାଜରେ ବିଦ୍ରୋହ ପାଇଁ ରାସ୍ତା ତିଆରି କରୁନି?
ଦୁର୍ଘଟଣାରେ ଯବାନ ପୁଅର ମରିଯିବ। ଦୁଃଖ ବାପମା’ଙ୍କୁ କେବଳ ଏଇ ଦୁଃଖ ମୁଣ୍ଡେଇବା କଷ୍ଟ। ସାରା ଜୀବନ ପାଇଁ ସେମାନେ ପୁଅକୁ ହରେଇବାର ଦୁଃଖ ବୋହିବେ। କେତେ କାନ୍ଦିବେ, କେତେ ରାତି ଅନିଦ୍ରା ରହିବେ। ପୁଅକୁ ଝୁରିଝୁରୀ ହୁଏତ ବାପାମା’ଙ୍କ ମାନସିକ ଅବସ୍ଥା ଅଧିକ ଦୁର୍ବଳ ହୋଇଯାଇପାରେ। ଅନ୍ୟ ଯେଉଁ ପିଲାମାନେ ବଂଚିଥିବେ ସେମାନଙ୍କ ଲାଳନପାଳନ ପ୍ରଭାବିତ ହୋଇପାରେ। ପୁଅ ଦୁଃଖରେ କାମରେ ମନ ନଲାଗିଲେ ରୋଜଗାର ବି କମିପାରେ। ଏଭଳି ଅବସ୍ଥା ସ୍ୱାଭାବିକ। ଏହା ଉପରେ ପୁଣି ମୃତ୍ୟୁ-ଭୋଜି? ପରିବାରର କେହି ମରିଯିବା କ’ଣ ଗୋଟେ ସୁଖ ଓ ଆନନ୍ଦର କଥା? ଏହାକୁ ନେଇ କ’ଣ ଉତ୍ସବ ମନାଯାଏ? ହିନ୍ଦୁ ଧର୍ମର କେଉଁ ବେଦ, ଉପନିଷଦ ଓ ପୁରାଣରେ କଷା, ଦଶା, ଏକାଦଶାହ ଓ ଦ୍ୱାଦଶାହ ଭୋଜିର ଉଲ୍ଲେଖ ଅଛି? ରାମାୟଣ ଓ ମହାଭାରତରେ ଏମିତି ପ୍ରଥା ଓ ପରମ୍ପରା ବିଷୟରେ ବାଲ୍ମିକୀ ଓ ବ୍ୟାସ କିଛି ଲେଖିଛନ୍ତି କି? ଦଶରଥ ପ୍ରାଣତ୍ୟାଗ କରିବା ସମୟରେ ରାମଚନ୍ଦ୍ର ବନବାସରେ ଥିଲେ। ସେ କେତେବେଳେ କେଉଁଠି ତାଙ୍କୁ ଶୁଧ ହେଲେ? ଅବଶ୍ୟ ବନବାସରେ ଥାଇ ସୀତା ଦଶରଥଙ୍କୁ ବାଲିପିଣ୍ଡ ଦେଇଥିବାର ପୁରାଣରେ ଉଲ୍ଲେଖ ଅଛି। ଏବେ କେଉଁ ବ୍ରାହ୍ମଣ ପଣ୍ଡିତ ବାଲିପିଣ୍ଡ ଗ୍ରହଣ କରିବେ? ଯୁଦ୍ଧରେ ଅଭିମନ୍ୟୁ ନିହତ ହେବା ପରେ ପାଣ୍ଡବ ପାଞ୍ଚ ଭାଇ କ’ଣ ଶୁଧ ସଂସ୍କାର ହୋଇଥିଲେ? ଏବେ ପାକିସ୍ତାନ ସୀମାରେ ଶହୀଦ ହେଉଥିବା ଯବାନଙ୍କ ପାଇଁ ପୁତ୍ରଶୋକରେ ଅଧୀର ତାଙ୍କ ବାପମା’ କାହିଁକି ଜ୍ଞାତିକୁଟୁମ୍ବ ଓ ସାଇଭାଇଙ୍କୁ ଭୋଜି ଦେବେ? କି ସୁଖରେ?
ଏସବୁ ପ୍ରଶ୍ନ ହିନ୍ଦୁ ସଂସ୍କାର ବିରୋଧୀ ହୋଇପାରେ। କିନ୍ତୁ ଅବାନ୍ତର କି? ଅମଙ୍ଗଳକାରକ କି? ହିନ୍ଦୁ ଧର୍ମର ପଣ୍ଡିତମାନେ ଏ ବିଷୟରେ ଆଲୋଚନା କରନ୍ତୁ। ତର୍ଜମା କରନ୍ତୁ। ଭାରତର ଗରୀବ ହିନ୍ଦୁମାନଙ୍କୁ ଆର୍ଥିକ ଶୋଷଣରୁ ମୁକ୍ତ କରିବା ପାଇଁ ଏଭଳି ମୃତ୍ୟୁ-ଭୋଜି ପରମ୍ପରା ଉଚ୍ଛେଦର ଆବଶ୍ୟକତା ରହିଛି କି ନାହିଁ ବିଚାର କରନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।