ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନେପାଳରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆ ତୀର୍ଥଯାତ୍ରୀଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର।
ବୈଦେଶିକ ମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି,“ନେପାଳରେ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରୀଯୁକ୍ତ ଜେନା ଓ ଶ୍ରୀଯୁକ୍ତ ବିଶ୍ୱାଳଙ୍କ ପରିବାରକୁ ମୁଁ ଗଭୀର ସମବେଦନା ଜଣାଉଛି। ଆମ କର୍ମଚାରୀମାନେ ହସ୍ପିଟାଲ୍ରେ ଅଛନ୍ତି ଓ ଆହତଙ୍କ ଚିକିତ୍ସା ଉପରେ ନଜର ରଖିଛନ୍ତି। ସେମାନଙ୍କ ପରିବାର ଲୋକଙ୍କୁ ସବୁପ୍ରକାର ସହାୟତା ଦିଆଯାଉଛି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟରେ ଉତ୍ତର ଦେଇ ଏହା କହିଛନ୍ତି ବୈଦେଶିକ ମନ୍ତ୍ରୀ। ଦୁଇ ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତଦେହ ଓଡ଼ିଶା ଆଣିବା ଏବଂ ଅନ୍ୟ ଆହତଙ୍କୁ ଚିକିତ୍ସା ଯୋଗାଇ ଦେବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।
Deepest condolences to the bereaved families of Sh.Jena & Sh.Biswal who lost their lives in the tragic bus accident in Nepal earlier today.Our CG&officers from @in_birgunj are at the hospital,constantly monitoring the treatment of the injured &extending all help to their families https://t.co/lneKzu6XK2
— Dr. S. Jaishankar (@DrSJaishankar) June 11, 2019
ବସ୍ ଦୁର୍ଘଟଣାରେ ନେପାଳରେ ପ୍ରାଣ ହରାଇଥିବା ଦୁଇ ବ୍ୟକ୍ତି ହେଲେ ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ଅଞ୍ଚଳର ଚରଣ ବିଶ୍ୱାଳ ଏବଂ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଯମୁନା ଗାଁର ବିଜୟ କୁମାର ଜେନା। ଅନ୍ୟ ଦୁଇ ଓଡ଼ିଆ ତୀର୍ଥଯାତ୍ରୀ ସର୍ବେଶ୍ୱର ଜେନା ଏବଂ ସହଦେବ ଜେନାଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କାଠମାଣ୍ଡୁର ବିରଗୁଞ୍ଜ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଦେଶର ବିଭିନ୍ନ ସ୍ଥାନରୁ ତୀର୍ଥଯାତ୍ରୀଙ୍କୁ ନେଇ ନେପାଳ ଯାଇଥିବା ଏକ ବସ୍ ସେଠାକାର ରାଉତପୁରା ଜିଲ୍ଲାର ପଉରାଇ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍ଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା। ଫଳରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାରୁ ପ୍ରାୟ ୨୦ ମିଟର ତଳକୁ ଖସି ପଡ଼ିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।