୪ ଜିଲ୍ଲାରେ ୮ଘଣ୍ଟା ବର୍ଷିବ, ବ୍ଲକ ଦାୟିତ୍ୱରେ ବରିଷ୍ଠ ଅଫିସର, ଲୋକଙ୍କୁ ସ୍ଥାନାନ୍ତର ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ରୂପ ନେଇ ଆଜି ସନ୍ଧ୍ୟା ୭ରୁ ୮ଟା ମଧ୍ୟରେ ଦୀଘା ନିକଟରେ ଉପକୂଳ ଛୁଇଁଛି । ଏହାର ପ୍ରଭାବରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ସୁନ୍ଦରଗଡ଼ ଜିଲ୍ଲାରେ ୭ରୁ ୮ ଘଂଟା ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଦାୟିତ୍ୱରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ମୁତୟନ କରାଯାଇଥିବାବେଳେ ତଳିଆ ଓ ମାଟି […]

SRC

SRC

Ordigital Desk
  • Published: Friday, 19 August 2022
  • Updated: 19 August 2022, 10:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ରୂପ ନେଇ ଆଜି ସନ୍ଧ୍ୟା ୭ରୁ ୮ଟା ମଧ୍ୟରେ ଦୀଘା ନିକଟରେ ଉପକୂଳ ଛୁଇଁଛି । ଏହାର ପ୍ରଭାବରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ସୁନ୍ଦରଗଡ଼ ଜିଲ୍ଲାରେ ୭ରୁ ୮ ଘଂଟା ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଦାୟିତ୍ୱରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ମୁତୟନ କରାଯାଇଥିବାବେଳେ ତଳିଆ ଓ ମାଟି ଘରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଆରମ୍ଭ ହୋଇଛି । ଏହାସହିତ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଅବପାତ ଦୀଘା ନିକଟରେ ସ୍ଥଳଭାଗ ଛୁଇଁ ବାଲେଶ୍ୱର ଆଡ଼େ ମୁହାଁଇଥିବାରୁ ଏହାର ପ୍ରଭାବରେ ଉତ୍ତର ବାଲେଶ୍ୱର ଅଂଚଳରେ ସନ୍ଧ୍ୟା ୭ଟାରୁ ବର୍ଷା ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲାରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି । ଏହି ଅବପାତ ଯୋଗୁ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଜିଲ୍ଲାରେ ଆସନ୍ତା ୭ରୁ ୮ଘଂଟା ପ୍ରବଳ ବର୍ଷା ସମ୍ଭାବନା ରହିଛି। ଓଡ଼ିଶା ଉପରେ ଏହି ଅବପାତର ପ୍ରଭାବ ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ନିଷ୍କ୍ରିୟ ହେବ । ତେବେ ପ୍ରବଳ ବର୍ଷା ଯୋଗୁ ଉପୁଜିବାକୁ ଥିବା ପରିସ୍ଥିତିର ମୁକାବିଲା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ବାଲେଶ୍ୱର ସହରରୁ ୩ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ ପ୍ରଭାବିତ ଜିଲ୍ଲାରେ ତଳିଆ ଓ ମାଟିଘରେ ରହୁଥିବା ଲୋକଙ୍କୁ ମଧ୍ୟ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀକୁ ନିଆଯାଉଛି । ବିଡିଓ ଓ ତହସିଲଦାରମାନଙ୍କୁ ପ୍ରତି ଘଂଟାରେ ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏସଆରସିଙ୍କ କାର୍ଯ୍ୟାଳୟ ଓ ଜଳସେଚନରେ ୨୪ଘଂଟିଆ ମନିଟରିଂ କେନ୍ଦ୍ର ଖୋଲାଯାଇଛି ।

ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଗତସିଂହପୁର,ପୁରୀ, କଟକରେ ମୁତୟନ ହୋଇଥିବା ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ବାହିନୀକୁ ଏସବୁ ଜିଲ୍ଲାକୁ ସ୍ଥାନାନ୍ତର କରାଯାଇଛି । ମୟୂରଭଞ୍ଜ ଜିଲ୍ଲାକୁ ଗୋଟିଏ ଲେଖାଏଁ ଏନଡିଆରଏଫ ଓ ଓଡ୍ରାଫ ଟିମ୍‌, ୪ଟି ଅଗ୍ନିଶମ ବାହିନୀ ଟିମ୍‌, ବାଲେଶ୍ୱର ଜିଲ୍ଲାକୁ ୨ଟି ଏନଡିଆରଏଫ, ୨ଟି ଓଡ୍ରାଫ ଓ ୪ଟି ଅଗ୍ନିଶମ ଟିମ୍‌, ଭଦ୍ରକ ଜିଲ୍ଲାକୁ ୨ଟି ଏନଡିଆରଏଫ, ୨ଟି ଓଡ୍ରାଫ ଓ ୬ଟି ଅଗ୍ନିଶମ ଟିମ୍ , କେନ୍ଦୁଝର ଜିଲ୍ଲାକୁ ଗୋଟିଏ ଏନଡିଆରଏଫ ଓ ୨ଟି ଅଗ୍ନିଶମ ବାହିନୀ ଟିମ୍ , ଯାଜପୁର ଜିଲ୍ଲାକୁ ଗୋଟିଏ ଏନଡିଆରଏଫ ଓ ଗୋଟିଏ ଓଡ୍ରାଫ ଟିମ୍ ସମେତ ୨ଟି ଅଗ୍ନିଶମ ବାହିନୀ ଟିମ୍ ମୁତୟନ କରାଯାଇଛି । ଏହି ଟିମଗୁଡ଼ିକ ଏବେ ଏସବୁ ଜିଲ୍ଲାରେ ପହଂଚି ସାରିଛନ୍ତି, ଅଳ୍ପ କିଛି ଟିମ୍ ଆଜି ମଧ୍ୟରାତ୍ରି ସୁଦ୍ଧା ଏସବୁ ଜିଲ୍ଲାରେ ପହଂଚିବେ । ରାଜ୍ୟ ସରକାର ମଧ୍ୟ ଆଉ ୪ଟି ୟୁନିଟକୁ କଟକ ଓ ମୁଣ୍ଡୁଳୀରେ ରିଜର୍ଭ ରଖିଛନ୍ତି । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ମୁତୟନ କରାଯିବ ।

ତେବେ ଆସନ୍ତା ୭ରୁ ୮ ଘଂଟା ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଜିଲ୍ଲା ପ୍ରଶାସନ ଏବେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଉପରେ ଗୁରୁତ୍ୱ ଦେଉଛନ୍ତି । ବିଶେଷକରି ତଳିଆ ଓ ମାଟିଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ଏସବୁ ଜିଲ୍ଲାରେ ବର୍ଷା ଯୋଗୁ ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିବାର ଆଶଙ୍କା ଥିବାରୁ ଜଳସମ୍ପଦ ବିଭାଗର ଇଞ୍ଜନିୟର ଓ କର୍ମଚାରୀମାନଙ୍କୁ ସଜାଗ ରଖାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos