କବାଡ଼ି ଖାନାରେ ‘ମୋ ସାଇକଲ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀକୁ ପ୍ରଦୂଷଣ ମୁକ୍ତ କରିବା ଏବଂ ଲୋକଙ୍କ ମନରେ ସାଇକଲ ପ୍ରତି ଆଗ୍ରହ ବଢ଼ାଇବା ଲକ୍ଷ୍ୟରେ ବିଏମସି ‘ମୋ ସାଇକଲ୍’ ଯୋଜନା ଆରମ୍ଭ କରିଥିଲା। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ରାସ୍ତାରେ ସ୍ୱତନ୍ତ୍ର ସାଇକଲ ଟ୍ରାକ୍ ନିର୍ମାଣ କରାଗଲା ଓ ଷ୍ଟାଣ୍ଡ ବସିଲା। ହେଲେ ଏବେ ଏହି ସାଇକଲ କବାଡ଼ି ଖାନାରେ ପଡ଼ିରହିଛି। ଏଥିରୁ ଲାଗୁଛି ଯେ ବିଏମସିର ଏହି ଯୋଜନା ବାଟବଣା ହୋଇ ଯାଇଛି।

ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ନିକଟରେ ଥିବା ଏକ କବାଡ଼ି ଦୋକାନରେ ବହୁ ସଂଖ୍ୟାରେ ସାଇକଲ ପଡ଼ି ରହିଥିବା ଦେଖିବାକୁ ମିଳିଛି। ସେଥିରୁ କିଛି ସାଇକଲ୍ ଗଡ଼ିବା ସ୍ଥିତିରେ ଅଛି। କିନ୍ତୁ ଏମିତି ପରିତ୍ୟକ୍ତ ଅବସ୍ଥାରେ କାହିଁକି ପଡ଼ିଛି, ତାକୁ ନେଇ ଅନେକେଙ୍କ ମନରେ ପ୍ରଶ୍ନ। ଉକ୍ତ କବାଡ଼ି ଖାନାର ମାଲିକ କହିଛନ୍ତି ଯେ ସେ ଗୋଟାକୁ ୫ଶହ ଟଙ୍କା ହିସାବରେ ୨୫୦ଟି ସାଇକଲ ହ୍ୟାକ୍ସି ନାମକ କମ୍ପାନୀଠାରୁ କିଣିଛନ୍ତି। ସେଥିରୁ ଜିପିଏସ୍ ମେସିନ୍ ଖୋଲି କମ୍ପାନୀକୁ ଫେରାଇ ଦେବା ପରେ ବାକି ସବୁ ଅଂଶ ସ୍କ୍ରାପ୍ କରି ବିକ୍ରି କରୁଛନ୍ତି। ତେବେ ଗଦା ହୋଇଥିବା ସାଇକେଲରୁ ଅଧିକାଂଶ ଗଡ଼ିବା ସ୍ଥିତିରେ ରହିଛି। ତେଣୁ ସଚଳ ସାଇକଲ ସ୍କ୍ରାପିଂ ପାଇଁ ଦିଆଯିବା ନିଷ୍ପତ୍ତିକୁ କିନ୍ତୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ରାଜଧାନୀ ବାସିନ୍ଦା। ଏ ନେଇ ଜଣେ ରାଜଧାନୀ ବାସିନ୍ଦା କହିଛନ୍ତି, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ରାସ୍ତାରେ ସ୍ୱତନ୍ତ୍ର ସାଇକଲ ଟ୍ରାକ୍ ନିର୍ମାଣ ହେଲା। ହେଲେ ସାଇକଲ କିନ୍ତୁ କବାଡ଼ି ଖାନାରେ ପଡ଼ିଛି।

ସୂଚନାଯୋଗ୍ୟ, ୨୦୧୮ ହକି ବିଶ୍ୱକପ୍ ବେଳେ ବିଶ୍ୱ ଦରବାରରେ ସ୍ମାର୍ଟ ସିଟିର ପରିଚୟ ଦୁଇ ଗୁଣା କରିବା ଲକ୍ଷ୍ୟରେ ବିଏମସି ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ କରି ୨ହଜାର ସାଇକଲ କିଣିଥିଲା। ହ୍ୟାକ୍ସି, ୟୋନା ଏବଂ ୟୁଲୁ ନାମକ ୩ଟି ଅଲଗା ଅଲଗା କମ୍ପାନୀଙ୍କଠୁ ୫ବର୍ଷ ପାଇଁ ସାଇକେଲ ପିଛା ୨୫ ହଜାର ଟଙ୍କା ଦେଇ କିଣିଥିଲା। ହେଲେ ମାତ୍ର ୨ବର୍ଷ ଭିତରେ ନିଜ ସାଇକଲ ଗୁଡିକୁ ସ୍କ୍ରାପିଂ କରିବା ପାଇଁ କମ୍ପାନୀ ଏହାକୁ ବିକି ଦେଲା।

ଏ ନେଇ ଓଡ଼ିଶା ଅପରେସନ ମ୍ୟାନେଜର ସୂର୍ଯ୍ୟକାନ୍ତ ଦଳବେହେରା କହିଛନ୍ତି, ରାଜଧାନୀରେ ପ୍ରଥମେ ୧ ହଜାର ସାଇକଲ ପାଇଁ ବିଏମସି ସହ ଚୁକ୍ତି ହୋଇଥିଲା। କିନ୍ତୁ ପରେ ଚାହିଦା ବଢ଼ିବାରୁ ଆଉ ଅଧିକ ୪ଶହ ସାଇକେଲ କମ୍ପାନୀ କାମରେ ଲଗାଇଥିଲେ। ତେଣୁ ସେ ଅତିରିକ୍ତ ୪ଶହ ସାଇକେଲ ଭିତରୁ ଖରାପ ହୋଇଥିବା ସାଇକେଲ ଗୁଡିକୁ ଭାଙ୍ଗି ଦରକାରୀ ଯନ୍ତ୍ରାଂଶ ଗୁଡିକୁ ଅନ୍ୟ ସାଇକେଲରେ ବ୍ୟବହାର ପାଇଁ ନିଷ୍ପତ୍ତି ହୋଇଛି। ତେଣୁ ଖରାପ ସାଇକେଲ କବାଡ଼ି ବ୍ୟବସାୟୀଙ୍କୁ ଦିଆଯାଇଛି। ଅନ୍ୟପଟେ ପୂରା ଘଟଣାର ତଦନ୍ତ ପରେ କୌଣସି ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି ବିଏମସି କମିଶନର କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।