ଜୟପୁର: ସୁନ୍ଦରଗଡ଼ ପରେ ଜୟପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭାରେ ମହିଳାଙ୍କଠାରୁ କଳା ଓଢ଼ଣି କାଢ଼ି ନିଆଯିବା ନେଇ ପୁଣି ବିବାଦ ସୃଷ୍ଟି ହୋଇଛି। ସୁନ୍ଦରଗଡ଼ ଭଳି କଳା ଓଢ଼ଣି କାଢ଼ିବା ଘଟଣାର ପୁନରାବୃତ୍ତି ନ ଘଟାଇବା ପାଇଁ ମୁଖ୍ୟମନ୍ତ୍ରୀ ଗୃହ ସଚିବ ଓ ଡିଜିପିଙ୍କୁ କଡ଼ା ତାଗିଦ୍ କରିଥିଲେ। ଏହା ସତ୍ତ୍ୱେ ଆଜି ଜୟପୁରରେ ପୁଣି ସୁନ୍ଦରଗଡ଼ ଘଟଣାର ପୁନରାବୃତ୍ତି ଘଟିଛି।
ଜୟପୁରରେ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ସଭାସ୍ଥଳକୁ ଆସୁଥିବା ମହିଳାଙ୍କୁ ଯାଞ୍ଚ କରୁଥିଲେ ମହିଳା ପୋଲିସ୍। ଯାଞ୍ଚ ବେଳେ ମହିଳାଙ୍କ ବେକରୁ କଳା ଓଢ଼ଣି କାଢ଼ି ଦେଇଥିଲା ପୋଲିସ୍। କଳା ଓଢ଼ଣି ଗୁଡ଼ିକୁ କାଢ଼ି ବ୍ୟାଗ୍ରେ ଭର୍ତ୍ତି କରି ଦେଉଥିଲେ। ଏମିତି କିଛି ମହିଳା ଘୋଡ଼ାଇ ହୋଇଥିବା ଗାମୁଛାକୁ ଖୋଲି ହାତରେ ଧରି ଯିବାକୁ ଉପସ୍ଥିତ ପୋଲିସ୍ କର୍ମଚାରୀମାନେ ନିର୍ଦ୍ଦେଶ ଦେଉଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ସୁନ୍ଦରଗଡ଼ରେ ମହିଳାଙ୍କଠାରୁ କଳା ଓଢ଼ଣି କାଢ଼ି ନିଆଯିବା ଘଟଣାକୁ ବିରୋଧୀ ଦଳଗୁଡ଼ିକ ତୀବ୍ର ସମାଲୋଚନା କରିବା ସହ ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି କରିଥିଲେ। ଏନେଇ ଗୃହରେ ମୁଖ୍ୟମନ୍ତ୍ରୀ ବିବୃତି ରଖିଥିଲେ ଓ ଏଭଳି ଘଟଣା ତାଙ୍କୁ ଦୁଃଖିତ କରିଛି ବୋଲି ସେ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।