କାର୍‌ରେ ଆସିଲେ, LED ଟିଭି ବୋଝେଇ ପିକ୍ଅପ୍ ଭ୍ୟାନ ଧରି ଛୁ ମାରିଲେ

ଖୋର୍ଦ୍ଧା(ବଳରାମ ଲେଙ୍କା) : ଫିଲ୍ମ ଷ୍ଟାଇଲ୍‌ରେ ଲୁଟ୍‌ । ରାତି ଅଧରେ ନିଛାଟିଆ ରାସ୍ତାରେ ଏକ LED ଟିଭି ବୋଝେଇ ପିକ୍ଅପ୍ ଭ୍ୟାନ ଆଗରେ ଥୋଇ ଦେଲେ କାର୍‌। ଏହାପରେ ପିକ୍ଅପ୍ ଭ୍ୟାନ ଧରି ଚମ୍ପଟ ମାରିଲେ। ଏନଏଚ୍- ୫୭ର ବାଘମାରୀ କଲେଜ ନିକଟରୁ ଗତକାଲି ବିଳମ୍ବିତ ରାତିରେ ଏପରି  ଲୁଟ୍ ହୋଇଥିବା ବେଳେ ଲୁଟେରାଙ୍କ ଟେର ପାଉନି ପୁଲିସ୍‌ ।

ଗତକାଲି ଏକ LED ଟିଭି ବୋଝେଇ ପିକ୍ଅପ୍ ଭ୍ୟାନ ବିଳମ୍ବିତ ରାତି ପ୍ରାୟ ୨ଟାରେ ଏନଏଚ୍- ୫୭ର ବାଘମାରୀ କଲେଜ ନିକଟ ରାସ୍ତା ଅତିକ୍ରମ କରୁଥିଲା। ଏହି ସମୟରେ ନିଛାଟିଆ ରାସ୍ତାରେ ହଠାତ୍‌ ଏକ କାର୍‌ ଆସି ରାସ୍ତା ଉପରେ ଛିଡ଼ା ହେଲା । ଏହାଦେଖି ପିକ୍ଅପ୍ ଭ୍ୟାନ ଡ୍ରାଇଭର ଗାଡ଼ିଟିକୁ ଅଟକାଇ ଦେଇଥିଲେ। କାର୍‌ରୁ ୪ ଜଣ ଯୁବକ ବାହାରି ପିକଅପ୍‌ ଡ୍ରାଇଭରଙ୍କୁ ଓହ୍ଲାଇ ଯିବାକୁ ଧମକ ଦେଲେ । ଡ୍ରାଇଭରଜଣକ ଗାଡ଼ିରୁ ଓହ୍ଲାଇବାରୁ ୨ ଯୁବକ ପିକ୍‌ଅପ୍‌ ଧରି ଘଟଣାସ୍ଥଳରୁ ପାର୍‌ ହୋଇଯାଇଥିଲେ। ଏଥିସହ ଆଉ ୨ଜଣ କାର୍‌ ଧରି ପଳାଇ ଯାଇଥିଲେ।

ଘଟଣା ସମ୍ପର୍କରେ ଡ୍ରାଇଭରଜଣକ ବାଘମାରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ବିଭିନ୍ନ ଚେକପୋଷ୍ଟରେ ଯାଞ୍ଚକୁ କଡ଼ାକଡ଼ି କରାଯିବା ସହ ଏ ସମ୍ପର୍କରେ ବିଭିନ୍ନ ଥାନାକୁ ଖବର ଦିଆଯାଇଛି। ଲୁଟ୍‌ ହୋଇଥିବା LED ଟିଭି ବୋଝେଇ ପିକ୍ଅପ୍ ଭ୍ୟାନ ମୂଲ୍ୟ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।