ଏମ୍‌କେସିଜି ମାଡ଼ ମରା ଘଟଣା: ୬ ଡାକ୍ତରୀ ଛାତ୍ର ଓ ୩ ଜୁନିୟର ଡାକ୍ତରଙ୍କୁ ଜାମିନ୍

ବ୍ରହ୍ମପୁର: ସୋମବାର ଜାମିନରେ ମୁକୁଳିଲେ ଏମକେସିଜି ମେଡିକାଲ କଲେଜର ୬ଜଣ ଡାକ୍ତରୀ ଛାତ୍ର ଓ ୩ ଜୁନିୟର ଡାକ୍ତର। ଆଟ୍ରୋସିଟି ମାମଲାରେ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟ ଏବଂ ୫୦୬ ଦଫାର ୩ଟି ମାମଲାରେ ଆଜି ଏସଡିଜେମ୍‌ଙ୍କ କୋର୍ଟରୁ ସମସ୍ତଙ୍କୁ ଜାମିନ୍‌ ମିଳିଛି। ସେମାନଙ୍କୁ ସର୍ତ୍ତମୂଳକ ଜାମିନ୍ ଦିଆଯାଇଛି। ଜଣେ ଜାମିନଦାର ଓ ୧୦ ହଜାର ଟଙ୍କାର ମୁଚାଲିକାରେ ସେମାନଙ୍କୁ ଜାମିନ୍ ଦିଆଯାଇଛି।

ଗତ ୨୯ ତାରିଖରେ ବିଳମ୍ବିତ ରାତିରେ ଜଣେ ରୋଗୀର ଚିକିତ୍ସାକୁ ନେଇ ରୋଗୀଙ୍କ ସଂପର୍କୀୟ, ପୋଲିସ୍ ଓ ସାମ୍ବାଦିକଙ୍କୁ ଗାଳିଗୁଲଜ କରିବା ଓ ମାଡ଼ ମାରିବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଥିଲା।

ଏମାନଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ବିଭିନ୍ନ ଜୁନିୟର ଡାକ୍ତର ସଂଘ। ଏସ୍‌ସିବି ଜୁନିୟର ଡାକ୍ତର ଛାତ୍ର ସଂଘ ପକ୍ଷରୁ ଏନେଇ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ସେମାନେ। ବୁର୍ଲା ଜୁନିୟର ଡାକ୍ତର ସଂଘ ମଧ୍ୟ ସେମାନଙ୍କ ଦାବିକୁ ସମର୍ଥନ କରିଛି।