ପଦ୍ମପୁର ଉପନିର୍ବାଚନ: ଭୋଟର ନିରବ, ବିଜେଡିରେ ବଢ଼ୁଛି ଅବିଶ୍ୱାସ ଓ ଛକାପଞ୍ଝା

ଭୁବନେଶ୍ୱର/ପଦ୍ମପୁର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ପଦ୍ମପୁର ଉପନିର୍ବାଚନ ଜିତିବା ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଥିବାବେଳେ ସାଧାରଣ ଭୋଟରଙ୍କ ନିରବତା ଏବେ ରାଜନୀତିକ ଦଳଗୁଡ଼ିକୁ ଆଶା-ଆଶଙ୍କା ଭିତରକୁ ଠେଲି ଦେଇଛି । ବିଶେଷକରି ଚାଷୀ ଆନ୍ଦୋଳନ ଓ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ତାଳିପକା ସମାଧାନ ଦିଗରେ ଶାସକ ବିଜେଡି ଉଦ୍ୟମ କରିଥିଲେ ମଧ୍ୟ ଏହି ଆନ୍ଦୋଳନ ପୂର୍ବବତ୍ ଜାରି ରହିଥିବାରୁ ସାଧାରଣ ଭୋଟର କ’ଣ […]

election

election

Ordigital Desk
  • Published: Wednesday, 23 November 2022
  • Updated: 23 November 2022, 08:40 PM IST

ଭୁବନେଶ୍ୱର/ପଦ୍ମପୁର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ପଦ୍ମପୁର ଉପନିର୍ବାଚନ ଜିତିବା ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଥିବାବେଳେ ସାଧାରଣ ଭୋଟରଙ୍କ ନିରବତା ଏବେ ରାଜନୀତିକ ଦଳଗୁଡ଼ିକୁ ଆଶା-ଆଶଙ୍କା ଭିତରକୁ ଠେଲି ଦେଇଛି । ବିଶେଷକରି ଚାଷୀ ଆନ୍ଦୋଳନ ଓ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ତାଳିପକା ସମାଧାନ ଦିଗରେ ଶାସକ ବିଜେଡି ଉଦ୍ୟମ କରିଥିଲେ ମଧ୍ୟ ଏହି ଆନ୍ଦୋଳନ ପୂର୍ବବତ୍ ଜାରି ରହିଥିବାରୁ ସାଧାରଣ ଭୋଟର କ’ଣ ନିଷ୍ପତ୍ତି ନେବେ ତାକୁ ନେଇ ବିଜେଡି ଆଶଙ୍କାରେ ରହିଛି । ଯଦିଓ ନିଜର ୧୫ଜଣ ମନ୍ତ୍ରୀ ଓ ୩୫ରୁ ଅଧିକ ବିଧାୟକଙ୍କ ସମେତ ଶତାଧିକ ବରିଷ୍ଠ ନେତାଙ୍କୁ ପ୍ରଚାର କାର୍ଯ୍ୟରେ ବିଜେଡି ନିୟୋଜିତ କରିଛି ଓ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦୀର୍ଘ ୧୨ଦିନରୁ ଅଧିକ ସମୟ ଧରି ପଦ୍ମପୁରରେ ପଡ଼ି ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତି । ତଥାପି ପ୍ରଣବପ୍ରକାଶଙ୍କ ନେତୃତ୍ୱରେ ଚାଲିଥିବା ନିର୍ବାଚନୀ ପରିଚାଳନାରେ ବିଧାୟକ ସୁଶାନ୍ତ ସିଂହଙ୍କ ମାତ୍ରାଧିକ ହସ୍ତକ୍ଷେପ, ଧାମନଗରରେ ପରାଜୟର ମୁଖ୍ୟ ସୂତ୍ରଧର ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସକ୍ରିୟତା ଓ ବିଶେଷକରି ଏହି ତିନି ନେତାଙ୍କ ମନମୁଖୀ ନିଷ୍ପତ୍ତି ଯୋଗୁ ଦଳୀୟ ନେତାମାନଙ୍କ ମଧ୍ୟରେ ବଢ଼ୁଥିବା ଛକାପଞ୍ଝା ବିଜେଡିକୁ ବ୍ୟାକଫୁଟକୁ ନେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ପଦ୍ମପୁର ଉପନିର୍ବାଚନ ପାଇଁ ଏବେ ସବୁ ଦଳ ନିଜର ପ୍ରଚାର ଜୋରଦାର କରୁଥିବାବେଳେ ସାଧାରଣ ଭୋଟରଙ୍କ ନିରବତା ଉଭୟ ବିଜେଡି ଓ ବିଜେପି ପାଇଁ ଆଶଙ୍କା ବଢ଼ାଇଛି । ଏପଟେ ନିଜର ପକେଟ୍ ଭୋଟକୁ ନିଜ ପାଖରେ ରଖିବା କଂଗ୍ରେସ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ପାଲଟିଛି । ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ମାହୋଲ ସୃଷ୍ଟି କରିବା ପାଇଁ ଚାଷୀ ଆନ୍ଦୋଳନ ଓ ପଦ୍ମପୁର ଜିଲ୍ଲା ମାନ୍ୟତା ଦାବିର ତାଳିପକା ସମାଧାନ ବାଟ ଖୋଜିବା ସହ ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ଶାସକ ବିଜେଡି ପାଇଁ ବିଶେଷ ସହାୟକ ହୋଇପାରିନି । ଯଦିଓ ଚାଷୀଙ୍କ ଦାବି ମୁତାବକ ଇନପୁଟ୍ ସବସିଡି ଘୋଷଣା ଓ ଆଗୁଆ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଫସଲବୀମା କ୍ଷତିପୂରଣ ପ୍ରଦାନ ନିମନ୍ତେ କେନ୍ଦ୍ର ସରକାର ସ୍ପଷ୍ଟ ନିର୍ଦ୍ଦେଶ ଦେଇସାରିଛନ୍ତି । ତଥାପି ଚାଷୀମାନେ ଏସବୁ ଘୋଷଣା, ପ୍ରତିଶ୍ରୁତି ଓ ନିର୍ଦ୍ଦେଶ କେବଳ କାଗଜକଲମରେ ସୀମିତ ରହିଥିବାରୁ ନିଜର ଆନ୍ଦୋଳନକୁ ଜାରି ରଖିଛନ୍ତି । ସେହିପରି ଜିଲ୍ଲା ମାନ୍ୟତା ଦାବିକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନିନେବା ସହ ୨୦୨୩ ଡିସେମ୍ବର ସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ଏହା ସତ୍ତ୍ୱେ ଜିଲ୍ଲା ଦାବି ଆନ୍ଦୋଳନ ଜାରି ରହିଛି, ଯାହାକି ଶାସକ ବିଜେଡିକୁ ବିଶେଷ ସହାୟକ ହୋଇପାରିନି । ତା’ଛଡ଼ା କୋଶଳ ରାଜ୍ୟ ଗଠନ ଦାବି ଆନ୍ଦୋଳନ ପଦ୍ମପୁରରେ ସକ୍ରିୟ ହେବା ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି ।ଏବେ ଫସଲ କଟା,ଧାନ ଅମଳ ଓ ବିକ୍ରିରେ ବ୍ୟସ୍ତ ପଦ୍ମପୁରର ସିଂହଭାଗ ସାଧାରଣ ଭୋଟରଙ୍କ ନିରବତା ହିଁ ସବୁ ଦଳର ହୃତସ୍ପନ୍ଦନ ବଢ଼ାଇ ଦେଇଛି।

ଏପଟେ ଶାସକ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ନେଇ ଦଳ ଭିତରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ବିଶେଷକରି ଭଟଲୀ ବିଧାୟକ ସୁଶାନ୍ତ ସିଂ ଯୋଗୁ ଦଳ ଭିତରେ ଏହି ଛକାପଞ୍ଝା ବୃଦ୍ଧି ପାଉଥିବାବେଳେ ସୁଶାନ୍ତଙ୍କ ମାତ୍ରାଧିକ ହସ୍ତକ୍ଷେପ ଏବେ ସେଠାରେ ପ୍ରଚାର ଦାୟିତ୍ୱରେ ଥିବା ଏକ ବୃହତ୍ ଗୋଷ୍ଠୀକୁ ଅସନ୍ତୁଷ୍ଟ କରିଛି । ସେହିପରି ତାଙ୍କ ନିଜ ବିଂଝାର ସମାଜର ନେତୃମଣ୍ଡଳୀଙ୍କୁ ଭୁବନେଶ୍ୱର ଆଣି ନବୀନଙ୍କ ସହ ପ୍ରାୟୋଜିତ ଭେଟଘାଟ ପରେ ମଧ୍ୟ ଅନ୍ୟ ଜାତିରେ ବିବାହ କରିବା ଏବଂ ଉପକୂଳ ଓଡ଼ିଶାର ବୋହୂ ହେବା ଏବେ ବିଜେଡି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ବର୍ଷାଙ୍କ ସପକ୍ଷରେ ନିଜ ବିଂଝାର ସମାଜର ସବୁ ବର୍ଗର ଲୋକେ ଏକଜୁଟ ହୋଇପାରୁ ନଥିବାବେଳେ କୁଲତା ଓ ଶବର ସମାଜର ଭୋଟକୁ ହାତେଇବାରେ ବିଜେଡି ଏପର୍ଯ୍ୟନ୍ତ ସକ୍ଷମ ହୋଇନଥିବା ଜଣାପଡ଼ିଛି । ବିଶେଷକରି କୁଲତା ସମାଜର ନେତା ମହେନ୍ଦ୍ର ବଢ଼େଇଙ୍କ ସମର୍ଥକମାନେ ଏବେ ବର୍ଷାଙ୍କ ପ୍ରାର୍ଥିୀତ୍ୱକୁ ଭିତରେ ବିରୋଧ କରୁଥିବା ଚର୍ଚ୍ଚା ହେଉଛି।

ସେହିପରି ନିର୍ବାଚନରେ ଟ୍ରମ୍ପକାର୍ଡ ଭାବେ ‘ମହିଳା ଏସଏଚଜି’କୁ ଉପଯୋଗ କରୁଥିବା ବିଜେଡିକୁ ପଦ୍ମପୁରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମ୍ୟାନେଜ କରିବାରେ ବ୍ୟାପକ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିଛି । ମନ୍ତ୍ରୀ ଟୁକୁନି ସାହୁ ଓ ପ୍ରଥମଥର ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ହୋଇଥିବା ବାସନ୍ତୀ ହେମ୍ବ୍ରମ ଏବଂ ସ୍ନେହାଙ୍ଗିନୀ ଛୁରିଆ ସେଠାରେ ଡେରା ପକାଇ ମିଶନ ଶକ୍ତି ଏସଏଚଜି ମହିଳା ଭୋଟରଙ୍କୁ ପ୍ରଭାବିତ କରିବାକୁ ପ୍ରୟାସ କରୁଥିଲେ ମଧ୍ୟ ତାହା କାମ ଦେଉନି । ବିଜେପି ନିଜର କ୍ୟାଡ଼ର କର୍ମୀଙ୍କୁ ପ୍ରତ୍ୟେକ ବୁଥରେ ନିୟୋଜିତ କରି ବିଜେଡିର ଏହି ‘ଏସଏଚଜି’ ମ୍ୟାନେଜ୍ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ସରକାରୀ ପଦପଦବୀରେ ଥିବା କର୍ମଚାରୀମାନେ କାର୍ଯ୍ୟାନୁଷ୍ଠାନକୁ ଆଶଙ୍କା କରି ବିଜେଡିକୁ ସହଯୋଗ କରୁନଥିବା ଜଣାପଡ଼ିଛି।

ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୌଣସି ନିର୍ବାଚନରେ ଏତେ ଦିନ ଧରି ଗୋଟିଏ ସ୍ଥାନ(ପଦ୍ମପୁର)ରେ ଡେରା ପକାଇବା ପ୍ରଥମ ଘଟଣା । ଦଳରେ ବଢ଼ୁଥିବା ଅସନ୍ତୋଷ ଓ ଛକାପଞ୍ଝାର ଆଭାସ ପ୍ରଣବପ୍ରକାଶଙ୍କୁ ଥିଲେ ମଧ୍ୟ ସେ ଓ ତାଙ୍କ କୋଟରୀ ଟିମ୍ ହିଁ ଅସନ୍ତୋଷର ମୂଳ କାରଣ ହୋଇଥିବାରୁ ସେ ନିରବ ରହୁଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ତା’ଛଡ଼ା ଧାମନଗର ଉପନିର୍ବାଚନ ଦାୟିତ୍ୱରେ ଥିବା ଦଳୀୟ ନେତାମାନଙ୍କୁ ପଦ୍ମପୁର ଉପନିର୍ବାଚନ ପ୍ରକ୍ରିୟାରୁ ସମ୍ପୂର୍ଣ୍ଣ ଦୂରେଇ ରଖାଯାଇଥିଲେ ମଧ୍ୟ ଧାମନଗର ପରାଜୟର ମୁଖ୍ୟ ନାୟକ ପ୍ରଣବ ବଳବନ୍ତରାୟ(ଜିତୁ)ଙ୍କୁ ସେଠାରେ ଗୁରୁଦାୟିତ୍ୱ ମିଳିଛି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦୀର୍ଘ ୧୦ଦିନ ଧରି ସେଠାରେ ଡେରା ପକାଇ ନିଜର ହାକିମାତି ଦେଖାଉଥିବାବେଳେ ଶ୍ରୀ ବଳବନ୍ତରାୟଙ୍କ ଦ୍ୱାରା ସେଠାରେ ପ୍ରଚାର ଦାୟିତ୍ୱରେ ଥିବା ବରିଷ୍ଠ ନେତାମାନଙ୍କ ଉପରେ ବିଭିନ୍ନ କାର୍ଯ୍ୟ ପାଇଁ ଚାପ ପ୍ରୟୋଗକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ବିଶେଷକରି ପ୍ରଣବ ଓରଫ ବବି, ଜିତୁ ଓ ସୁଶାନ୍ତଙ୍କ ମାତ୍ରାଧିକ ହାକିମାତି ଓ ହସ୍ତକ୍ଷେପ ଯୋଗୁ ବରିଷ୍ଠ ନେତାମାନେ ନିଜକୁ ଅଣନିଶ୍ୱାସୀ ମଣିବାରେ ଲାଗିଛନ୍ତି । ଉପରକୁ ଠିକଠାକ୍ ଦିଶୁଥିଲେ ମଧ୍ୟ ପଦ୍ମପୁରରେ ଦଳର ସ୍ଥିତି ଏବେ ଏହି ନେତାମାନଙ୍କର ହାକିମାତି ପାଇଁ ଧାମନଗରଠୁ ବି ଦୟନୀୟ ଅବସ୍ଥାରେ ଥିବା ଜଣାପଡ଼ିଛି । ଯଦିଓ ପଦ୍ମପୁର ଉପନିର୍ବାଚନର ଫଳାଫଳ ଆଗାମୀ ଦିନରେ ବିଜେଡି ସଂଗଠନର ଭବିଷ୍ୟତର ରୂପରେଖ ନିର୍ଦ୍ଧାରଣ କରିବ, ତଥାପି ଏହି ଅନଭିଜ୍ଞ ନେତାମାନଙ୍କୁ ହାକିମାତିର ସୁଯୋଗ ଦେଇ ବିଜେଡି ନେତୃତ୍ୱ ପରୋକ୍ଷରେ ଦଳ ପାଇଁ ବିପର୍ଯ୍ୟୟକୁ ଆମନ୍ତ୍ରଣ କରୁଥିବା ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos