ମାଲକାନଗିରି (ଜିତେନ୍ଦ୍ର ବେଉରା): ନକ୍ସଲ ପ୍ରବଣ ମାଲକାନଗିରିରେ ପ୍ରତିଷ୍ଠା ହେବ ସିମେଣ୍ଟ କାରଖାନା। ସେଥିପାଇଁ ଆଜି ହୋଇଛି ଜନଶୁଣାଣି। ଆଦିବାସୀମାନେ ଜନଶୁଣାଣିରେ ଯୋଗଦେଇ ରଖିଛନ୍ତି ଅନେକ ଦାବି। ତିନି ବର୍ଷ ଭିତରେ ଦାବି ଗୁଡ଼ିକ ପୂରଣ କରାଯିବ ବୋଲି ସିମେଣ୍ଟ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି।
ମାଲକାନଗିରି ଜିଲ୍ଲା କୋତ୍ତା ମାଟେରୁଠାରେ ପ୍ରତିଷ୍ଠା ହେବ ସିମେଣ୍ଟ କାରଖାନା। ଡାଲ୍ମିଆ କମ୍ପାନୀ ସେଠାରେ ସିମେଣ୍ଟ କାରଖାନା ପ୍ରତିଷ୍ଠା କରିବ। ସେଥିପାଇଁ ଆଜି ମାଟାପାକା ପଞ୍ଚାୟତରେ ଆୟୋଜିତ ହୋଇଥିଲା ଜନ ଶୁଣାଣି। ଏଥିପାଇଁ ପ୍ରଶାସନ ସତର୍କତା ମୂଳକ ପନ୍ଥା ଗ୍ରହଣ କରିଥିଲା। ଜନ ଶୁଣାଣି ସ୍ଥାନଠାରୁ ୫ କିଲୋମିଟର ପର୍ଯ୍ୟନ୍ତ ଚାରିଆଡେ ହୋଇଥିଲା ପୁଲିସ୍ ଛାଉଣି। ରାସ୍ତା ସାରା ତାର କଣ୍ଟା ବାଡ ସାଙ୍ଗକୁ ଜଗି ରହିଥିଲେ ଶସସ୍ତ୍ର ସୁରକ୍ଷା କର୍ମୀ। କେଉଁମାନେ ସଭା ସ୍ଥଳକୁ ଯିବେ ସେନେଇ ପୂର୍ବରୁ ତାଲିକା ପ୍ରସ୍ତୁତ କରିଥିଲା ଜିଲ୍ଲା ପ୍ରଶାସନ। ଲୋକଙ୍କୁ ତନ୍ନତନ୍ନ କରି ଯାଞ୍ଚ କରାଯାଇ ଜନ ଶୁଣାଣି ସ୍ଥାନକୁ ଛଡାଯାଇଥିଲା।
ଗାଁ ଲୋକେ ପହଞ୍ଚିବା ପରେ କମ୍ପାନୀ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ସଭା ସ୍ଥଳରେ ପହଞ୍ଚିଥିଲେ। ତା’ପରେ ଆରମ୍ଭ ହୋଇଥିଲା ଆଲୋଚନା। କମ୍ପାନୀ ପାଇଁ ଜମି ହରାଉଥିବା ସ୍ଥାନୀୟ ଆଦିବାସୀମାନେ ଜିଲ୍ଲା ପ୍ରଶାସନ ପାଖରେ ଅନେକ ଦାବି ରଖିଥିଲେ। ଆଗାମୀ ତିନି ବର୍ଷ ମଧ୍ୟରେ ଲୋକଙ୍କ ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ କମ୍ପାନୀ କର୍ତ୍ତୃପକ୍ଷ। ସ୍ଥାନୀୟ ଆଦିବାସୀ ଲୋକଙ୍କ ବିକାଶ ଲାଗି ମୋବାଇଲ ଟାୱାର, ମାଗଣା ବିଦ୍ୟୁତ, ଉତ୍ତମ ସ୍ୱାସ୍ଥ୍ୟ କେନ୍ଦ୍ର, ଭଲ ରାସ୍ତା ସହ ସୁଦ୍ଧ ପାନୀୟ ଜଳ ଓ ଲୋକଙ୍କୁ ଚାକିରି ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଛି କମ୍ପାନୀ।
ପ୍ରସ୍ତାବିତ ଡାଲମିଆ ସିମେଣ୍ଟ କାରଖାନା ପାଇଁ ମାଟାପାକା ପଞ୍ଚାୟତର ୮୦୧ ହେକ୍ଟର ଚୁନ ପଥର ଖଣି ଲିଜ୍ ପାଇଥିବା ବେଳେ କାରଖାନା ପ୍ରତିଷ୍ଠା ଲାଗି ଆଉ ୪୦୦ ହେକ୍ଟର ଜମିର ଆବଶ୍ୟକତା ରହିଛି। ସେଥି ମଧ୍ୟରୁ ୪୬୨ ଜଙ୍ଗଲ ଜମି ରହିଥିବା ବେଳେ ୩୩୮ ହେକ୍ଟର ରାଜସ୍ୱ, ୧୯୦ ହେକ୍ଟର ସରକାରୀ ଓ ୧୪୮ ହେକ୍ଟର ଆଦିବାସୀ ଲୋକଙ୍କ ପଟ୍ଟା ଜମି ରହିଛି। ତେବେ ଲୋକଙ୍କ ସହମତି ହେଲେ କମ୍ପାନୀ ପରିବେଶ ମନ୍ତ୍ରାଳୟର ମଞ୍ଜୁରି ନେଇ ମାଲକାନଗିରି ଜିଲ୍ଲାରେ ଆସନ୍ତା ତିନି ବର୍ଷ ମଧ୍ୟରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରି ସ୍ଥାନୀୟ ଅଞ୍ଚଳର ବିକାଶ କରିବ ବୋଲି କହିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ।
ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କୌଣସି କମ୍ପାନୀ ପ୍ରତିଷ୍ଠା ହୋଇନଥିବା ବେଳେ ପ୍ରଥମ ଥର ଲାଗି ଡାଲମିଆ ସିମେଣ୍ଟ ସେଠାକୁ ଯାଇଛି। ହେଲେ ଗତ ଦୁଇ ବର୍ଷ ଧରି ସ୍ଥାନୀୟ ଆଦିବାସୀ ଜମି ଓ ଜଙ୍ଗଲ ପାଇଁ ସିମେଣ୍ଟ କାରଖାନାକୁ ବିରୋଧ କରି ଆସୁଥିବା ବେଳେ ଏବେ ସେଠାରେ କରାଯାଇଛି ଜନ ଶୁଣାଣି। ତେବେ ଜନ ଶୁଣାଣିରେ ଯୋଗଦେଇଥିବା ଆଦିବାସୀ କିନ୍ତୁ ଡାଲମିଆ ସିମେଣ୍ଟ କମ୍ପାନୀର ପ୍ରତିଶୃତି ଉପରେ ଭରଷା କରିଛନ୍ତି। କାରଣ ମାଲକାନଗିରି ଜିଲ୍ଲାର ଶହ ଶହ ଶ୍ରମିକ ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଉଥିବା ବେଳେ ସେମାନଙ୍କୁ ଏଠାରେ ସିଧା ସଳଖ ନିଯୁକ୍ତି ମିଳିବ। ଆଗାମି ୫୦ ବର୍ଷ ପର୍ଯ୍ୟ କମ୍ପାନୀ ସେଠାରେ ଚାଲିଲେ ଶିକ୍ଷିତ ଯୁବକ ଓ ଯୁବତୀ ନିଯୁକ୍ତି ପାଇବେ। ଏହା ସହ ସ୍ଥାନୀୟ ଆଦିବାସୀଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଲାଗି କମ୍ପାନୀ ଗୁରୁତ୍ୱ ଦେବ ବୋଲି ମତପ୍ରକାଶ ପାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।