ପୁରୀ ସହର ହେବ ଭିକାରି ମୁକ୍ତ !

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ସହର ହେବ ଭିକାରି ମୁକ୍ତ ! ପୁରୀ ସହର ତଥା ଏହାର ଆଖପାଖ ଅଞ୍ଚଳକୁ ଭିକାରି ମୁକ୍ତ କରିବା ସହ ସେମାନଙ୍କର ପୁନର୍ବାସ କରିବାକୁ ‘ନୀଳାଦ୍ରି ନିଳୟ’ ନାମକ ଏକ ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ ସହରକୁ ଭିକାରି ମୁକ୍ତ କରାଯାଇ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଥଇଥାନ କରାଯିବ।

ପୁରୀ ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଏଠାରେ ଭିକାରିଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ। ତେଣୁ ଏଠାରେ ଥିବା ଭିକାରିଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଏହି ଯୋଜନା ଆରମ୍ଭ ହୋଇଛି।

ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ୮ଟି ‘ନୀଳାଦ୍ରି ନିଳୟ’ ଭିକାରି ପୁନର୍ବାସ ଗୃହ ନିର୍ମାଣ ହେବ। ପ୍ରତି ଗୃହରେ ୫୦ଜଣ ଭିକାରିଙ୍କ ରହିବା, ଖାଇବା ଇତ୍ୟାଦିର ବ୍ୟବସ୍ଥା ହେବ। ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ଗତକାଲି ଏନେଇ ଜିଲ୍ଲାପାଳ ବଲଓ୍ୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ବୈଠକରେ ଅନେକ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ସହ ସରକାରୀ କର୍ମଚାରୀ ଯୋଗ ଦେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।