Advertisment

ଶ୍ରୀମନ୍ଦିର ପରିଚାଳନା କମିଟିରେ ୨୬୨ କୋଟି ଖର୍ଚ୍ଚ ବଜେଟ ପାରିତ

ପରିଚାଳନା କମିଟି ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ ୨୭୧ କୋଟି ୭ଲକ୍ଷ ଟଙ୍କାର ଆୟ ଓ ୨୬୨କୋଟି ୧୬ ଲକ୍ଷ ଟଙ୍କା ବେୟ ଅଟକଳ କରାଯାଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
SriJagannath Temple MC Meeting

SriJagannath Temple MC Meeting

ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ସପ୍ତାହେ ଥିବା ବେଳେ ଆଜି ନୀଳାଦ୍ରୀ ଭକ୍ତନିବାସରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣକାଳୀନ ବଜେଟ୍ ପାରିତ ହୋଇଛି। ଏଥିସହ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ଓ ୧୫ ତାରିଖ ସୁଦ୍ଧା ପରିକ୍ରମା ମାର୍ଗ କାମ ସାରିବା ନେଇ ଗୁରୁତ୍ୱପୂର୍ଣ୍ଣ ଅଲୋଚନା ହୋଇଛି। 

Advertisment

ପରିଚାଳନା କମିଟି ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ ୨୭୧ କୋଟି ୭ଲକ୍ଷ ଟଙ୍କାର ଆୟ ଓ ୨୬୨କୋଟି ୧୬ ଲକ୍ଷ ଟଙ୍କା ବେୟ ଅଟକଳ କରାଯାଇଛି। ବଳକା ବଜେଟ୍ ରହିବ ୮ କୋଟି ୯୧ ଲକ୍ଷ ଟଙ୍କା। ୟୁନିଫର୍ମ ପଲିସିରେ ଶ୍ରୀମନ୍ଦିର ଜମିଜମା ବିକ୍ରି କରି ଆୟବୃଦ୍ଧି, ରାଜ୍ୟରେ ଥିବା ୨୫୮ରୁ ଅଧିକ ପଥରଖଣିରୁ ଆୟ ବଢ଼ାଇବା, କ୍ୟୁଆର କୋର୍ଡ ସ୍କାନ କରି ଦାନ ଗ୍ରହଣ କରିବା ପାଇଁ ଫୋନ୍ ପେ ସହ ଅନୁବନ୍ଧିତ କରାଯିବାକୁ ଆଲୋଚନା ହୋଇଛି। ଅଧିକ ହୁଣ୍ଡି ସ୍ଥାପନ କରାଯାଇ ଶ୍ରୀମନ୍ଦିର ଆୟବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। 

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ରଞ୍ଜନ କୁମାର ଦାସ ଏନେଇ ସୂଚନା ଦେଇ କହିଛନ୍ତି, ଶ୍ରୀମନ୍ଦିରର ବାହ୍ୟ ପରିକ୍ରମା ପ୍ରକଳ୍ପ କାମ ଆସନ୍ତା ଦୁଇଦିନ ଭିତରେ ଶେଷ କରି ଦାୟିତ୍ୱରେ ଥିବା କମ୍ପାନୀ ୧୫ ତାରିଖରେ ହସ୍ତାନ୍ତର କରିବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ୬ ମିଟର ପରିଧି ମଧ୍ୟରେ ଭକ୍ତ ଓ ସେବାୟତଙ୍କ ଯାତାୟତ ନେଇ ବ୍ୟବସ୍ଥା କରାଯିବ। ଶ୍ରଦ୍ଧାଳୁଙ୍କ ପାଇଁ ସର୍ବନିମ୍ନ ସୁବିଧା ଶେଷ କରି ହସ୍ତାନ୍ତର କରାଯିବ।

Advertisment

ସେହିପରି ଗତବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟିବ୍ୟୁଚିତିକୁ ଚଳିତ ବର୍ଷ ସୁଧାରି ବିଶୃଙ୍ଖଳାକୁ ଏଡାଇବା ପାଇଁ ପଦକ୍ଷେପ ନିଆଯାଇଛି।

ୟୁନିଫର୍ମ ପଲିସି ଅନ୍ତର୍ଗତ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି କରି ଆୟ ବଢ଼ାଇବା ନିମନ୍ତେ ଅବସରପ୍ରାପ୍ତ ଓଏଏସ୍ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ଶ୍ରୀମନ୍ଦିର ଭିତରେ ଓ ବାହାରେ ହୁଣ୍ଡି ଅଧିକ ବସିବ। ଭକ୍ତ ଚାହିଁଲେ ପେଟିଏମ୍‌ରେ ପେ’ କରିବେ। ଭକ୍ତ ନିବାସ, ବିଭିନ୍ନ ହୋଟେଲ, ବ୍ୟାଟେରୀ ଗାଡ଼ି, ପୁରୀ ଓ ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ସ୍ଥାନରେ କ୍ୟୁର କୋର୍ଡ ଲଗାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ଆଗତ ହୋଇଥିବା ବଜେଟରେ ସେବାୟତଙ୍କ ପରିବାରର ସଦସ୍ୟଙ୍କ ପାଇଁ ୫ କୋଟି ଟଙ୍କାର ସ୍ୱାସ୍ଥ୍ୟବୀମା, ସେବାୟତ ୱେଲଫେୟାର ନିମନ୍ତ ୫ କୋଟି, ସେବକ ଆବାସ ଯୋଜନାରେ ୩.୫୦ କୋଟି ଟଙ୍କା, ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପାଇଁ ୫ କୋଟି ୫୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କର୍ପସ ଫଣ୍ଡରେ ୫୮ କୋଟି ୯୬ ଲକ୍ଷ ଟଙ୍କା ଓ ଫାଉଣ୍ଡେସନ୍ ଫଣ୍ଡରେ ୨୧ କୋଟି ୫୦ ଲକ୍ଷ ଜମା କରାଯିବ।

ବିଭିନ୍ନ ଜିଲ୍ଲାରେ ଥିବା ଖଣିରୁ ୩୦କୋଟି, ହୁଣ୍ଡି ଓ ଡୋନେସନ୍ ବାବଦରୁ ୩୬ କୋଟି ୩୯ ଲକ୍ଷ, କର୍ପସ ଫଣ୍ଡ ସୁଧରୁ ୬୦କୋଟି ୨୮ ଲକ୍ଷ ଟଙ୍କା, ଜମି ଅଧିଗ୍ରହଣ ଓ ଜମି ବିକ୍ରିବଟା ବାବଦରୁ ୫୦ କୋଟି, ସରକାରୀ ଗ୍ରାଣ୍ଟରୁ ୬୫ କୋଟି ୭୨ ଲକ୍ଷ, ଭକ୍ତ ନିବାସରୁ ୧୦ କୋଟି ୩୦ ଲକ୍ଷ, ବିଭିନ୍ନ ସୂତ୍ରରୁ ୯ କୋଟି ୮୫ ଲକ୍ଷ ଟଙ୍କା ଆୟ ଲକ୍ଷ୍ୟ ରଖାଯାଯାଇଛି।

ରଥଯାତ୍ରା ଓ ସୁନାବେଶରେ ଖର୍ଚ୍ଚ ହେବ ୧୬ କୋଟି ୬୨ ଲକ୍ଷ ଟଙ୍କା। ସେହିପରି ପାଳିଆ ସେବକ ପାଉଣା ବାବଦରେ ୧୮ କୋଟି ଦିଆଯିବ। ପିଣ୍ଡିକା, ପାରମାଣିକ ଓ ଭିତର କାଠ ଦର୍ଶନ ପାଉଣା ବାବଦରେ ୭ କୋଟି ଟଙ୍କା ସେବକଙ୍କୁ ଦିଆଯିବ। ଅନ୍ୟାନ୍ୟ ନୀତି ପାଇଁ ୮ କୋଟି ୮୯ ଲକ୍ଷ ଟଙ୍କା, ପ୍ରଶାସନିକ ଖର୍ଚ୍ଚ ୨୮ କୋଟି ୫ ଲକ୍ଷ, ଦରମା ବାବଦରେ ୪୫ କୋଟି ୯୩ ଲକ୍ଷ, ଭକ୍ତ ନିବାସ ରକ୍ଷଣାବେକ୍ଷଣରେ ୪ କୋଟି ୫୫ ଲକ୍ଷ, ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାର ମରାମତି ଓ ଉନ୍ନତିକରଣରେ ୨୬ କୋଟି ୮ ଲକ୍ଷ ଟଙ୍କା, ସଂସ୍କୃତିର ପ୍ରଚାରପ୍ରସାରରେ ୧ କୋଟି ୪ ଲକ୍ଷ ଟଙ୍କା, ଦାନରୁ ମିଳିଥିବା ଟଙ୍କାରୁ ୧୭ ଲକ୍ଷ ଟଙ୍କା ପରିକ୍ରମା ମାର୍ଗ ନିମନ୍ତେ ଓ ଅନ୍ୟାନ୍ୟ ୧ କୋଟି ୧୯ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

ବୈଠକରେ ଅନ୍ୟମାନଙ୍କ ଭିତରେ ପୁରୀ ଜିଲ୍ଲାପାଳ, ଏସପି, ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଲେ ରଥଯାତ୍ରା ସମୟରେ ଅସୁବିଧା ସୃଷ୍ଟି ହୋଇପାରେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା କହିଛନ୍ତି। ଶ୍ରୀମନ୍ଦିରର ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଦ୍ୱାର ପାର୍ଶ୍ୱ ପରିକ୍ରମା ମାର୍ଗ ନିର୍ମାଣ କାମ ଶେଷ ନେଇ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏନେଇ ସନ୍ଦେହ ସୃଷ୍ଟି ହୋଇଥିବା ସେ ପ୍ରକାଶ କରିଛନ୍ତି।

Puri Shreemandir Puri Lord Jagannath