ନୂଆପଡ଼ା(ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ରେ ଅଧପନ୍ତରିଆ ହୋଇ ପଡ଼ି ରହିଛି ୩୫୩ ନମ୍ବର ଜାତୀୟ ରାଜପଥ। ଦୀର୍ଘ ୫ ବର୍ଷ ହେବ ଏହି ସମସ୍ୟା ଲାଗି ରହିଥିଲେ ବି ଏହାର ସମାଧାନ ଲାଗି ଦେଖାଯାଉନି ତତ୍ପରତା। ଫଳରେ ଏହି ରାସ୍ତାରେ ଦୁର୍ଘଟଣା ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଅକାଳରେ ଝଡି ପଡୁଛି ଜୀବନ।
ଏଥିରେ ଅସନ୍ତୁଷ୍ଟ ବିଭିନ୍ନ ଗାଁର ଶତାଧିକ ଲୋକେ ବାଞ୍ଜିବାହାଲ ନିକଟରେ ସୋମବାର ଅର୍ଥନୈତିକ ଅବରୋଧ ଓ ଗଣଧାରଣା ଦେଇଛନ୍ତି। ଅଧପନ୍ତରିଆ କାମ ସମ୍ପୂର୍ଣ୍ଣ ଦାବିରେ ଏହି ଅବରୋଧ ହୋଇଥିବା ଜଣାଯାଇଛି।
ଉକ୍ତ ରାସ୍ତା ଦେଇ ଆଜି ଯାତ୍ରୀବାହୀ ବସ୍ ଚଳାଚଳ କରୁଥିବା ବେଳେ ମାଲବାହୀ ଗାଡ଼ିଗୁଡ଼ିକ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି।
ଏନେଇ ନୂଆପଡ଼ା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁ ପ୍ରତାପ ସିଂହ କହିଛନ୍ତି,“ ୫ ବର୍ଷ ହେବ ୩୫୩ ନମ୍ବର ଜାତୀୟ ରାଜପଥ ଅଧପନ୍ତରିଆ ହୋଇ ପଡ଼ିରହିଛି। ତେଣୁ ସେଠାରେ ଦୁର୍ଘଟଣା ବଢ଼ୁଛି। ଅପରପକ୍ଷେ ଏହାର ମରାମତି ଲାଗି କେହି ଧରାଛୁଆଁ ଦେଉ ନ ଥିବାରୁ ବାଧ୍ୟ ହୋଇ ଅର୍ଥନୈତିକ ଅରୋଧ କରୁଛୁ। ଏଥିସହ ଜେଇ ଓ ଚିଫ୍ ଇଞ୍ଜିନିୟରଙ୍କ ବିରୋଧରେ ମାମଲା ରୁଜୁ କରାଯିବାକୁ ଦାବି କରୁଛୁ। ତେବେ ବିଭାଗୀୟ ଅଧିକାରୀ ପହଞ୍ଚି ଘଟଣାର ସମାଧାନ ବାଟ ବାହାର ନ କଲେ ଆସନ୍ତାକାଲି ସମସ୍ତ ଯାନବାହନ ଅବରୋଧ କରାଯିବ। ମୁଁ ଅନୁରୋଧ କରିବି ଜିଲ୍ଲା ପ୍ରଶାସନକୁ ସଜାଗ ହୋଇ ଏହି ସମସ୍ୟାର ସମାଧାନ ଯେତେ ଶୀଘ୍ର ହେବ କରନ୍ତୁ। ନହେଲେ ଅନିର୍ଦ୍ଦିଷ୍ଟ କାଳ ଯାଏ ଏହି ଅବରୋଧ ଚାଲିବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।