/odisha-reporter/media/post_attachments/uploads/2018/08/Aids.jpg)
Aids
ବଲାଙ୍ଗିର (ସସ୍ମିତା ସାହୁ): “ବାପାଙ୍କୁ ଏଡ୍ସ । ଏ କଥା ଜାଣିବା ପରେ ଦୁଇ ପିଲାଙ୍କ ଉପରେ ସତେ ଯେମିତି ଆକାଶ ଛିଡ଼ି ପଡ଼ିଲା। କାରଣ ଘରର ମୁରବୀ ଦିନକୁ ଦିନ କ୍ଷୀଣ ହୋଇ ଯାଉଥିଲେ। ପରିବାର କେମିତି ଚଳିବ, ସେମାନେ କେମିତି ମଣିଷ ହେବେ ସେ ନେଇ ବଢୁଥାଏ ଚିନ୍ତା। ଆଉ ଏଇ ଭିତରେ ପୁଣି ଗୋଟିଏ ଦୁଃଖର ଖବର ମିଳେ, ବାପା ଚାଲିଗଲେ। ବାପାଙ୍କ ଯିବାର ଦିନ କେଇଟା ପରେ ଡାକ୍ତର କହିଲେ ବୋଉକୁ ବି ଏଡସ୍ ହୋଇଛି।’
ଘରେ ପୁଅଟିଏ ଆଉ ଝିଅଟିଏ। ଏଭଳି ସ୍ଥିତିରେ ସେମାନେ କେମିତି ପରିବାର ଚଳେଇବେ ସେ ନେଇ ଚିନ୍ତିତ ହୋଇପଡ଼ନ୍ତି। ପାଠ ପଢ଼ାରେ ଡୋରି ବନ୍ଧାହୁଏ। ଗୋପନରେ ଆରମ୍ଭ ହୁଏ ଚିକିତ୍ସା। ହେଲେ ଉକ୍ତ ଦମ୍ପତିଙ୍କୁ ଏଡ୍ସ ହୋଇଥିବା କଥା ଗାଁ ଯାକ ରାଷ୍ଟ୍ର ହୋଇଯାଏ।
ଏଡ୍ସ ପୀଡ଼ିତ ମହିଳା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ, ପିଲା ଯୋଡ଼ିଙ୍କୁ ଗାଁରୁ ତଡ଼ି ଦିଅନ୍ତି ଗ୍ରାମବାସୀ। ଏଭଳି ସ୍ଥିତିରେ ମା’ର ଚିକିତ୍ସା ଆଉ ନିଜେ ଚଳିବା କାଠିକର ପାଠ ହୋଇପଡ଼େ। ଏ ନେଇ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ବି ପରିବାରଟି ଏବେ ହରି ଭରସାରେ ପଡ଼ି ରହିଛନ୍ତି। କ’ଣ ହେବ ଭବିଷ୍ୟତ ସେ କଥା ଈଶ୍ୱରଙ୍କୁ ହିଁ ଜଣା। ଘଟଣାଟି ହେଉଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳର।
ଗାଁଠୁ ସହର, ସବୁଠି ଏଚ୍.ଆଇ.ଭି. ଆକ୍ରାନ୍ତଙ୍କ ଚିହ୍ନଟ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସେମାନଙ୍କୁ ଚିକିତ୍ସା କରାଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ବହୁ ଯୋଜନା ମଧ୍ୟ ରହିଛି। ଏଡ୍ସ ରୋଗ ଓ ରୋଗୀଙ୍କ ପାଇଁ ଅନେକ ସଚେତନତା କାର୍ଯ୍ୟକ୍ରମ ବି ଆୟୋଜନ ହେଉଛି। ଚିକିତ୍ସା ସମୟରେ ରୋଗୀଙ୍କ ନାଁ ଯେପରି ଗୁପ୍ତ ରୁହେ ସେ ନେଇ ମଧ୍ୟ ବ୍ୟବସ୍ଥା ହେଉଛି। ସରକାର ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା କିପରି ମିଳିବ ସେ ନେଇ ମଧ୍ୟ ବ୍ୟବସ୍ଥା କରୁଥିବା ଡିଣ୍ଡିମ ପିଟୁଛନ୍ତି।
ହେଲେ ଏଡ୍ସରେ ‘ଏ’ କାଟାଗୋରୀ ବଲାଙ୍ଗିର ଜିଲ୍ଳାରେ, ରୋଗୀଙ୍କ ପାଖରେ ନା ପହଞ୍ଚି ପାରୁଛି ସରକାରୀ ଯୋଜନା ନା ସାମାଜିକ ସଚେତନତା। କୁନି ଝିଅଟି (ଏଡସ୍ ପୀଡ଼ିତ ଦମ୍ପତିଙ୍କ ଝିଅ)ର ମୁହଁରୁ ଅଭାବ, ଅସୁବିଧା, ସାମାଜିକ କଟକଣାର କଥା ଶୁଣିବା ପରେ ଆଉକିଛି ଉଦାହରଣର ଆବଶ୍ୟକତା ନାହିଁ।
ଝିଅଟି କହିଛି଼- ‘ବାପା ମରିବା ପରେ ବଲାଙ୍ଗିର ହସପିଟାଲରେ ଜୀବନ ସହ ସଂଗ୍ରାମ କରୁଛି ମାଆ। ସାହିପଡିଶା ଆମକୁ ତଡ଼ି ଦେଇଛନ୍ତି। ଏଣୁ ପରିବାର ଚଲିବା କଷ୍ଟକର।
ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନ୍ରେ ନା ଏଇ ଅବହେଳିତ ପିଲାମାନଙ୍କୁ ମିଳୁଛି ଆହାର ନା ମୋ କୁଡ଼ିଆ ଯୋଜନାରେ ଘରଟିଏ। ସରକାରୀ ବାବୁଙ୍କୁ ଯେତେ କହିଲେ ବି, ଉପରୁ ତଳ କେହି ଶୁଣୁନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
