‘ବୁଲ୍‌ବୁଲ୍‌’ ମୁକାବିଲା ଲାଗି ରାଜ୍ୟ ପ୍ରସ୍ତୁତ- ଏସ୍‌ଆରସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ବୁଲ୍‌ବୁଲ୍‌’ର ମୁକାବିଲା ଲାଗି ଓଡିଶା ସରକାରଙ୍କ ପ୍ରସ୍ତୁତିକୁ ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବା  । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ସବୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ‘ବୁଲ୍‌ବୁଲ୍‌’ ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ ବୋଲି କ୍ୟାବିନେଟ ସଚିବଙ୍କୁ ଅବଗତ କରାଯାଇଥିବା ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

‘ବୁଲ୍‌ବୁଲ୍‌’ ପ୍ରଭାବରେ ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ  ପ୍ରବଳ ବର୍ଷା ହେବ। ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ। ଆଜି ୬୫ କି.ମି. ବେଗରେ ପବନ ବହିବା ସହ ଆସନ୍ତା କାଲି ୭୦ରୁ ୯୦ କି.ମି. ବେଗରେ ପବନ ବହିବ। ଆଜି ପୁରୀ ଓ ଗଞ୍ଜାମରେ ୪୦ରୁ ୬୦କି.ମି. ବେଗରେ ପବନ ବହିପାରେ। ଆବଶ୍ୟକ ହେଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ବାତ୍ୟାର ପ୍ରକୋପ ଦେଖି ସ୍ଥାନାନ୍ତରଣ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପଶ୍ଚିମବଙ୍ଗର କିଛି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ରହିଯାଇଥିବା ବେଳେ ସେମାନେ ଓଡ଼ିଶାର ଧାମରା ବନ୍ଦର ନିକଟରେ ପହଞ୍ଚିବେ। ସେମାନଙ୍କ ସୁରକ୍ଷା ପାଇଁ ପଶ୍ଚିମବଙ୍ଗ ସରକାର ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି। ବାତ୍ୟା ସମୟରେ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ପର୍ଯ୍ୟଟକମାନଙ୍କୁ ସତର୍କ କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଭିତରକୁ ଯିବାକୁ ସେମାନଙ୍କୁ ବାରଣ କରାଯାଇଛି।