ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର ): ରାଜ୍ୟର ୩ ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାକୁ ଆଉ ମାତ୍ର ୨ଦିନ ବାକି ଥିବାବେଳେ ଶାସକ ବିଜେଡି ଆଜି ନିଜର ମେୟର ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ୱର ମେୟର ପଦ ପାଇଁ ଲମ୍ବା ଲାଇନ୍ ଲାଗିଥିଲେ ବି ସୁଲୋଚନା ଦାସଙ୍କ ନାଁରେ ମୋହର ମାରିଛି ଦଳ । ହଠାତ୍ ଏପରି ଖବର ପାଇ ବେଶ୍ ଖୁସି ଥିବା ବରିଷ୍ଠ ବିଜେଡି ନେତ୍ରୀ ସୁଲୋଚନା ପ୍ରଥମେ ଏହାକୁ ବିଶ୍ୱାସ କରିପାରି ନଥିଲେ ବି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜ କୃତଜ୍ଞତା ଜଣାଇଛନ୍ତି।
ସେ କହିଛନ୍ତି, ସାମ୍ବାଦିକ ହିସାବରେ ଲୋକଙ୍କ ସମସ୍ୟାକୁ ବହୁତ ପାଖରୁ ଦେଖିଛି। ଭିନ୍ନକ୍ଷମ କମିଶନର ହେଲା ପରେ ବି ଲୋକଙ୍କ ସହ ଓତପ୍ରେତ ଭାବେ ଜଡ଼ିତ ଥିଲି । ହେଲେ ହଠାତ୍ ମୁଖ୍ୟମନ୍ତ୍ରୀ ମୋ ଭଳି ଜଣେ ସାଧାରଣ ମହିଳା ଉପରେ ଆସ୍ଥା ପ୍ରକଟ କରି ମୋ ନାମ ମେୟର ପଦ ପାଇଁ ଘୋଷଣା କରିଥିବାରୁ ତାଙ୍କ ନିକଟରେ ସବୁବେଳେ ଆଭାରୀ ରହିବି। ଏ ସମ୍ପର୍କରେ ପୂର୍ବରୁ କୌଣସି ସୂଚନା ପାଇ ନ ଥିବା ବେଳେ ଆଜି ଅର୍ଗାନ ଡୋନେଟ ନିମନ୍ତେ ଆବଶ୍ୟକ କାଗଜପତ୍ର କାମ କରିବାକୁ ଯାଇଥିବା ବେଳେ ହଠାତ୍ ଏହି ଖବର ପାଇ ଖୁସି ହୋଇଯାଇଥିବା କହିଛନ୍ତି।
ରାଜଧାନୀବାସୀଙ୍କ ଆର୍ଶୀବାଦ ତଥା ସାହାଯ୍ୟ ସହଯୋଗ ପାଇ ମେୟର ଭାବେ ନିର୍ବାଚିତ ହେଲେ ଭୁବନେଶ୍ୱରକୁ ନେଇ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ୱପ୍ନ ପୂରଣ ପାଛଇ ଚେଷ୍ଟା କରିବି ବୋଲି କହିଛନ୍ତି ସୁଲୋଚନା। ମନ୍ଦିର ମାଳିନୀ ଭୁବନେଶ୍ୱର ରାଜ୍ୟର ସବୁ ବର୍ଗର ଲୋକଙ୍କ ପ୍ରତିନିଧିତ୍ୱ କରୁଛି। ତେଣୁ ସମସ୍ତଙ୍କ ସହଯୋଗ ନେଇ ଭୁବନେଶ୍ୱରକୁ ଏକ ନମ୍ବର ରାଜଧାନୀରେ ପରିଣତ କରିବାକୁ ଆପ୍ରାଣ ଚେଷ୍ଟା କରିବି । ସମସ୍ତ କର୍ପୋରେଟର, ବିଏମସି କମିଶନର, କର୍ମଚାରୀଙ୍କ ସହ ମିଳିତ ଭାବେ କାମ କରିବି ବୋଲି ମଧ୍ୟ କହିଛନ୍ତି ସୁଲୋଚନା।
ସୂଚନାଯୋଗ୍ୟ, ଭୁବନେଶ୍ୱର ମେୟର ପଦବୀ ନିମନ୍ତେ ଏକାଧିକ ମହିଳା ଦୌଡ଼ରେ ଥିଲେ। ହେଲେ ଅଧିକାଂଶ ନେତ୍ରୀଙ୍କର ବିଏମସି ଅଂଚଳରେ ଭୋଟର ଲିଷ୍ଟରେ ନାଁ ନ ଥିବାରୁ ସେମାନେ ବାଦ୍ ପଡ଼ିଥିଲେ । ୨୦୧୭ ଜୁନ ମାସରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ସୁଲୋଚନା ୨୦୧୯ ଅଗଷ୍ଟ ମାସରେ ରାଜ୍ୟ ଭିନ୍ନକ୍ଷମ ଆୟୋଗର ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ମେୟର ପଦ ନିମନ୍ତେ ହେବାକୁ ଥିବା ସିଧାସଳଖ ନିର୍ବାଚନରେ ବିଜେଡି ତରଫରୁ ଭୁବନେଶ୍ୱର ନିମନ୍ତେ ଆଜି ସୁଲୋଚନାଙ୍କୁ ମଇଦାନକୁ ଓହ୍ଲାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।