ଭୁବନେଶ୍ୱର: ଓଡ଼ିଶାରେ ଖଣି ଦୁର୍ନୀତି ମାମଲାରେ ଖଣି ଲିଜଧାରୀଙ୍କୁ ଶକ୍ତ ଧକ୍କା। ଡିସେମ୍ବର ୩୧ ସୁଦ୍ଧା ଜରିମାନା ନଦେଲେ ବନ୍ଦ ହେବ ଖଣିଜ ଉତ୍ତୋଳନ। ୨୦୦୦ ମସିହାରୁ ୧୦ ବର୍ଷ ଧରି ବେଆଇନ ଖଣି ଖନନ କରିଥିବା ରାଜ୍ୟର ୧୫୨ ଖଣି ଲିଜଧାରୀଙ୍କୁ ଆଜି ଏଭଳି ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ। ବେଆଇନ ଖଣି ଖନନ ମାମଲାରେ ପୂର୍ବରୁ ଖଣି ଲିଜଧାରୀଙ୍କୁ ଡିସେମ୍ବର ୩୧ ସୁଦ୍ଧା ୧୭ ହଜାର ୫୦୦ କୋଟି ଟଙ୍କା ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ତେବେ ଏହି ଜରିମାନା ଅର୍ଥରୁ ଟ୍ୟାକ୍ସ, ଖଣିଜ ଉତ୍ତୋଳନ ବାବଦ ଖର୍ଚ୍ଚ ବାଦ୍ ଦେବାକୁ ଲିଜଧାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ସେହିଭଳି ଜରିମାନା ଅର୍ଥକୁ କିସ୍ତିରେ ଦେବାକୁ ମଧ୍ୟ ଆବେଦନ ହୋଇଥିଲା। ହେଲେ ସୁପ୍ରିମକୋର୍ଟ ଖଣି ଲିଜଧାରୀଙ୍କ ଏହି ସମସ୍ତ ଆବେଦନକୁ ଖାରଜ କରିବା ସହ ଡିସେମ୍ବର ୩୧ ସୁଦ୍ଧା କ୍ଷତିପୂରଣ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନଚେତ ଖଣିରୁ ଉତ୍ତୋଳନ ବନ୍ଦ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।