କଂଗ୍ରେସ କେଉଁଠି ? ଭିଲେନ୍‌ କିଏ?

‘ପ୍ରଦେଶ କଂଗ୍ରେସରେ କିଛି ଖଳନାୟକ ଅଛନ୍ତି। ସେମାନେ ଶାସକ ଦଳ ସହିତ ସଂପର୍କରେ ଥାଇ କଂଗ୍ରେସ ଲୋକମାନଙ୍କୁ ଗିରଫ କରାଉଛନ୍ତି। ମୁଁ ସେମାନଙ୍କ ସଂପର୍କରେ ସୋନିଆ ଗାନ୍ଧୀଙ୍କୁ କହିବି। ସେମାନଙ୍କ ମୁଖା ଖୋଲିବି।’

ଓଡ଼ିଶାରେ ନିଜ ଦଳର ସ୍ଥିତି ଓ ନେତୃତ୍ୱ ସଂପର୍କରେ ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଅମର ପ୍ରଧାନ। ଗଣମାଧ୍ୟମରେ ସେ କରିଥିବା ଅଭିଯୋଗକୁ ବି ସମର୍ଥନ କରିଛନ୍ତି ଦଳର ଅନ୍ୟତମ ପୂର୍ବତନ ମନ୍ତ୍ରୀ ଶରତ ରାଉତ। ୨୦୧୯ ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସବୁ ରାଜ୍ୟର ସବୁ ଦଳୀୟ କମିଟି ଭାଙ୍ଗି ଦେଇଥିଲେ ବି ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତିଙ୍କ ପଦ କାଏମ ରଖିବା ପରେ ଦଳ ଭିତରୁ ଏପରି ପ୍ରତିକ୍ରିୟା ପଦାକୁ ଆସୁଛି। ଏଥିରୁ ପୁଣି ଥରେ ସ୍ପଷ୍ଟ ହୋଇଛି ଯେ ପ୍ରଦେଶ କଂଗ୍ରେସରେ ସବୁ କିଛି ଠିକ ଚାଲି ନାହିଁ। ଦଳୀୟ ନେତୃତ୍ୱ ଶାସକ ଦଳ ବିରୋଧରେ ସଂଗଠନ ମଜବୁତ କରିବା ପରିବର୍ତ୍ତେ ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି।

ଅମର ଓ ଶରତଙ୍କ ମନ୍ତବ୍ୟ ସିଧାସଳଖ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ବିରୋଧରେ ଉଦ୍ଦିଷ୍ଟ ବୋଲି ରାଜନୀତିକ ବିଶେଷଜ୍ଞମାନେ ଅନୁଶୀଳନ କରୁଛନ୍ତି। କାରଣ ତାଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅସନ୍ତୋଷ ଥିଲା। ତଥାପି ଗତ ନିର୍ବାଚନ ପୂର୍ବରୁ ତାଙ୍କୁ ପୁଣି ସଭାପତି କରିବା ସପକ୍ଷରେ ଜୋରଦାର ଲବି ହେବାରୁ ସେ ସଭାପତି ହୋଇଥିଲେ। ୨୦୧୪ ନିର୍ବାଚନ ପୂର୍ବରୁ ସେ ଦଳର ରାଜ୍ୟ ମୁଖିଆ ଥିଲେ। ସେହି ସମୟରେ ତାଙ୍କ ନେତୃତ୍ୱରେ ଦଳ ଭଲ କାମ କରୁଥିଲା। ତିନିଟି ପୌରପାଳିକା ସହିତ ଏକ ବିଧାନସଭା ଉପନିର୍ବାଚନରେ ମଧ୍ୟ ଦଳ ଜିତିଥିଲା। ରାଜ୍ୟର ନବୀନ ପଟ୍ଟନାୟକ ସରକାରଙ୍କ ବିରୋଧରେ ରାଜଧାନୀରେ ଏକ ବଡ଼ ଧରଣର ସମାବେଶ କରି ସେ କଂଗ୍ରେସକୁ ତେଜୀୟାନ କରିଥିଲେ। କିନ୍ତୁ ଠିକ ସେହି ସମୟରେ ତାଙ୍କୁ ହଠାତ ପଦଚ୍ୟୁତ କରାଯାଇଥିଲା। ଅକ୍ଷୟ ତୃତୀୟ ଦିନ ସେ ପୁରୀରେ ବେଦାନ୍ତ ବିରୋଧୀ ଆନ୍ଦୋଳନର ଟାଣୁଆ ନେତା ଉମାବଲ୍ଲଭ ରଥଙ୍କୁ ଦଳରେ ମିଶାଉଥିବା ସମୟରେ ତାଙ୍କର ପଦଚ୍ୟୁତି ହୋଇଥିବା ଖବର ଆସିଥିଲା।

ଏହା ପରେ ସେ ମାନମାରି ବସିଥିଲେ। ତାଙ୍କ ପରେ ପିସିସି ସଭାପତି ପଦ ପୁଣି ଥରେ ଜୟଦେବ ଯେନାଙ୍କ ପାଖକୁ ଫେରିଥିଲା। ତାଙ୍କ ନେତୃତ୍ୱରେ ନିରଂଜନଙ୍କ ଭାଇ ତଥା ଓଡ଼ିଶାର ଏକ ନମ୍ବର ଗଣମାଧ୍ୟମ ବ୍ୟକ୍ତିତ୍ୱ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ କୋଣଠେସା କରାଯାଇଥିଲା। ଶେଷରେ ସେ କଂଗ୍ରେସରୁ ବାହାରି ଆମ ଓଡ଼ିଶା ନାମରେ ନୂଆ ଦଳ ଗଢ଼ିଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ସୌମ୍ୟ ଆମ ଓଡ଼ିଶାର ଅନ୍ୟ କେତେକ ନେତାଙ୍କ ସହିତ ମିଶି ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳରେ ସାମିଲ ହେଲେ। ତାଙ୍କୁ ତତ୍‌କ୍ଷଣାତ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରାଯାଇଥିଲା। ଏବେ ସେ ଖଣ୍ଡପଡ଼ା ବିଧାୟକ।

ସୌମ୍ୟ ବିଜେଡିରେ ମିଶିଲା ଦିନରୁ ରାଜ୍ୟର ଅନେକ କଂଗ୍ରେସ ନେତା ନିରଂଜନଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି। ପୂର୍ବ ଅପମାନର ପ୍ରତିଶୋଧ ନେବାକୁ ନିରଂଜନ ଓ ସୌମ୍ୟ ମିଶି କଂଗ୍ରେସକୁ ମୂଳପୋଛ କରିବାରେ ଲାଗିଛନ୍ତି ବୋଲି ଗୋଟେ ଧାରଣା ସୃଷ୍ଟି ହୋଇଛି। ଗତ ନିର୍ବାଚନରେ ଖଣ୍ଡପଡ଼ାରେ ସୌମ୍ୟଙ୍କ ବିରୋଧରେ କଂଗ୍ରେସ ଟାଣୁଆ ପ୍ରାର୍ଥୀ ନଦେବା ସହିତ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ଆସନରେ ବିଜେଡିକୁ ସୁହାଇଲା ଭଳି ପ୍ରାର୍ଥୀ ମୁତୟନ କରିବା ଓ ପଟ୍ଟନାୟକ ପରିବାରର ଖଣି ବ୍ୟବସାୟ ଓ ବଂଶବାଦୀ ରାଜନୀତିକୁ ସମାଲୋଚନା କରୁଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଦଳରୁ ବହିଷ୍କାର କରାଯିବା ଆଦି ଘଟଣାରୁ ତାଙ୍କ ଉଦ୍ଦେଶ୍ୟ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ନିର୍ବାଚନ ପୂର୍ବରୁ ଯେଉଁମାନେ ତାଙ୍କ ସପକ୍ଷରେ ଲବି କରୁଥିଲେ ସେମାନଙ୍କ ମଧ୍ୟରୁ କେତେ ଜଣ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବା ମଧ୍ୟ ନିରଂଜନଙ୍କ ଘରସଜଡ଼ା ଉଦ୍ୟମକୁ ଫାର୍ସରେ ପରିଣତ କରିଥିଲା। କଂଗ୍ରେସ ଛାଡ଼ିଥିବା ପିସିସିର ତତ୍କାଳୀନ କାର୍ଯ୍ୟକାରୀ ସଭାପତି ନବ କିଶୋର ଦାସ ଏବେ ନବୀନ ସରକାରରେ ମନ୍ତ୍ରୀ। ଏହିପରି ଭାବରେ କଂଗ୍ରେସର ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ, ବିଧାୟକ ଦଳ ସଂପାଦକ ଅନୁପ ସାଏ, ଯୁବ କଂଗ୍ରେସ ସଭାପତି ରୋହିତ ପୂଜାରୀ, ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ସାହୁ, ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଯେନାଙ୍କ ସମେତ ଅନେକ ଦଳୀୟ ବିଧାୟକ ଓ ପୂର୍ବତନ ବିଧାୟକ ବିଜେଡିରେ ଯୋଗଦେଇ ନିଜ ଦଳକୁ ଦୁର୍ବଳ ଓ ଶାସକ ଦଳକୁ ଶକ୍ତିଶାଳୀ କରିବାରେ ବହୁଳ ଭାବରେ ସଫଳ ହୋଇଛନ୍ତି।

୨୦୦୦ ବିଧାନସଭା ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟର ବିପୁଳ ପରାଜୟଠାରୁ ରାଜ୍ୟରେ କଂଗ୍ରେସ ଦଳ କ୍ରମାଗତ ଭାବରେ ଦୁର୍ବଳରୁ ଦୁର୍ବଳତର ହୋଇଚାଲିଛି। ୧୯୯୯ ମହାବାତ୍ୟା ସମୟରେ ଦଳୀୟ ନେତାମାନେ ମିଳିମିଶି ବିପନ୍ନ ଲୋକମାନଙ୍କର ସହାୟତା କରିବା ପରିବର୍ତ୍ତେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କୁ ହଟେଇବା କାର୍ଯ୍ୟକ୍ରମ ଚଳେଇଥିଲେ। ପୂର୍ବ କଂଗ୍ରେସ ସରକାରର ଦୁର୍ନୀତି, ବିଶେଷକରି ଜାନକୀ ବଲ୍ଲଭ ପଟ୍ଟନାୟକ ଓ ତାଙ୍କ ସଂପର୍କୀୟମାନଙ୍କର ରକେଟ ଗତିରେ ସଂପତ୍ତି ବୃଦ୍ଧିକୁ ଲୋକେ ନାପସନ୍ଦ କରୁଥିଲେ। ମହାବାତ୍ୟା ବିପର୍ଯ୍ୟୟରେ ଦଳର ଆତ୍ମଘାତୀ ଅଭିଯାନ ମଧ୍ୟ ଦଳକୁ ଲୋକଙ୍କଠାରୁ ଦୂରେଇ ନେଲା।

ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟ କଂଗ୍ରେସ ଓ କେନ୍ଦ୍ର କଂଗ୍ରେସ ନେତୃତ୍ୱ ମଧ୍ୟରେ ସମନ୍ୱୟ ରହିଲା ନାହିଁ। ଏଠି କଂଗ୍ରେସ ନେତାମାନେ ନବୀନ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିବାବେଳେ ୨୦୦୪-୧୪ ମଧ୍ୟରେ କେନ୍ଦ୍ରରେ କ୍ଷମତାସୀନ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାରର ମନ୍ତ୍ରୀମାନେ ରାଜ୍ୟ ସରକାର ଓ ନବୀନଙ୍କ ନେତୃତ୍ୱ ଓ ବ୍ୟକ୍ତିତ୍ୱକୁ ପ୍ରଶଂସା କରୁଥିଲେ। ଜଣାପଡ଼ୁଥିଲା ଯେମିତି ନବୀନ ଓ ସୋନିଆଙ୍କ ମଧ୍ୟରେ କିଛି ଗୋଟେ ଭିତିରି ସଂପର୍କ ରହିଛି। ସୋନିଆ ଓ ନବୀନ ଉଭୟ ହେଉଛନ୍ତି ଭାରତୀୟ ଜାତୀୟ କଳା, ସଂସ୍କୃତି ଓ ଐତିହ୍ୟ ନ୍ୟାସ ବା ଇନ୍‌ଟାଚ୍‌ର ପ୍ରତିଷ୍ଠାତା ସଦସ୍ୟ। ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ, ନବୀନ ପଟ୍ଟନାୟକ ଓ ତାଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ମଧ୍ୟରେ ଘନିଷ୍ଟ ବନ୍ଧୁତା ଥିବା କଥା ସମସ୍ତେ ଜାଣିଥିଲେ। ୨୦୦୦ ମସିହାରୁ ୨୦୧୯ ମଧ୍ୟରେ ୯ ଥର ପିସିସି ସଭାପତି ବଦଳିବା ଫଳରେ ଦଳ ଭିତରେ ନେତୃତ୍ୱ ନେଇ ଅସ୍ଥିରତା ଲାଗି ରହିଛି। ଏହି ସମୟ ମଧ୍ୟରେ ହେମାନନ୍ଦ ବିଶ୍ୱାଳ, ଜାନକୀ ବଲ୍ଲଭ ପଟ୍ଟନାୟକ, ଶରତ ପଟ୍ଟନାୟକ, କେପି ସିଂହଦେଓ, ଜୟଦେବ ଜେନା, ନିରଂଜନ ପଟ୍ଟନାୟକ ଓ ପ୍ରସାଦ ହରିଚନ୍ଦନ ପ୍ରମୁଖ ସଭାପତି ହୋଇଛନ୍ତି। ଜୟଦେବ ଓ ନିରଂଜନ ଦୁଇ ଦୁଇ ଥର ଏହି ପଦ ପାଇଛନ୍ତି। ପରିସ୍ଥିତି ଏମିତି ହୋଇଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥାରେ ସୋନିଆ ଗାନ୍ଧୀ ପିସିସି ସଭାପତି ନିଯୁକ୍ତ କରନ୍ତି ବୋଲି ଉଭୟ ଜୟଦେବ ଓ ନିରଂଜନ ପରୋକ୍ଷରେ ସ୍ୱୀକାର କରିଛନ୍ତି। କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶାରେ କଂଗ୍ରେସକୁ ମଜବୁତ କରିବା ବଦଳରେ ଦଳ ଭିତରେ ଅସ୍ଥିରତା ଓ ଅସନ୍ତୋଷର ବାତାବରଣକୁ ତେଜେଇ ରଖିବା ଦଳକୁ ଆଜିର ସ୍ଥିତିରେ ପହଂଚାଇବାରେ ସଫଳ ହୋଇଛି। ଏହି ସମୟରେ ଓଡ଼ିଶା ରାଜନୀତିରେ ‘ନବୀନଙ୍କ ସ୍ଥାୟିତ୍ୱ, ସୋନିଆଙ୍କ ଦାୟିତ୍ୱ’ ବୋଲି ଏକ ସ୍ଲୋଗାନ ମଧ୍ୟ ଲୋକପ୍ରିୟ ହୋଇଛି। କେହି କେହି ସୋନିଆ ଜାଗାରେ ଜାନକୀ ବି ଏହି ଦାୟିତ୍ୱ ବହନ କରିଥିଲେ ବୋଲି ଅଭିଯୋଗ କରିଥାନ୍ତି।

ନବୀନଙ୍କ ଦୀର୍ଘ ଶାସନ ଓ ତହୁଁ ଦୀର୍ଘ ଦୁର୍ନୀତି ଓ କୁପରିଚାଳନା ବିରୋଧରେ କେନ୍ଦ୍ର ଓ ରାଜ୍ୟର କଂଗ୍ରେସ ସଂଗଠନ ଯେପରି ଲଢ଼େଇ କରିବା କଥା କରିନାହିଁ। ବରଂ ଖଣି ଦୁର୍ନୀତିରୁ ରାଜ୍ୟ କଂଗ୍ରେସର ପୁରୁଣା ପରିବାର ସମେତ ଅନେକ ନେତା ମୁନାଫା କମେଇଛନ୍ତି। ଶେଷରେ ଯେତେବେଳେ ଖଣି ଦୁର୍ନୀତିର ସିବିଆଇ ତଦନ୍ତ ସୁପାରିଶ କରି ଶାହା କମିଶନ ରିପୋର୍ଟ ଦେଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ତାହାକୁ କାର୍ଯ୍ୟକାରୀ କଲେ ନାହିଁ, ଅଧିକନ୍ତୁ ପକେଇ ରଖିଲେ। ପରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେଲା ପରେ ସେହି ରିପୋର୍ଟକୁ ଶତ ପ୍ରତିଶତ ଗ୍ରହଣ କରିଥିଲେ ବି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ନାହିଁ, ଓଲଟି ଲକ୍ଷ କୋଟି ଟଙ୍କାର ଏହି ଦୁର୍ନୀତିରେ ସଂପୃକ୍ତ ସଂସ୍ଥା ଓ ବ୍ୟକ୍ତିମାନଙ୍କର ସୁବିଧାର୍ଥେ ଏମଏମଡିଆର ଆଇନ ସମେତ କେତେକ ଆନୁସଙ୍ଗିକ ନିୟମରେ ସଂଶୋଧନ କରାଗଲା। ଚିଟ୍‌ ଫଣ୍ଡ ଦୁର୍ନୀତିକୁ ମଧ୍ୟ କଂଗ୍ରେସ ଦଳ ଏକ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରିପାରିଲା ନାହିଁ। ଚାଷ ଓ ଚାଷୀ ସମସ୍ୟା, କୃଷି ଦୁର୍ନୀତି, ଜଳସଂପଦ ଦୁର୍ନୀତି ଓ କୁପରିଚାଳନା, ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା, ନବକଳେବର ଦୁର୍ନୀତି, ଶ୍ରୀମନ୍ଦିର ରତ୍ନଭଣ୍ଡାର ରହସ୍ୟ, ସ୍ୱୟଂସହାୟକ ଗୋଷ୍ଠୀ ଓ ଅଙ୍ଗନବାଡ଼ି କର୍ମଚାରୀମାନଙ୍କର ରାଜନୀତିକରଣ, ନିର୍ବାଚନୀ ଲାଞ୍ଚ ଓ ଇଭିଏମ ରିଗିଂ ଆଦି ଅନେକ ଘଟଣାରେ କଂଗ୍ରେସ ଦଳ ବିଜେଡି ସରକାରର ସଶକ୍ତ ମୁକାବିଲା କରିପାରି ନାହିଁ। ଏପରିକି ଉପା ସରକାର ପ୍ରଣୀତ ସୂଚନା ଅଧିକାର ଆଇନକୁ ବ୍ୟବହାର କରି ବିରୋଧୀ ପକ୍ଷ ସମଗ୍ର ଦେଶରେ ସେହି ସରକାରର ଦୁର୍ନୀତିକୁ ପଦାରେ ପକେଇଥିଲେ ମଧ୍ୟ ରାଜ୍ୟରେ କଂଗ୍ରେସ ଦଳ ତାହାକୁ ରାଜ୍ୟ ସରକାରଙ୍କ ବିରୋଧରେ ଏକ ଅସ୍ତ୍ର ଭାବେ ବ୍ୟବହାର କରିପାରିଲା ନାହିଁ।

ଏସବୁ ଭିତରେ ଅତୀତ ହୋଇଗଲାଣି ୨୦ ବର୍ଷ। ମହାନଦୀରେ ବହିଗଲାଣି ଅନେକ ପାଣି। ନବୀନବାବୁ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ। କଂଗ୍ରେସ ଦଳ ଖସି ଖସି ତୃତୀୟରେ, ପ୍ରକୃତ ପକ୍ଷେ ଦେଖିଲେ ତୃଣମୂଳ ସ୍ତରରେ ଶୂନ! ଭୁବନେଶ୍ୱର କଂଗ୍ରେସ ଭବନରେ ସାମୟିକ ଗହଳିର କିଛି ମାନେ ନାହିଁ। ଏସବୁ ପଛରେ କେବଳ ପଟ୍ଟନାୟକ ପରିବାରର ଭୂମିକା ରହିଛି ନା କିଛି ପରିମାଣରେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଦାୟୀ? ଆଉ ଦଳୀୟ ନେତାମାନଙ୍କର ସାମୂହିକ ଉତ୍ତରଦାୟିତ୍ୱ କଥା ଭୁଲିଯିବା ମଧ୍ୟ ସକାରାତ୍ମକ ରାଜନୀତି ନୁହେଁ।