ଦେବେନ୍ଦ୍ର ପୃଷ୍ଟି
ଡକ୍ଟର ବିଜୟ କେତନ ଉପାଧ୍ୟାୟ। ୨୦୦୯ ମସିହାର ଆଇଏଏସ। ବୟସ ମାତ୍ର ୩୯। ସିଧାସଳଖ ଆଇଏଏସ ହୋଇଥିବାରୁ ଏତେ କମ୍ ବୟସରେ ବି ସେ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ। ଦରମା ଓ ଭତ୍ତା ମିଶି ପ୍ରାୟ ୨ ଲକ୍ଷ ଟଙ୍କା। ତଥାପି ତାଙ୍କର ଅର୍ଥାଭାବ। ଲୋଭ ନଥିଲେ ଅର୍ଥାଭାବ ନଥାନ୍ତା। ଏଇ ଲୋଭରେ ପଡ଼ି ସେ ଲାଞ୍ଚ ନେଲେ ଓ ଭିଜିଲାନ୍ସ ଟ୍ରାପ୍ରେ ପଡ଼ିଲେ। ଜଣକର ବିଲ୍ ପାଶ୍ କରାଇବାକୁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ ଧରାପଡ଼ିଲେ। ସସ୍ପେଣ୍ଡ ହେଲେ। କ୍ୟାରିଅର୍ରେ କଳାଦାଗ ପଡ଼ିଲା। ସେ ଦାଗ ଲିଭିବା କଥା ନୁହେଁ। କିନ୍ତୁ ତାଙ୍କ ଉପରିସ୍ଥ ଅଫିସର କି ନେତା ଯଦି ଦୁର୍ନୀତିଗ୍ରସ୍ତ ହୋଇଥିବେ ବା ତାଙ୍କ ପରି ଲୋଭୀ ହୋଇଥିବେ ତେବେ ତାହା ଲିଭିବା ଅସମ୍ଭବ ନୁହେଁ। ସେ ଯେମିତି ଲାଞ୍ଚ ନେଉଥିଲେ ସେମିତି ଅନ୍ୟ କାହାକୁ ଲାଞ୍ଚ ଦେଇ କ୍ୟାରିଅର୍ ସଜାଡ଼ି ଦେଇପାରନ୍ତି, ଆଗକୁ ପଦୋନ୍ନତି ପାଇପାରନ୍ତି ଓ ଉଦ୍ୟାନ କୃଷି ଭଳି ଅର୍ଥକରୀ ବିଭାଗର ହାକିମ ବି ହୋଇପାରନ୍ତି। ତେବେ ତାଙ୍କ ଲାଞ୍ଚ ମାମଲାରୁ ଗୋଟିଏ କଥା ସ୍ପଷ୍ଟ ଯେ ଓଡ଼ିଶା ରାଜ୍ୟ ପ୍ରଶାସନରେ ଉଚ୍ଚ ପଦବୀରେ ଥିବା ବାବୁମାନେ ବି ଦୁର୍ନୀତି କରନ୍ତି, ଲାଞ୍ଚ ନିଅନ୍ତି। ଏ ମହାଶୟ ଧରା ପଡ଼ିଲେ। ଅନ୍ୟ ବହୁ ଅଫିସର ଲାଞ୍ଚ ନେଉଥିଲେ ମଧ୍ୟ ଭିଜିଲାନ୍ସ ଆଖିରେ ଧରାପଡ଼ୁ ନଥିବେ, ଧରା ପଡ଼ିଲେ ବି ଖସି ଯାଉଥିବେ।
ଏଠି ପ୍ରଶ୍ନ ବି ଉଠିପାରେ, ଡକ୍ଟର ଉପାଧ୍ୟାୟ ସତରେ ଦୁର୍ନୀତିଗ୍ରସ୍ତ ନା ତାଙ୍କୁ ବଦନାମ କରିବା ପାଇଁ କେହି ତାଙ୍କୁ ଷଡ଼ଯନ୍ତ୍ର କରି ଫସେଇଛି? ଏଭଳି ପ୍ରଶ୍ନ ଏବେ ଅବାନ୍ତର। କାରଣ ଭିଜିଲାନ୍ସ ବିଭାଗର ତଥ୍ୟ ଅନୁସାରେ ସେ ଲାଞ୍ଚ ନେବା ସମୟରେ ଧରା ପଡ଼ିଛନ୍ତି। ସେ ଯଦି ଲାଞ୍ଚ ନେଉ ନଥାନ୍ତେ, ତେବେ ଯିଏ ଯେତେ ଷଡ଼ଯନ୍ତ୍ର କଲେ ବି ଧରା ପଡ଼ିନଥାନ୍ତେ। ଓଲଟି ସେ ଚାହିଁଥିଲେ ଲାଞ୍ଚ ଦେଉଥିବା ଲୋକକୁ ପୁଲିସ ଦ୍ୱାରା ଗିରଫ କରାଇପାରିଥାନ୍ତେ। ଅନ୍ୟ ଏକ ପ୍ରଶ୍ନ ମଧ୍ୟ ଉଠିବା ସ୍ୱାଭାବିକ ଯେ ଡକ୍ଟର ଉପାଧ୍ୟାୟ କ’ଣ ଜଣେ ଆଇଏଏସ ଯିଏ ଲାଞ୍ଚ ନେଉଥିଲେ, ରାଜ୍ୟର ଅନ୍ୟ କୌଣସି ଆଇଏଏସ ଅଫିସର ଲାଞ୍ଚ ଆଦି ଗ୍ରହଣ କରନ୍ତି ନାହିଁ? ସେମାନେ କାହିଁକି ଧରା ପଡ଼ୁନାହାନ୍ତି? ଏଭଳି ପ୍ରଶ୍ନ ଯୁକ୍ତିଯୁକ୍ତ। ଏମିତି ହୋଇଥାଇ ପାରେ, ଅନ୍ୟ ଲାଞ୍ଚୁଆ ଅଫିସରମାନେ ଶାସନ କଳର ସର୍ବୋଚ୍ଚ ସ୍ତରରେ ଥିବା ବାବୁ ଓ ନେତାମାନଙ୍କ ସୁନଜରରେ ଥିବେ। ସେମାନେ ସରକାରଙ୍କ ନୀତି ଓ ନିଷ୍ପତ୍ତି ନିର୍ଦ୍ଧାରଣକାରୀମାନଙ୍କୁ କୌଣସି ନା କୌଣସି ବାଟରେ ଖୁସି ଓ ସନ୍ତୁଷ୍ଟ କରି ରଖିଥିବେ, ତେଣୁ ଧରାପଡ଼ୁ ନାହାନ୍ତି। ଅନ୍ୟ ଏକ ସମ୍ଭାବନା ହେଉଛି, ଓଡ଼ିଶା ଶାସନର ଅନ୍ୟ କୌଣସି ଆଇଏଏସ ଅଫିସର ଦୁର୍ନୀତିଗ୍ରସ୍ତ ନୁହନ୍ତି। ଯଦି ଏପରି ହୋଇଥାନ୍ତା, ତେବେ ଓଡ଼ିଶା ଶାସନର ଡଜନ ଡଜନ ତଳିଆ ଅଫିସର ଓ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ୁ ନଥାନ୍ତେ। ଉପର ସ୍ତରର ନେତା ଓ ବାବୁମାନେ ନୈଷ୍ଠିକ ଭାବେ ଦୁର୍ନୀତିମୁକ୍ତ ଥିଲେ ତଳ ସ୍ତରର କୌଣସି ବାବୁ ଲାଞ୍ଚ ନେବା ପାଇଁ ସାହସ କରନ୍ତେ ନାହିଁ। ଉପରେ ଦୁର୍ନୀତି ଥିବାରୁ ହିଁ ତଳ ସ୍ତରରେ ଦୁର୍ନୀତି କରିବା ପାଇଁ ଅମଲାମାନେ ସାହସ କରୁଛନ୍ତି।
ଡକ୍ଟର ଉପାଧ୍ୟାୟଙ୍କ ଲାଞ୍ଚ ଓ ସସ୍ପେଣ୍ଡ ମାମଲା ଓଡ଼ିଶା ଶାସନର ଦୁର୍ନୀତିର ଏହି ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ। ଡକ୍ଟର ଉପାଧ୍ୟାୟ ରାଜ୍ୟ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ପଦରେ ଥିଲେ। ଏହି ବିଭାଗରେ ହୋଇଥିବା ବ୍ୟାପକ ଦୁର୍ନୀତି ସଂପର୍କରେ ଅଭିଯୋଗ କରିବାରୁ ତତ୍କାଳୀନ କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ତାଙ୍କର ପଦବୀ ହରାଇଲେ ବୋଲି ପୂର୍ବରୁ ଅନେକ ଥର ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି। ଡାକ୍ତର ଦାମୋଦର ରାଉତଙ୍କ ଅଭିଯୋଗ ଅନୁସାରେ ଉଦ୍ୟାନ କୃଷି ବିଭାଗ ଅଧୀନରେ ଚାଲିଥିବା ଉଦ୍ୟାନ କୃଷି ସଂପର୍କୀତ କାର୍ଯ୍ୟକ୍ରମରେ ବ୍ୟାପକ ଦୁର୍ନୀତି ହୋଇଛି। ସେ ଉଠାଇଥିବା ପ୍ରସଙ୍ଗ ଅନୁସାରେ ମୟୂରଭଞ୍ଜ ଜିଲ୍ଲାରେ ଚାରା ରୋପଣ କାର୍ଯ୍ୟକ୍ରମରେ ଶତାଧିକ କୋଟି ଟଙ୍କା ତୋଷରପାତ ହୋଇଛି। ଅଫିସରମାନେ ଲକ୍ଷଲକ୍ଷ ଚାରା ରୋପଣ କରିବା ଆଳରେ ସେ ବାବଦ ଟଙ୍କା ହଡ଼ପ କରିଛନ୍ତି। ଚାରା ଲଗାଇବା ପରେ ସେସବୁ ଉଧେଇବା ପାଇଁ ଦିଆଯାଉଥିବା ଖତସାର କିଣାରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଛି। ଚାରା ତ ଲାଗି ନାହିଁ, ଖତସାର କେଉଁଠି ଦିଆଯିବ? ବିଭାଗୀୟ ଅଧିକାରୀମାନେ ମିଳିମିଶି ସବୁ ଚଳୁ କରିଦେଇଛନ୍ତି। ଏଭଳି ଅନେକ ଅଭିଯୋଗ ପାଇଲା ପରେ ଡାକ୍ତର ରାଉତ ସଂପୃକ୍ତ ଜଣେ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ କଲେ। କିନ୍ତୁ ତାଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲା ନାହିଁ। ଏ ସଂପର୍କରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଲିଖିତ ଭାବେ ଅଭିଯୋଗ କଲେ ଓ ଚାରା ଦୁର୍ନୀତି ସଂପର୍କରେ ତଥ୍ୟ ପ୍ରଦାନ କଲେ। ମାତ୍ର, ଏହା ପରେ ସେହି ଅଧିକାରୀଙ୍କର ପଦୋନ୍ନତି ହେଲା ଓ ଡାକ୍ତର ଦାମୋଦର ରାଉତ ମନ୍ତ୍ରିପଦ ହରାଇଲେ। ପରେ ଡାକ୍ତର ରାଉତ ଗଣମାଧ୍ୟମ ଆଗରେ କହିଥିଲେ ଯେ ଏହି ଦୁର୍ନୀତି ପ୍ରସଙ୍ଗ ଚପେଇଦେବା ପାଇଁ ତାଙ୍କୁ ମଧ୍ୟ ଲାଞ୍ଚ ଯଚା ଯାଇଥିଲା। ସେତେବେଳେ ଡାକ୍ତର ରାଉତଙ୍କର ଏହି ଅଭିଯୋଗ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିଲା। ପରେ ଉଦ୍ୟାନ ବିଭାଗରେ ଏଭଳି ଦୁର୍ନୀତି ହୋଇଥିବା ନେଇ ଅନ୍ୟ ବହୁ ଜିଲ୍ଲାରୁ ମଧ୍ୟ ଖବର ପ୍ରକାଶ ପାଇଥିଲା। ଏଯାଏଁ ସେସବୁ ଦୁର୍ନୀତି ଅଭିଯୋଗ ଉପରେ ନବୀନ ପଟ୍ଟନାୟକଙ୍କ ‘ମୋ ସରକାର’ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଅନେକ ଜିଲ୍ଲାର ଅନେକ ଜମିରେ ଲାଗିଥିବା ଚାରାର ଚିହ୍ନବର୍ଣ୍ଣ ନାହିଁ- ଗଛ ବଢ଼ି ନାହିଁ, ସବୁ ଛେଳି ଖାଇଦେଇଛନ୍ତି!
ଏବେ ଡକ୍ଟର ଉପାଧ୍ୟାୟଙ୍କୁ ନିଲମ୍ବିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଦୁର୍ନୀତିରେ ଲିପ୍ତ କାହାରିକୁ ଛଡ଼ାଯିବ ନାହିଁ। କିନ୍ତୁ ସେତେବେଳେ ତାଙ୍କର ସହଯୋଗୀ ମନ୍ତ୍ରୀ ଡାକ୍ତର ରାଉତଙ୍କ ଅଭିଯୋଗ ଅନୁସାରେ କାହିଁକି ଦୁର୍ନୀତିରେ ଲିପ୍ତ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ତାହା ଏକ ରହସ୍ୟ। ସେଇ ରହସ୍ୟ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦପ୍ତର ପରିଚାଳନା ଦାୟିତ୍ୱରେ ଥିବା ଅଫିସରମାନଙ୍କ ଦୁର୍ନୀତି ଓ ନିରପେକ୍ଷତା ନେଇ ସନ୍ଦେହ ସୃଷ୍ଟି କରେ। ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସବୁ ଦୁର୍ନୀତି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ନା ବାଛି ବାଛି ଅଳ୍ପ କେତେକ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଏ? କିଛି ଦିନ ତଳେ ରାଜ୍ୟର ଜଣେ ସୂଚନା ଅଧିକାର କର୍ମୀ ସୂଚନା ଅଧିକାର ଆଇନ ବଳରେ ହାସଲ କରିଥିବା ତଥ୍ୟ ପ୍ରକାଶ କରି କହିଥିଲେ ଯେ ରାଜ୍ୟର ପ୍ରାୟ ଡଜନେ ସରିକି ଆଇଏଏସ ଅଫିସରଙ୍କ ବିରୋଧରେ ଦୁର୍ନୀତି ମାମଲା ଆରମ୍ଭ କରିବାକୁ ଭିଜିଲାନ୍ସ ବିଭାଗ ଅନୁମତି ମାଗିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ସେ ସଂପର୍କୀତ ଫାଇଲ୍ ସବୁ ଚପି ଯାଇଛି। ଭିଜିଲାନ୍ସକୁ ଅନୁମତି ଦିଆଯାଇ ନାହିଁ। ଭିଜିଲାନ୍ସ ବିଭାଗର ମନ୍ତ୍ରୀ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ। ତାଙ୍କର ଅଧୀନସ୍ତ ଭିଜିଲାନ୍ସ ବିଭାଗ ଅନୁମତି ମାଗିଲା ଓ ତାଙ୍କ ଦପ୍ତର ତାହା ଦେଲା ନାହିଁ। ଏହାର ଅର୍ଥ କ’ଣ? ସେ ଓ ତାଙ୍କ ଦପ୍ତର ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ହୋଇଥିଲେ ସଂପୃକ୍ତ ଅଭିଯୁକ୍ତ ଅଫିସରମାନଙ୍କ ବିରୋଧରେ ବି ଡକ୍ଟର ଉପାଧ୍ୟାୟଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଭଳି ପଦକ୍ଷେପ ନିଆଯାଇଥାନ୍ତା। ମାତ୍ର ତାହା ହୋଇନାହିଁ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଯେ ଦୁର୍ନୀତି ସନ୍ଦେହରୁ ଊର୍ଦ୍ଧ୍ୱରେ ନୁହନ୍ତି, ତାହା ଏଥିରୁ ବୁଝାପଡ଼ୁଛି।
ପ୍ରସଙ୍ଗକ୍ରମେ ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ନବୀନବାବୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ପୂର୍ବ ପଦ୍ଧତି ପରିବର୍ତ୍ତନ କରି ଦ୍ୱିତୀୟ ଓ ପ୍ରଥମ ଶ୍ରେଣୀ ଅଫିସର ବର୍ଗଙ୍କ ନିଯୁକ୍ତି ଓ ବଦଳି ସଂକ୍ରାନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେବାର କ୍ଷମତା ତୃତୀୟ ମହଲା ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଉପରେ ନ୍ୟସ୍ତ ହୋଇଛି। ସାଧାରଣ ପ୍ରଶାସନ ବିଭାଗର ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଆଇଏଏସ ଓ ଆଇପିଏସ ଅଫିସରଙ୍କ ବଦଳି ଓ ନିଯୁକ୍ତି ସ୍ଥାନ ଚୂଡ଼ାନ୍ତ କରିଥାନ୍ତି। ବିଭିନ୍ନ ବିଭାଗର ସଚିବଙ୍କଠାରୁ ଆରମ୍ଭ କରି ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସଂକ୍ରାନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ହିଁ ଚୂଡ଼ାନ୍ତ ହୋଇଥାଏ। ଅନେକ ସମୟରେ ମନ୍ତ୍ରୀମାନେ ପଠାଇଥିବା ତାଲିକା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ବଦଳିଯାଏ। ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଓ ଏସ୍ପି ଓ ଅନ୍ୟ ବହୁ ତଳିଆ ହାକିମଙ୍କ ନିଯୁକ୍ତି ଓ ବଦଳି ମଧ୍ୟ ତୃତୀୟ ମହଲାରୁ ନିୟନ୍ତ୍ରିତ ହୁଏ। ଏସବୁ ନିଯୁକ୍ତି ଓ ବଦଳି ବ୍ୟାପାରରେ କୋଟିକୋଟି ଟଙ୍କାର ଲାଞ୍ଚ କାରବାର ହୁଏ ବୋଲି ପୂର୍ବରୁ ଅଭିଯୋଗ ରହିଛି। ବିଭାଗୀୟ ମନ୍ତ୍ରୀ ଓ ସଚିବମାନେ ପ୍ରାଶାସନିକ ବଦଳିକୁ ମାଧ୍ୟମ କରି କୋଟିକୋଟି ଟଙ୍କାର ଅନୈତିକ ପାଣ୍ଠି ସଂଗ୍ରହ କରୁଥିବା ଅଭିଯୋଗ ଥିବାରୁ ମୁଖ୍ୟମନ୍ତ୍ରୀ ସେହି କ୍ଷମତା ନିଜ ହାତକୁ ନେଇଥିଲେ। କିନ୍ତୁ ଏବେ ସେହି କ୍ଷମତା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଦୁର୍ନୀତିର ଛାଇରେ ଢାଙ୍କିଦେଲା ପରି କଥା ହୋଇଛି। ଖଣି ଦୁର୍ନୀତି ଓ ଚିଟ୍ ଫଣ୍ଡ ଦୁର୍ନୀତି ପରି ବଡ଼ବଡ଼ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଅଧୀନସ୍ତ ଭିଜିଲାନ୍ସ ବିଭାଗ କୌଣସି ସଚିବ ଓ ନିର୍ଦ୍ଦେଶକଙ୍କ ବିରୋଧରେ ଡକ୍ଟର ଉପାଧ୍ୟାୟଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଭଳି ପଦକ୍ଷେପ ଗ୍ରହଣ କରିନାହାନ୍ତି। ୨୦୦୯ ମସିହାରେ ଖଣି ଦୁର୍ନୀତି କଥା ପଦାକୁ ଆସିଲା। ସେବେଠାରୁ ଏଯାଏଁ ଖଣି ବିଭାଗର କୌଣସି ସଚିବ ଓ ନିର୍ଦ୍ଦେଶକ ଭିଜିଲାନ୍ସ ହାତରେ ଧରାପଡ଼ି ନାହାନ୍ତି। ତା’ ପୂର୍ବରୁ ତ କେବେ ଏପରି କାର୍ଯ୍ୟାନୁଷ୍ଠାନର ନାମଗନ୍ଧ ନଥିଲା। ତେବେ, କ’ଣ ବୁଝିବାକୁ ହେବ ଯେ ରାଜ୍ୟରେ ଖଣି ଦୁର୍ନୀତି ବା ନରମ ଶବ୍ଦରେ କହିଲେ ବେଆଇନ ଖଣି କାରବାର ହୋଇନାହିଁ? ନା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସବୁ ଦୁର୍ନୀତିକୁ ହଜମ କରି ସଂପୃକ୍ତ ସବୁ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଘଣ୍ଟ ଘୋଡ଼େଇ ରଖିଦେଲେ?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।