ଚଣ୍ଡିଗଡ:୧୦ବର୍ଷ ବୟସର କୁନି ପ୍ରତିଭା ଅର୍ଶଦୀପ ସିଂହ। ନିକଟରେ ସେ ହାତେଇଛନ୍ତି ‘ୟଙ୍ଗ ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫର ଅଫ୍ ଦ ଇୟର’ (୧୦ ବର୍ଷ ବୟସ ବର୍ଗରେ) ସମ୍ମାନ। ତାଙ୍କ ଫଟୋ ‘ପାଇପ୍ ଆଉଲ୍ସ୍’ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ଲଣ୍ଡନରେ ଆୟୋଜିତ ଏକ ସମାରୋହରେ ଗତ ମଙ୍ଗଳବାର ଅର୍ଶଦୀପ୍ଙ୍କୁ ଏହି ସମ୍ମାନ ମିଳିଥିଲା।
କ’ଣ ଥିଲା ଏହି ‘ପାଇପ୍ ଆଉଲସ୍’ ଫଟୋଗ୍ରାଫି
'ପାଇପ୍ ଆଉଲସ୍' ଫଟୋଗ୍ରାଫିରେ ଅର୍ଶଦୀପ୍ ଏକ ଲୁହା ପାଇପ୍ ମଧ୍ୟରେ ବସି ରହିଥିବା ଦୁଇ ପେଚାଙ୍କର ଫଟୋ ନେଇଥିଲେ। ପଞ୍ଜାବ କପୁରତାଲାରେ ଦିନେ ବାପାଙ୍କ ସହ ଯାତ୍ରା କରୁଥିବା ସମୟରେ ସେ ଏହି ଫଟୋଟିକୁ ଉଠାଇଥିଲେ।
ତାଙ୍କ କହିବା ଅନୁଯାୟୀ “ମୁଁ ଅନେକ ସମୟରେ ବାପାଙ୍କ ସହ କପୁରତାଲା ଯାଏ। ସେଦିନ ଯିବା ସମୟରେ ଯେତେବେଳେ ମୁଁ ବାଟରେ ଦୁଇ ପେଚାଙ୍କୁ ଦେଖିଲି, ବାପାଙ୍କୁ ଗାଡି ଅଟକାଇବାକୁ କହିଥିଲି। ସେହି ପେଚା ଦୁଇଟି ପାଇପ୍ ଭିତରେ ଖେଳୁଥିଲେ । ମୁଁ ସେଠାରେ ପେଚା ଦୁଇଟିଙ୍କୁ ବାହାରକୁ ଆସିବାକୁ ଅପେକ୍ଷା କରି ରହିଥିଲି ଏବଂ ଯେତେବେଳେ ସେମାନେ ପାଇପ୍ ବାହାରକୁ ଅନାଇଲେ, ମୁଁ ତୁରନ୍ତ ସେମାନଙ୍କ ଫଟୋ ଉଠାଇଦେଲି। ଏ ଫଟୋ ଦେଖି ମୋ ବାପା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।”
ଅର୍ଶଦୀପ କହିଛନ୍ତି, "ମତେ ଲାଗୁଥିଲା, ଯେମିତି ସେ ପେଚା ଦୁଇଜଣ ମତେ ଦେଖି ଖୁସି ହେଉଛନ୍ତି ଏବଂ କହୁଛନ୍ତି, ଆମେ ତୁମକୁ ନିରେଖି ଦେଖୁଛୁ।"
ଅର୍ଶଦୀପ ୬ବର୍ଷ ବୟସରୁ ଫଟୋ ଉଠାଉଛନ୍ତି। ତାଙ୍କ ଫଟୋ ‘ଲୋନ୍ଲି ପ୍ଲାନେଟ୍ ୟୁକେ’, ‘ଜର୍ମାନି ଆଣ୍ଡ ଇଣ୍ଡିଆ’, ଏବଂ ‘ବିବିସି ୱାଇଲ୍ଡ ଲାଇଫ୍ ୟୁକେ’ରେ ପ୍ରକାଶିତ ହୋଇଛି।
କେଉଁଠୁ ମିଳିଲା ପ୍ରେରଣା
ଏତେ କମ୍ ବୟସରୁ ଅର୍ଶଦୀପଙ୍କ ମଧ୍ୟରେ ଫଟୋଗ୍ରାଫି ପାଇଁ ଇଚ୍ଛାକୁ ଦେଖି ଆପଣ ଭାବୁଥିବେ ତାଙ୍କୁ ଏଥିପାଇଁ ପ୍ରେରଣା କେଉଁଠି ମିଳିଲା। ପ୍ରକୃତ କଥା ହେଉଛି, ଅର୍ଶଦୀପ୍ଙ୍କ ଗୁରୁ ହେଉଛନ୍ତି ତାଙ୍କ ବାପା। ତାଙ୍କ ବାପା ଜଣେ ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫର୍। ବାପା ଫଟୋ ଉଠାଇବା ପାଇଁ ଯେତେବେଳେ ବିଭିନ୍ନ ସ୍ଥାନକୁ ଯାଆନ୍ତି, ଅର୍ଶଦୀପ ତାଙ୍କ ସହ ରୁହନ୍ତି।
ଅର୍ଶଦୀପ୍ଙ୍କ କହିବା ଅନୁଯାୟୀ “ମୁଁ ପ୍ରତ୍ୟେକ ଦିନ ବାପାଙ୍କ ଠାରୁ କିଛି ନା କିଛି ଶିଖିବାକୁ ଚେଷ୍ଟାକରେ। ଯାହା ମତେ ଫଟୋ ଉଠାଇବା ବେଳେ ସାହାଯ୍ୟ କରେ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।