ଏପ୍ରିଲ ୮ ତାରିଖ ସକାଳ ୮ଟା। ଶହିଦ ନଗରରୁ କଳ୍ପନା ଛକ ଅଭିମୁଖେ ବାହାରି ପଡିଥିଲେ ପ୍ରାଚୀତୋଷ। ବୃତିରେ ଆଇନଜୀବୀ। ଲକଡାଉନ ଯୋଗୁ ଯଦିଓ କୋର୍ଟ କାମ ବନ୍ଦ ଥିଲା, ତେବେ କିଛି ଆବଶ୍ୟକୀୟ କାମ ପାଇଁ କୋର୍ଟ ଯିବାକୁ ବାହାରିଥିଲେ ସେ।
ରାସ୍ତା ଥିଲା ଖାଁ ଖାଁ। ସକାଳ ୬ରୁ ରାତି ୧୨ ଯାଏ, ଗର୍ଭଣୀ ଗାଈ ପରି ଫୁଲି ରହିଥିବା ଜନପଥଟା ନର୍ଦ୍ଦମା କଡ଼ର ଶୁଖିଲା ସାପକାତି ପରି ନିଜୀର୍ବ ଲାଗୁଥିଲା। ଛକ ଛକରେ କିଛି କିଛି ପୁଲିସ କର୍ମୀ ଟହଲ ମାରୁଥିଲେ। କିଛି ସ୍ଥାନରେ ବୁଲା ଗୋରୁଗାଈ ଓ ବୁଲା କୁକୁରଙ୍କ ଉପସ୍ଥିତି ସୂଚାଇ ଦେଉଥିଲା, ନିକଟରେ ଜନବସତି ରହିଛି ବୋଲି। ସ୍ମାର୍ଟସିଟି ରାଜଧାନୀର ଏପରି ଏକ ଜରାଜୀର୍ଣ୍ଣ ସ୍ୱରୂପ ଯଦିଓ ଅନେକେ ଟିଭି ସାମ୍ନାରେ ଦେଖି ସାରିଲେଣି, ତଥାପି ଖାଲି ଆଖିର ଦୃଶ୍ୟ, କେବଳ ଅନୁଭବୀକୁ ହିଁ ଜଣା। ଚାରିଆଡେ ଖାଁ ଖାଁ...ଚାରିଆଡେ ଅହେତୁକ ନୀରବତା। ଜନଶୂନ୍ୟ ରାସ୍ତାରେ ଏକାକି ଚାଲୁଥିଲା ବେଳେ ପ୍ରଚୀତୋଷଙ୍କୁ କେଇ ମୁହୂର୍ତ୍ତ ପାଇଁ ଲାଗିଲା, ହଠାତ ସେଇ ଅଜଣା ଭୟଟି ତାଙ୍କ ଆଖି ସାମ୍ନାରେ ଉଭା ହେଇଗଲା କି ଆଉ...!
ମାଷ୍ଟର କ୍ୟାଂଟିନର ମୂର୍ମୁଷ ବୟସ୍କ:
କାର ଡୋର ଖୋଲି ବାହାରକୁ ଚାହିଁଲେ ପ୍ରାଚୀତୋଷ। ରାଜଧାନୀର ସବୁଠୁ ଚଳଚଞ୍ଚଳ ମାଷ୍ଟର କ୍ୟାଟିଂନ ଛକ...ଶୋଇ ଯାଇଥିବା କେଉଁ ଏକ ପଥକ୍ଳାନ୍ତ ଯାଯାବର ପରି ନିଘୋଡ଼ ନିଦରେ ଶୋଇପଡିଛି। କହିବା ବାହୁଲ୍ୟ ୧୯୯୯ର ମହାବାତ୍ୟାର ତାଣ୍ଡବ, ୨୦୧୯ ଫୋନିର ଘନ ଗର୍ଜନ ପରେ ବି ଏମିତି ଖାଁ ଖାଁ ବିରାଜି ନ ଥିଲା ଏଠାରେ। ସମ୍ପୂର୍ଣ୍ଣ ନୀରବ ଆଉ ନିକାଂଚନ ! ସେଇ ନୀରବତା ଭିତରୁ କିନ୍ତୁ ଯେଉଁ ଦୃଶ୍ୟଟି ପ୍ରାଚୀତୋଷଙ୍କ ଆଶ୍ଚର୍ଯ୍ୟ ଚକିତ କରିଦେଲା, ତାହା ଥିଲା ବୟସର ସାୟାହ୍ନରେ ଥିବା ଜଣେ ପ୍ରୈାଢଙ୍କ କରୁଣ ମୁଖମଣ୍ଡଳ। ଆଶ୍ଚର୍ଯ୍ୟ ହୋଇଗଲେ ପ୍ରାଚୀତୋଷ !
କରୋନା ପରି ଅଜଣା ଆତଙ୍କରେ ଯେତେବେଳେ ସମଗ୍ର ପୃଥିବୀବାସୀ ଘର କୋଣରେ ଲୁଚି ରହିଛନ୍ତି, ରୋଗୀ ଭୋଗୀ ସମସ୍ତେ ଏବେ ଆତ୍ମଗୋପନରେ ଥିବା ବେଳେ ଏମିତି ଏକ ସ୍ପର୍ଶକାତର ଜାଗାରେ ଏ ବୃଦ୍ଧ ଜଣକ ପୁଣି କିଏ...? ଚେହେରାରୁ ଭିକ୍ଷୁ ବୋଲି ଜଣାପଡୁ ନ ଥିଲା...! ଶରୀରରୁ ରୋଗୀ ବୋଲି ବି ବାରି ହେଉ ନ ଥିଲା...! ତାହେଲେ ଇଏ କିଏ...?
ବୃଦ୍ଧଙ୍କ ଦୁଃଖଦ କାହାଣୀ:
ଗାଡ଼ିକୁ ଗୋଟିଏ ପାଖରେ ସାଇଡ କରି ପ୍ରାଚୀତୋଷ ଆଗେଇଗଲେ ବୃଦ୍ଧଙ୍କ ଆଡ଼େ। କାହିଁକି କେଜାଣି ତାଙ୍କୁ ଦେଖିବା ପରେ ନିଜ ଭିତରର ଆବେଗକୁ ଆଉ ସମ୍ଭାଳି ପାରି ନ ଥିଲେ ସେ। ହଠାତ ଜଣେ ଆଗନ୍ତୁକଙ୍କ ପାଖରେ ପାଇ ବୃଦ୍ଧ ଜଣକ ଆଶ୍ଚର୍ଯ୍ୟ ହୋଇଥିଲେ ଯେତିକି, ଆନନ୍ଦିତ ହୋଇଥିଲେ ତାଠୁ ଯଥେଷ୍ଟ ଅଧିକ। ପାକୁଆ ପାଟିର ଶୁଖିଲା ହସରୁ ତାହା ସ୍ପଷ୍ଟ ବାରି ପାରିଥିଲେ ପ୍ରାଚୀତୋଷ। ଏପରି ଅସମୟରେ ତାଙ୍କ ପରି ଜଣେ ବୟସ୍ୱ ବ୍ୟକ୍ତି ଏଠି କ’ଣ କରୁଚନ୍ତି ବୋଲି ପଚାରି ବସିଲେ ପ୍ରାଚୀତୋଷ। ଆଉ ତା’ପରେ ବୃଦ୍ଧଜଣକ ଯେଉଁ ଆତ୍ମକାହାଣୀଟି କହିଲେ, ତାହାର ସାରାଂଶ ହେଉଛି ଏଇଆ। ସେ ଅସହାୟ ନୁହନ୍ତି କି ନିଃସହାୟ ନୁହନ୍ତି। ନାଁ ତାଙ୍କର ବନମାଳି ପ୍ରଧାନ, ଘର କଟକ ଜିଲା ବଡମ୍ୱା ଥାନା ଅନ୍ତର୍ଗତ ବାଙ୍ଗରାସିଂହ ଗାଁରେ। ଗାଁରେ ନିଜର ଗୋଟେ ଘର ଅଛି, ଘରେ ପୁଅବୋହୂ, ନାତି ନାତୁଣୀ ସମସ୍ତେ ଅଛନ୍ତି। ହେଲେ ସେମାନଙ୍କ ନିର୍ଯାତନା ସହି ନ ପାରି ୮୦ ବର୍ଷୀୟ ବନମାଳି ଗଲା କିଛି ସପ୍ତାହ ତଳେ ଭୁବନେଶ୍ୱର ଚାଲି ଆସିଥିଲେ। ଭାବିଥିଲେ ମନ ବୁଝିଗଲେ ସେ ପୁଣି ଘରକୁ ଫେରିଯିବେ। ମନ ସିନା ବୁଝିଗଲା। ହେଲେ ଫେରିବା ବାଟ ବନ୍ଦ ହୋଇଗଲା। ହଠାତ ସବୁଆଡକୁ ଗାଡିଘୋଡା ବନ୍ଦ ହୋଇଗଲା। ପାଖରେ ଯେତିକି ପଇସା ଥିଲା, ସରିଯାଇଥିଲା। ମାଗିଯାଚି ଯାହା ଯେତିକି ଖାଇ ଜୀବନ ବଂଚାଉଥିଲେ। ହେଲେ ଲକଡାଉନ ପରେ ସଟଡାଉନ ଯୋଗୁ ଖାଇବାକୁ ୨ ଦିନ ହେବ ମିଳିନି। ଦେହରେ ବି ଆଉ ବଳ ନାହିଁ।
ବୃଦ୍ଧଙ୍କଠୁ ଏତକ ଶୁଣିବା ପରେ ବିଚଳିତ ହୋଇପଡ଼ିଲେ ପ୍ରାଚୀତୋଷ। ବାସ୍ତବିକ ଏ କରୋନା ଯୋଗୁ କେତେ କେତେ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିନି ସତେ ! ତେବେ ଏ ବୟସ୍କ ବ୍ୟକ୍ତିଙ୍କ ପାଇଁ ତତ୍କାଳ କ’ଣ କରାଯାଇପାରିବ, ତାହା ମୁଣ୍ଡରେ ପଶୁ ନ ଥିଲା। ଏତିକି କିନ୍ତୁ ମୁଣ୍ଡରେ ପଶିଲା, ପେଟରେ ମୁଠାଏ ଦାନା ଦେଇ ନ ପାରିଲେ ଆଖି ସାମ୍ନାରେ ଗୋଟେ ଜୀବନ ଚାଲିଯିବ। ହେଲେ ଆଖପାଖରେ ଦୋକାନ ବଜାର ସବୁ ବନ୍ଦ। ଆଉ ମୁହୂର୍ତ୍ତେ ବି ଡେରି ନ କରି ବୟସ୍କ ବ୍ୟକ୍ତିଙ୍କୁ କାରରେ ବସାଇ ଘରମୁହାଁ ହେଲେ ପ୍ରାଚୀତୋଷ।
ଅତିଥି ସତ୍କାର :
ବୃଦ୍ଧ ବନମାଳିଙ୍କୁ ସାଙ୍ଗରେ ଧରି ପ୍ରାଚିତୋଷ ନିଜ ଘରେ ପହଞ୍ଚି ପତ୍ନୀ ଶିବାନୀଙ୍କୁ ସବୁକଥା କହିଲେ। ତା’ପରେ ଉଭୟ ପତି ପତ୍ନୀ ମିଶି ବନମାଳିଙ୍କୁ ଅତିଥି ପରି ସତ୍କାର କଲେ। ଗାଧୁଆ ପାଧୁଆ କରି ନୂଆ ଲୁଗା ପିନ୍ଧାଇବା ପରେ ମନଭରି ଖାଇବାକୁ ମଧ୍ୟ ଦିଆଗଲା। ତା’ପରେ ଆରମ୍ଭ ହେଲା ବନମାଳିଙ୍କୁ ସୁରକ୍ଷିତ ଭାବେ ତାଙ୍କ ଘରେ ପହଂଚାଇବାର ଅଭିଯାନ। ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଘରେ ରଖିବାରେ ଯଦିଓ ପ୍ରାଚୀତୋଷଙ୍କର କିଛି ଆପତ୍ତି ନଥିଲା, ତେବେ ବର୍ତ୍ତମାନ ସମୟରେ କାହାକୁ ଘରେ ରଖିବା କଥାକୁ ଅନେକ ସନ୍ଦେହ ଚକ୍ଷୁରେ ଦେଖିବେ। ତା’ସହ ଆଇନଗତ ପ୍ରତିବନ୍ଧକ ମଧ୍ୟ ରହିଛି। ସବୁଠୁ ବଡ଼କଥା ହେଲା ତାଙ୍କୁ ଘରେ ପହଂଚାଇଦେବାକୁ ବୃଦ୍ଧ ଜଣକ ଆକୂଳ ନିବେଦନ କଲେ। ତେବେ ଲକଡାଉନ ସମୟରେ ଗାଡି ପାଦାକୁ ବାହାର କରିବାକୁ ଅନୁମତି ନ ଥିବାରୁ ଅନୁମତି ପତ୍ର ଖଣ୍ଡେ ଆଣିବାକୁ ପ୍ରାଚୀତୋଷ ୧୦୦କୁ ଫୋନ କଲେ। ଏ ନେଇ ଶହିଦନଗର ଥାନା ସହ ଯୋଗାଯୋଗ କରିବାକୁ ୧୦୦ ପକ୍ଷରୁ କୁହାଯିବା ପରେ ପ୍ରାଚୀତୋଷ ପହଂଚିଲେ ଶହୀଦନଗର ଥାନାରେ।
ଥାନାରେ ଅକଥନୀୟ ବ୍ୟଥା:
ପ୍ରତିଟି କଥାରେ ପୋଲିସର ଅଯଥା ସନ୍ଦେହ ବିଷୟରେ ଅଜଣା ନ ଥିଲେ ପ୍ରାଚୀତୋଷ। ସେଥିପାଇଁ ପ୍ରମାଣ ସ୍ୱରୂପ ସେ ବନମାଳିଙ୍କୁ ସାଙ୍ଗରେ ନେଇଯାଇଥିଲେ। ନିଜ ଗାଡି (ମାରୁତୀ ୱାଗନର-ଓଆର-୦୨-ବିୟୁ୮୯୫୧)ର ଗୋଟିଏ ପାସ ବ୍ୟବସ୍ଥା କରିଦେଲେ, ସେ ନିଜେ ଡ୍ରାଇଭ କରି ବୃଦ୍ଧଙ୍କୁ ତାଙ୍କ ଘରେ ପହଂଚାଇ ଦିଅନ୍ତେ ! ଥାନାରେ ଥିବା ବାବୁ ମାଡାମଙ୍କ ଆଗରେ ଏତିକି ମାତ୍ର ଅନୁରୋଧ କଲେ ପ୍ରାଚୀତୋଷ। ଯେହେତୁ ସେ ଜଣେ ମଣିଷ ହୋଇଥିବାରୁ ନିଜ ମାନବ ଧର୍ମ ରକ୍ଷା କରି ଆଉ ଜଣେ ମଣିଷର ସାହାଯ୍ୟ କରିବାକୁ ଚାହାନ୍ତି, ତେଣୁ ନିଜ ଆଇନଜୀବୀ ପରିଚୟକୁ ଗୋପନ ରଖିଲେ। ତେବେ ତାଙ୍କ କଥାକୁ ଥାନାରେ ଥିବା କର୍ମଚାରୀମାନେ ଶୁଣି ନ ଶୁଣିବା ପରି ବ୍ୟବହାର କଲେ ଯାହା ତାଙ୍କୁ ଅତ୍ୟନ୍ତ ମର୍ମାହତ କଲା। ସେ ଆହୁରି ମଧ୍ୟ ଅନୁରୋଧ କଲେ ଯେ, ଥାନା ଅଧିକାରୀଙ୍କ ସହ ସାକ୍ଷାତ କରିବାର ସୁଯୋଗ ଟିକେ ଦିଆଯାଉ। ତେବେ ଥାନା ଅଧିକାରୀ ପୋଲିସ କମିଶନର ଓ ଡେପୁଟି କମିସନରଙ୍କ ସହ ଫୋନରେ ବିଜି ଥିବାରୁ କାହାକୁ ସାକ୍ଷାତ କରିପାରିବେ ନାହିଁ ବୋଲି ଥାନାର ଜଣେ ମହିଳା କନଷ୍ଟେବଳ ଅତି ବେପରୁଆ ଭାବେ ଶୁଣାଇଦେଲେ। ଅଗତ୍ୟା ସେଇ ଖରାରେ ହିଁ ଥାନାବାବୁଙ୍କ ପ୍ରତୀକ୍ଷାରେ ଠିଆହୋଇ ରହିଲେ ପ୍ରାଚୀତୋଷ। ତେବେ ଜଣେ ପୋଲିସ କର୍ମଚାରୀଙ୍କ ଅନୁଗ୍ରହରୁ ଥାନା ବାବୁଙ୍କ ଟେଲିଫୋନ ନମ୍ୱରଟି ମିଳିଲା। ତା’ପରେ ପ୍ରାଚୀତୋଷ ଥାନାବାବୁଙ୍କୁ ମେସେଜ ଲେଖି ସମସ୍ତ କଥା ଜଣାଇବା ସହ ବୃଦ୍ଧବ୍ୟକ୍ତିଙ୍କ ଫଟୋଟିଏ ମଧ୍ୟ ପଠାଇଲେ। ବୃଦ୍ଧଙ୍କୁ ସୁରକ୍ଷିତ ଭାବେ ତାଙ୍କ ଘରେ ପହଂଚାଇବାକୁ ଗାଡିର ପାସଟିଏ ପ୍ରଦାନ କରିବାକୁ ନେହୁରା ହେଲେ। ସେତେବେଳେ ଦିନ ପାଖାପାଖି ୧୦ଟା। ଘଂଟାଏ କାଳ ଖରାରେ ଅପେକ୍ଷା କରିବା ପରେ ବି ଆଇଆଇସିଙ୍କ ଦେଖା ମିଳିଳାନି। ଫଳରେ ନିରାଶ ହୋଇ ଘରକୁ ଫେରି ଆସିଲେ ପ୍ରାଚୀତୋଷ...!
ବୃଦ୍ଧଙ୍କୁ ପୁଣିଥରେ ମାଷ୍ଟର କ୍ୟାଂଟିନରେ ଛାଡିଦେବାକୁ ଚିନ୍ତା..!
ପୋଲିସଠୁ କୌଣସି ସାହାଯ୍ୟ ନ ପାଇ ନିରାଶ ହୋଇଗଲେ ପ୍ରାଚୀତୋଷ। ସେ ଯଦି ଜଣେ ମଣିଷ ହୋଇ ଆଉ ଜଣେ ଅସହାୟ ମଣିଷକୁ ସାହାଯ୍ୟ କରିବାକୁ ମନ ବଳାଇଛନ୍ତି, ପୋଲିସି କାହିଁକି ଏମିତି କଦର୍ଯ୍ୟ ମନୋଭାବ ପୋଷଣ କରୁଛି...? ପୋଲିସ ବାବୁ ମାଡାମ ବି ତ ଜଣେ ଜଣେ ମଣିଷ ! ହତୋତ୍ସାହିତ ପ୍ରାଚୀତୋଷଙ୍କ ମୁଣ୍ଡରେ ଅମାନବିକ ଚିନ୍ତାଧାରା ସବାର ହେଲା ! ବୟସ୍କ ବନମାଳିଙ୍କୁ ସେ ଯେଉଁ ମାଷ୍ଟରକ୍ୟାଣ୍ଚିନରୁ ଉଠାଇ ଘରକୁ ଆଣିଥିଲେ, ସେଇଠି ନେଇ ଛାଡିଦେଲେ, ତାଙ୍କ କାମ ଶେଷ। ଆଉ ପୋଲିସ ପାଖେ ଗୋଡଭାଙ୍ଗି ଠିଆହେବାକୁ ପଡିବନି। ସେଇ ମନୋଭାବ ନେଇ ସେ ଗାଡିଧରି ପୁଣିଥରେ ମାଷ୍ଟରକ୍ୟାଣ୍ଚିନ ଛକ ଉଦ୍ଦେଶ୍ୟରେ ବାହାରିଲେ।
ଡିସିପି ଅଫିସରୁ ମିଳିଲା ପାସ୍ :
ତେବେ ମାଷ୍ଟରକ୍ୟାଣ୍ଚିନକୁ ଯିବା ପୂର୍ବରୁ ତାଙ୍କୁ ସହିଦ ନଗର ଥାନାର ଜଣେ ଲେଡି ଅଫିସର କହିଥିବା କଥାଟିଏ ମନେ ପଡିଗଲା। ଏ ନେଇ ଏସିପିଙ୍କୁ ସାକ୍ଷାତ କଲେ ସେ ପାସ ଦେଇପାରିବେ ବୋଲି ତାଙ୍କୁ ଜଣେ ଲେଡି ଅଫିସର କହିଥିଲେ। ଶେଷ ଚେଷ୍ଟା କରିବାରେ ବି ପଛଘୁଞ୍ଚା ଦେଲେନାହିଁ ପ୍ରାଚୀତୋଷ। କାରଣ ବୃଦ୍ଧ ବନମାଳିଙ୍କୁ ବିକଳ ମୁହଁ ତାଙ୍କୁ ବିଚଳିତ କରିତୋଳିଲା। ଡିସିପି ଅଫିସରେ ପହଞ୍ଚି ପାସଟିଏ ପାଇଁ ଚେଷ୍ଟାକଲେ ବି ସେଇ ସମାନ ଅବସ୍ଥା। ସାରେ ବ୍ୟସ୍ତ ଅଛନ୍ତି। ଦେଖା କରିହେବନି। ଏପରି ନାସ୍ତିବାଣୀ ଶୁଣିବା ପରେ ଶେଷରେ ବାଧ୍ୟ ହୋଇ ପ୍ରାଚୀତୋଷ ନିଜକୁ ଜଣେ ଆଇନଜୀବୀ ବୋଲି ପରିଚୟ ଦେବା ସହ ସେ କ’ଣ ପାଇଁ ପାସ ଚାହୁଁଛନ୍ତି, ସେକଥା ଲିଖିତ ଭାବେ ଜଣାଇଲେ। ୟା ପରେ ସବୁ ହୋଇଗଲା ସ୍ୱାଭାବିକ। ଏସିପି ବ୍ୟକ୍ତିଗତ ଭାବେ ତାଙ୍କୁ ଭିତରକୁ ଡାକି ସବୁ ଘଟଣା ଶୁଣିବା ସହ ତାଙ୍କ କାର୍ଯ୍ୟର ପ୍ରଶଂସା ମଧ୍ୟ କଲେ। ତତ୍କାଳ ଗାଡି ପାସ ମଧ୍ୟ ମିଳିଗଲା। ସେତେବେଳକୁ ସଂଧ୍ୟା ପ୍ରାୟ ୬ଟା।
ବଡ଼ମ୍ୱା ବାହାରିଲେ ପ୍ରାଚୀତୋଷ :
ଭୁବନେଶ୍ୱରରୁ ବଡ଼ମ୍ୱା ଦୂରତା ପ୍ରାୟ ୧୦୦ କିମି। ସେଠି ପୁଣି ବୃଦ୍ଧ ବନମାଳିଙ୍କୁ ତାଙ୍କ ଘରେ ଛାଡି ଭୁବନେଶ୍ୱର ଫେରି ଆସିବାର ଅଛି। ଲକଡାଉନ ଯୋଗୁ ରାସ୍ତାଘାଟ ଖାଁ ଖାଁ ହୋଇଯାଉଥିବାରୁ ଭୟ ମଧ୍ୟ ଲାଗୁଥାଏ। ତଥାପି ମନରେ ସାହସ ବାନ୍ଧି ବଡମ୍ୱା ଉଦ୍ଦେଶ୍ୟରେ ବାହାରିଲେ ପ୍ରାଚୀତୋଷ। ସାଙ୍ଗରେ ଥାଆନ୍ତି ବୃଦ୍ଧ ବନମାଳି।
ଗାଁ ଆଗରେ ଲମ୍ୱା ଗେଟ୍ :
ରାତି ପ୍ରାୟ ୧୦ଟା ବେଳେ ଗାଡି ପହଂଚିଲା ବାଙ୍ଗରାସିଂ ଗାଁ ପାଖରେ। ହେଲେ ଗାଁର ପ୍ରବେଶ ପଥ ସିଲ୍। ଗାଁ ଭିତରକୁ ପ୍ରବେଶ ଥିଲା ସମ୍ପୂର୍ଣ୍ଣ ନିଷେଧ। ସାମନାରେ ଜଗିଥିଲେ ସଶସ୍ତ୍ର ପୋଲିସ। କରୋନା ବ୍ୟାପିବାର ଆଶଙ୍କା ଥିବାରୁ ଗାଁକୁ ସଟଡାଉନ କରାଯାଇଥିଲା। ବାହାର ଲୋକଙ୍କୁ ଗାଁରେ ପୂରାଇ ଦିଆଯିବ ନାହିଁ ବୋଲି ପୋଲିସ କର୍ମୀମାନେ ରୋକଠୋକ୍ ଜଣାଇଦେଲେ। ଏବେ ମୁଣ୍ଡରେ ପୁଣି ପଡିଲା ଚଡକ। ଏତେ ରାତିରେ ବୃଦ୍ଧଙ୍କୁ ଧରି ପୁଣି ସେ କୁଆଡେ ଯିବେ...। ଏପରି ଭାବୁଥିବା ବେଳେ ନିକଟସ୍ଥ ମାଣିଆବଂଧ ଫାଣ୍ଡି ଅଧିକାରୀଙ୍କ ସହ ସାକ୍ଷାତ ହେଇଗଲା। ଫାଣ୍ଡି ଅଧିକାରୀ ଜଣକ ସବୁକଥା ଜାଣିବା ପରେ ବଡ଼ମ୍ୱା ଥାନା ଅଧିକାରୀଙ୍କୁ ଜଣାଇଲେ। ପ୍ରାଚୀତୋଷ ବହୁତ ଭଲ କାମଟିଏ କରିଥିବାରୁ ତାଙ୍କୁ ସମସ୍ତ ସହଯୋଗ କରିବାକୁ ଫାଣ୍ଡି ଅଧିକାରୀଙ୍କୁ ବଡମ୍ୱା ଥାନା ଅଧିକାରୀ ନିଦ୍ଦେର୍ଶ ଦେଲେ। ତା ପରେ ସହଯୋଗ ପାଇଁ ସମଗ୍ର ପୁଲିସ ବାହିନୀ ହୋଇ ଉଠିଲା ତତ୍ପର।
ବାପ ରହିବ ଘରେ...ପୁଅ ହେବେ ବେଘର...!
ଫାଣ୍ଡି ଭିତରେ ବୃଦ୍ଧ ବନମାଳିଙ୍କଠୁ ସବୁକଥା ଶୁଣିବା ପରେ ଫାଣ୍ଡି ଅଧିକାରୀ ମ୍ରିୟମାଣ ହୋଇପଡିଲେ। ତେବେ ଲକଡାଉନ ଯୋଗୁ ତତ୍କାଳ ଗାଁ ଭିତରକୁ ପ୍ରବେଶ ଉପରେ କଟକଣା ଥିବାରୁ ବନମାଳିକୁ ଫାଣ୍ଡି ଭିତରେ ନିଜ ହେପାଜତରେ ରଖିଲେ ଫାଣ୍ଡି ଅଧିକାରୀ। ଏଥିସହ ପ୍ରାଚୀତୋଷଙ୍କୁ ନିର୍ଭର ପ୍ରତିଶ୍ରୁତିଟିଏ ଦେଲେ।
‘ବୁଢାବାପାଙ୍କୁ ପରିଣତ ବୟସରେ ଘରୁ ତଡି ଦେଇଥିବା ପୁଅମାନେ ଏବେ ନିଜେ ତଡ଼ା ଖାଇବେ। ବାପା ଏବେ ଘରେ ରହିବେ...ଦରକାର ପଡିଲେ ପୁଅମାନେ ହେବେ ବେଘର। ବନମାଳି ମଉସାଙ୍କୁ କାଲି ସକାଳେ ସହି ସଲାମତ ଶସମ୍ମାନେ ତାଙ୍କ ଘରେ ପହଂଚାଇ ଦିଆଯିବ। ତେଣୁ ଆପଣ ନିଶ୍ଚିନ୍ତରେ ଭୁବନେଶ୍ୱର ଫେରି ଯାଆନ୍ତୁ।’
ପୁଲିସି ବାବୁଙ୍କଠୁ ଏପରି ନିର୍ଭର ପ୍ରତିଶ୍ରୁତି ପାଇବା ପରେ ନିଶ୍ଚିନ୍ତ ହେଲେ ପ୍ରାଚୀତୋଷ। ସକାଳ ପହରୁ କାନ୍ଧ ଉପରେ ଲଦା ହୋଇଥିବା ବୋଝଟିଏ ଉତୁରି ଯାଇଥିଲା ଯେମିତି। ଦିନ ମାନର ଧାଁ ଧପଡ, ହାରୀ ଗୁହାରୀ, କାକୁତି ମନତି କରି କରି ବିତସ୍ପୃହ ହୋଇଯାଇଥିବା ମନ ଭିତରେ ଭରିଗଲା କେମିତି ଏକ ଅପୂର୍ବ ଶୀତଳ ଲହରୀ...ବୃଦ୍ଧ ବନମାଳୀଙ୍କ ଆଖିରେ ଯେତେବେଳେ ମିଶିଗଲା ପ୍ରାଚୀତୋଷଙ୍କ ନିଜ ମଳମଳ ଅବସ ଆଖି। ବନମାଳିଙ୍କ ଆଖିରେ ଆଖିଏ ଆନନ୍ଦ। କୃତଜ୍ଞତାରେ ଭରପୂର ସେଇ ଦୁଇଆଖି। ସତରେ ପରକୁ ନିଜର ଭାବିବାରେ କି ଆନନ୍ଦ ! ପ୍ରଥମ କରି ନିଜ ଭିତରେ ସେଇ ଆନନ୍ଦକୁ ଅନୁଭବ କରୁଥିଲେ ପ୍ରାଚୀତୋଷ।
ଖାଲି ଦୁଃଖ ଏତିକି...କେବେ ସୁଧାର ଆସିବ ଆମ ପୋଲିସ ବ୍ୟବସ୍ଥାରେ...ଯେଉଁଠି ସାହାଯ୍ୟ ମନୋବୃତ୍ତି ରଖିଥିବା ମଣିଷକୁ ଆଉ ଏପରି ଅପରାଧୀ ପରି ବ୍ୟବହାରର ଶିକାର ହେବାକୁ ପଡିବନି....!
ସୁବ୍ରତ ଦାଶ
ଆସୋସିଏଟ୍ ପ୍ରଡ୍ୟୁସର
ଓଟିଭି କରେଣ୍ଟ ଆଫେୟାର୍ସ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।