ଆଜିକାଲି ଦରଦାମ ବୃଦ୍ଧି ଲୋକଙ୍କୁ ନାକେଦମ କରି ରଖିଛି। କୌଣସି ଜିନିଷର ଦାମ ୪ରୁ ୫ ଟଙ୍କା ବଢିଗଲେ ସ୍ଥିତି ଚିନ୍ତାଜନକ ହୋଇଯାଉଛି। ଏହାକୁ ନେଇ ରାଜନୀତି ମଧ୍ୟ ଜୋରସୋରରେ ହେଉଛି। ଯଦି ହଠାତ ଚିନି ଓ ଲୁଣର ଦର ବଢି ଯାଇ କେଜି ପ୍ରତି ୨୦୦ ଓ ୧୫୦ ହୋଇଯିବ ଆପଣ କ’ଣ କରିବେ ? ଏକଥା ଶୁଣି ମୁଣ୍ଡ ବୁଲାଇ ପକାଇବ। ହେଲେ ଆମ ଦେଶରେ ଏମିତି ଏକ ଜାଗା ଅଛି ଯେଉଁଠି ଲୋକଙ୍କୁ ଏହି ଦରରେ ଚିନି ଓ ଲୁଣ କିଣିବାକୁ ପଡୁଛି। ଆସନ୍ତୁ ଜାଣିବା ଏପରି ସ୍ଥିତିରେ ରହୁଥିବା କିଛି ଭାରତୀୟଙ୍କ ସମ୍ପର୍କରେ।
ଅରୁଣାଚଳ ପ୍ରଦେଶର ଏକ ଘାଟି ଅଞ୍ଚଳ ହେଉଛି ବିଜୟନଗର କ୍ଷେତ୍ର। ୧୯୬୧ରେ ଆସାମ ରାଇଫଲର ଅର୍ଦ୍ଧସାମରିକ ବଳ ଏହାକୁ ଖୋଜି ବାହାର କରିଥିଲା। ଏଠାରେ ଯେତେବେଳେ ଲୋକେ ରହିବାକୁ ଆସିଥିଲେ ଭଲ ସ୍ୱାସ୍ଥ୍ୟ ଓ ଟଙ୍କା ମିଳିବ ବୋଲି କୁହାଯାଇଥିଲା। ଯାହା ଆଜି ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କୁ ମିଳିପାରିନାହିଁ। ମାତ୍ର ୨୦୦ ଟଙ୍କା ଦୈନିକ ରୋଜଗାର କରୁଥିବା ଗାଁର ଲୋକେ ଏବେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
କେବଳ ଚିନି ଓ ଲୁଣ ପାଇଁ ଏତେ ଟଙ୍କା ସେମାନଙ୍କୁ ଦେବାକୁ ପଡିନାହିଁ। ଏଠିକାର ଲୋକେ ସ୍ଥାନୀୟ ପିସିଓରୁ କୌଣସି ସ୍ଥାନକୁ କଲ୍ କଲେ ମିନିଟକୁ ୫ ଟଙ୍କା ହିସାବରେ ଦେଉଛନ୍ତି। ଚିକିତ୍ସା ବ୍ୟବସ୍ଥା କଥା ନାହିଁ କହିବା ଭଲ। ଗାଁରେ କୌଣସି ଡାକ୍ତରଖାନା ନାହିଁ। ଗାଁଠାରୁ ୨୦୦ କି.ମି. ଦୂରରେ ରହିଛି ଏକ ଡାକ୍ତରଖାନା ଯେଉଁଠିକୁ କେବଳ ଆକାଶପଥରେ ହିଁ ଯିବା ସମ୍ଭବ। ବହୁ ସମୟରେ ଚିକିତ୍ସା ସୁବିଧା ନ ପାଇ ଲୋକେ ମୃତ୍ୟୁମୁଖରେ ପଡୁଛନ୍ତି।
‘ଇଣ୍ଡିଆ ଟୁ ଡେ’ ସହ କଥାବାର୍ତ୍ତା ବେଳେ ଖାଦ୍ୟ, ଗମନାଗମନ ଓ ଚିକିତ୍ସା ସେମାନଙ୍କ ପ୍ରମୁଖ ସମସ୍ୟା ବୋଲି ଗ୍ରାମବାସୀ କହିଛନ୍ତି।
ସରକାର ସମସ୍ତଙ୍କ ପାଖରେ ସବୁ ଜିନିଷ ସୁବିଧାରେ ପହଞ୍ଚାଇବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଏହି ଗ୍ରାମ ପ୍ରତି ସମସ୍ତେ ଯେମିତି ଆଖି ବୁଜି ଦେଇଛନ୍ତି। ମାତ୍ର ୨୦୦ ଟଙ୍କା ରୋଜଗାର କରୁଥିବା ଗୋଟେ ପରିବାରକୁ ଯଦି ଚିନି କେଜି ୨୦୦ ଓ ଲୁଣ କେଜି ୧୫୦ ଟଙ୍କା ଦେଇ କିଣିବାକୁ ପଡୁଛି ତେବେ ସେମାନଙ୍କ ଦୟନୀୟ ସ୍ଥିତି ଓ ସେମାନଙ୍କ ପାଖରେ ସରକାରୀ ସୁବିଧା କେତେ ପହଞ୍ଚଛି ଜଣାପାରୁଥିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।