ବିଜେଡିର ବିଭ୍ରାନ୍ତିକର ରାଜନୀତି

ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପାଇଁ କେନ୍ଦ୍ର ଯେମିତି ଦାୟୀ, ରାଜ୍ୟ ମଧ୍ୟ ସେମିତି ଦାୟୀ। ଉଭୟ ସରକାର ଏହା ଉପରୁ ଯଥେଷ୍ଟ ଅଧିକ ଟିକସ ଆଦାୟ କରୁଛନ୍ତି।

  • ଦେବେନ୍ଦ୍ର ପୃଷ୍ଟି

ବହୁ ବିଳମ୍ବରେ ହେଲେ ବି ଏବେ ରନ୍ଧନ ଗ୍ୟାସ ସିଲିଣ୍ଡରର ଦରବୃଦ୍ଧିର ପ୍ରତିବାଦ କରିଛି ବିଜେଡି। କେଇ ଦିନ ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ବିରୋଧରେ ମଧ୍ୟ ସ୍ୱର ଉତ୍ତୋଳନ କରିଥିଲା ଦର। ପଂଚାୟତ ଓ ପୌର ନିର୍ବାଚନ ପାଖେଇ ଆସୁଥିବା ସମୟରେ ଓଡ଼ିଶାର ଆଞ୍ଚଳିକ ବିଜୁ ଜନତା ଦଳର ଏହି ଆନ୍ଦୋଳନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି ବିରୋଧରେ ଉଦ୍ଦିଷ୍ଟ ଥିବା ସୂର୍ଯ୍ୟାଲୋକ ପରି ସ୍ପଷ୍ଟ। କିନ୍ତୁ ଦରବୃଦ୍ଧି ପାଇଁ କ’ଣ କେବଳ କେନ୍ଦ୍ର ଦାୟୀ? ଏଥିରେ ରାଜ୍ୟ ସରକାରଙ୍କର କୌଣସି ଭାଗ ନାହିଁ?

କଳାହାଣ୍ଡିର ମମିତା ମେହେର ହତ୍ୟା ମାମଲାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସର ଆନ୍ଦୋଳନ ରାଜ୍ୟର ପ୍ରାୟ ସବୁ ଜିଲ୍ଲା ଓ ବ୍ଲକରେ ପହଞ୍ଚିଛି। ଏହି ଆନ୍ଦୋଳନ ରାଜ୍ୟ ସରକାରଙ୍କ ବିରୋଧରେ ଜନମତ ସଂଗଠିତ କରୁଥିବା ସମୟରେ ରାଜ୍ୟରେ ଗଲା ଦୁଇ ଦଶନ୍ଧି ଧରି ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ତରଫରୁ ଦରବୃଦ୍ଧି ବିରୋଧରେ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସତେ ଯେମିତି କେବଳ କେନ୍ଦ୍ର ସରକାରଙ୍କ ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଗୁଡ଼ିକର ଦରବୃଦ୍ଧି ହେଉଛି! ଏଥିରେ ରାଜ୍ୟ ସରକାରଙ୍କର କୌଣସି ଭାଗ ନାହିଁ! କେନ୍ଦ୍ର ସରକାରଙ୍କ ଯୋଗୁଁ ଯେମିତି ଓଡ଼ିଶାର ଜମି ପଡ଼ିଆ ପଡ଼ିଛି! କେନ୍ଦ୍ର ସରକାରଙ୍କ ଯୋଗୁଁ ଯେମିତି ଓଡ଼ିଶାର ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ହୋଇପାରୁନାହିଁ! କେନ୍ଦ୍ର ସରକାରଙ୍କ ଯୋଗୁଁ ଯେମିତି ଓଡ଼ିଶାର ସବୁ ଚାଷଜମିକୁ ସବୁଦିନିଆ ଜଳସେଚନ ସୁବିଧା ହୋଇନାହିଁ! କେନ୍ଦ୍ର ସରକାରଙ୍କ ଯୋଗୁଁ ଯେମିତି ଓଡ଼ିଶାର ଚାଷୀ ଓ ଖାଉଟିଙ୍କ ମଧ୍ୟରେ ବେପାରୀ ବା ମଧ୍ୟସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଛି!

ସେହି ଧାରଣା ଡାକରାରେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଉଲ୍ଲେଖ ନଥିଲେ ବି ମୁଖ୍ୟତଃ ତାହାରି ବିରୋଧରେ ଜନମତ ଉଜାଗର କରିବା ପାଇଁ ହିଁ ବିଜେଡି ଏହି ଦିନିକିଆ ଆନ୍ଦୋଳନ କରିଥିଲା। ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପାଇଁ କେନ୍ଦ୍ର ଯେମିତି ଦାୟୀ, ରାଜ୍ୟ ମଧ୍ୟ ସେମିତି ଦାୟୀ। ଉଭୟ ସରକାର ଏହା ଉପରୁ ଯଥେଷ୍ଟ ଅଧିକ ଟିକସ ଆଦାୟ କରୁଛନ୍ତି। ଗୋଟିଏ ଲିଟର ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ୩୦ ଟଙ୍କାରୁ କିଛି ଅଧିକ ଟିକସ ଆୟ କରୁଥିବାବେଳେ ରାଜ୍ୟ ୩୦ ଟଙ୍କାରୁ କିଛି କମ୍‌ ଆଦାୟ କରୁଛି। ଉଭୟ ସରକାର ବିକାଶ ଓ ସମୃଦ୍ଧି ପାଇଁ ପେଟ୍ରୋ ସାମଗ୍ରୀ ଉପରେ ଚଢ଼ା ଦରରେ ଟିକସ ବସେଇଛନ୍ତି ବୋଲି ସଫେଇ ଦେଉଛନ୍ତି। ତେବେ, ଯେତେବେଳେ ଭୋଟ୍‌ ଆସୁଛି ବା ଭୋଟ ପରିଣାମ ଶାସକ ଦଳ ପାଇଁ ନୈରାଶ୍ୟଜନକ ହେଉଛି ସେତେବେଳେ ଟିକସ କମେଇ ଦେଉଛନ୍ତି। ଏଇ ଯେମିତି କେଇ ଦିନ ତଳେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୧୦ ଟଙ୍କା କମେଇବା ପରେ ଓଡ଼ିଶା ମଧ୍ୟ ୩ ଟଙ୍କା କମେଇବାର ଘୋଷଣା କରିଥିଲା। ଅଥଚ ଏହାର କେଇ ମାସ ପୂର୍ବରୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ବିଧାନସଭାରେ କହିଥିଲେ ଯେ ପେଟ୍ରୋ ସାମଗ୍ରୀ ଉପରୁ ରାଜ୍ୟ ସରକାର ଭାଟ୍‌ କମେଇ ପାରିବେ ନାହିଁ। ତେବେ କମେଇଲେ କେମିତି? ବୁଝିବାକୁ ହେବ ଯେ ଟିକସ ବଢ଼େଇବାର କ୍ଷମତା ରଖିଥିବା ସରକାର ଟିକସ କମେଇବାର କ୍ଷମତା ମଧ୍ୟ ରଖିଛନ୍ତି। ଯଦି କୌଣସି ମନ୍ତ୍ରୀ ବା ଅମଲା ଓଲଟା କଥା କହୁଛନ୍ତି ତେବେ ଲୋକେ ବୁଝିବା ଦରକାର ଯେ ଜନତାଙ୍କୁ ମିଛ କଥା କହି ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ହିଁ ଏପରି କଥା କୁହାଯାଉଛି।

ସେହିପରି ଡାଲି ଓ ତେଲ ସମେତ ଅନ୍ୟ ଖାଦ୍ୟ ପଦାର୍ଥର ଦରବୃଦ୍ଧି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତି ଦାୟୀ ହୋଇଥିବାବେଳେ ସମସ୍ତ ଦୋଷ କେନ୍ଦ୍ର ଉପରେ ଢାଳି ଦେବା କେବଳ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ। ସେଠି ପାର୍ଲାମେଣ୍ଟରେ କେନ୍ଦ୍ରର ଖାଦ୍ୟ ଓ କୃଷି ନୀତି ଓ ଆଇନକୁ ସମର୍ଥନ କରି ଏଠି ରାଜ୍ୟରେ ଦରବୃଦ୍ଧି ନେଇ ଆନ୍ଦୋଳନରେ ମାତିବା ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଉଦ୍ଦିଷ୍ଟ ନା ନୁହେଁ? ଏବେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କେତେକ ସହରରେ ଟମାଟୋ ଦର ୧୦୦ ଟଙ୍କା। ଏଥିପାଇଁ କ’ଣ କେନ୍ଦ୍ର ଦାୟୀ? ରାଜ୍ୟ ସରକାର ଓଡ଼ିଶାରେ ଟମାଟୋ ଚାଷକୁ ପ୍ରୋତ୍ସାହନ ଦେବାକୁ ଓ ଟମାଟୋ ସଂରକ୍ଷଣ କରି ରଖିବା ପାଇଁ ଭଣ୍ଡାର ତିଆରି କରିବାକୁ କେନ୍ଦ୍ର ସରକାର ମନା କରିଛନ୍ତି କି? କେଇ ବର୍ଷ ତଳେ ଆଳୁ ଦର ବଢ଼ିବାରୁ ରାଜ୍ୟ ସରକାର ଅମଲା ଓ ମନ୍ତ୍ରୀଙ୍କୁ ପେରୁ ପଠେଇଥିଲେ ଉନ୍ନତ ଆଳୁ ଚାଷ କରିବା ପାଇଁ। ସେଠାରୁ ଫେରି ସରକାର ରାଜ୍ୟରେ ଆଳୁ ମିଶନ ଆରମ୍ଭ କଲେ। ମିଶନ ଫେଲ୍‌ ମାରିଲା ବୋଲି ନିଜେ ତତ୍କାଳୀନ କୃଷି ମନ୍ତ୍ରୀ ବିଧାନସଭାରେ ବିବୃତ୍ତି ଦେଲେ। ଏବେ ରାଜ୍ୟରେ ଆଳୁ କିଲୋ ୨୦ ଟଙ୍କା। ବଢ଼ିଲା ଦର ସ୍ଥାୟୀ ହୋଇଗଲା କହିଲେ ଚଳେ। ଏଥିପାଇଁ କ’ଣ କେନ୍ଦ୍ର ଦାୟୀ?

ଆମ ରାଜ୍ୟକୁ ଲଙ୍କା, ଆମ୍ବ, କଦଳୀ, ମାଛ ଓ ଅଣ୍ଡା ଆସୁଛି ଆନ୍ଧ୍ରରୁ। ଆଳୁ ଆସୁଛି ପଶ୍ଚିମ ବଙ୍ଗ ଓ ମହାରାଷ୍ଟ୍ରରୁ। ପିଆଜି ଆସୁଛି ମହାରାଷ୍ଟ୍ରରୁ। ଅଧିକାଂଶ ପନିପରିବା ଆସୁଛି ପଡ଼ୋଶୀ ଛତିଶଗଡ଼, ଝାରଖଣ୍ଡ ଓ ବିହାରରୁ। ଏସବୁ ଓଡ଼ିଶାରେ ଉତ୍ପାଦନ କରିବାକୁ କ’ଣ ଆମର ମାଟି ନାହିଁ ନା ପାଣି ନାହିଁ? ଖତ ନାହିଁ ନା ଚାଷୀ ନାହାନ୍ତି? ଯାହା ନାହିଁ ତାହା ହେଉଛି ସରକାରଙ୍କର ଉପଯୁକ୍ତ ନୀତି ଓ ନିଷ୍ଠାର ଅଭାବ। ରାଜ୍ୟ ସରକାର ଓଡ଼ିଶାର ଅଭାବ ପୂରଣ କରିବାକୁ ଚେଷ୍ଟା ନକରି ଅନ୍ୟ ଉପରେ ଦୋଷ ଲଦିବାକୁ କ’ଣ କୁହାଯିବ? ନିଜ ଅକର୍ମା ପଣ ଲୁଚେଇବାର ଚେଷ୍ଟା ନୁହେଁ ତ?

ପୁଣି ଅଭାବ ପୂରଣ ପାଇଁ ଆଳୁ ମିଶନ ପରି ଯେତେ ସବୁ ମିଶନ ଓ ଯୋଜନା କାର୍ଯ୍ୟକାରୀ ହେଉଛି ସେଥିରେ ବ୍ୟାପକ ହେରଫେର ଓ ଦୁର୍ନୀତି ହେଉଛି। ସେଥିପାଇଁ ବି କ’ଣ କେନ୍ଦ୍ର ସରକାର ଦାୟୀ? ଓଡ଼ିଶାରେ ଚାରା କିଣାରେ ଦୁର୍ନୀତି ହେଲା। କିଏ କଲା? ଚାରା ରୋପଣରେ ଦୁର୍ନୀତି ହେଲା। କିଏ କଲା? ଖତ କିଣା ଟଙ୍କା ହଡ଼ପ ହେଲା। କିଏ କଲା? ଓଡ଼ିଶା ସରକାର ପ୍ରତି ବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଫଳ ଓ ପନିପରିବା ବିହନ ବା ଚାରା ବାଣ୍ଟୁଛନ୍ତି ବୋଲି କହୁଛନ୍ତି। ଗଛ ସବୁ ଯାଉଛି କୁଆଡ଼େ? ଫଳୁନି କାହିଁକି? ଏ ମାଟି କ’ଣ ଫଳପ୍ରସୂ ନୁହେଁ? ନା ଆମ ସରକାର ବନ୍ଧ୍ୟା? ଯାହା କରୁଛନ୍ତି କିଛି ଫଳୁ ନାହିଁ! ଯେଉଁଥି ପାଇଁ ଅଭାବ ଆମକୁ ଛାଡ଼ୁ ନାହିଁ। ଗରୀବ କଲ୍ୟାଣ ପାଇଁ ମାଗଣା ଚାଉଳ ଇତ୍ୟାଦି ଡଜନ ଡଜନ କାର୍ଯ୍ୟକ୍ରମ ସତ୍ତ୍ୱେ ନୀତି ଆୟୋଗ ହିସାବରେ ଆମର ରାଜ୍ୟର ପ୍ରତି ୩ ଜଣରେ ଜଣେ ଗରୀବ। ଖୋଦ ଆମ ରାଜ୍ୟ ସରକାରଙ୍କ ହିସାବରେ ସାଢ଼େ ଚାରି କୋଟି ଲୋକଙ୍କ ମଧ୍ୟରୁ ସାଢ଼େ ତିନି କୋଟି ଟଙ୍କିକିଆ ଚାଉଳର ଉପଭୋକ୍ତା। ଏହାକୁ ଦରିଦ୍ର କଲ୍ୟାଣ ଯୋଜନା କହିବା ଠିକ ହେବ ନା ଭୋଟର ତୁଷ୍ଟୀକରଣ ଯୋଜନା କହିବା ଠିକ ହେବ?

କରୋନା ତାଲାବନ୍ଦୀ ପରେ ଓଡ଼ିଶାର ଏବେ ସବୁଠୁ ବଡ଼ ସମସ୍ୟା ହେଉଛି ଲୋକଙ୍କ ନିଯୁକ୍ତି ଓ ରୋଜଗାର। ଲୋକଙ୍କୁ ରୋଜଗାର କରିବାର ସୁଯୋଗ ଓ ସୁବିଧା ଦେଲେ ସେମାନେ ଟଙ୍କିକିଆ ଚାଉଳ ବଦଳରେ ଅଫିସର ଓ ନେତାମାନଙ୍କ ପରି ୫୦ ଟଙ୍କିଆ ଚାଉଳ କିଣି ଖାଇପାରିବେ। ମାତ୍ର, ଆମ ସରକାର ତାହା କରୁ ନାହାନ୍ତି। ତାହା କରିବାର ଅଭିପ୍ରାୟ ମଧ୍ୟ ସରକାରଙ୍କର ଥିଲା ପରି ଲାଗୁନାହିଁ। ଓଲଟି ଆମ ସରକାର କେନ୍ଦ୍ରକୁ ଚିଠି ଲେଖି କହୁଛନ୍ତି ଯେ ମାଗଣା ଚାଉଳ କାର୍ଯ୍ୟକ୍ରମ ଆଉ ୮ ମାସ ବଢ଼େଇ ଦିଅ। କେନ୍ଦ୍ରରେ ଥିବା ସରକାର ବି ସେଇ ଭୋଟ୍‌ ଉଦ୍ଦେଶ୍ୟରେ ୪ ମାସ ବଢ଼େଇଛନ୍ତି। ଏମିତି ତୁଷ୍ଟୀକରଣ ପ୍ରତିଯୋଗିତା ଓ ଆନ୍ଦୋଳନ ଛକାପଞ୍ଝାରେ ସିନା ଭୋଟ୍‌ର ଓ ଭାଟମାନଙ୍କର ସାମୟିକ ଲାଭ ହେବ ମାତ୍ର ରାଜ୍ୟ ବା ଦେଶର ସାମୂହିକ ବିକାଶ ସମ୍ଭବ ନୁହେଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।