- ଦେବେନ୍ଦ୍ର ପୃଷ୍ଟି
୨୦୨୨ ଓଡ଼ିଶା ଜିଲ୍ଲା ପରିଷଦ ନିର୍ବାଚନର ସଂପୂର୍ଣ୍ଣ ଫଳାଫଳ ପ୍ରକାଶ ପାଇଛି। ଏହି ଫଳାଫଳ ତର୍ଜମା କଲେ ଶାସକ ବିଜୁ ଜନତା ଦଳ ପାଇଁ ନିଶ୍ଚିତ ଭାବେ ଆନନ୍ଦ ବିଭୋର ହେବାର ଅବକାଶ ସୃଷ୍ଟି ହୋଇଛି, ଯଦିଓ ଦଳର ଭୋଟ ଅଂଶ ଆସନ ସଂଖ୍ୟା ଅନୁପାତରେ ସେତେ ଅଧିକ ବୃଦ୍ଧି ପାଇନାହିଁ। ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ପାଇଁ ଗଭୀର ଆତ୍ମସମୀକ୍ଷାର ସମୟ ଆସିଯାଇଛି। ଆଉ ଅନ୍ୟତମ ଜାତୀୟ ଦଳ କଂଗ୍ରେସ ପାଇଁ ମଧ୍ୟ ଶୋଚନା କରିବାର ବେଳ ଆଖର ହୋଇଛି। ବିଜୁ ଜନତା ଦଳ ୧.୧୦ ଲକ୍ଷ ଭୋଟ ପାଇ ୭୬୬ ଜିଲ୍ଲା ପରିଷଦ ଆସନ ହାତେଇଥିବାବେଳେ ଭାରତୀୟ ଜନତା ପାର୍ଟି ୬୩ ଲକ୍ଷ ଭୋଟ୍ ପାଇ ହାସଲ କରିଛି ମାତ୍ର ୪୨ ଜିଲ୍ଲା ପରିଷଦ ଆସନ। କଂଗ୍ରେସ ୨୮ ଲକ୍ଷ ଭୋଟ୍ ସହ ପାଇଛି ୩୭ ଜିଲ୍ଲା ପରିଷଦ ଆସନ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ବିଜୁ ଜନତା ଦଳର ଭୋଟ ଓ ଆସନ ଅନୁପାତ ଭାରତୀୟ ଜନତା ପାର୍ଟି କ୍ଷେତ୍ରରେ ପ୍ରତିଫଳିତ ହୋଇନାହିଁ। ଅର୍ଥାତ ଦଳର ଭୋଟ୍ ଆସନରେ ପରିଣତ ହୋଇନାହିଁ, କିଛି ଭୋଟ୍ ଧୂଆଁରେ ଉଡ଼ିଯାଇଛି।
୨୦୨୨ ପଞ୍ଚାୟତ ନିର୍ବାଚନରେ ଭୋଟ ହୋଇଥିବା ରାଜ୍ୟର ୮୫୩ ଜିଲ୍ଲା ପରିଷଦରୁ ବିଜୁ ଜନତା ଦଳ ଏକାକି ୭୬୬ ଆସନରେ ବିଜୟୀ ହୋଇଥିବାରୁ ଏହି ଦଳର ନେତା ଓ କର୍ମୀମାନେ ଆନନ୍ଦ ବିଭୋର ହେବା ପାଇଁ ଯଥେଷ୍ଟ କାରଣ ରହିଛି। ଏହି ଦଳ ୨୦୧୨ ପଞ୍ଚାୟତ ନିର୍ବାଚନରେ ୬୫୪ ଓ ୨୦୧୭ ପଞ୍ଚାୟତ ନିର୍ବାଚନରେ ୪୭୩ ଜିଲ୍ଲା ପରିଷଦ ଆସନ ହାସଲ କରିଥିଲା। ସେହିପରି ଭାରତୀୟ ଜନତା ପାର୍ଟି ୨୦୨୨ ନିର୍ବାଚନରେ ମାତ୍ର ୪୨ ଜିଲ୍ଲା ପରିଷଦ ଆସନ ହାସଲ କରିଥିଲାବେଳେ ୨୦୧୨ ନିର୍ବାଚନରେ ୩୬ ଓ ୨୦୧୭ ନିର୍ବାଚନରେ ୨୯୭ ଆସନ ହାସଲ କରିଥିଲା। ଏହି ଦୃଷ୍ଟିରୁ ଏହି ଦଳର ଶୀର୍ଷ ନେତୃତ୍ୱ ପାଇଁ ଗଭୀର ଆତ୍ମସମୀକ୍ଷାର ସମୟ ଉପସ୍ଥିତ ହୋଇଛି। ଅନ୍ୟତମ ଜାତୀୟ ଦଳ କଂଗ୍ରେସ ୨୦୧୨ ପଞ୍ଚାୟତ ନିର୍ବାଚନରେ ୧୨୮ ଜିଲ୍ଲା ପରିଷଦ ଆସନ ହାତେଇଥିଲାବେଳେ ୨୦୧୭ରେ ୬୦ ଓ ୨୦୨୨ରେ ୩୭ ଆସନରେ ବିଜୟୀ ହେବାକୁ ସମର୍ଥ ହୋଇଛି। ଦଳର ଏହି କ୍ରମାଗତ ଅଧୋଗତି ଓଡ଼ିଶାରେ ଏହି ଦଳର ସ୍ଥିତି ନେଇ ଅନେକ ମନରେ ସନ୍ଦେହ ସୃଷ୍ଟି କରିଛି।
ତେବେ, ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନର ଭୋଟ ଅଂଶକୁ ବିଚାରକୁ ନେଲେ ବିଜୁ ଜନତା ଦଳ ଜିଲ୍ଲା ପରିଷଦ ଆସନରେ ଉନ୍ନତି ହାର ଅନୁସାରେ ଭୋଟ ପାଇ ନଥିବା ସ୍ପଷ୍ଟ ହୋଇଛି। ଏହି ଦଳ ୨୦୧୪ ଲୋକସଭା ନିର୍ବାଚନରେ ୯୪ ଲକ୍ଷ ୮୯ ହଜାର ୯୪୬ ଖଣ୍ଡ ଭୋଟ ପାଇଥିଲା। ୨୦୧୯ ଲୋକସଭା ନିର୍ବାଚନରେ ଦଳର ଭୋଟ ସଂଖ୍ୟା ୧ କୋଟି ୧ ଲକ୍ଷ ୭୪ ହଜାର ୨୧ ଖଣ୍ଡକୁ ବୃଦ୍ଧି ପାଇଥିଲା। ୨୦୧୯ ବିଧାନସଭା ନିର୍ବାଚନରେ ଦଳ ୧ କୋଟି ୪ ଲକ୍ଷ ୭୫ ହଜାର ୬୯୭ ଖଣ୍ଡ ଭୋଟ୍ ପାଇଥିଲା। ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ୧ କୋଟି ୧୦ ଲକ୍ଷ ୮୯ ହଜାର ୭୧୨ ଖଣ୍ଡ ଭୋଟ୍ ପାଇଛି। ତେଣୁ ୨୦୧୯ ବିଧାନସଭା ନିର୍ବାଚନ ତୁଳନାରେ ଦଳ ଅଧିକ ୬ ଲକ୍ଷ ଭୋଟ ପାଇଥିବା ହିସାବ କରାଯାଉଛି। ଭୋଟ୍ ଅଂଶ ବୃଦ୍ଧି ଦୃଷ୍ଟିରୁ ଏହା ସେତେ ଚମତ୍କାର ପ୍ରଦର୍ଶନ ହୋଇ ନଥିଲେ ମଧ୍ୟ ଜିଲ୍ଲା ପରିଷଦ ଆସନ ଦୃଷ୍ଟିରୁ ନିଃସନ୍ଦେହରେ ଏହା ଏକ ଚମତ୍କାର। ଦଳର ଜିଲ୍ଲା ପରିଷଦ ଆସନ ସଂଖ୍ୟା ୨୦୧୭ର ୪୭୩ରୁ ଲମ୍ବା ଡିଆଁ ମାରି ୭୬୬ରେ ପହଞ୍ଚିଯାଇଛି।
ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ୨୦୧୪ ଲୋକସଭା ନିର୍ବାଚନରେ ୪୬ ଲକ୍ଷ ୩୮ ହଜାର ୫୬୫ ଖଣ୍ଡ ଭୋଟ୍ ପାଇଥିବାବେଳେ ୨୦୧୯ ଲୋକସଭା ନିର୍ବାଚନରେ ଏହା ୯୧ ଲକ୍ଷ ୩୦ ହଜାର ୭୬୮ ଖଣ୍ଡକୁ ବୃଦ୍ଧି ପାଇଥିଲା। ୨୦୧୯ ବିଧାନସଭା ନିର୍ବାଚନରେ ଦଳର ଭୋଟସଂଖ୍ୟା ଥିଲା ୭୬ ଲକ୍ଷ ୧୨ ହଜାର ୪୪୯ ଖଣ୍ଡ। ୨୦୨୨ ପଞ୍ଚାୟତ ନିର୍ବାଚନରେ ଦଳ ପାଇଛି ୬୩ ଲକ୍ଷ ୨୩ ହଜାର ୭୪୬ ଖଣ୍ଡ ଭୋଟ। ଅର୍ଥାତ ଭାରତୀୟ ଜନତା ପାର୍ଟିର ଭୋଟ ସଂଖ୍ୟା ଗତ ଲୋକସଭା ନିର୍ବାଚନ ତୁଳନାରେ ୩୨ ଲକ୍ଷ କମିଥିବାବେଳେ ବିଧାନସଭା ନିର୍ବାଚନ ତୁଳନାରେ ୧୭ ଲକ୍ଷ ହ୍ରାସ ପାଇଛି। ଏହା ନିଶ୍ଚୟ ଏହି ଦଳର ଶୀର୍ଷ ନେତୃତ୍ୱ ପାଇଁ ଗଭୀର ଚିନ୍ତାର କାରଣ। କେବଳ ଏତିକି ନୁହେଁ ଏହି ଦଳର ଜିଲ୍ଲା ପରିଷଦ ପ୍ରଦର୍ଶନ ଦଳ ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ ହୋଇଛି। ୨୦୧୨ ପଞ୍ଚାୟତ ନିର୍ବାଚନରେ ଏହି ୩୬ଟି ଜିଲ୍ଲା ପରିଷଦ ଆସନ ହାସଲ କରିଥିବାବେଳେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ସଂଖ୍ୟା ଲମ୍ବ ଡିଆଁ ମାରି ୨୯୭ରେ ପହଞ୍ଚିଥିଲା। କିନ୍ତୁ ୨୦୨୨ ପଞ୍ଚାୟତ ନିର୍ବାଚନରେ ଦଳର ଜିଲ୍ଲା ପରିଷଦ ସଂଖ୍ୟା ୪୨କୁ ଖସି ଯାଇଛି। ଅର୍ଥାତ ଦଳ ପୂର୍ବ ନିର୍ବାଚନ ତୁଳନାରେ ୨୫୫ଟି ଆସନ ହରେଇଛି। ଏହା ଦଳୀୟ ରଣନୀତିର ବିଫଳତା ବୋଲି କୁହାଯାଇପାରେ।
ଅନ୍ୟତମ ଜାତୀୟ ଦଳ କଂଗ୍ରେସ ୨୦୧୪ ଲୋକସଭା ନିର୍ବାଚନରେ ୫୫ ଲକ୍ଷ ୯୧ ହଜାର ୩୮୦ ଖଣ୍ଡ ଭୋଟ୍ ପାଇଥିବାବେଳେ ୨୦୧୯ ଲୋକସଭା ନିର୍ବାଚନରେ ଦଳର ଭୋଟ୍ ସଂଖ୍ୟା ୩୨ ଲକ୍ଷ ୮୫ ହଜାର ୩୩୯କୁ ଖସି ଆସିଥିଲା। ସେହି ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଥିଲା ୩୭ ଲକ୍ଷ ୭୭ ହଜାର ୬୪୫ ଖଣ୍ଡ ଭୋଟ। ତେବେ, ୨୦୨୨ ପଞ୍ଚାୟତ ନିର୍ବାଚନରେ ଦଳର ଭୋଟ ସଂଖ୍ୟା ୨୮ ଲକ୍ଷ ୫୪ ହଜାର ୩୯୮କୁ ଖସି ଆସିଛି। ଏହା ରାଜ୍ୟରେ କଂଗ୍ରେସର କ୍ରମାଗତ ଅଧୋଗତିର ସୂଚନା ଦେଉଛି। ୨୦୧୨ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ୧୨୮ଟି ଜିଲ୍ଲା ପରିଷଦ ଆସନ ହାସଲ କରିଥିଲାବେଳେ ୨୦୧୭ରେ ଏହି ସଂଖ୍ୟା ୬୦କୁ ଓ ୨୦୨୨ରେ ୩୭କୁ ଖସି ଆସିଛି। ଏଥିରୁ ଓଡ଼ିଶାରେ ଏହି ଦଳର ସ୍ଥିତି ନେଇ ଦଳ ଭିତରେ ନାନାଦି ଆଶଙ୍କା ପ୍ରକାଶ ପାଇବା ସ୍ୱାଭାବିକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।