ଦେବେନ୍ଦ୍ର ପୃଷ୍ଟି
କରୋନା କଟକଣା ଜାରି କରି ସରକାର ସ୍କୁଲ କଲେଜ ବନ୍ଦ କଲେ। ଛଅ ମାସ ଉଜୁଡ଼ିଗଲା। ପରେ ଇଣ୍ଟର୍ନେଟରେ କ୍ଲାସ କଲେ। ସମସ୍ତେ ଭାବିଲେ ଭଲ ହେଲା। ସ୍କୁଲ ବନ୍ଦ ଥାଉ ପଛେ ପିଲା ପଢ଼ିବେ, ବଢ଼ିବେ। କିନ୍ତୁ ହେଲା କ’ଣ? ହେଉଛି କ’ଣ?
ବେଶି ଦିନର କଥା ନୁହେଁ। ୨୦୨୧ ଅକ୍ଟୋବର ୧୨ ତାରିଖର ଘଟଣା। କୋରାପୁଟ ଗୌତମ ନଗରର ୧୩ ବର୍ଷ ବୟସର ପିଲାଟିଏ। ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲା। ଅନ୍ଲାଇନ୍ କ୍ଲାସ୍ କରିବ ବୋଲି ବାପାମା’ ତାକୁ ସ୍ମାର୍ଟ ଫୋନ୍ଟିଏ ଦେଇଥିଲେ। ଇଣ୍ଟର୍ନେଟ୍ର ମାୟା। ପିଲାଟି କ୍ଲାସ୍ କରିବା ଭିତରେ ମୋବାଇଲ୍ ଗେମ୍ ଚକ୍କରରେ ପଡ଼ିଲା। କ୍ଲାସ୍ ଚାଲିଥିଲାବେଳେ ଖେଳ ଚାଲିଲା। ବାପାମା ଜାଣିବାରୁ ପିଲାକୁ ଆକଟ କଲେ। ଅମାନିଆ ହେବାରୁ ସେଦିନ ମୋବାଇଲ୍ ଛଡ଼େଇନେଲେ। ପିଲାଟିକୁ ମୋବାଇଲ୍ ନିଶା ଏମିତି ଘାରି ଯାଇଥିଲା ଯେ ଏହା ସେ ସହ୍ୟ କରିପାରିଲା ନାହିଁ। ଆତ୍ମହତ୍ୟା କରିଦେଲା।
୨୦୨୧ ସେପ୍ଟେମ୍ବର ୩୦ ତାରିଖର ଅନ୍ୟ ଏକ ଘଟଣା। କେନ୍ଦୁଝର ଶାଳପଡ଼ା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଜଣେ ଅନ୍ଲାଇନ୍ କ୍ଲାସ୍ କରୁକରୁ ଫ୍ରି ଫାୟାର ଗେମ୍ ମାୟାରେ ପଡ଼ିଗଲା। ପାଠ ପଢ଼ିବା ବାହାନାରେ ଘଣ୍ଟାଘଣ୍ଟା ଏଇ ଖେଳ ଖେଳିଲା। ସମାନ କଥା। ବାପାମା ଆକଟ କଲେ। ପିଲାଟି ଜୀବନ ହରେଇଦେଲା।
୨୦୨୧ ଅଗଷ୍ଟ ୧୮ ତାରିଖର ଘଟଣା। ରାୟଗଡ଼ା ଜିଲ୍ଲା ଏସ. ପାଣ୍ଡ୍ରାପେଡ଼ା ଗାଁର ୧୩ ବର୍ଷ ବୟସର ପିଲାଟିଏ। ବାପାମା ତା’କୁ କଟକର ଏକ ଘରୋଇ ସ୍କୁଲରେ ଛାଡ଼ିଥିଲେ। କରୋନା କଟକଣା ଯୋଗୁଁ ସ୍କୁଲ ବନ୍ଦ ହେଲା। ପିଲାଟି ଗାଁକୁ ଫେରି ଯାଇଥିଲା। ସେଠାରେ ଅନ୍ଲାଇନ୍ କ୍ଲାସ୍ କରିବା ପାଇଁ ବାପାମା ସ୍ମାର୍ଟ ଫୋନ୍ କିଣି ଦେଇଥିଲେ। ଗାଁରେ ନେଟ୍ୱାର୍କ ପାଉନି। ତେଣୁ ପିଲାଟି ଗାଁ ପାଖ ଗୋଟେ ମୁଣ୍ଡିଆ ଉପରେ ଚଢ଼ି କ୍ଲାସ୍ କରେ। ସେଦିନ ସେ ବସିଥିବା ପଥର ଉପରେ ଗୋଡ଼ ଖସିଗଲା। ପିଲାଟି ପାହାଡ଼ ତଳକୁ ଖସି ପଡ଼ିଲା। ଜୀବନ ଚାଲିଗଲା।
ଏପରି ଘଟଣା ଏତିକି ନୁହେଁ। ଏମିତି ଆହୁରି ବହୁତ ଘଟଣା ଘଟୁଛି। ସବୁ କଥା ସବୁବେଳେ ଲୋକଲୋଚନକୁ ଆସୁନାହିଁ। କେଉଁଠି ମୋବାଇଲ୍ କିଣିବାକୁ ବାପାମା’ଙ୍କର ସାଧ୍ୟ ନାହିଁ। ପିଲା ଅନ୍ୟମାନଙ୍କ ସହିତ ସମକକ୍ଷ ନହୋଇପାରି ଗୁମାନ ମାରି ବସୁଛି, ଅଭିମାନ ବଢ଼ିଗଲେ ଆତ୍ମହତ୍ୟା କରୁଛି। କେଉଁଠି ମୋବାଇଲ୍ କିଣିବାକୁ ପିଲା ଦାଦନ ଖଟୁଛି। ଗୋଡ଼ହାତ ହରଉଛି ବା ଦୁର୍ଘଟଣାରେ ଜୀବନ ଯାଉଛି। କେଇ ଦିନ ତଳେ ମୋବାଇଲ୍ କିଣିବା ଲକ୍ଷ୍ୟରେ ଦାଦନ ଖଟିବାକୁ ଆନ୍ଧ୍ର ଯାଇଥିବା ୪ ଜଣ ପିଲାଙ୍କର ଏମିତି ଦୁଃଖାନ୍ତକ ବିୟୋଗ ଘଟିଥିଲା। ଏଭଳି ଦୁଃଖ ଅସରନ୍ତି।
ଡିଜିଟାଲ କ୍ଲାସରୁମ୍ ଆମର ଧନୀ-ଗରୀବ-ମଧ୍ୟବିତ୍ତଙ୍କୁ ନେଇ ଗଠିତ ସମାଜରେ ଶିକ୍ଷା ବ୍ୟବଧାନ ବଢ଼େଇ ଚାଲିଛି। ଥିଲାବାଲା ଓ ନଥିଲାବାଲାଙ୍କ ମଧ୍ୟରେ ଶିକ୍ଷା ବ୍ୟବଧାନ ସହିତ ଜୀବନର ଅନ୍ୟାନ୍ୟ ବ୍ୟବଧାନ ମଧ୍ୟ ବଢ଼ିଚାଲିଛି। ଏକ ସର୍ବେକ୍ଷଣ ଅନୁସାରେ ଓଡ଼ିଶାର ପ୍ରାୟ ୧୬ ଲକ୍ଷ ପିଲାଙ୍କ ପାଖରେ ମୋବାଇଲ୍, କଂପ୍ୟୁଟର କିମ୍ବା ଲାପ୍ଟପ୍ ସୁବିଧା ନାହିଁ। ସେମାନେ କେମିତି କରିବେ କ୍ଲାସ୍? କେମିତି ପଢ଼ିବେ ଓ ବଢ଼ିବେ? ଭାରତବର୍ଷରେ ଏହି ସଂଖ୍ୟା ହେଉଛି ପ୍ରାୟ ୩ କୋଟି। ସେମାନେ କରୋନାକାଳ ୨ ବର୍ଷ ଭିତରେ ଶିକ୍ଷାରେ ପଛେଇଗଲେ କି ନାହିଁ?
ପୁଣି ଏହା ମଧ୍ୟ ଏକ ପ୍ରକାର ଶୋଷଣ। ଆମେ ସ୍କୁଲ୍ରେ ମାସିକ ଟ୍ୟୁସନ୍ ଫି ଦେବା। ଖେଳ ଫି, ଲାଇବ୍ରେରି ଫି ସହିତ ଅନ୍ୟ କେତେ ପ୍ରକାର ଦେବା। ବଡ଼ ବଡ଼ ସ୍କୁଲ ହୋଇଥିଲେ ସୁଇମିଂ ପୁଲ୍ ଫି, ଘୋଡ଼ାଚଢ଼ା ଫି ଆଦି ମଧ୍ୟ ଦେବା। କିନ୍ତୁ ସ୍କୁଲ ବନ୍ଦ ଥିବ। ପିଲାଏ ଏସବୁ ସୁବିଧା ପାଉ ନଥିବେ। ଘରୋଇ ସ୍କୁଲ ଦରମା ଛାଡ଼ କରିବେ ନାହିଁ। ସରକାର ସେମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ବି ଦେବେ ନାହିଁ। ସ୍କୁଲ ଫି ସହିତ ଘରୋଇ ଟ୍ୟୁସନ୍ ମାଷ୍ଟରଙ୍କୁ ମଧ୍ୟ ଦରମା ଦେବା। କାରଣ ଆମ ପିଲା ଆମର ଭବିଷ୍ୟତ। ସେମାନେ ପଢ଼ିବା ଦରକାର। ଆମକୁ ଯେତେ କଷ୍ଟ ପଡ଼ୁ ପଛେ ଫି ଭରିବା, ଦରମା ଦେବା। ଏବେ ସେତିକିରେ ଖର୍ଚ୍ଚ ସରୁ ନାହିଁ। ମୋବାଇଲ୍ କିଣିବା। ମାସକୁ ମାସ୍ ରିଚାର୍ଜ କରିବା। ସମାନ ପାଠକୁ ତିନି ପ୍ରକାର ଫି। ସ୍କୁଲ ଫି, ଟ୍ୟୁସନ ମାଷ୍ଟର ଦରମା ଓ ମୋବାଇଲ୍ ରିଚାର୍ଜ।
ତା’ ପରେ ମୋବାଇଲ ଜରିଆରେ ପିଲା ଅବାଟରେ ଯିବା ଆଉ ଗୋଟେ ସମସ୍ୟା। କହିବାକୁ ଗଲେ ସବୁଠୁ ବଡ଼ ସମସ୍ୟା। ପିଲାମାନେ ସାଧାରଣତଃ ଜିଞ୍ଜାସୁ। ସେମାନଙ୍କ ମନରେ ଆଖପାଖ ଦେଖାଦେଖି ଶୁଣାଶୁଣି ଅନେକ କଥା ପଶେ। ସ୍ମାର୍ଟଫୋନ୍ ଜରିଆରେ କେତେ ୱେବସାଇଟ୍, କେତେ ଅନ୍ଲାଇନ୍ ଗେମ୍ ପାଲରେ ପଡ଼ିଯିବା ଅସ୍ୱାଭାବିକ ନୁହେଁ। ସେ ନିଶା ଥରେ ଲାଗିଗଲେ ଉତୁରିବା କଷ୍ଟକର। ଆଜିକାଲି ବୟସ୍କ ଲୋକମାନେ ଫେସ୍ବୁକ୍ ଓ ହ୍ୱାଟ୍ସଆପ ପରି ଇଣ୍ଟର୍ନେଟ୍ ସୁବିଧା ପାଲରେ ପଡ଼ି କି ପ୍ରକାର କଲବଲ ହେଉଛନ୍ତି ସେ ଖବର ମଧ୍ୟ ପଦାକୁ ଆସୁଛି। କିଏ ଆଞ୍ଜେଲ ପ୍ରିୟା ଭାବି ସୁକୁଟି ହାବୁଡ଼ରେ ପଡ଼ିଲାଣି ତ କିଏ ଇଂଜିନିଅର ପ୍ରେମିକ ଭାବି ଧର୍ଷଣ ଓ ପ୍ରତାରଣାର ଶିକାର ହେଲାଣି। କାହାର ବ୍ୟାଙ୍କ ଆକାଉଣ୍ଟ ଗୋଲ୍ ହୋଇଗଲାଣି ତ କିଏ ଅନ୍ଲାଇନ୍ ଅର୍ଡର କରି ଲକ୍ଷଲକ୍ଷ ହରାଇଲାଣି।
ଏମିତି ଜ୍ଞାନକୌଶଳ ସହିତ ଯେଉଁମାନେ ପରିଚିତ ନୁହନ୍ତି, ଯେଉଁମାନେ ଏହାର ଭଲମନ୍ଦ ଦିଗ ବିଷୟରେ ଜାଣିନାହାନ୍ତି, ସେମାନେ ଠକ ହାବୁଡ଼ରେ ପଡ଼ନ୍ତି, ସେମାନଙ୍କ ପିଲାମାନେ ନଷ୍ଟପଥର ପଥିକ ହୁଅନ୍ତି। ସ୍ଥଳ ବିଶେଷରେ ଜବୀନ ବି ହରେଇ ଦିଅନ୍ତି। କହିବା ବାହୁଲ୍ୟ ସରକାର ବି ଏ ପ୍ରଯୁକ୍ତିର ନକାରାତ୍ମକ ଦିଗ ବିଷୟରେ ଏତେ କଥା କହନ୍ତି ନାହିଁ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ଏସବୁ ବିଷୟରେ ପ୍ରାୟତ ନୀରବ।
୨୦୨୦ ଅକ୍ଟୋବର ୪ ତାରିଖର ଅନ୍ୟ ଏକ ଆଖି ଖୋଲିଦେଲାଭଳି ଘଟଣା। ଆମ ଏଇ ଓଡ଼ିଶାର କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ ପିଲାଟିଏ ଆତ୍ମହତ୍ୟା କଲା। କାରଣ ତା’ର ମୋବାଇଲ୍ ଗେମ୍ ଖେଳକୁ ନେଇ ବାପାମା ତାକୁ ଗାଳି ଗଲେ। ଗାଳିର କାରଣ ହେଉଛି ସେ ଅନ୍ଲାଇନ୍ ଗେମ୍ ଜରିଆରେ ବାପାଙ୍କ ଆକାଉଣ୍ଟରୁ ୬୧ ହଜାର ଓ ମା’ଙ୍କ ଆକାଉଣ୍ଟରୁ ୩୫ ହଜାର ଟଙ୍କା ହରେଇ ସାରିଥିଲା। ଲକ୍ଷେ ଟଙ୍କା ଗଲାପରେ ବାପାମା’ ଗାଳି କରିବା ସ୍ୱାଭାବିକ। ମାତ୍ର, ଗେମ୍ ନିଶା ଲାଗି ଯାଇଥିବା ପିଲା ଟଙ୍କା ହରେଇବାର ଦୁଃଖ ଓ ଗାଳି ପରର ଅଭିମାନରୁ ଉପରକୁ ଉଠିବାର ବାଟ ନପାଇ ମାଟିରେ ମିଶି ଯାଉଛନ୍ତି।
ଏମିତି କେତେ ଖେଳ ଅଛି। ଫ୍ରି ଫାୟାର, ମୋମୋ, ପବ୍ଜି। ସେହିପରି ବ୍ୟାଟ୍ଲ ଗ୍ରାଉଣ୍ଡରୁ ଆରମ୍ଭ କରି ଆଉରି କେତେ ଖେଳ। ସବୁ ଖେଳରେ ଟଙ୍କା କଟୁ ନାହିଁ। ସବୁ ଖେଳରେ କିନ୍ତୁ ଜୀବନର ଗତି ଓ ପ୍ରଗତି ନଷ୍ଟ ହେଉଛି। ସରକାର ଓ ସମାଜ ଏ ବିଷୟରେ ଭାବିବା ଦରକାର। ତୁରନ୍ତ ସ୍କୁଲ ଖୋଲିବା ଦରକାର। ପିଲାଙ୍କ ପାଇଁ ସ୍କୁଲ, ସ୍କୁଲରେ ସାଙ୍ଗସାଥୀଙ୍କ ସହିତ ହସଖୁସି, ଖେଳକସରତ ଓ ସିଧାସଳଖ କ୍ଲାସ୍ ଶିକ୍ଷାଠାରୁ ବଡ଼ ମାନସିକ ଆନନ୍ଦ ଆଉ କିଛି ନାହିଁ। ତାହା ହିଁ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି।
ଏମିତିରେ ଦେଖିଲେ ବି ବିଶ୍ୱସାରା ବିଭିନ୍ନ ସରକାରଙ୍କ ପାଇଁ କରୋନା ଆଉ ଏକ ମହାମାରୀ ହୋଇ ରହିନାହିଁ। ଆତଙ୍କ ଫିକା ପଡ଼ିଗଲାଣି। କଟକଣା କୋହଳ ହେଲାଣି। ଅଫିସ, ବଜାର, ମଲ୍, ହଲ୍ ସବୁ ଖୋଲିଲାଣି। ଟିକା ପୂର୍ବରୁ ବି ୯୮ ପ୍ରତିଶତ ଓଷଦ ଖାଇ ଭଲ ହେଉଥିଲେ। ଟିକା ପରେ ବି ୯୮ ପ୍ରତିଶତ ଓଷଦ ଖାଇ ଭଲ ହେଉଛନ୍ତି। ଟିକା ପୂର୍ବରୁ ଲୋକେ ସଂକ୍ରମିତ ହେଉଥିଲେ। ଟିକା ନେଇ କି ବି ଲୋକେ ସଂକ୍ରମିତ ହେଉଛନ୍ତି। ବାପାମା’ ବଡ଼ଭାଇ ବଡ଼ ଭଉଣୀ ବାର ଆଡ଼େ ବୁଲି ହଜାରେ ଲୋକଙ୍କ ସହିତ ମିଶିକି ଘରକୁ ଫେରି ପିଲାଙ୍କ ସହିତ ବସୁଛନ୍ତି, ଉଠୁଛନ୍ତି, ଖାଉଛନ୍ତି, ଶୋଉଛନ୍ତି... କରୋନା ହେଉନି। ପିଲା ସ୍କୁଲରେ ଅନ୍ୟ ପିଲାଙ୍କ ସହ ମିଶିଲେ କରୋନା ହେବ ଓ ସେ ଆଉ ସେଥିରୁ ଭଲ ହେବନାହିଁ ଭଳି ଭାବନା ଓ ବାର୍ତ୍ତାର ବୈଜ୍ଞାନିକ ତର୍ଜମା ହେଉ, କରୋନା ପ୍ରବର୍ତ୍ତକମାନେ ଦେଶ ଓ ସମାଜର କ’ଣ କରୁଛନ୍ତି ହୁଏତ ବୁଝିପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।