ଭୋଟ ବହିର୍ଭୂତ ଆସନ ବନାମ ଆସନହୀନ ଭୋଟ୍‌!

ଦେବେନ୍ଦ୍ର ପୃଷ୍ଟି

ଓଡ଼ିଶାରେ ସଦ୍ୟ ସମାପ୍ତ ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳକୁ ବିଶ୍ଳେଷଣ କଲେ ଆମ ନିର୍ବାଚନ ବ୍ୟବସ୍ଥାର ଏକ ରୋଚକ ଦିଗ ଉନ୍ମୋଚିତ ହୁଏ। ତାହା ହେଉଛି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଆୟ ବହିର୍ଭୂତ ସଂପତ୍ତି ପରି ଶାସକ ଦଳର ଭୋଟ୍‌ ବହିର୍ଭୂତ ଆସନ। ରାଜ୍ୟରେ ଦୁଇ ଜାତୀୟ ଦଳ ଭାରତୀୟ ଜନତା ପାର୍ଟି ଓ ଭାରତୀୟ ଜାତୀୟ କଂଗ୍ରେସ ଜାତୀୟ ରାଜନୀତିର ଆବଶ୍ୟକତା ଦୃଷ୍ଟିରୁ ପରସ୍ପର ବିରୋଧରେ ଲଢ଼େଇ ଜାରି ରଖିଥିବାବେଳେ ‘ଦ୍ୱୟଂ ବିବାଦେନ ତୃତୀୟସ୍ୟ ଲାଭ’ ପରି ଶାସକ ବିଜୁ ଜନତା ଦଳ ଭୋଟ୍‌ ତୁଳନାରେ ଢେର ଅଧିକ ଆସନ ଜିତି ବାଜି ମାରି ନେଇଛି।

ପ୍ରଥମେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ତର୍ଜମା କରାଯାଉ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦୁଇଟି ସ୍ତର ନିର୍ଦ୍ଦଳୀୟ ଭିତ୍ତିରେ ଲଢ଼ାଯାଏ। ଏହି ଦୁଇ ସ୍ତର ହେଲା ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ବ୍ଲକର ସମିତି ସଭ୍ୟ। କିନ୍ତୁ ତୃତୀୟ ସ୍ତର ଜିଲ୍ଲା ପରିଷଦ ସଦସ୍ୟ ଆସନ ପାଇଁ ଦଳୀୟ ସଙ୍କେତରେ ନିର୍ବାଚନ ଅନୁଷ୍ଠିତ ହୁଏ। ଜିଲ୍ଲା ପରିଷଦ ଆସନ ପାଇଁ ହୋଇଥିବା ନିର୍ବାଚନରେ ଶାସକ ବିଜୁ ଜନତା ଦଳ ମୋଟ ଉପରେ ୧ କୋଟ ୧୦ ଲକ୍ଷ ୮୯ ହଜାର ୭୧୨ ଖଣ୍ଡ ଭୋଟ୍‌ ପାଇଛି। ଏହା ହେଉଛି ମୋଟ୍‌ ବୈଧ ଭୋଟ୍‌ର ୫୨.୭ ପ୍ରତିଶତ। କିନ୍ତୁ ଏହି ଦଳ ମୋଟ ଜିଲ୍ଲା ପରିଷଦ ଆସନର ପ୍ରାୟ ୯୦ ପ୍ରତିଶତ ଜିତି ନେଇଛି। ରାଜ୍ୟର ମୋଟ ଜିଲ୍ଲା ପରିଷଦ ଆସନ ସଂଖ୍ୟା ହେଉଛି ୮୫୩। ନିର୍ବାଚନ ଅନୁଷ୍ଠିତ ହୋଇଥିଲା ୮୫୧ ଆସନ ପାଇଁ। ବିଜୁ ଜନତା ଦଳ ପାଇଛି ୭୬୬ ଆସନ। ଅର୍ଥାତ ଏହି ଦଳ ୫୨ ପ୍ରତିଶତ ଭୋଟ୍‌ରେ ୯୦ ପ୍ରତିଶତ ଆସନ ହାତେଇଛି।

ପୌର ନିର୍ବାଚନରେ ମଧ୍ୟ ଏହି ପ୍ରକାର ପରିଣାମ ଦେଖିବାକୁ ମିଳିଛି। କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ଆଦି ତିନି ମହାନଗର ନିଗମ ସମେତ ୧୦୫ ପୌର ସଂସ୍ଥାର ପୌରାଧ୍ୟକ୍ଷ ପଦ ପାଇଁ ହୋଇଥିବା ସିଧାସଳଖ ନିର୍ବାଚନରେ ଶାସକ ବିଜୁ ଜନତା ଦଳ ମୋଟ ଉପରେ ୮ ଲକ୍ଷ ୫୫ ହଜାର ୦୦୧ ଖଣ୍ଡ ଭୋଟ ପାଇଛି। ଏହା ହେଉଛି ମୋଟ ବୈଧ ଭୋଟ୍‌ର ୪୮ ପ୍ରତିଶତ। କିନ୍ତୁ ଦଳ ସପକ୍ଷରେ ଯାଇଛି ମୋଟ ପୌରାଧ୍ୟକ୍ଷ ପଦବୀର ପ୍ରାୟ ୭୦ ପ୍ରତିଶତ।

ରାଜ୍ୟର ମୋଟ ୧୧୧ ପୌର ସଂସ୍ଥା ମଧ୍ୟରୁ ୧୦୫ ପୌରସଂସ୍ଥା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥି ମଧ୍ୟରୁ ବିଜୁ ଜନତା ଦଳର ପ୍ରାର୍ଥୀମାନେ ୭୩ ପୌରସଂସ୍ଥାର ଅଧ୍ୟକ୍ଷ ପଦ ହାତେଇ ନେଇଛନ୍ତି। ଅର୍ଥାତ ଦଳ ୪୮ ପ୍ରତିଶତ ଭୋଟ୍‌ରେ ୭୦ ପ୍ରତିଶତ ପୌରାଧ୍ୟକ୍ଷ ପଦ ଜିତି ନେଇଛି। ଦଳୀୟ ଭିତ୍ତିରେ ଅନୁଷ୍ଠିତ ହୋଇଥିବା କାଉନ୍‌ସିଲର ନିର୍ବାଚନରେ ମଧ୍ୟ ସମାନ ସ୍ଥିତି। କାଉନ୍‌ସିଲର ନିର୍ବାଚନରେ ବିଜୁ ଜନତା ଦଳ ମୋଟ ଉପରେ ୮ ଲକ୍ଷ ୬୧ ହଜାର ୩୦୧ ଖଣ୍ଡ ଭୋଟ୍‌ ପାଇଛି। ଏହା ମୋଟ ବୈଧ ଭୋଟ୍‌ର ୫୦ ପ୍ରତିଶତ। କିନ୍ତୁ ଦଳ ସପକ୍ଷରେ ଯାଇଛି ୧୧୭୫ କାଉନ୍‌ସିଲ୍‌ର ପଦ। ଏହା ମୋଟ କାଉନ୍‌ସିଲର୍‌ ପଦ ୧୭୧୬ର ପାଖାପାଖି ୭୦ ପ୍ରତିଶତ।

ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି ପଞ୍ଚାୟତ ନିର୍ବାଚନରେ ମୋଟ ବୈଧ ଭୋଟ୍‌ର ୩୦ ପ୍ରତିଶତ ବା ୬୩ ଲକ୍ଷ ୨୩ ହଜାର ୭୪୬ ଖଣ୍ଡ ଭୋଟ୍‌ ପାଇଥିଲେ ମଧ୍ୟ ଜିତିଛି ମାତ୍ର ୪୨ ଜିଲ୍ଲା ପରିଷଦ ଆସନ। ଏହା ମୋଟ ଜିଲ୍ଲା ପରିଷଦ ଆସନର ୫ ପ୍ରତିଶତ। ଏ କ୍ଷେତ୍ରରେ ଏହାକୁ ଭୋଟ୍‌ ବହିର୍ଭୂତ ଆସନ କୁହାଯାଇ ପାରିବ ନାହିଁ। ବରଂ ଏହା ଆସନହୀନ ଭୋଟ୍‌ କୁହାଯାଇପାରେ। କଂଗ୍ରେସ ଏହି ନିର୍ବାଚନରେ ୧୩.୫ ପ୍ରତିଶତ ବା ୨୮ ଲକ୍ଷ ୫୪ ହଜାର ୩୯୮ ଖଣ୍ଡ ଭୋଟ୍‌ ପାଇ ଜିତିଛି ୩୭ ଜିଲ୍ଲା ପରିଷଦ ଆସନ ବା ମୋଟ ଆସନର ପ୍ରାୟ ୪.୫ ପ୍ରତିଶତ ଆସନ।

ସେହିପରି ପୌର ନିର୍ବାଚନରେ ମଧ୍ୟ ଏ ଦୁଇ ଦଳର ଫଳାଫଳ ଏହିପରି। ଦୁଇଟି ଯାକ ମୁଖ୍ୟ ବିରୋଧୀ ଦଳର ଭୋଟ୍‌ ହାର ତୁଳନାରେ ଆସନ ହାର ଯଥେଷ୍ଟ କମ୍‌।

ମେୟର ସମେତ ପୌରାଧ୍ୟକ୍ଷ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୫ ଲକ୍ଷ ୧୫ ହଜାର ୬୪୯ ଖଣ୍ଡ ଭୋଟ ପାଇଛି। ଏହା ମୋଟ ବୈଧ ଭୋଟ୍‌ର ୨୯ ପ୍ରତିଶତ। ତେବେ ଦଳ ମାତ୍ର ୧୬ଟି ପୌରାଧ୍ୟକ୍ଷ ପଦ ହାସଲ କରିଛି। ଏହା ମୋଟ ପୌରାଧ୍ୟକ୍ଷ ପଦର ୧୫ ପ୍ରତିଶତ। ଅର୍ଥାତ ୨୯ ପ୍ରତିଶତ ଭୋଟ୍‌ରେ ୧୫ ପ୍ରତିଶତ ଆସନ। କାଉନ୍‌ସିଲର ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଭୋଟ୍‌ ସଂଖ୍ୟା ହେଉଛି ୪ ଲକ୍ଷ ୬୭ ହଜାର ୩୨୪। ଏହା ମୋଟ୍‌ ଭୋଟ୍‌ର ୨୭ ପ୍ରତିଶତ। ତେବେ ଦଳର ୨୮୮ ଜଣ କାଉନ୍‌ସିଲର ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ଏହା ମୋଟ୍‌ କାଉନ୍‌ସିଲର ପଦବୀର ୧୭ ପ୍ରତିଶତ। ଅର୍ଥାତ ଭାରତୀୟ ଜନତା ପାର୍ଟି କାଉନ୍‌ସିଲର ନିର୍ବାଚନରେ ୨୭ ପ୍ରତିଶତ ଭୋଟ୍‌ ପାଇଥିଲେ ମଧ୍ୟ ହାସଲ କରିଛି ୧୭ ପ୍ରତିଶତ ଆସନ।

ସେହିପରି ଭାରତୀୟ ଜାତୀୟ କଂଗ୍ରେସର ପୌରାଧ୍ୟକ୍ଷ ପ୍ରାର୍ଥୀମାନେ ୨ ଲକ୍ଷ ୧୮ ହଜାର ୧୧୪ ବା ୧୨ ପ୍ରତିଶତ ଭୋଟ୍‌ ପାଇଥିବାବେଳେ ଦଳର ଜିତିଛନ୍ତି ମାତ୍ର ୭ ଜଣ ପୌରଧ୍ୟକ୍ଷ ଯାହାକି ମୋଟ ପୌରାଧ୍ୟକ୍ଷ ପଦବୀର ୭ ପ୍ରତିଶତରୁ କମ୍‌। କାଉନ୍‌ସିଲର ନିର୍ବାଚନରେ ଏହି ଦଳ ୨ ଲକ୍ଷ ୧୩ ହଜାର ୧୦୬ ଖଣ୍ଡ ଭୋଟ୍‌ ପାଇଛି। ଏହା ମୋଟ୍‌ ଭୋଟ୍‌ର ସେହି ୧୨ ପ୍ରତିଶତ ପାଖାପାଖି। ତେବେ ଦଳର ୧୩୯ ଜଣ କାଉନ୍‌ସିଲର୍‌ ଜିତିବାକୁ ସମର୍ଥ ହୋଇଛନ୍ତି। ଏହା ମୋଟ୍‌ କାଉନ୍‌ସିଲର ପଦବୀର ୮ ପ୍ରତିଶତ।

ଏହି ତିନି ଦଳର ପଞ୍ଚାୟତ ଓ ପୌର ନିର୍ବାଚନ ସଫଳତାକୁ ତର୍ଜମା କଲେ ଏତିକି କୁହାଯାଇ ପାରେ ଯେ ବିଜୁ ଜନତା ଦଳ ଭୋଟ୍‌ ବହିର୍ଭୂତ ଆସନର ମାଲିକ ହୋଇଥିବାବେଳେ ଭାରତୀୟ ଜନତା ପାର୍ଟି ଓ ଭାରତୀୟ କଂଗ୍ରେସ ପାର୍ଟି ଆସନହୀନ ଭୋଟ୍‌ର ମାଲିକ ହୋଇପାରିଛନ୍ତି। ଏପରି କାହିଁକି ହୋଇଛି ତାହା ସେଇ ଦୁଇ ଦଳ ତର୍ଜମା କରିବା ଦରକାର। ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ମଧ୍ୟ ଏଥିରୁ ନିଜ ସଫଳତାର ରହସ୍ୟ କ’ଣ ବୁଝିପାରୁଥିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।