ଭଗବାନ କମେଇଲେ ପେଟ୍ରୋଲ ଦର!

ଦେବେନ୍ଦ୍ର ପୃଷ୍ଟି

ଉପା ସରକାର ସମୟରେ ପେଟ୍ରୋଲ, ଡିଜେଲ ଓ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦରବୃଦ୍ଧିରେ ଲୋକେ ଏତେ ଅତିଷ୍ଠ ହୋଇଗଲେ ଯେ ସରକାର ବଦଳେଇ ଦେଲେ। ନୂଆ ସରକାର ଆସିଲା। ଲୋକେ ଭାବିଲେ ଦର କମିବ। କିନ୍ତୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମ ଦର ବ୍ୟାରେଲ ପିଛା ଶହେ ଡଲାର କମିଲେ ମଧ୍ୟ ଭାରତବାସୀଙ୍କ ପାଇଁ ପେଟ୍ରୋଲ ଓ ଡିଜେଲ ଦର କମିଲା ନାହିଁ। ବରଂ ବଢ଼ି ଚାଲିଲା। ଯେତେବେଳେ ଅଶୋଧିତ ପେଟ୍ରୋଲିୟମ ଦର ବ୍ୟାରେଲ ପିଛା ୧୩୦ ଡଲାର ଉପରେ ଥିଲା ସେତେବେଳେ ଭାରତରେ ପେଟ୍ରୋଲ ଦର ଲିଟର ପିଛା ୭୫ ଟଙ୍କା ଛୁଇଁଥିଲା। କିନ୍ତୁ ଅଶୋଧିତ ପେଟ୍ରୋଲିୟମର ଅନ୍ତର୍ଜାତୀୟ ଦର ବ୍ୟାରେଲ ପିଛା ୩୦ ଡଲାରକୁ ଖସିଲେ ବି ଏଠା ଦର କମିଲା ନାହିଁ। କାରଣ ସ୍ୱରୂପ କୁହାଗଲା ‘ବିକାଶ’ ଖର୍ଚ୍ଚ କେଉଁଠୁ ଆସିବ? ସରକାରଙ୍କ ତରଫରୁ ପୁଣି କିଏ କିଏ କହିଲେ, ପେଟ୍ରୋଲ ଓ ଡିଜେଲର ଦରକୁ ଉପା ସରକାର ହିଁ ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ କରିଛନ୍ତି। ଏବେ ବଜାର ହିଁ ସ୍ଥିର କରୁଛି ଦର। ତେଣୁ ସରକାର ଆଉ କମେଇ ପାରିବେ ନାହିଁ।

ଏମିତି ଏମିତିରେ ୩ ବର୍ଷ ଗଲା। ୨୦୧୭ ମସିହା ଜୁଲାଇ ପହିଲାରେ କେନ୍ଦ୍ର ସରକାର ସମଗ୍ର ଦେଶରେ ଲାଗୁକଲେ ଦ୍ରବ୍ୟ ଓ ସେବା କର ବା ଗୁଡ଼୍‌ସ ଆଣ୍ଡ ସର୍ଭିସେସ ଟ୍ୟାକ୍ସ ବା ଜିଏସଟି। ସେତେବେଳେ ସ୍ଲୋଗାନ ଦିଆଗଲା ‘ଏକ ରାଷ୍ଟ୍ର, ଏକ ବଜାର, ଏକ କର’। ଅର୍ଥାତ ଗୋଟିଏ ଦେଶରେ ଗୋଟିଏ ବଜାର ପାଇଁ ଗୋଟିଏ ପ୍ରକାର କର ବା ଟିକସ ବ୍ୟବସ୍ଥା ହେଲା। କାନକୁ ଭଲ ଶୁଭିଲା। ସେବେ ଯାଏଁ କେନ୍ଦ୍ର ଓ ରାଜ୍ୟ ଭିତ୍ତିରେ ଭିନ୍ନ ଭିନ୍ନ ଜିନିଷ ପାଇଁ ଭିନ୍ନ ଭିନ୍ନ କର ଦେବାକୁ ପଡ଼ୁଥିଲା। ବିକ୍ରି କର, ଅବକାରୀ କର, ଉତ୍ପାଦନ କର, ମୂଲ୍ୟଯୁକ୍ତ କର ବା ଭାଟ୍‌, ସେସ୍‌, ସରଚାର୍ଜ ଏମିତି କେତେ କ’ଣ? କିନ୍ତୁ କହିବାକୁ ଗୋଟେ, କରିବାକୁ ଆଉ ଗୋଟେ। ସମଗ୍ର ଦେଶରେ ଗୋଟିଏ ଟିକସ ହେଲା ନାହିଁ। ଏକେତ ଜିଏସଟିରେ ରହିଲା ପାଞ୍ଚଟି ପାହ୍ୟା- କେଉଁ ଜିନିଷ ଓ ସେବା ଉପରେ ବିଲ୍‌କୁଲ ଜିଏସଟି ପଡ଼ିଲା ନାହିଁ, ଅନ୍ୟ ବିଭିନ୍ନ ଜିନିଷ ଓ ସେବା ଉପରେ ୫ ପର୍ସେଣ୍ଟ, ୧୨ ପର୍ସେଣ୍ଟ, ୧୮ ପର୍ସେଣ୍ଟ ଓ ୨୮ ପର୍ସେଣ୍ଟ ପଡ଼ିଲା। ତେବେ ସରକାର ପ୍ରାୟ ସବୁ ସେବା ଓ ସାମଗ୍ରୀକୁ ଜିଏସଟି ପରିସରଭୁକ୍ତ କରିଥିଲେ ମଧ୍ୟ ପେଟ୍ରୋଲିୟମ ସାମଗ୍ରୀକୁ ଏହା ବାହାରେ ରଖିଲେ। ଏହା ଉପରୁ ପୂର୍ବ ପରି କେନ୍ଦ୍ର ସରକାର ଏକ୍ସାଇଜ୍‌ ଡ୍ୟୁଟି ଓ ଅନ୍ୟାନ୍ୟ ସେସ୍‌ ଓ ସରଚାର୍ଜ ଆଦାୟ ଅବ୍ୟାହତ ରଖିଲେ। ରାଜ୍ୟ ସରକାରଗୁଡ଼ିକ ମଧ୍ୟ ଭାଟ୍‌ ଆଦାୟ ବନ୍ଦ କଲେ ନାହିଁ। ଏକ ରାଷ୍ଟ୍ର, ଏକ ବଜାର, ଏକ ଟିକସ କଥା ସ୍ଲୋଗାନରେ ରହିଗଲା। ଜିଏସଟି ଲାଗୁ ହେବାର ସାଢ଼େ ଚାରି ବର୍ଷ ପରେ ମଧ୍ୟ ଏହା ଅବ୍ୟାହତ ରହିଛି।

ଏହି ବର୍ଷଗୁଡ଼ିକରେ ସରକାରଙ୍କ ନିୟନ୍ତ୍ରଣାଧୀନ ତୈଳ କମ୍ପାନୀଗୁଡ଼ିକ ପ୍ରାୟ ପ୍ରତିଦିନ ଆଜି ୫ ପଇସା କାଲି ୭ ପଇସା, ଆଜି ୨୫ ପଇସା, କାଲି ୩୫ ପଇସା କରି ଦର ବଢ଼େଇ ଚାଲିଲେ। ତେଣେ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଅଶୋଧିତ ପେଟ୍ରୋଲିୟମ ଦର କିଛି କିଛି ବଢ଼ିଲା। ବଢ଼ିଲେ ବି ଏବେ ସୁଦ୍ଧା ତାହା ବ୍ୟାରେଲ ପିଛା ୧୩୦ ଡଲାର ହେଇନାହିଁ। ମାତ୍ର, ଆମ ଦେଶରେ ଅନ୍ତର୍ଜାତୀୟ ହାରଠାରୁ ଅଧିକ ହାରରେ ଦର ବଢ଼ିବାରୁ ଲୋକେ ଅସନ୍ତୁଷ୍ଟ ହେଲେ। କାଳେ ଜନ ଅସନ୍ତୋଷ ଭୋଟ୍‌ ପରିଣାମ ବଦଳେଇ ଦେବ ସେଇ ଆଶଙ୍କାରେ ଆସାମ, ପଶ୍ଚିମ ବଙ୍ଗ ଆଦି କେତେ ରାଜ୍ୟର ନିର୍ବାଚନ ପୂର୍ବରୁ ୨୦-୨୫ ଦିନ ପାଇଁ ଦର ବଢ଼ିଲା ନାହିଁ। ସେତେବେଳେ ଦରଟା କାହା ହାତରେ ଥିଲଶ କେଜାଣି! ଆଉ ଠିକ ନିର୍ବାଚନ ସରୁ ସରୁ ପୁଣି ଦର ବଢ଼ିବା ଧାରା ଆରମ୍ଭ ହେଇଗଲା। ଲୋକେ ଦାବି କଲେ। କେତେ ବିରୋଧୀ ଦଳ ମଧ୍ୟ ଲୋକଙ୍କ ସହିତ ସ୍ୱର ମିଳେଇଲେ। ମାତ୍ର, କେନ୍ଦ୍ରର କ୍ଷମତାସୀନ ଦଳ ରାଜ୍ୟ ସରକାରଙ୍କ ଉପରକୁ ଦାୟିତ୍ୱ ଠେଲିଲେ, ରାଜ୍ୟ ଠେଲିଲା କେନ୍ଦ୍ର ଉପରକୁ। ଯେତେବେଳେ ବିଶାରଦମାନେ କହିଲେ ପେଟ୍ରୋଲିୟମ ପଦାର୍ଥଗୁଡ଼ିକୁ ଜିଏସଟି ପରିସରଭୁକ୍ତ କଲେ ଦର କମିବ, ଦର କମିବ ମାନେ ପ୍ରାୟ ଅଧା ହୋଇଯିବ, ଲୋକେ ସେହି ଅନୁସାରେ ହିସାବ କଲେ, ଚିନ୍ତା କଲେ। ସତେ ତ! ଯଦି ସରକାରୀ ନିୟନ୍ତ୍ରଣ ନାହିଁ, ବଜାର ଉପରେ ନିର୍ଭରଶୀଳ ତେବେ, ଅନ୍ତର୍ଜାତୀୟ ବଜାର ଅନୁସାରେ ପେଟ୍ରୋଲ ଦର ତ ଲିଟର ପିଛା ୪୫-୪୬ ଟଙ୍କା ହେବା କଥା। ବାକି ଟଙ୍କା ନେଉଛି କିଏ? ହିସାବ ବାହାରିଲା, ଗୋଟିଏ ଲିଟର ପେଟ୍ରୋଲ ଉପରୁ କେନ୍ଦ୍ର ସରକାର ନେଉଛନ୍ତି ପ୍ରାୟ ୩୨ ଟଙ୍କା ଓ ରାଜ୍ୟ ସରକାର ନେଉଛନ୍ତି ପ୍ରାୟ ୨୬ ଟଙ୍କା। ଦୁଇ ସରକାର ମିଶି ଗୋଟିଏ ଲିଟର ପେଟ୍ରୋଲ ଉପରୁ ଟିକସ ଆଦାୟ କରୁଛନ୍ତି ପ୍ରାୟ ୫୮ ଟଙ୍କା। ମାନେ ପେଟ୍ରୋଲର ପ୍ରକୃତ ମୂଲ୍ୟଠାରୁ ଟିକସ ମୂଲ୍ୟ ଢେର ଅଧିକ! କହିବାକୁ ଗଲେ ଟିକସ ହାର ହେଉଛି ପ୍ରାୟ ୬୦ ପ୍ରତିଶତ। ସର୍ବାଧିକ ଜିଏସଟି ଲାଗିଥିଲେ ବି ଟିକସ ହାର ହେଇଥାନ୍ତା ୨୮ ପ୍ରତିଶତ।

ଏବେ କେଇଟି ରାଜ୍ୟରେ ଉପନିର୍ବାଚନ ଫଳାଫଳ ଆସିଲା। ସେଥିରେ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଦଳର କିଛିଟା କ୍ଷତି ହେଲା। ଆସାମକୁ ଛାଡ଼ିଦେଲେ ପ୍ରାୟ ଅନ୍ୟ ସମସ୍ତ ରାଜ୍ୟରେ ଆଶାନୁରୂପ ଫଳ ମିଳିଲା ନାହିଁ। ଏଣେ ଓଡ଼ିଶାରେ ମମିତା ମେହେର ହତ୍ୟା ମାମଲାରେ ରାଜ୍ୟର ବିଜେଡି ସରକାର ବଦନାମ ହେଲେ। କଂଗ୍ରେସ ଓ ବିଜେପି ମିଶି ସରକାର ବିରୋଧରେ ଜନମତ ସଂଗଠିତ କରିବାରେ ଲାଗିଲେ। ଏହାର ମୁକାବିଲା କରିବା ପାଇଁ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ନେଇ ଦି‘ ବର୍ଷ କାଳ ମୁହଁବନ୍ଦ କରି ବସିଥିବା ଶାସକ ଦଳ ତେଲ ଓ ଡାଲି ଦରବୃଦ୍ଧି ବିରୋଧରେ ଆନ୍ଦୋଳନ କଲା। କିନ୍ତୁ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ଦାବି କଲା ନାହିଁ କି ରାଜ୍ୟ ଆଦାୟ କରୁଥିବା ଭାଟ୍‌ କମେଇଲା ନାହିଁ। ହଠାତ, କ’ଣ ପାଇଁ କେଜାଣି, କେନ୍ଦ୍ର ସରକାର ୨୦୨୧ ନଭେମ୍ବର ୩ ତାରିଖରେ ପେଟ୍ରୋଲ ଉପରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ଏକ୍ସାଇଜ୍‌ ଡ୍ୟୁଟି କମେଇଦେଲେ। ଏତେବେଳକୁ ପେଟ୍ରୋଲ ଓ ଡିଜେଲ ଦର ନିୟନ୍ତ୍ରଣ କ୍ଷମତା ସରକାରଙ୍କ ହାତକୁ ଆସିଗଲା! କେନ୍ଦ୍ର ଯେମିତି ଏହା କରି ଦେଶବାସୀଙ୍କୁ ଦୀପାବଳି ଭେଟି ଦେଲା ବୋଲି ପ୍ରଚାର ହେଲା ରାଜ୍ୟ ସରକାରଗୁଡ଼ିକ ମଧ୍ୟ ଦିନକ ଭିତରେ ଭାଟ୍‌ କମେଇବାକୁ ପ୍ରତିଯୋଗିତା ଆରମ୍ଭ କରିଦେଲେ। ଓଡ଼ିଶା ସରକାର ୩ ଟଙ୍କା, ଅରୁଣାଚଳ ସରକାର ୧୦ ଟଙ୍କା, ହରିଆନା ୧୨ ଟଙ୍କା, କର୍ଣ୍ଣାଟକ, ଗୋଆ ଓ ଚଣ୍ଡିଗଡ଼ ୭ ଟଙ୍କା ଲେଖାଏଁ ଭାଟ୍‌ ଛାଡ଼ିଦେଲେ। ମଧ୍ୟ ପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁକାଶ୍ମୀର, ମଣିପୁର, ନାଗାଲାଣ୍ଡ, ତ୍ରିପୁରା, ହିମାଚଳ ପ୍ରଦେଶ ଓ ବିହାର ପରି ବହୁ ରାଜ୍ୟ ଏଇ ଧାରାରେ ୨ ଟଙ୍କାରୁ ଆରମ୍ଭ କରି ୧୫ ଟଙ୍କା ଯାଏଁ ଭାଟ୍‌ ଛାଡ଼ କରିବାକୁ ସାଧାରଣ ଖାଉଟିଙ୍କୁ ପେଟ୍ରୋଲ ଲିଟର ପିଛା ୭ ଟଙ୍କାରୁ ଆରମ୍ଭ କରି ୧୫ ଟଙ୍କା ଯାଏଁ ତ୍ରାହି ମିଳିଲା।

ତେବେ ଏଠି ପ୍ରଶ୍ନ ହେଉଛି, ଯଦି ମୋଟର ଇନ୍ଧନ ଦର କମେଇବା ସରକାରଙ୍କ ହାତରେ ନଥିଲା ତେବେ ଏବେ କିଏ କମେଇଲେ? ଯଦି ଏ କ୍ଷମତା ଥିଲା କିନ୍ତୁ ସରକାର ତାହା କରୁ ନଥିଲେ ତେବେ କାହିଁକି କରୁ ନଥିଲେ? ବିକାଶ ହେଉ ବା କରୋନା ମୁକାବିଲା ବା ମାଗଣା ଟିକା- ଏଇସବୁ ପାଇଁ କ’ଣ ସରକାର ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ଲଦି ଦେଇଥିଲେ? ଡିଜେଲ ଦରବୃଦ୍ଧିର ପ୍ରଭାବ ଯୋଗୁଁ ବଜାରରେ ପ୍ରାୟ ସବୁ ଖାଉଟି ଦ୍ରବ୍ୟର ଦରବୃଦ୍ଧି ଘଟିଛି। ପରିବହନ ଖର୍ଚ୍ଚ ବୃଦ୍ଧି ଓ ସରକାରଙ୍କର ଅନ୍ୟ କେତେକ ନୀତି ଓ ନିଷ୍ପତ୍ତି ଯୋଗୁଁ ଡାଲିଚାଉଳ, ତେଲଲୁଣ ଓ ପନିପରିବା ଦର ଏତେ ଅଧିକ ହୋଇଗଲାଣି ଯେ ଜନ ଅସନ୍ତୋଷ ଫୁଟିଆରା ହେଲାଣି। ସରକାର ବୋଧହୁଏ ଏହା ଠଉରେଇଲେ ଓ ଟିକସ କମେଇଲେ। କିନ୍ତୁ ଏହା ମଧ୍ୟରେ ଗଲା ୬ ବର୍ଷ ଭିତରେ କେନ୍ଦ୍ର ସରକାରଙ୍କ ଆୟ କେବଳ ପେଟ୍ରୋଲ ଓ ଡିଜେଲ ଉପରୁ ୩୦୦ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୪-୧୫ ବର୍ଷରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ସର୍ବମୋଟ ୨୯,୨୭୯ କୋଟି ଟଙ୍କାର ଏକ୍ସାଇଜ୍‌ ଡ୍ୟୁଟି ଆଦାୟ କରିଥିଲେ। ୨୦୨୧ ବର୍ଷର ପ୍ରଥମ ୧୦ ମାସ ମଧ୍ୟରେ ଏହା ୨ ଲକ୍ଷ ୯୪ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୧୪-୧୫ ବର୍ଷରେ କେନ୍ଦ୍ର ସରକାରଙ୍କ ମୋଟ ରାଜସ୍ୱରେ ପେଟ୍ରୋଲ ଓ ଡିଜେଲ ଏକ୍ସାଇଜ୍‌ ଟିକସର ଭାଗ ଥିଲା ମାତ୍ର ୫.୧୪ ପ୍ରତିଶତ। ଏବେ ତାହା ୧୨.୨ ପ୍ରତିଶତ। ୨୦୧୪-୧୪ରେ ପେଟ୍ରୋଲ ଉପରେ ଏକ୍ସାଇଜ୍‌ ଡ୍ୟୁଟି ଥିଲା ଲିଟର ପିଛା ୯.୪୮ ଟଙ୍କା ଓ ଡିଜେଲ ଉପରେ ୩.୫୬ ଟଙ୍କା। ୨୦୨୧-୨୨ ବେଳକୁ ଏହା ଯଥାକ୍ରମେ ୩୨.୯୦ ଟଙ୍କା ଓ ୩୧.୮୦ ଟଙ୍କା ହୋଇଯାଇଛି। ଏହା ସହିତ ରନ୍ଧନ ଗ୍ୟାସ ମୂଲ୍ୟବୃଦ୍ଧି। ତାହା ଏବେ ୯୦୦ ଟଙ୍କା ଉପରେ। ସବୁଥିରେ ରାଜ୍ୟ ସରକାରଙ୍କର ମଧ୍ୟ ଭାଗ ଅଛି। କେନ୍ଦ୍ର ନେଉଥିବା ଏକ୍ସାଇଜ୍‌ ଟିକସର କିଛି ଅଂଶ ମଧ୍ୟ ରାଜ୍ୟକୁ ଆସୁଛି।

ହେଇପାରେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜିଡିପି, ଗ୍ରସ ଡୋମେଷ୍ଟିକ ପ୍ରଡକ୍ଟ ନୁହେଁ, ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି କରି ବହୁ ପ୍ରକାର ବିକାଶ ପ୍ରକଳ୍ପ ହାତକୁ ନେଇଛନ୍ତି ଓ କରୋନା ମୁକାବିଲା କରିଛନ୍ତି, ଟିକା ଦେଉଛନ୍ତି ତେବେ ୨୦୧୯ ପୂର୍ବରୁ କେଉଁ କରୋନା ଥିଲା? ଆଉ ଯଦି ବିକାଶ ହେଉଥିଲା ବା ହେଇଚାଲିଛି ତେବେ ତ ଲୋକେ ଅଚ୍ଛେ ଦିନ୍‌ ଦେଇ ଗତି କରୁଛନ୍ତି, ଖୁସି ଅଛନ୍ତି। ଖୁସିରେ ଥିବା ଲୋକଙ୍କ ପାଇଁ ଦୀପାବଳି ଉପହାର କ’ଣ ନିହାତି ଦରକାର ଥିଲା? ଓଡ଼ିଶା ସରକାର ୩ ଟଙ୍କା ଭାଟ୍‌ ଛାଡ଼ କରି ହିସାବ ଦେଇଛନ୍ତି ତାଙ୍କର ବର୍ଷକରେ ୨ ହଜାର କୋଟି ଟଙ୍କା କ୍ଷତି ହେଲା ବୋଲି। କେନ୍ଦ୍ରର ସେଇ ଅନୁସାରେ କେଇ ଗୁଣ ଅଧିକ କ୍ଷତି ହୋଇଥିବ। ତେବେ ଆଗକୁ ବିକାଶ କାମ ବନ୍ଦ ହୋଇଯିବନି ତ? କରୋନା ମୁକାବିଲା ହେବ କିପରି? ଏକ୍ସାଇଜ୍‌ ଓ ଭାଟ୍‌ରେ କେଇ ଟଙ୍କା ଛାଡ଼ କରି ଦରରେ ତାହା ମିଶେଇ ଦେବେନି ତ? ଏମିତି ଅନେକ ପ୍ରଶ୍ନ ଉଠିପାରେ। ଏଭଳି ପ୍ରଶ୍ନ ସବୁ ଯଦି ଗଣତନ୍ତ୍ରରେ ଭଗବାନ ବିବେଚିତ ଭୋଟର୍‌ମାନଙ୍କୁ ଆନ୍ଦୋଳିତ କରେ ତେବେ ସରକାର ଆଗକୁ ବି ନିଶ୍ଚୟ ଅଧିକ ଛାଡ଼ କରିବେ, ଭୋଟ ପାଇଁ ଯେଉଁମାନେ କୃଷିଋଣ ଛାଡ଼ କରିପାରନ୍ତି, ନିର୍ବାଚନୀ ଚାନ୍ଦା ପାଇଁ କର୍ପୋରେଟ୍‌ ସଂସ୍ଥାକୁ ଟିକସ ରିହାତି ଦେଇପାରନ୍ତି, ସେମାନଙ୍କର ଲକ୍ଷ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଋଣକୁ ଅଚଳ ସଂପତ୍ତି ବା ଏନପିଏ ଖାତାରେ ଚଢ଼େଇ ପାରନ୍ତି, ଏହା ଦ୍ୱାରା ଅର୍ଥନୀତିର ହେଉଥିବା କ୍ଷତିର ଭରଣା ପାଇଁ ବା ଅନ୍ୟ କୌଣସି ବିକାଶ ଆଳରେ ପୁଣି ଥରେ ଭୋଟର ରୂପୀ ଭଗବାନଙ୍କ ମୁଣ୍ଡରେ ନଡ଼ିଆ ପିଟିଦେଇ ପାରନ୍ତି, ଅନ୍ୟ କୌଣସି ସେବା ଓ ଦ୍ରବ୍ୟ ଉପରେ ଟିକସ ହାର ବୃଦ୍ଧି କରିପାରନ୍ତି। ଦେଖାଯାଉ, ସରକାରଙ୍କ ନଡ଼ିଆ ଭଗବାନଙ୍କ ମୁଣ୍ଡରେ ପିଟାଗଲେ କାହା ମୁଣ୍ଡ ଫାଟୁଛି ବା ଫୁଲୁଛି?

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।