ମହିଳାଙ୍କ ମାସିକ ଧର୍ମ, ଜିଏସ୍‌ଟି ଯନ୍ତ୍ରଣା ଓ ନାରୀ ମନ ବୁଝୁ ନ ଥିବା ମୋଦି ସରକାର

ଭୁବନେଶ୍ୱର:(ତାପସ ରଞ୍ଜନ ବେହେରା)– ‘ଡୋନଟ୍ ଇମ୍ପୋ‌ଜ୍‌ ଟ୍ୟାକ୍ସ ଅନ୍‌ ମାଇଁ ପରିୟଡ଼।’… ‘ମେନଷ୍ଟ୍ରୁରେଶନ ଇଜ୍‌ ନଟ୍‌ ଆୱାର ଚଏସ।’… ‘ଲହୁ କା ଲଗାନ୍‌।’ ଏଭଳି କିଛି ସ୍ଲୋଗାନ ଆଜି ସାରା ଦେଶରେ ବ୍ୟାପିବାରେ ଲାଗିଛି। ଏହି ନାରା ପଛରେ ରହିଛି ନାରୀ ମନର ଯନ୍ତ୍ରଣା। ଭରି ରହିଛି ଅନେକ ବ୍ୟଥା ଆଉ ବେଦନାର ମଞ୍ଜ କଥା। ସମାଜ ଯାହାକୁ ପାପ ଦୃଷ୍ଟିରେ ଦେଖେ ଏବଂ ଯାହାକୁ ପରିପ୍ରକାଶ କରିବାକୁ ସେ ନିଜେ ସଙ୍କୋଚ ଅନୁଭବ କରେ, ଆଜି ସେଇ ଅକୁହା କଥାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ନାରୀ। ସାମିଲ ହୋଇଛନ୍ତି ହଜାର ହଜାର ମହିଳା, ଛାତ୍ରୀ ଏବଂ ସ୍ୱେଚ୍ଛାସେବୀ। ଆଉ ଏହି ଆନ୍ଦୋଳନ ପଛର ମୁଖ୍ୟ କାରଣ ହେଉଛନ୍ତି ସରକାର। କେନ୍ଦ୍ର ସରକାର ‘ସାନିଟାରୀ ନାପକିନ୍‌’ ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ କରି ମହିଳାମାନଙ୍କୁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ କରିଛନ୍ତି। ସରକାର ପୂଜା ସାମଗ୍ରୀଠାରୁ ଘୋଡ଼ା ଏବଂ ଗଧ ମାଂସକୁ କରମୁକ୍ତ କରିଛନ୍ତି। ଖାଲି ସେତିକି ନୁହେଁ କଣ୍ଡମକୁ ମଧ୍ୟ କରମୁକ୍ତ କରିଛନ୍ତି। କିନ୍ତୁ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନ ମରଣ ସହ ଜଡ଼ିତ ଥିବା ସାନିଟାରୀ ନାପକିନ୍‌ ଉପରେ ସରକାର ୧୨ ପ୍ରତିଶତ କର ଲାଗୁ କରିଛନ୍ତି। ଦାବି ହେଉଛି ଏହାକୁ କରମୁକ୍ତ କରାଯାଉ।

ସ୍ୱାସ୍ଥ୍ୟଠାରୁ ସୃଷ୍ଟି ପର୍ଯ୍ୟନ୍ତ ମହିଳାଙ୍କ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ମାସିକ ଋତୁସ୍ରାବକୁ ନେଇ ନାରୀ ଆଜି ସଙ୍କଟରେ। କାରଣ ଆର୍ଥିକ ଅନଟନ ଦେଇ ଗତି କରୁଥିବା ଅନେକ ମହିଳା ଆଜି ଏହି ସାନିଟାରୀ ନାପକିନ୍ କିଣିବାକୁ ସକ୍ଷମ ହୋଇପାରୁ ନାହାଁନ୍ତି। ଡିଏନଏର ଏକ ସର୍ଭେ ଅନୁଯାୟୀ, ଆଜି ବି ଗ୍ରାମାଞ୍ଚଳର ୮୮ ପ୍ରତିଶତ ମହିଳା ଖବରକାଗଜ ଏବଂ କପଡ଼ା ଭଳି ଅସ୍ୱାସ୍ଥ୍ୟକର ସାମଗ୍ରୀକୁ ବ୍ୟବହାର କରୁଛନ୍ତି।  ଯାହା ଆଦୌ ନିରାପଦ ନୁହେଁ। ଖାସ ଏହି କାରଣରୁ ଇନ୍‌ଫେକ୍ସନ ହୋଇ ଅନେକ ମହିଳା କର୍କଟ ଭଳି ରୋଗରେ ପୀଡ଼ିତ ହେଉଛନ୍ତି। ଆଉ କେତେକ ମାଆ ହେବାର ‍କ୍ଷମତା ମଧ୍ୟ ହରାଉଛନ୍ତି। ଭାରତର ୭୦ ପ୍ରତିଶତ ମହିଳା ସାନିଟାରୀ ନାପକିନ୍‌ କିଣିବାକୁ ସକ୍ଷମ ହୋଇପାରି ନାହାନ୍ତି। ଏ ସମ୍ପର୍କରେ ଅନେକ ମଧ୍ୟ ଅସଚେତନ।

୩୫୫ ନିୟୁତ ମହିଳାଙ୍କ ମଧ୍ୟରୁ କେବଳ ୧୨ ପ୍ରତିଶତ ଏହାକୁ ବ୍ୟବହାର କରନ୍ତି।  ଆଜି ବି ଏହି ପ୍ରସଙ୍ଗକୁ ନେଇ ସମାଜରେ ଅନେକ ମନ୍ଦ ଧାରଣା ରହିଛି। ଖାସ ଏହି କାରଣରୁ ଆଜି ପ୍ରତି ୫ ଜଣରେ ଜଣେ ବାଳିକା ସ୍କୁଲଶିକ୍ଷା ଅଧାରୁ ଛାଡ଼ୁଛି। ପ୍ରକୃତିର ଏହା ଏକ ଚିରନ୍ତନ ପ୍ରବାହ ହୋଇଥିବା ବେଳେ ହିନ୍ଦୁ ଧର୍ମ ଅପବିତ୍ର ଦୃଷ୍ଟିରେ ଦେଖେ । ନବବିବାହିତ ମହିଳାମାନଙ୍କୁ ପୂଜା ଏବଂ ମନ୍ଦିର ପ୍ରବେଶ ଉପରେ କଟକଣା କରାଯାଏ। ପରିବାରର ଅନ୍ୟ ସଦସ୍ୟଙ୍କ ଠାରୁ ଦୂରେଇ ଦେଇ ଗୋଟିଏ କୋଠରୀରରେ ଏକାକୀ ରହିବାକୁ ବାଧ୍ୟ କରେ। ତଥାକଥିତ ଏହି ନୀତିନିୟମର ଦାଓପେଞ୍ଚରେ ନାରୀଟିଏ ମାନସିକ ଯନ୍ତ୍ରଣାରେ ଷଢେ।

ସେ ସଶକ୍ତିକରଣ ହେଉ କି ସ୍ୱାଧୀନତା, ଅବା ସମାନତା, ଉଭୟ ନାରୀ ପୁରୁଷ ସମାନ ବୋଲି ସରକାର ଭାଷଣ ଦେଇ ଆସୁଛନ୍ତି। ହେଲେ ସରକାରଙ୍କ ନୀତି ନିୟମରେ ପାତର ଅନ୍ତରରୁ, ମହିଳାଙ୍କ ପାଇଁ ଯେ କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି ତାହା ସ୍ପଷ୍ଟ ହେଉଛି। କାରଣ ଜଣେ କଣ୍ଡମ ବ୍ୟବହାର କରିବ କି ନାହିଁ ତାହା ଏକ ଋଚି ଏବଂ ପସନ୍ଦର କଥା। କିନ୍ତୁ ମହିଳାଙ୍କ ମାସିକ ଧର୍ମ ଏକ ନିୟମିତ ପ୍ରାକୃତିକ ଜୈବିକ ପ୍ରବାହ। ଏହା ଅପ୍ରାକୃତିକ କ୍ରିୟା ନୁହଁ ବରଂ ପ୍ରକୃତିର ନିୟମ। ଆଉ ପ୍ରକୃତିର ନିୟମଠାରୁ କେହି ଊର୍ଦ୍ଧ୍ୱରେ ନୁହେଁ। ସେହିପରି ଆଇନ୍ ଆଗରେ ସମସ୍ତେ ସମାନ ବୋଲି ସମ୍ବିଧାନର ଧାରା ୧୪,୧୫,୨୧ ଏବଂ ୪୭ରେ ଉଲ୍ଲେଖ ରହିଛି। ଏଥିରେ ଲିଙ୍ଗଗତ ବିଭେଦକୁ ଅସମାନତା ବୋଲି କୁହାଯାଉଛି। ଆଉ ଜିଏସଟି ଲାଗୁ ବେଳେ ସରକାର ସମ୍ବିଧାନକୁ ମଧ୍ୟ ଭୁଲି ଯାଇଥିବା ମନେ ହେଉଛି। ନଚେତ କେବଳ ଧନୀ ଶ୍ରେଣୀର ମହିଳାମାନଙ୍କର ହିଁ ମାସିକ ଋତୁସ୍ରାବ ହେଉଥିବା ସରକାରଙ୍କ ଧାରଣା ରହିଥାଇ ପାରେ।

ଅନ୍ୟପକ୍ଷରେ ବିଳାସପୂର୍ଣ୍ଣ ଖାଦ୍ୟ ଭାବେ ବିଚାର କରାଯାଉଥିବା ଘୋଡ଼ା ଏବଂ ଗଧ ମାଂସ ଉପରେ ସରକାର ଟ୍ୟାକ୍ସ ଛାଡ଼ କରିଛନ୍ତି। ମଣିଷ କେଶକୁ ନେଇ ତିଆରି ହେଉଥିବା ନକଲି କେଶ ଉପରେ ଟ୍ୟାକ୍ସ ନାହିଁ। ଏ ସବୁ ଶିଳ୍ପ ଖୁବ୍‌ ଲାଭଦାୟକ ହୋଇଥିବା ବେଳେ ଏହାକୁ ସରକାର କିଭଳି ଅତ୍ୟାବଶ୍ୟକ ସାମଗ୍ରୀ ରୂପେ ଗ୍ରହଣ କଲେ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ତେବେ କେନ୍ଦ୍ର ସରକାରଙ୍କ ଯୁକ୍ତି ହେଲା, ପୂର୍ବରୁ ୧୩.୬୮ ପ୍ରତିଶତ ଟ୍ୟାକ୍ସ ଥିବାବେଳେ ଜିଏସଟିରେ କୋହଳ କରାଯାଇ ୧୨ ପ୍ରତିଶତ ଲାଗୁ କରାଯାଇଛି। ଏଠାରେ ପ୍ରଶ୍ନ ଉଠୁଛି, ଯେଉଁଠି ୮୮ ପ୍ରତିଶତ ମହିଳା ସାନିଟାରୀ ନାପକିନ୍ ପାଇବାରେ ଅସମର୍ଥ, ଏହାକୁ  ସରକାର ଏକ  ଚାଲେଞ୍ଜ ଭାବେ ଗ୍ରହଣ କରିବା ଉଚିତ୍‌ ନୁହେଁ କି? ମହିଳାଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନ ଦେଇ ସରକାର ଏହାକୁ କରମୁକ୍ତ କରିବା ଉଚିତ ନୁହେଁ କି? ସେହିପରି ସରକାରଙ୍କ ଅନ୍ୟଏକ ଯୁକ୍ତି ହେଲା, ନାପକିନ ଉତ୍ପାଦନ ବ୍ୟୟବହୁଳ। ଏହା ଉପରେ ଟ୍ୟାକ୍ସ ଲାଗୁ ହେଲେ, ଉତ୍ପାଦନକାରୀଙ୍କ ପାଇଁ ଏକ ପ୍ରୋତ୍ସାହନ ହେବ। ତେବେ କେନିଆ ହେଉଛି ପ୍ରଥମ ଦେଶ, ଯେଉଁଠି ୨୦୦୪ରୁ ନାପକିନ୍ ଉପରେ କରଛାଡ଼ କରା ଯାଇଛି। ଯଦି ଏକ ଦକ୍ଷିଣ ଆଫ୍ରିକାର ଏକ ଦେଶ ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ଏତେ ସଚେତନ, ତେବେ ଭାରତ କାହିଁକି ହୋଇପାରିବ ନାହିଁ ବୋଲି ପ୍ରଶ୍ନ ଉଠୁଛି। କାରଣ ଦକ୍ଷିଣ ଆଫ୍ରିକା ଏବଂ ଭାରତର ମହିଳାଙ୍କ ଶାରୀରିକ ଅଭିବୃଦ୍ଧିରେ ଅନେକ ଫରକ ରହିଛି। ସେହିପରି ଆମେରିକା ଓ କାନାଡ଼ାରେ ସାନିଟାରୀ ନାପକିନ୍‌କୁ କରମୁକ୍ତ କରାଯାଇଛି। ଆଉ ୟୁକେରେ ୫ ପ୍ରତିଶତ, ଅଷ୍ଟ୍ରେଲିଆରେ ୧୦ ପ୍ରତିଶତ, ଫ୍ରାନ୍ସରେ ୫.୫ ପ୍ରତିଶତ ଟ୍ୟାକ୍ସ ରହିଛି। ହେଲେ ଭାରତ ସରକାର ଏଥିରେ ଅଧିକ ଟ୍ୟାକ୍ସ ଲାଗୁ କରିଛନ୍ତି।

ଏହାକୁ ନେଇ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ତଥାଗତ ସତପଥି ଟ୍ୱିଟ୍‌ କରିଥିଲେ। ଲେଖିଥିଲେ, କଣ୍ଡମ ବ୍ୟବହାର କରିବା ନ କରିବା ଉପରେ ବ୍ୟକ୍ତିର ସ୍ୱାଧୀନତା ରହିଛି। କିନ୍ତୁ ସାନିଟାରୀ ନାପକିନ୍‌ ବ୍ୟବହାର କରିବା ବାଧ୍ୟତାମୂଳକ। କେନ୍ଦ୍ର ସରକାର ସାନିଟାରି ନାପକିନ୍‌ ଉପରେ ଟିକସ ଲାଗାଇବା ଗରିବ ମାରଣନୀତି ବୋଲି ସେ କହିଛନ୍ତି। ଏପରିକି ସେ କେନ୍ଦ୍ର ସରକାରଙ୍କୁ କଟାକ୍ଷ ମଧ୍ୟ କରିଥିଲେ। ଲେଖିଥିଲେ, ଯେହେତୁ ଜିଏସଟି କାଉନସିଲରେ ସମସ୍ତ ପୁରୁଷ ଥିଲେ କଣ୍ଡମ ଉପରେ କୌଣସି ଟିକସ ପଡ଼ିଲାନି। ଆଉ ନାପକିନ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ଦ୍ରବ୍ୟ ଉପରେ କାହାରି ନଜର ପଡ଼ିନି। ଏ ସମ୍ପର୍କରେ ଜଣାଶୁଣା ସମାଜସେବୀ ନମ୍ରତା ଚଢ଼ା, ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, କେବଳ ବ୍ରାଣ୍ଡେଡ ପ୍ରଡକ୍ଟ ଉପରେ ଏହି ଟ୍ୟାକ୍ସ ଲାଗୁ କରାଯାଇଛି। ଏଥିରେ କେବଳ ଏକ ଆର୍ଥିକ ସ୍ୱଚ୍ଛଳ ଗ୍ରୁପ୍‌କୁ ଟାର୍ଗେଟ କରାଯାଇଛି। ହେଲେ ସବୁଥିରେ ନୁହେଁ। ରାଜ୍ୟ ସରକାର ଗ୍ରାମାଞ୍ଚଳର ଗରିବ ମହିଳା ଏବଂ ଆଦିବାସୀଙ୍କୁ ରିହାତି ମୂଲ୍ୟରେ ସାନିଟାରୀ ନାପକିନ୍‌ ଯୋଗାଇ ଦେଉଛନ୍ତି। ତେବେ ଯଦି ସରକାର ଏହାକୁ ସମ୍ପୂର୍ଣ୍ଣ କରମୁକ୍ତ କରି ଦିଅନ୍ତି ତେବେ ସେ ସ୍ୱାଗତ କରିବେ।