ସାବିତ୍ରୀ ଓଷା: ଏକ ପବିତ୍ର ପ୍ରେମ, ତ୍ୟାଗ ଓ ବିଶ୍ୱାସର ଧାରା…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଐତିହ୍ୟ, ସଂସ୍କୃତି, ପରମ୍ପରା ବିଶ୍ୱବିଦିତ। ଏଠି ୧୨ ମାସରେ ୧୩ ପର୍ବ ପାଳନ କରାଯାଏ। ଏକ ଧର୍ମପରାୟଣ ରାଜ୍ୟ ଭାବେ ଓଡ଼ିଶା ତଥା ଓଡ଼ିଆମାନଙ୍କ ସାରା ଦୁନିଆରେ ସ୍ୱତନ୍ତ୍ର ପରିଚୟ ରହିଛି। ଓଡ଼ିଆଙ୍କ ଭାଇଚାରା, ଚାଲିଚଳନ, ଆଦର୍ଶ ଓ ସଂସ୍କୃତିକୁ ବଜାୟ ରଖିବା ଦିଗରେ ଏହି ପର୍ବପର୍ବାଣିଗୁଡ଼ିକର ମହତ୍ୱ ବେଶ୍ ଅଧିକା। ପ୍ରତ୍ୟେକ ଓଷା, ବ୍ରତ ଓ ପର୍ବ ପାଳନ ପଛରେ ରହିଛି ଏକ ଆଦର୍ଶବାନ ଚରିତ୍ର ଓ ତା’ର ପାରିପାର୍ଶ୍ୱିକ ସ୍ଥିତିର ବର୍ଣ୍ଣନା, ଯାହା ତତ୍କାଳୀନ ପିଢ଼ି ଓ ପରପିଢ଼ିକୁ ଆଦର୍ଶର ମାର୍ଗ ଦେଖାଇଥାଏ। ଓଡ଼ିଆଙ୍କ ସଭ୍ୟତା, ସଂସ୍କୃତି, ପରମ୍ପରା ସହ ପରିଚିତ କରାଇଥାଏ। ଏହି ଧାରା ଆବାହମାନ କାଳରୁ ଚାଲି ଆସିଛି ଏବଂ ଆଗକୁ ମଧ୍ୟ ବଜାୟ ରହିବ।

ଓଷା ବା ଉପବାସ ଦ୍ୱାରା ଚିତ୍ତ ଶୁଦ୍ଧି ହୋଇଥାଏ। ଏଣୁ ଓଡ଼ିଆଙ୍କ ପରମ୍ପରାରେ ଚିତ୍ତ ଶୁଦ୍ଧିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଜଣଙ୍କଠାରେ ପ୍ରେମ, ଶ୍ରଦ୍ଧା, ସମର୍ପଣ, ତ୍ୟାଗର ଭାବ ନ ଥିଲେ ସେ କେବେ ବି ଓଷା, ଉପବାସ ରକ୍ଷା କରିପାରିବ ନାହିଁ। ଚିତ୍ତ ଶୁଦ୍ଧି ଓ ମନ ପ୍ରଫୁଲ୍ଲ ନ ଥାଇ ଓଷା, ଉପବାସ କଲେ ତା’ର କୁଫଳ ମଧ୍ୟ ମିଳିଥାଏ। ଏଣୁ ଆଚରଣକୁ ମାର୍ଜିତ କରିବା ଉଦ୍ଦେଶ୍ୟରେ ଓଡ଼ିଆଙ୍କ ପରମ୍ପରାରେ ରହିଛି ୧୨ ମାସରେ ୧୩ ପର୍ବପର୍ବାଣି ବା ଚିତ୍ତ ଶୁଦ୍ଧି କରିବାର ସୁଯୋଗ। ତେବେ ଏ ସମସ୍ତ ପର୍ବପର୍ବାଣି ସବୁ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ଯୋଗ୍ୟତା, ପରମ୍ପରା, କୌଳିକ ପ୍ରଥା, ପରିବାର ତଥା ସମାଜର ରୀତିନୀତି ଏବଂ ଭାଇଚାରା ତଥା ସ୍ୱ-ଭକ୍ତିକୁ ଆଧାର କରି ଜଣଙ୍କୁ ବିଭିନ୍ନ ପ୍ରକାର ଓଷା, ବ୍ରତ ପାଳନ କରିବାର ସୁଯୋଗ ମିଳିଥାଏ। ପ୍ରତ୍ୟେକ ବ୍ରତ କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ ବରଂ ସ୍ୱାସ୍ଥ୍ୟଗତ ଦିଗରୁ ମଧ୍ୟ ସୁଫଳ ଦେଇଥାଏ। ଏହାବ୍ୟତୀତ ବ୍ରତ, ଉପବାସ, ପର୍ବପର୍ବାଣି ମାଧ୍ୟମରେ ଉତ୍ତର ପିଢ଼ିକୁ ଆଦର୍ଶ, ସଂସ୍କୃତି ଓ ପରମ୍ପରା ସହ ଅବଗତ କରାଇବା ହେଉଛି ଓଡ଼ିଆଙ୍କ ଏତେ ସଂଖ୍ୟକ ପର୍ବପର୍ବାଣିଗୁଡ଼ିକର ଉଦ୍ଦେଶ୍ୟ।

ଏହି କ୍ରମରେ ସଧବା ନାରୀଟିଏ ବର୍ଷ ତମାମ ଅପେକ୍ଷା କରିଥାଏ ଜ୍ୟେଷ୍ଠ ମାସକୁ। ଜ୍ୟେଷ୍ଠ ମାସରେ ପଡ଼େ ସାବିତ୍ରୀ ଅମାବାସ୍ୟା। ପ୍ରତ୍ୟେକ ହିନ୍ଦୁ ନାରୀ ନିଜ ଶଙ୍ଖା, ସିନ୍ଦୁରକୁ ନିଜର ପ୍ରକୃତ ଗହଣା ମଣିଥାଏ। ଏଣୁ ନିଜ ଶଙ୍ଖା ସିନ୍ଦୁରର ଅର୍ଥାତ୍ ସ୍ୱାମୀଙ୍କ ଦୀର୍ଘ ଆୟୁଷ କାମନା କରି ଓଡ଼ିଆ ବୋହୂଟିଏ ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ସାବିତ୍ରୀ ଓଷା ପାଳନ କରେ। ଆଜି ହେଉଛି ସେହି ପବିତ୍ର ଦିନ। ଏବେ ସାବିତ୍ରୀ ଅମାବାସ୍ୟା ଏହାର ନାମ କାହିଁକି ବୋଲି ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ। ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଜାଣିବା ସାବିତ୍ରୀ ବ୍ରତ ସମ୍ବନ୍ଧରେ କିଛି…

ହିନ୍ଦୁ ଧର୍ମର ପ୍ରତ୍ୟକ ଉତ୍ସବ, ପର୍ବ ପଛରେ ଏକ ଆଦର୍ଶ ଚରିତ୍ରର ବ୍ୟାଖ୍ୟା ରହିଛି। ଏହି କ୍ରମରେ ସାବିତ୍ରୀ ଅମାବାସ୍ୟା ପଛରେ ମଧ୍ୟ ଏକ ପବିତ୍ର ଗାଥା ରହିଛି। ସାବିତ୍ରୀ ହେଉଛନ୍ତି ପ୍ରତ୍ୟେକ ହିନ୍ଦୁ ନାରୀ ପାଇଁ ଜଣେ ଆଦର୍ଶ। ଭାରତୀୟ ପୁରାଣ ଅନୁସାରେ ସେ ହେଉଛନ୍ତି ଶ୍ରେଷ୍ଠ କନ୍ୟା। ସାବିତ୍ରୀ ହେଉଛନ୍ତି ମାତୃଦେବୀଙ୍କ ଅବତାର। ମଦ୍ର-ରାଜ୍ୟର ରାଜା ଅଶ୍ବପତି ମାତାଙ୍କୁ ପୂଜା କରି ସାବିତ୍ରୀଙ୍କୁ କନ୍ୟା ସନ୍ତାନ ରୂପରେ ପାଇଥିଲେ। ସେଥିପାଇଁ ମାତା ସାବିତ୍ରୀ ହେଉଛନ୍ତି ଶ୍ରେଷ୍ଠ କନ୍ୟା। ବିବାହ ଯୋଗ୍ୟା ହେବାପରେ ଅବନ୍ତୀରାଜ ଦ୍ୟୁମତସେନଙ୍କ ପୁତ୍ର ସତ୍ୟବାନଙ୍କ ସହ ସାବିତ୍ରୀଙ୍କ ବିବାହ ହୋଇଥିଲା। ହେଲେ ବିବାହର ବର୍ଷେ ପରେ ଆଜିର ଦିନରେ ସତ୍ୟବାନଙ୍କ ମୃତ୍ୟୁ ଘଟିଥିଲା।

ସତ୍ୟବାନଙ୍କ ମୃତ୍ୟୁକୁ ସାବିତ୍ରୀ ଗ୍ରହଣ କରିପାରି ନ ଥିଲେ। ସେ ସ୍ୱାମୀଙ୍କ ଶବ ସହ ଯମପୁରକୁ ଯିବା ଲାଗି ଜିଦ୍ ଧରିଥିଲେ। ଯମରାଜଙ୍କ ସହ ସାବିତ୍ରୀ ଅନେକ ଯୁକ୍ତି କରିଥିଲେ, ତର୍କ ବି ରଖିଲେ। ଶେଷରେ ସାବିତ୍ରୀଙ୍କ ଜିଦ୍ ଆଗରେ ଯମରାଜଙ୍କ ମୁଣ୍ଡ ନଇଁଥିଲା। ଆଉ ସ୍ୱାମୀ ସତ୍ୟବାନଙ୍କ ବ୍ୟତୀତ ଅନ୍ୟ କିଛି ବର ମାଗିବାକୁ ଯମ ସାବିତ୍ରୀଙ୍କୁ କହିଥିଲେ। ଏହି ସୁଯୋଗକୁ ହାତଛଡ଼ା କରି ନ ଥିଲେ ସାବିତ୍ରୀ। ସେ ପ୍ରଥମ ବରରେ ନିଜ ଶ୍ୱଶୁରଙ୍କ ଦୃଷ୍ଟି ଶକ୍ତି ଫେରାଇବାକୁ ଯମଙ୍କୁ କହିଥିଲେ। ଏହାପରେ ଦ୍ୱିତୀୟରେ ସେ ଶତପୁତ୍ରର ଜନନୀ ହେବାକୁ ଯମଙ୍କୁ ବର ମାଗିଥିଲେ।

ସାବିତ୍ରୀ ଥିଲେ ଦୁହିତା। ଶ୍ରେଷ୍ଠ ପୁତ୍ରୀ ଓ ପରମ ସତୀ। ସ୍ୱାମୀଙ୍କ ମୃତ୍ୟୁ ପରେ ଜଣେ ସତୀ ମାତୃତ୍ୱ ଲାଭ କରିବ କିପରି? ଏହା ସମ୍ଭବ ନ ଥିଲା। ଏଣୁ ନିଜ ବଚନ ରକ୍ଷା କରିବାକୁ ଯାଇ ଯମରାଜ ସାବିତ୍ରୀଙ୍କୁ ତାଙ୍କ ସତ୍ୟବାନଙ୍କୁ ଫେରାଇ ଦେଇଥିଲେ। ସାବିତ୍ରୀ-ସତ୍ୟବାନଙ୍କ ପବିତ୍ର ପ୍ରେମକୁ ସାକ୍ଷ କରି ପିଢ଼ି ପରେ ପିଢ଼ି ଓଡ଼ିଆ ବୋହୂମାନେ ସାବିତ୍ରୀ ଓଷା ପାଳନ କରିଆସୁଛନ୍ତି। ପ୍ରେମରେ ନିଷ୍ଠା ଓ ପବିତ୍ରତା ନିହାତି ଆବଶ୍ୟକ। ଏହି ଦୁଇଟି କାରଣରୁ ସାବିତ୍ରୀ ମାତା ନିଜ ଶଙ୍ଖା, ସିନ୍ଦୁରକୁ ଯମ ଦ୍ୱାରରୁ ଫେରାଇ ଆଣିଥିଲେ।

ମାତା ସାବିତ୍ରୀଙ୍କୁ ଆଦର୍ଶ ମନେ କରି ଜ୍ୟୈଷ୍ଠ ଅମାବାସ୍ୟା ତିଥିକୁ ପ୍ରତିଟି ସଧବା ହିନ୍ଦୁ ନାରୀ ବର୍ଷ ସାରା ଅପେକ୍ଷା କରିଥାଏ। ଓଷାଧାରୀ ସଧବାମାନେ ଏହି ଦିନ ନବ ବଧୂ ଭଳି ସଜବାଜ ହୋଇଥାନ୍ତି। ନୂଆ ଲୁଗା, ଶଙ୍ଖା, ସିନ୍ଦୁର ପିନ୍ଧି ବ୍ରତ ଧାରଣ କରିବା ସହ ଉପବାସ ରଖିଥାନ୍ତି। ବ୍ରତ ପାଳନ ପାଇଁ ସାବତ୍ରୀ ଭାର ପିତ୍ରାଳୟରୁ ଅର୍ଥାତ ବାପାଙ୍କ ଘରୁ ଆସିବାର ପରମ୍ପରା ରହିଛି। ଏହି ଭାରରେ ସଜବାଜ ଜିନିଷ, ଚୁଡ଼ା, ମୁଢ଼ି, ଆମ୍ୱ, ପଣସ, ସପୁରୀ ଆଦି ବିଭିନ୍ନ ପ୍ରକାର ଫଳମୂଳ ଅନ୍ତର୍ଭୂକ୍ତ ହୋଇଥାଏ।

ସତ୍ୟବାନ ରୂପୀ ପତି ଦେବଙ୍କ ସୁରକ୍ଷା ନିମିତ୍ତ ଜଣେ ପତିବ୍ରତା ନାରୀ ସାବିତ୍ରୀଙ୍କ ତ୍ୟାଗ ଆମ ସମାଜରେ ପତି-ପତ୍ନୀ ମଧ୍ୟରେ ଥିବା ତ୍ୟାଗ, ପ୍ରେମ ଓ ବିଶ୍ୱାସର ଧାରାକୁ ଆଜି ବି ବଳବତ୍ତର ରଖିଛି।