ନୂଆଦିଲ୍ଲୀ: ୧୯୮୮ ମସିହାର କଥା। ସେଦିନ ଥିଲା ଭେଲେଣ୍ଟାଇନସ ଡେ। ଭଲ ପାଇବାର ଦିନ ଟିଏ। ହାଠାତ୍ ଥାନାକୁ ଯିବା ପାଇଁ ପୋଲିସର ଡାକରା ଆସିଲା। ଗୋଆର ଡୋମିନିକ ଡିସୌଜା ଭାବିଲେ କେହି ଜଣେ ବନ୍ଧୁ ତାଙ୍କର କୌଣସି ସମସ୍ୟାରେ ପଡିଥିବେ। ସେ ଖୁବଶୀଘ୍ର ଜଳଖିଆ ସାରି ବାହାରି ପଡିଲେ ଥାନାକୁ। ସେଠାରେ ପହଞ୍ଚିବା ପରେ କିଛି ବୁଝିବା ପୂର୍ବରୁ ହଠାତ୍ ତାଙ୍କ ହାତରେ ହ୍ୟାଣ୍ଡକଫ୍ ପକାଇ ଦେଲେ ଥାନାବାବୁ। ପରେ ପରେ ଥାନାରୁ ନିଆଗଲା ମେଡିକାଲ। ଆଉ ଯକ୍ଷ୍ମା ୱାର୍ଡରେ ଭର୍ତ୍ତି କରି ଦେଇ ତାଙ୍କ ସାମ୍ନାରେ ଛିଡ଼ା କରି ଦିଆଗଲା ପ୍ରଶ୍ନର ପାହାଡ଼। ଜୀବନର ଗୋଟି ଗୋଟି ଗୋପନ କଥାକୁ ଖୋଲି ଦେବାକୁ ବାଧ୍ୟ କରାଗଲା ଡୋମିନିକଙ୍କୁ।
କେବେ କାହାସହ ସେ ସ୍ଥାପନ କରିଥିଲେ ଯୌନ ସଂପର୍କ। କାହା ସହ ବିତାଇଥିଲେ ଅନ୍ତରଙ୍ଗ ମୁହୂର୍ତ୍ତ। ଏମିତି ଅନେକ ପ୍ରଶ୍ନର ଉତ୍ତର ତାଙ୍କୁ ଦେବାକୁ ପଡିଥିଲା। ହେଲେ ସେ ବୁଝି ପାରୁନଥିଲେ ତାଙ୍କ ଭୁଲ୍ କେଉଁଠି। କାହିଁକି ତାଙ୍କୁ ପୋଲିସ୍ ଜେରା କରୁଛି। ଶେଷରେ ତାଙ୍କ ନାଁ ଲେଖାଗଲା ଏକ ଫାଇଲରେ। ତାଙ୍କୁ ଯେ ଏଚ୍ଆଇଭି ପଜିଟିଭ୍ ଭୂତାଣୁ ଗ୍ରାସ କରିଥିଲା!
ଗୋଆର ଜନ ସ୍ୱାସ୍ଥ୍ୟ ଆକ୍ଟ (ପବ୍ଲିକ ହେଲ୍ଥ ଆକ୍ଟ) ଅନୁଯାୟୀ ଅପରାଧ ନ କରିବି ସେ ପାଲଟିଗଲେ ଅପରାଧୀ। ସେବେକାର ନିୟମ ଆନୁଯାୟୀ ଏଚ୍ଆଇଭି ରୋଗୀଙ୍କୁ ଆଲଗା ରଖାଯାଉଥିଲା। ମୋଟାମୋଟି କହିବାକୁ ଗଲେ, ଏକ ନିର୍ବାସିତ ଜୀବନ ବଞ୍ଚିବାକୁ ତାଙ୍କୁ ବାଧ୍ୟ କରାଯାଉଥିଲା।
ଗୋଆର ଏହି ସରକାରୀ ବ୍ୟବସ୍ଥା ବିରୋଧରେ ଏବଂ ମୌଳିକ ଅଧିକାର ପାଇଁ ଡୋମିନିକଙ୍କ ମା’ ଆଇନର ଆଶ୍ରୟ ନେଲେ। ସରକାରଙ୍କ ଏଭଳି ଅମାନବିକ ବ୍ୟବସ୍ଥାରୁ ତାଙ୍କୁ ବଞ୍ଚାଇବାକୁ ସେ ପ୍ରାଣପ୍ରଣେ ଚେଷ୍ଟା କଲେ। ୟା ଭିତରେ ପୁଅ ଚାଲି ଯାଇଥିଲା ଜେଲର କାଳକୋଠରୀ ଭିତରକୁ। ଏକ ଅସହାୟ ମାଆର ବ୍ୟବସ୍ଥା ବିରୋଧୀ ଯୁଦ୍ଧକୁ ସମର୍ଥନ ଜଣାଇଥିଲେ ବନ୍ଧୁ ପରିଜନ।
ଶୋଭାଯାତ୍ରା, ରୋଡ୍ ଶୋ କରି ଡୋମିନିକଙ୍କ ଦୁର୍ଦ୍ଦଶାକୁ ଲୋକଙ୍କ ସାମ୍ନାକୁ ଆଣିଥିଲେ ତାଙ୍କ ପରିବାର ବର୍ଗ ଓ ବନ୍ଧୁମାନେ। ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ପାଇଁ ଚାରିଆଡେ ସ୍ୱର ଉତ୍ତୋଳନ ହେଲା। ୟା ଭିତରେ ସରକାର ଡୋମିନିକଙ୍କୁ ୬୪ଦିନ ଧରି ଏକଘରକିଆ କରି ରଖିଦେଲେ। ନିର୍ବାସନ ଯୋଗୁଁ ଚାକିରି ହରାଇଲେ ସେ। ପରିଶେଷରେ ଡୋମିନିକଙ୍କ ସଂଘର୍ଷର ଅନ୍ତ ଘଟିଲା। ଜେଲରୁ ମୁକୁଳିଲେ। ହେଲେ ଚୁପ୍ ବସିନଥିଲେ ଡୋମିନିକ।
ତାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ବିରୋଧ କରିବାକୁ ଯାଇ ଆରମ୍ଭ କରିଥିଲେ ଅଭିଯାନ। ସରକାରଙ୍କ ଏପରି ଅନ୍ଧ ନିୟମ ଓ ଅବ୍ୟବସ୍ଥା ବିରୋଧରେ ଆରମ୍ଭ କରିଥିଲେ ଲଢ଼େଇ। ନିଜ ପ୍ରତି ହୋଇଥିବା ଅନ୍ୟାୟ ଯେପରି ଆଉ କାହା ସହ ନହେଉ ସେଥିପାଇଁ ଚାରିଆଡେ ଭାଷଣ ଦେଇ, ଶୋଭାଯାତ୍ରା କରି ଲୋକଙ୍କ ମନରେ ଏଡ୍ସ ପ୍ରତି ଥିବା ଧାରଣା ବଦଳାଇବାକୁ ଅଣ୍ଟା ଭିଡିଲେ। ଏଚଆଇଭିରେ ପୀଡିତ ଲୋକଙ୍କୁ ଘୃଣା ଓ ଅପବାଦରୁ ରକ୍ଷା କରିବାକୁ ୧୯୯୨ରେ ସେ ଏଡସ୍ ଉପରେ ହେଉଥିବା ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଲେ। କିଛି ବନ୍ଧୁଙ୍କ ସହ ମିଶି ଏକ ସଙ୍ଗଠନ ଆରମ୍ଭ କଲେ। ତେବେ ଏହି ସଙ୍ଗଠନ ପଞ୍ଜୀକୃତ ହେବାର ଦୁଇ ମାସ ପରେ ୧୪ ମେ ୧୯୯୨ ମୁମ୍ବାଇର ବ୍ରିଚ୍କାଣ୍ଡି ମେଡିକାଲରେ ଡୋମିନିକଙ୍କ ମୃତ୍ୟୁ ହୋଇଥିଲା।
କିଛି ବର୍ଷ ପରେ ସରକାର ସଚେତନ ହେଲେ। ଧୀରେ ଧୀରେ ଏଡ୍ସ ପ୍ରତି ଲୋକଙ୍କ ଧାରଣା ବଦଳିଲା। ବହୁ ପ୍ରତୀକ୍ଷାର ଅନ୍ତ ପରେ ଏ ସମ୍ପର୍କିତ ଏକ ବିଲ୍ ୨୦୧୭ ଏପ୍ରିଲ ମାସରେ ସଂସଦରେ ପାରିତ ହୋଇଥିଲା। ଯେଉଁଥିରେ ଏଭଳି ଘୃଣ୍ୟ ଅନ୍ଧବିଶ୍ୱାସ ବନ୍ଦ କରିବା ସହିତ ଏଚଆଇଭି ଆକ୍ରାନ୍ତ ବ୍ୟକ୍ତିଙ୍କ ପ୍ରତି ହେଉଥିବା ସମସ୍ତ ଅମାନବୀୟ କାର୍ଯ୍ୟକୁ ନିଷିଦ୍ଧ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।