/odisha-reporter/media/post_attachments/uploads/2021/04/pradeep-majhi.jpg)
pradeep-majhi
ଦେବେନ୍ଦ୍ର ପୃଷ୍ଟି
ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଶାସକ ବିଜୁ ଜନତା ଦଳରେ ମିଶିବେ ବୋଲି ଘୋଷଣା କରିସାରିଛନ୍ତି। ପ୍ରଦୀପଙ୍କ ପରି ବହୁ କଂଗ୍ରେସ ନେତା ପୂର୍ବରୁ ଦଳ ଛାଡ଼ି ବିଜେଡିରେ ମିଶି ସାରିଛନ୍ତି। ସେମାନଙ୍କ ତାଲିକା ପଢ଼ିଲେ ବିଜୁ ଜନତା ଦଳଟି କଂଗ୍ରେସର ଆଧୁନିକ ସଂସ୍କରଣ ଭଳି ଲାଗିବା ବିଚିତ୍ର ନୁହେଁ। ତେବେ ବିରୋଧୀଙ୍କ ପାଇଁ ଚୁମ୍ବକ କିଏ- ନବୀନ ନା କ୍ଷମତା?
ଏକଦା କଂଗ୍ରେସ ବିଧାୟକ ଦଳ ନେତା ବା ବିରୋଧୀ ଦଳ ନେତା ଥିବା ଭୂପିନ୍ଦର ସିଂହ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ହଠାତ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ସେହି ସମୟରେ ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ସଂପାଦକ ଥିବା ଅନୂପ ସାଏ ମଧ୍ୟ ଦଳ ଛାଡ଼ିଥିଲେ। ଉଭୟେ ବିଜେଡିରେ ଥଇଥାନ ହୋଇଥିଲେ। ଏହି ଭଳି ଭାବେ ବିଭିନ୍ନ ସମୟରେ ରାଜ୍ୟ ଯୁବ କଂଗ୍ରେସର ସଭାପତି ରୋହିତ ପୂଜାରୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଗଂଜାମ କଂଗ୍ରେସ ନେତା ବିକ୍ରମ ପଣ୍ଡା, ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ସାହୁ, ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା, ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ନବ କିଶୋର ଦାସ ପ୍ରମୁଖ ରାଜ୍ୟ କଂଗ୍ରେସର ବହୁ ଉଚ୍ଚ ସ୍ତରୀୟ ନେତା ଇତିମଧ୍ୟରେ କଂଗ୍ରେସ କୁଡ଼ିଆ ଛାଡ଼ି ବିଜେଡି କୋଠାରେ ଆଶ୍ରୟ ନେଇସାରିଛନ୍ତି। ପ୍ରଦୀପ ମାଝୀଙ୍କ କ୍ଷେତ୍ରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯାହା କହିଛନ୍ତି, ସେ ସେବା ପାଇଁ ନୁହେଁ ହେବା ପାଇଁ ଦଳ ଛାଡ଼ିଛନ୍ତି। ଏ କଥାଟି ଅନ୍ୟ ସମସ୍ତଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। ଏପରିକି ତାଙ୍କ ସାନ ଭାଇ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜାମାତା ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ଏହିଭଳି କିଛି ହେବା ପାଇଁ ନିଜର ଆମ ଓଡ଼ିଶା ପାର୍ଟି ଦୋକାନ ବନ୍ଦ କରି ବିଜେଡିରେ ମିଶିବା ପରେ ସାଂସଦ ଓ ବିଧାୟକ ହୋଇଛନ୍ତି।
ଏମାନଙ୍କ ପରି ଏବେ ପୁରୀର ବିଜେଡି ସାଂସଦ ଥିବା ପିନାକୀ ମିଶ୍ର ଓ କଟକ ବିଜେଡି ସାଂସଦ ଭର୍ତ୍ତହରି ମହତାବ ମଧ୍ୟ ପୂର୍ବରୁ କଂଗ୍ରେସରେ ଥିଲେ। ପିନାକୀଙ୍କ ବାପା ଲୋକନାଥ ମିଶ୍ର ଆସାମ ଓ ନାଗାଲାଣ୍ଡର ରାଜ୍ୟପାଳ ଥିଲେ। ପୂର୍ବରୁ ସେ ରାଜ୍ୟସଭା ଓ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ ଥିଲେ। ତାଙ୍କ ବାପା ଗୋଦାବରୀଶ ମିଶ୍ର କଂଗ୍ରେସରେ ଥାଇ ରାଜ୍ୟର ଶିକ୍ଷାମନ୍ତ୍ରୀ ହୋଇଥିଲେ। ଲୋକନାଥ ମଧ୍ୟ କଂଗ୍ରେସରେ ଥିଲେ। ପରେ ସେ ସ୍ୱତନ୍ତ୍ର ପାର୍ଟି ଓ ଜନତା ପାର୍ଟିରେ ମିଶିଥିଲେ। ଲୋକନାଥଙ୍କ ସାନ ଭାଇ ତଥା ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଙ୍ଗନାଥ ମିଶ୍ର କଂଗ୍ରେସ ତରଫରୁ ରାଜ୍ୟସଭା ସଦସ୍ୟ ହୋଇଥିଲେ। ଭର୍ତ୍ତୃହରି ମହତାବଙ୍କ ବାପା ଡକ୍ଟର ହରେକୃଷ୍ଟ ମହତାବ କଂଗ୍ରେସ ତରଫରୁ କେନ୍ଦ୍ର ମନ୍ତ୍ରୀ, ବମ୍ବେ ରାଜ୍ୟପାଳ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ହୋଇଥିଲେ। ବିଜେଡିରେ ଏହିପରି ବହୁ କଂଗ୍ରେସ ମୂଳୋଦ୍ଭବ ନେତା ଅଛନ୍ତି। ଯୁବନେତାଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଶାରଦା ନାୟକ, ଢେଙ୍କାନାଳର ନିଧି ସାମଲ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ମଧ୍ୟ କଂଗ୍ରେସରୁ ରାଜନୀତି ଆରମ୍ଭ କରିଥିଲେ। ସେହିପରି ପୂର୍ବତନ ବିଧାୟକ ରଘୁନାଥ ସାହୁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ଭଉଣୀ ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ଅନେକ କଂଗ୍ରେସ ମୂଳୋଦ୍ଭବ ନେତାଙ୍କ ଯୋଗୁଁ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ରାଜ୍ୟରେ ଅଧିକରୁ ଅଧିକ ଶକ୍ତିଶାଳୀ ହୋଇଚାଲିଛି।
କହିବାକୁ ଗଲେ ଯାହାଙ୍କ ନାମରେ ଏହି ଦଳ ଗଠିତ ହୋଇଛି ସେ ନିଜେ କଂଗ୍ରେସ ନେତା ଥିଲେ ଓ କଂଗ୍ରେସ ନେତା ଭାବେ ହିଁ ୧୯୬୧ ମସିହାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏଯାଏଁ ରାଜ୍ୟର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପୁତ୍ର ତଥାଗତ ସତପଥୀ ମଧ୍ୟ ପ୍ରଥମେ ଜନତା ଦଳ ଓ ପରେ ଓଡ଼ିଶା ଗଣ ପରିଷଦ ଦେଇ ବିଜେଡିରେ ମିଶି ସାଂସଦ ହୋଇଥିଲେ। ନନ୍ଦିନୀ ଇନ୍ଦିରା ଗାନ୍ଧୀଙ୍କର ଏକଦା ପ୍ରିୟପାତ୍ର ଥିଲେ। ବିଜୁବାବୁ କଂଗ୍ରେସ ଛାଡ଼ିବା ପରେ ତାଙ୍କ ସହିତ ବହୁ କଂଗ୍ରେସ ନେତା ଦଳ ଛାଡ଼ିଥିଲେ। ସେମାନେ ଓ ସେମାନଙ୍କର ଦାୟାଦମାନଙ୍କ ମଧ୍ୟରୁ ଅନେକ ଏବେ ବି ବିଜୁ ଲିଗାସି ସହିତ ରହିଛନ୍ତି।
ନବୀନଙ୍କ ବିଜୁ ଜନତା ଦଳରେ ଏଯାଏଁ ଯେତେ ଅଣଜନତା ନେତା ଅନ୍ୟ ଦଳ ଛାଡ଼ି ବିଜେଡିରେ ମିଶିଛନ୍ତି ସମସ୍ତେ ନବୀନଙ୍କ ନେତୃତ୍ୱ ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ଓଡ଼ିଶା ବା ନିଜନିଜ ଅଞ୍ଚଳର ଲୋକମାନଙ୍କର ସେବା କରିବା ପାଇଁ ଏହିପରି ନିଷ୍ପତ୍ତି ନେଇଥିବା ବାରମ୍ବାର ଘୋଷଣା କରିଛନ୍ତି। ସତେ ଯେମିତି ଲୋକଙ୍କ ସେବା ପାଇଁ ଦଳଟିଏ ନିହାତି ଦରକାର ଓ ଦଳରେ ମିଶିବା ପରେ ବିଧାୟକ ବା ସଂସଦ ପାଇଁ ଟିକେଟଟିଏ ଅତ୍ୟନ୍ତ ଜରୁରୀ! ରାଜ୍ୟରେ ଭାରତୀୟ ଜନତା ପାର୍ଟି ଏକ ନୂଆ ଦଳ ଭାବେ ଗଲା ଦୁଇ ଦଶନ୍ଧିରେ କିଛିଟା ଲୋକପ୍ରିୟତା ହାସଲ କରିଥିଲେ ମଧ୍ୟ ଏହି ଦଳର କେତେକ ନେତା ମଧ୍ୟ ଇତିମଧ୍ୟରେ ବିଜେଡି ଓ ନବୀନଙ୍କ ଆଡ଼କୁ ଆକର୍ଷିତ ହୋଇସାରିଛନ୍ତି।
ତେବେ ଏହିପରି ନେତାମାନଙ୍କ ପାଇଁ ସତରେ କିଏ ଆକର୍ଷଣ? ନବୀନ ପଟ୍ଟନାୟକ ଓ ତାଙ୍କ ବିଜେଡି? ନା କ୍ଷମତା? ସେବା କରିବା ପାଇଁ କ’ଣ ଶାସକ ଦଳଟିଏ ନିହାତି ଦରକାର? ଶାସକ ଦଳ ବାହାରେ ଥାଇ କ’ଣ ଲୋକଙ୍କ ସେବା କରିହେବ ନାହିଁ? ବିଜୁବାବୁ ୧୯୬୩ରୁ ୧୯୯୦ କ୍ଷମତାରେ ନଥିଲେ। ସେ କ’ଣ ଲୋକଙ୍କ ସେବା କରୁ ନଥିଲେ? ଯଦି କରୁ ନଥିଲେ ସେ ଏତେ ଲୋକପ୍ରିୟ ହେଇଥିଲେ କେମିତି? ୨୭ ବର୍ଷ ପରେ ମୁଖ୍ୟମନ୍ତ୍ରୀ ହେଲେ କେମିତି?
ଏକଦା ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କଲା ପରେ ଲୋକଙ୍କ ସେବା କରିବା ପାଇଁ ନବକୃଷ୍ଣ ଚୌଧୁରୀ ରାଜନୀତି ଛାଡ଼ି ବାଜି ରାଉତ ଆଶ୍ରମକୁ ଚାଲି ଯାଇଥିଲେ। ରାଜ୍ୟରେ ଏବେ ବି ବହୁ ସମାଜସେବୀ ଅଛନ୍ତି, ଯେଉଁମାନେ ସରକାରଙ୍କ ସାହାଯ୍ୟ ସହଯୋଗ ବିନା ନିଜନିଜ ଅଞ୍ଚଳରେ ନିଜନିଜ ଉଦ୍ୟମରେ ଜନସେବା କରୁଛନ୍ତି। ସେମାନଙ୍କୁ ମଧ୍ୟ ସମାଜ ସ୍ୱୀକୃତି ଦେଉଛି। ସ୍ୱର୍ଗତ ପ୍ରଫେସର ରାଧା ମୋହନ, ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ପଦ୍ମଶ୍ରୀ ପ୍ରକାଶ ରାଓ, ପଦ୍ମଶ୍ରୀ ନନ୍ଦ ପୃଷ୍ଟିମାନେ କେଉଁ ରାଜନୀତିକ ଦଳରେ ମିଶି ସମାଜସେବା କରିଛନ୍ତି?
ଯେଉଁମାନେ ବିଜେଡିରେ ଅଛନ୍ତି ସେମାନେ ଅନେକ ସମୟରେ ଦଳ ଓ ସରକାର ପରିଚାଳନା ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାରୀ ଅଧିକାରୀମାନେ ଲୋକ ପ୍ରତିନିଧିମାନଙ୍କୁ ଯଥୋଚିତ ସମ୍ମାନ ଦେଉ ନାହାନ୍ତି। ସରକାରରେ ମନ୍ତ୍ରୀ ଓ ବିଧାୟକଙ୍କଠାରୁ ଅଫିସରମାନଙ୍କର କ୍ଷମତା ଅଧିକ। ମୁଖ୍ୟମନ୍ତ୍ରୀ ଦଳର ସବୁ ନେତାଙ୍କୁ ଦେଖା ଦିଅନ୍ତି ନାହିଁ। କର୍ମୀ ଓ ସାଧାରଣ ଜନତା ମଧ୍ୟ ନବୀନଙ୍କ ସହିତ ମିଶି ପାରନ୍ତି ନାହିଁ। ସେ କେବଳ କେଇ ଜଣ ଅଫିସରଙ୍କ ସହ କଥାବାର୍ତ୍ତା କରନ୍ତି। ସେମାନଙ୍କ ଅନୁମତି ନମିଳିଲେ କେହି ତାଙ୍କୁ ଦେଖା କରିପାରନ୍ତି ନାହିଁ। ଏମିତି ବହୁ ପ୍ରତିକ୍ରିୟା ଓ ଅଭିଯୋଗ ବହୁ ପୂର୍ବରୁ ଗଡ଼ି ଆସିଛି। ସେହପରି ସେ ନିଜର ଭାବମୂର୍ତ୍ତି ସୁରକ୍ଷା ଓ ସ୍ୱାର୍ଥ ପାଇଁ ଦଳୀୟ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଫୁଟବଲ୍ ପରି ଗୋଇଠା ମାରିବାର ଅଭିଯୋଗ ଅନେକ। ତାଙ୍କର ଜଣେ ମନ୍ତ୍ରୀ ସହଯୋଗୀ ଡାକ୍ତର ଦାମୋଦର ରାଉତ କହୁଥିଲେ ତାଙ୍କ ଦଳ ଓ ସରକାରରେ ତୁଣ୍ଡ ଖୋଲିଲେ ଦଣ୍ଡ ମିଳେ। ଡକ୍ଟର ପ୍ରଫୁଲ୍ଲ ଘଡ଼ାଇ ତାଙ୍କର କାର୍ଯ୍ୟ କରିବାର ପଦ୍ଧତି ନେଇ କିଛି କଥା କହିପକାଇବାରୁ ଦଳ ଓ ସରକାରରୁ ତଡ଼ା ଖାଇଥିଲେ। ତାଙ୍କର ଏକଦା ଅତ୍ୟନ୍ତ ଘନିଷ୍ଠ ତଥା ପ୍ରତିନିଧି ଏବଂ ମନ୍ତ୍ରୀ ସହଯୋଗୀ ପ୍ରଦୀପ ପାଣିଗ୍ରାହୀଙ୍କ ଅବସ୍ଥା ଏବେ ସମସ୍ତେ ଦେଖୁଛନ୍ତି। ବିଜୟ ମହାପାତ୍ର, ନଳିନୀ ମହାନ୍ତି, କମଳା ଦାସ, ରାମକୃଷ୍ଣ ପଟ୍ଟନାୟକ, ଦିଲ୍ଲୀପ ରାୟ, ବୈଜୟନ୍ତ ପଣ୍ଡାଙ୍କ ପରି ତାଙ୍କର ନେତାମାନେ କହିବାକୁ ଗଲେ ଯେଉଁମାନେ ନବୀନଙ୍କୁ ରାଜନୀତିକୁ ଆଣିଥିଲେ ଓ ରାଜନୀତି ଶିଖେଇଥିଲେ ସେମାନଙ୍କୁ ସେ କିପରି ଅପମାନଜନକ ଭାବେ ଆଡ଼େଇ ଦେଇଛନ୍ତି ତାହା କାହାକୁ ଅଛପା ନୁହେଁ। ତଥାପି ବିରୋଧୀ ନେତାଙ୍କ ପାଇଁ ସେ କିପରି ଆକର୍ଷଣର କେନ୍ଦ୍ରବିନ୍ଦୁ? ଦଳଟି ବିଜୁବାବୁଙ୍କ ନୀତି ଆଦର୍ଶ ଭିତ୍ତିରେ ଗଢ଼ା ଯାଇଥିବାବେଳେ ଏବେ ନବୀନଙ୍କ ନୀତିଆଦର୍ଶ କଥା କୁହାଯାଉଛି। ଉଭୟଙ୍କ ରାଜନୀତି ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ମଧ୍ୟରେ ଆକାଶପାତାଳ ପ୍ରଭେଦ ବୋଲି ତାଙ୍କରି ଦଳର ବରିଷ୍ଠ ନେତାମାନେ କୁହାକୁହି ହୁଅନ୍ତି।
କହିବା ବାହୁଲ୍ୟ, ଏବେକାର ନେତାମାନଙ୍କ ପାଇଁ ନୀତି, ଆଦର୍ଶ, ମୂଲ୍ୟବୋଧ ବା ନେତୃତ୍ୱର ଆକର୍ଷଣୀୟ ବ୍ୟକ୍ତିତ୍ୱ ତୁଳନାରେ କ୍ଷମତା ହିଁ ଅଧିକ ଆକର୍ଷଣୀୟ ହୋଇଯାଇଛି। ସେବା ନାଁରେ ଅର୍ଥ, ସଂପତ୍ତି ଠୁଳ କରିବା ଓ ପ୍ରତିପତ୍ତି ଜାହିର କରିବା ପାଇଁ କ୍ଷମତା ଏକ ସହଜିଆ ବାଟ ହୋଇଯାଇଛି। ସାଂପ୍ରତିକ ଓଡ଼ିଶାର ଅମଲାତାନ୍ତ୍ରିକ ସରକାର ଦୀର୍ଘସ୍ଥାୟୀ ହୋଇଥିବାରୁ ଏବଂ ଆସନ୍ତା ନିର୍ବାଚନରେ ମଧ୍ୟ ବିଜେଡି ପରାସ୍ତ ହେବାର ସମ୍ଭାବନା ଅପେକ୍ଷାକୃତ କ୍ଷୀଣ ଥିବାରୁ କଂଗ୍ରେସ ଓ ବିଜେପିର ବହୁ ନେତା ବିଜେଡିରେ ଯୋଗ ଦେଇ କ୍ଷମତା ପିଠାର କଳେ କଳେ ଖାଇ ହେକୁଡ଼ି ମାରିବାକୁ ବୁଦ୍ଧିମାନର କାର୍ଯ୍ୟ ବୋଲି ଭାବୁଛନ୍ତି ଏବଂ ସେଇଥିପାଇଁ ବିଜେଡି ଏବେ ଦଳଡିଆଁଙ୍କ ଦଳ ଭାବେ ନୂଆ ପରିଚୟ ହାସଲ କରିଛି। ଏକଦା କଂଗ୍ରେସ ମଧ୍ୟ ଏହିପରି ଦଳଡିଆଁଙ୍କ ଦଳ ଭାବେ ପରିଚୟ ଲାଭ କରିଥିଲା, ଠିକ ଆଜିର ଭାରତୀୟ ଜନତା ପାର୍ଟି ପରି। ଜାତୀୟ ସ୍ତରରେ ବିଜେପି ଏବେ ସବୁଠୁ ଆକର୍ଷଣୀୟ ଦଳ ହୋଇଯାଇଛି, ରାଜ୍ୟରେ ବିଜେଡି।
ଆଉ ଗୋଟେ କଥା ହେଉଛି, କଂଗ୍ରେସରୁ ହିଁ ଜନ୍ମ ନେଇଛନ୍ତି ଭାରତର ଅନ୍ୟ ବହୁ ରାଜନୀତିକ ଦଳ। ଦଳ ଯେତେବେଳେ ଦୁର୍ବଳ ହୁଏ, ନେତୃତ୍ୱ ଯେତେବେଳେ ନୀତି ନୈତିକତା ହରାଏ, ଦଳ ବିରୋଧରେ ଜନାକ୍ରୋଶ ବୃଦ୍ଧି ପାଏ ସେତେବେଳେ ବହୁ ନେତା ଦଳତ୍ୟାଗ କରନ୍ତି। ଖୁବ କମ୍ ନେତା ନୀତି ଓ ଆଦର୍ଶ ଭିତ୍ତିରେ ଦଳ ଛାଡ଼ିଥାନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ କଂଗ୍ରେସ ପାର୍ଟିର ନୀତି, ଆଦର୍ଶ ଓ ନେତୃତ୍ୱ ଦୁର୍ବଳରୁ ଦୁର୍ବଳତର ହୋଇଚାଲିଥିବାରୁ ବହୁ ନେତା ଦଳ ଛାଡ଼ିବା ସ୍ୱାଭାବିକ। ଯେଉଁମାନଙ୍କର ଦଳ ବାହାରେ ଶକ୍ତି ଓ ସଂଗଠନ ନାହିଁ ସେପରି ନେତାମାନେ ଶାସକ ଦଳକୁ ଆଉଜି ପଡ଼ିବା ସ୍ୱାଭାବିକ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
