Advertisment

ସ୍ମାର୍ଟ ସ୍କୁଲରେ ଜଣେ ବି ଶିକ୍ଷକ ନାହାନ୍ତି

ଆସିକା (ମନୋଜ ମୁନି): ରାଜ୍ୟ ସରକାର ଫାଇଭ-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ୧୦୭୮ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ କରିଛନ୍ତି। ଏଥିରେ ସ୍କୁଲ ଗୁଡ଼ିକର ରୂପ ପୂରା ବଦଳି ଯାଇଛି। ଚକାଚକ ଶ୍ରେଣୀ ଗୃହ ସହିତ ଅତ୍ୟାଧୁନିକ ବିଜ୍ଞାନ ପ୍ରୟୋଗ ଶାଳା ଓ ଇ-ଲାଇବ୍ରେରୀ କରାଯାଇଛି। ସେହିପରି ଅନ୍ୟାନ ଭିତ୍ତିଭୂମି ସହିତ ସ୍କୁଲ ପରିସରରେ ଫୁଲଗଛ ଆଦି ଲଗାଇ ଉତ୍ତମ ପରିବେଶ ସୃଷ୍ଟି କରାଯାଇଛି। ସ୍କୁଲ କାନ୍ଥ ଓ ପାଚେରିରେ ସୁନ୍ଦର ସୁନ୍ଦର […]

author-image
Jitendra Garnayak
ଅଦ୍ୟତନ ହୋଇଛି
ସ୍ମାର୍ଟ ସ୍କୁଲରେ ଜଣେ ବି ଶିକ୍ଷକ ନାହାନ୍ତି

School

ଆସିକା (ମନୋଜ ମୁନି): ରାଜ୍ୟ ସରକାର ଫାଇଭ-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ୧୦୭୮ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ କରିଛନ୍ତି। ଏଥିରେ ସ୍କୁଲ ଗୁଡ଼ିକର ରୂପ ପୂରା ବଦଳି ଯାଇଛି। ଚକାଚକ ଶ୍ରେଣୀ ଗୃହ ସହିତ ଅତ୍ୟାଧୁନିକ ବିଜ୍ଞାନ ପ୍ରୟୋଗ ଶାଳା ଓ ଇ-ଲାଇବ୍ରେରୀ କରାଯାଇଛି। ସେହିପରି ଅନ୍ୟାନ ଭିତ୍ତିଭୂମି ସହିତ ସ୍କୁଲ ପରିସରରେ ଫୁଲଗଛ ଆଦି ଲଗାଇ ଉତ୍ତମ ପରିବେଶ ସୃଷ୍ଟି କରାଯାଇଛି। ସ୍କୁଲ କାନ୍ଥ ଓ ପାଚେରିରେ ସୁନ୍ଦର ସୁନ୍ଦର ଚିତ୍ର ଅଙ୍କନ କରାଯାଇଛି।

Advertisment

ଏମିତି ରୂପ ପାଇଥିବା ସ୍କୁଲ୍ ଗୁଡ଼ିକ ମଧ୍ୟରେ ରହିଛି ଗଞ୍ଜାମ ଜିଲ୍ଲା ଖାରିଆ ପଞ୍ଚାୟତର ହୁମୁକି ଗାଁରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ। ଗତ ନଭେମ୍ବର ୧୬ ତାରିଖରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। କିନ୍ତୁ ଭିତ୍ତିଭୂମି ଦୃଷ୍ଟିରୁ ସ୍ମାର୍ଟ ହୋଇଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ଏହି ସ୍କୁଲ୍‌ର ମୁଖ୍ୟ ସମସ୍ୟାଟି ଏଯାଏ ଦୂର ହୋଇପାରିନି। ଆଉ ତାହା ହେଉଛି ଶିକ୍ଷକଙ୍କ ଅଭାବ। ଏଇଟି ଏମିତି ଏକ ସ୍ମାର୍ଟ ହାଇସ୍କୁଲ ଯେଉଁଠି ଜଣେ ବି ଶିକ୍ଷକ ନାହାନ୍ତି।

[caption id="attachment_698448" align="aligncenter" width="650"]Studentsସ୍ମାର୍ଟ ସ୍କୁଲ୍‌ର ସ୍ମାର୍ଟ କ୍ଲାସ୍‌ ରୁମ୍‌[/caption]

Advertisment

୧୯୫୪ରେ ଏହି ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ଏଠାରେ ପ୍ରଥମେ କେବଳ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ଥିଲା। ୨୦୧୭ରୁ ଏଠାରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଥିଲା। ଏବେ ଏହି ସ୍କୁଲରେ ନବମ ଶ୍ରେଣୀରେ ୩୦ ଓ ଦଶମ ଶ୍ରେଣୀରେ ୨୬ ଜଣ ଛାତ୍ରଛାତ୍ରୀ ଅଛନ୍ତି। କିନ୍ତୁ ସ୍କୁଲ୍‌ର ଚେହେରା ବଦଳି ଯିବା ପରେ ଏହି ଛାତ୍ରଛାତ୍ରୀମାନେ ଯେତିକି ଖୁସି ଅଛନ୍ତି ତା’ଠୁ ଅଧିକ ଦୁଃଖୀ ଅଛନ୍ତି ସେମାନଙ୍କୁ ପଢ଼ାଇବାକୁ ଶିକ୍ଷକ ନଥିବା ଯୋଗୁ।

ଏହି ସ୍କୁଲ୍‌କୁ ଜଣେ ହିନ୍ଦୀ ଶିକ୍ଷୟିତ୍ରୀଙ୍କୁ ଡେପୁଟେସନରେ ଅଣାଯାଇଛି। ଆସିକା ଟେକିନିକାଲ ସ୍କୁଲର ଜଣେ ଇଂରାଜୀ ଶିକ୍ଷକ ଏଠାକୁ ସପ୍ତାହକୁ ୩ ଦିନ ଆସି ପିଲାଙ୍କୁ ପଢ଼ାଉଛନ୍ତି। ସେହିପରି ଅନ୍ୟ ଏକ ସ୍କୁଲର ଜଣେ ଶିକ୍ଷକ ସେମାନଙ୍କୁ ଗଣିତ ପଢ଼ାଉଛନ୍ତି। ଏହାବାଦ୍ ଅନ୍ୟ ସମସ୍ତ ବିଷୟ ପ୍ରାଥମିକ ସ୍କୁଲ୍‌ରୁ ଶିକ୍ଷକ ଆସି ପଢ଼ାଉଛନ୍ତି। ଏହି ଦୁଇ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବିଷୟ ଭିତ୍ତିକ ଶିକ୍ଷକ ନଥିବା ସଂପର୍କରେ ସ୍କୁଲ୍‌ର ଏମ୍ଇ ସେକ୍ସନ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ସୀତାରାମ ବେହେରା ଲିଖିତ ଭାବେ ଉପରିସ୍ତ ଅଧିକାରୀଙ୍କୁ ଜଣାଇଛନ୍ତି। କିନ୍ତୁ ଏଯାଏ କିଛି ସୁଫଳ ମିଳିନି।

[caption id="attachment_698449" align="aligncenter" width="650"]Libraryସ୍କୁଲ୍‌ର ଇ-ଲାଇବ୍ରେରୀ[/caption]

ସୀତା ରାମ ବେହେରା କହିଛନ୍ତି, ହାଇସ୍କୁଲଟି ଆଗରୁ ଯାହା ଥିଲା, ଏବେ ତା’ଠୁ ବହୁତ ଭଲ ହୋଇଯାଇଛି। ସ୍କୁଲ୍ ପୂରା ବଦଳି ଯାଇଛି। ସବୁ ବ୍ୟବସ୍ଥା ହୋଇଛି। ସେଥିପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ଧରି ଅଭିଭାବକଙ୍କ ପର୍ଯ୍ୟନ୍ତ ସମସ୍ତେ ଖୁସି ଅଛନ୍ତି। କିନ୍ତୁ ସ୍କୁଲ୍‌ରେ ଏବେ କେହି ଶିକ୍ଷକ ନାହାନ୍ତି। ଡେପୁଟେସନ୍‌ରେ ଜଣେ ହିନ୍ଦୀ ଶିକ୍ଷୟିତ୍ରୀ ଆସିଛନ୍ତି। ଆଉ ଜଣେ ସପ୍ତାହରେ ୩ ଦିନ ଆସି ଇଂରାଜୀ ପଢ଼ାଉଛନ୍ତି। ଆଉ କୌଣସି ବିଷୟରେ ଶିକ୍ଷକ ନାହାନ୍ତି। ଏବେ ଏଲିମେଣ୍ଟାରୀ ଶିକ୍ଷକଙ୍କ ଦ୍ୱାରା ପିଲାମାନଙ୍କୁ ପାଠ ପଢ଼ା ଯାଉଛି। ଶିକ୍ଷକ ନଥିବା ସଂପର୍କରେ ଆମେ ସରକାରଙ୍କୁ ପୂର୍ବରୁ ଜଣାଇଥିଲୁ। ଏବେ ମଧ୍ୟ ଜଣାଇଛୁ। ଆଶା କରୁଛୁ ସ୍କୁଲ୍‌କୁ ସରକାର ଭଲ କରି ଦେଇଥିବାରୁ ଶିକ୍ଷକ ବି ନିଯୁକ୍ତ କରିବେ।

ଛାତ୍ରଛାତ୍ରୀମାନେ ସ୍କୁଲ୍‌ର ରୂପାନ୍ତରକୁ ସ୍ୱାଗତ କରିଥିବା ବେଳେ ବିଷୟ ଭିତ୍ତିକ ଶିକ୍ଷକ ନଥିବାରୁ ଗଣିତ, ବିଜ୍ଞାନ, ଭୂଗୋଳ, ଓଡ଼ିଆ ଓ ସଂସ୍କୃତ ଆଦି ବିଷୟ ଅଧ୍ୟୟନରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦଶମ ଶ୍ରେଣୀ ଛାତ୍ର ସିଲୁ ଚୌଧରୀ କହିଛନ୍ତି, ଆମ ସ୍କୁଲ୍‌ରେ ଏବେ ଇ-ଲାଇବ୍ରେରୀଠୁ ଆରମ୍ଭ କରି ସବୁ ବ୍ୟବସ୍ଥା ହୋଇଛି। କିନ୍ତୁ ଆମକୁ ପଢ଼ାଇବାକୁ ଶିକ୍ଷକ ନାହାନ୍ତି।

ଅନ୍ୟପକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ହାଇସ୍କୁଲ ଗୁଡିକରେ ଶିକ୍ଷକଙ୍କ ଅଭାବ ରହିଛି। ଆଉ ଏହି ବିଷୟରେ ସରକାର ଅବଗତ ଅଛନ୍ତି। ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଛି। ଖୁବଶୀଘ୍ର ଖାଲି ପଡ଼ିଥିବା ଶିକ୍ଷକ ପଦ ପୂରଣ କରାଯିବ।