ଦେବେନ୍ଦ୍ର ପୃଷ୍ଟି
ସରିଯାଇଛି ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ। ଏଥର ପଞ୍ଚାୟତ ପାଇଁ ପ୍ରତିଯୋଗିତା ଜୋରଦାର। ପଞ୍ଚାୟତ ସେବକ ହେବାକୁ ଅସଂଖ୍ୟ ଆଶାୟୀ। ଆଶାୟୀଙ୍କ ଭିତରେ ଅନେକ ହିଂସା। ଅନେକ ଜାଗାରେ ଗଣ୍ଡଗୋଳ। ଆଖି ଖୋସି ହେଲା ଭଳି ପ୍ରଚାର। ଆଖି ଝଲ୍ସା ଗୀତ, ନାଚ, ସଭା, ଭୋଜି। କାହାକୁ ବାଛିବେ ଲୋକେ? ସେବକ ନା ଶାସକ? ଟିକେ ହେଜନ୍ତୁ, ବୁଝନ୍ତୁ ଓ ସେଇ ଅନୁସାରେ ନିଷ୍ପତ୍ତି ନିଅନ୍ତୁ।
ସମ୍ଭାବ୍ୟ ସେବକମାନେ ଚାହିଁଲେ ପ୍ରତି ପଞ୍ଚାୟତ ହୋଇପାରିବ ଭୁବନେଶ୍ୱର ପରି ଚକାଚକ୍। କଟକ ପରି ପ୍ରାଣବନ୍ତ। ସମ୍ବଲପୁର ପରି ସଂସ୍କୃତିସଂପନ୍ନ। ବ୍ରହ୍ମପୁର ପରି ଚଳଚଞ୍ଚଳ ଓ ବାଲେଶ୍ୱର ପରି ପ୍ରଗତିଶୀଳ। ପ୍ରତି ପଞ୍ଚାୟତରେ ଖୋଲିପାରିବ ଉନ୍ନତମାନର ସ୍କୁଲ, ଅତି ଜରୁରୀ ଡାକ୍ତରଖାନା। ଘରେ ଘରେ ପହଞ୍ଚି ପାରିବ ବିଶୁଦ୍ଧ ପାନୀୟ ଜଳ। ବିଜୁଳି ସଂଯୋଗ। ପକ୍କା ସଡ଼କ ଓ ପକ୍କା ଘର। ପାର୍କ ଓ ଜିମ୍ନାସିୟମ। ଯୋଗ ଓ ପ୍ରାଣାୟମ କେନ୍ଦ୍ର। ଶୁଦ୍ଧ ଅମ୍ଳଜାନ ପାଇଁ ତୋଟା ଓ ଜଙ୍ଗଲ। ଫୁଲ, ଫଳ ଓ ପରିବା କ୍ଷେତ। ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଶସ୍ୟର ସମ୍ଭାର। ସବୁ କିଛି ମିଳିପାରିବ ପଞ୍ଚାୟତରେ। ସେଥିପାଇଁ ସମ୍ବଳ ଅଛି। ସାମର୍ଥ୍ୟ ଅଛି। ଆଇନ ଅଛି। ବ୍ୟବସ୍ଥା ଅଛି। ନାହିଁ କେବଳ ଇଚ୍ଛା ବା ମନ। ଲୋକେ ଯଦି ସେବକ ନବାଛି ଶୋଷକ ବାଛିବେ ତେବେ ସେମାନେ ଲୁଟିବେ ନା ଖଟିବେ? ଖାଇବେ ନା ଖୋଇବେ? ଯିଏ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ସରପଞ୍ଚ ବା ଅନ୍ୟ କ’ଣ ପଦ ପାଇବ ସେ ଟଙ୍କା ଉଠେଇବ ନା ନାହିଁ?
ଆମ ପଞ୍ଚାୟତରେ ନାହିଁ କ’ଣ? ନଈ ଥିଲେ ବାଲି ଅଛି। ବାଲି କେମିତି ଲୁଟ୍ ହେଉଛି ଲୋକେ ଦେଖୁଛନ୍ତି। ପାହାଡ଼ ଥିଲେ ପାହାଡ଼ କିଏ ଖୋଳି ନେଉଛି ଲୋକେ ଜାଣିଛନ୍ତି। ମୋରମ ଖାଦାନ କିଏ ଲୁଟ୍ କରୁଛି ଲୋକେ ଦେଖୁଛନ୍ତି। ମୂଲ୍ୟବାନ ଖଣିଜ ପଦାର୍ଥ କେମିତି ଲୁଟ୍ ହେଉଛି କାହାକୁ ଅଜଣା ନୁହେଁ। ପୋଖରୀ ଥିଲେ ମାଛ ଚାଷର ପ୍ରଚୁର ସମ୍ଭାବନା ଅଛି। ମାଛ କିଲୋ ଏବେ କେତେ ତାହା କାହାକୁ ଅଛପା ନାହିଁ। ଗୋଚର ଓ ପଡ଼ିଆ ଜମି ଥିଲେ ଦୁଧଦହି ଘିଅଛେନା ଅଭାବ ହୁଅନ୍ତା ନାହିଁ। ତୋଟା ଥିଲେ ବାସି ବିଦେଶୀ ଫଳ କୃତ୍ରିମ ଦରରେ କିଣନ୍ତେ ନାହିଁ। ଜମି ଥିଲେ ବାସୁମତି ଚାଉଳ ମିଳନ୍ତା। ମୁଗ, ବିରି, କୋଳଥ କେବଳ ନୁହେଁ, ହରଡ଼, ମସୁର, ବୁଟ ଡାଲି ବି ପ୍ରଚୁର ଅମଳ ହୁଅନ୍ତା। ସ୍କୁଲ ଥିଲେ ତାହାର ରୂପାନ୍ତରଣ କେବଳ ନୁହେଁ ଗୁଣାନ୍ତରଣ କରି ପିଲାଙ୍କୁ ବିନା ଖର୍ଚ୍ଚରେ ପବ୍ଲିକ ସ୍କୁଲ ପରି ପାଠ ପଢ଼େଇ ହୁଅନ୍ତା। ନଥିଲେ ଖୋଲି ପାରନ୍ତା। ଡାକ୍ତରଖାନା ଖୋଲି ପାରନ୍ତା। ଏସବୁ ପାଇଁ ସ୍କିମ ଅଛି, ପାଣ୍ଠି ଅଛି। କିନ୍ତୁ ହେଉନାହିଁ। କାହିଁକି ନା ପାଣ୍ଠି ସବୁ ହଡ଼ପ ହେଉଛି। ଗାଁ ଟଙ୍କା ଲୁଟେରାମାନଙ୍କ ଜରିଆରେ ସହରକୁ ଚାଲିଯାଉଛି। ସରପଞ୍ଚମାନେ ଗାଁରେ ରହି ସହରର ସେବା କରୁଛନ୍ତି। ଯିଏ ଅଧିକ ହଡ଼ପ କରୁଛି ସେ ବଡ଼ ସହରରେ ଘର କରୁଛି। ବାହାର ବ୍ୟବସାୟରେ ପୁଞ୍ଜି ଖଟଉଛି। ଖୁବ କମ୍ ଲୋକ ଗାଁ ପଇସା ଗାଁରେ ଖଟଉଛନ୍ତି। ସେଥିରେ କିନ୍ତୁ ଗାଁର ଉନ୍ନତି ହେଉନାହିଁ। ହେଉଛି ସେହି ସେବକମାନଙ୍କର। ସେମାନଙ୍କର କୋଠାଘର ବଡ଼ ହେଉଛି। ଦୁଇ ଚକିଆ ଚାରି ଚକିଆ ହେଉଛି। ପିଲାପିଲି ବାହାରେ ପାଠପଢ଼ି ଦେଶବିଦେଶରେ ଚାକିରି କରୁଛନ୍ତି। ଏସବୁ ପାଇଁ ଭୋଟ ଓ ନୋଟ ଦେଇଥିବା ଲୋକେ କିନ୍ତୁ ଯେଉଁ ତିମିରେକୁ ସେଇ ତିମିରେ। ପଞ୍ଚାୟତର ପ୍ରକୃତ ମାଲିକ ମୂଲିଆ। ଆଉ ମୂଲିଆମାନେ ମାଲିକ।
ଲୋକେ ଜାଣିବା ଦରକାର ଯେ ପ୍ରତି ପଞ୍ଚାୟତକୁ ଏବେ ବିଭିନ୍ନ ବାବଦରେ ବର୍ଷକୁ ଯାଉଛି ପ୍ରାୟ କୋଟିଏ ଟଙ୍କା। ପ୍ରତି ପଞ୍ଚାୟତରେ ତିନି ଚାରିଟା ଗାଁ। ଆଦିବାସୀ ଅଞ୍ଚଳରେ ଗାଁ ସଂଖ୍ୟା ଟିକେ ଅଧିକ। ଉପକୂଳରେ କମ୍। ଆମ ଓଡ଼ିଶାରେ ୬୭୯୪ ଗ୍ରାମ ପଞ୍ଚାୟତ। ଗାଁ ସଂଖ୍ୟା ୪୯ ହଜାର। ପଞ୍ଚାୟତ ପିଛା ହାରାହାରି ୮ ଗାଁ। ହେଲେ ଅନେକ ଗାଁ ଜନଶୂନ୍ୟ ମାନେ ବେଛପରୀ। କେତେକେ ମୌଜା ସହରରେ ସାମିଲ। ଆଉ କେତେକ ନଈ ବା ସମୁଦ୍ରରେ ଲୀନ। କିଛି ଜଙ୍ଗଲରେ। ସେସବୁ କଟିଲା ପରେ ପଞ୍ଚାୟତ ଗୋଟିକୁ ଯଦି ୫ଟା ଗାଁ ପଡ଼େ ପ୍ରତି ଗାଁକୁ ପ୍ରତି ବର୍ଷ ଯାଉଛି ପ୍ରାୟ ୨୦ ଲକ୍ଷ ଟଙ୍କା। ପାଞ୍ଚ ବର୍ଷରେ କୋଟିଏ। ଭାବିଲେ ଦେଖି, ଗୋଟିଏ ଗାଁରେ ଯଦି ୫ ବର୍ଷରେ କୋଟିଏ ଟଙ୍କା ଖର୍ଚ୍ଚ ହୁଏ କ’ଣ ନହେବ ସେଥିରେ? ପଞ୍ଚାୟତରେ ୫ ବର୍ଷକୁ ୫ କୋଟି ଖର୍ଚ୍ଚ ହେଲେ କିଛି ଅଭାବ ରହିବ କି?
ଅଭାବ ଅଛି ଆମର ସେବକମାନଙ୍କର ନିଷ୍ଠାରେ, ଇଚ୍ଛାଶକ୍ତିରେ, ବୁଦ୍ଧି ଓ ବିବେକରେ। ଯେଉଁଥିପାଇଁ ପଞ୍ଚାୟତରେ ପଞ୍ଚାୟତବାସୀଙ୍କ ପାଇଁ ସ୍ଥାୟୀ ସଂପତ୍ତି ସୃଷ୍ଟି ହେଉନି। ସ୍ଥାୟୀ ରୋଜଗାରର ସାଧନ ଖୋଲୁନି। ଶିକ୍ଷା ଓ ସ୍ୱାସ୍ଥ୍ୟର ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ହେଉନି। ବିକାଶ ଓ ସମୃଦ୍ଧିର ଅନ୍ୟାନ୍ୟ କ୍ଷେତ୍ର ବି ଅବହେଳିତ। ଆମ ଖଣି, ପାଣି, ନଈ, ପୋଖରୀ, ଜମି, ଜଙ୍ଗଲ, ପାହାଡ଼, ପଡ଼ିଆ ଯଦି ଆମ କାମରେ ଲାଗି ପାରନ୍ତା ତେବେ ଆମେ ଗରୀବ ରହନ୍ତେ ନାହିଁ। ପଞ୍ଚାୟତବାସୀ ସାମୂହିକ ଭାବେ ସମୃଦ୍ଧ ହୁଅନ୍ତେ। ହାତ ଗଣନ୍ତା କେଇ ଜଣଙ୍କ ହାତକୁ ସର୍ବ ସାଧାରଣ ସଂପତ୍ତି ଚାଲି ଯାଆନ୍ତା ନାହିଁ। ସର୍ବ ସାଧାରଣ ପାଣ୍ଠିରେ ଅଳ୍ପ କେଇ ଜଣଙ୍କ ବ୍ୟାଙ୍କ ବାଲାନ୍ସ ବଢ଼ନ୍ତା ନାହିଁ।
୨୦୨୨ ପଞ୍ଚାୟତ ନିର୍ବାଚନର ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି। କିଏ କେତେ ଆଡ଼ମ୍ବରରେ ପ୍ରାର୍ଥିପତ୍ର ଦାଖଲ କରିଛି ତାହା ଲୋକେ ଦେଖିଛନ୍ତି। ସେ ଆଡ଼ମ୍ବର କ’ଣ ପାଇଁ? ସେବା କରିବାକୁ କ’ଣ ପ୍ରଚାର ନିହାତି ଦରକାର? ରାଜ୍ୟର ପ୍ରାୟ ୯୩ ହଜାର ୱାର୍ଡ଼ ମେମ୍ବର ପଦ ପାଇଁ ୧ ଲକ୍ଷ ୬୨ ହଜାର ପ୍ରାର୍ଥୀ। ୬୭୯୪ ପଞ୍ଚାୟତ ପାଇଁ ୩୫ ହଜାର। ସେତିକି ସମିତି ସଭ୍ୟ ପାଇଁ ୨୮ ହଜାର ଉପରେ। ୮୫୪ ଜିଲ୍ଲା ପରିଷଦ ଜୋନ୍ ପାଇଁ ପ୍ରାୟ ୩ ହଜାର ପ୍ରାର୍ଥୀ। କି ତୀବ୍ର ପ୍ରତିଯୋଗିତା? ସେମାନଙ୍କ ମଧ୍ୟରେ ବି ଅଛନ୍ତି କେତେକ ପରିବାର। ବିଧାୟକ ତାଙ୍କ ପତ୍ନୀଙ୍କୁ ବା ସ୍ୱାମୀଙ୍କୁ ବ୍ଲକ୍ ଚେୟାରମ୍ୟାନ କରିବାକୁ ଚାହୁଁଛନ୍ତି। ପତ୍ନୀ ସରପଞ୍ଚ ପତି ଚେୟାରମ୍ୟାନ ହେବାକୁ ପ୍ରତିଯୋଗିତା କରୁଛନ୍ତି। ଗୋଟେ ଗୋଟେ ପରିବାର ପୂରା ଲୋକଙ୍କ ସେବା କରିବାକୁ ତୟାର! କାହିଁକି ଏତେ ଆକର୍ଷଣ? ପ୍ରତିଯୋଗିତା? କି ମହୁ ଅଛି କି ପଞ୍ଚାୟତ ପଲିଟିକ୍ସରେ?
ଲୋକେ ଜାଣି ନଥିବେ। ସେମାନେ କିନ୍ତୁ ଜାଣିଛନ୍ତି। ପଞ୍ଚାୟତ ପାଣ୍ଠି ହିଁ ମହୁ। ପଞ୍ଚାୟତ ସଂପତ୍ତି ହିଁ ମହୁ ଫେଣା। ଲୋକମାନେ ହେଲେ ମହୁମାଛି। ସେମାନେ ବର୍ଷ ଯାକର ଖଟିଖଟି ମହୁଫେଣା ବାନ୍ଧୁଛନ୍ତି। ଟିକସ ଦେଇ। ଫିସ୍ ଦେଇ। ଚାନ୍ଦା ଦେଇ। ଲୁଟି ନେଉଛନ୍ତି ସେବକ ଭାଲୁ।
ତେବେ, ସବୁ ପଞ୍ଚାୟତରେ ଏମିତି ଭାଲୁ ନାହାନ୍ତି। ସବୁ ପ୍ରାର୍ଥୀ ଭାଲୁ ହେବା ଦୌଡ଼ ଦୌଡ଼ୁ ନାହାନ୍ତି। ଖୁବ୍ କମ୍ ପଞ୍ଚାୟତରେ ହେଲେ ବି କିଛି ନିଷ୍ଠାପର ସେବକ ଅଛନ୍ତି। ସେମାନେ ସେମାନଙ୍କ ପଞ୍ଚାୟତକୁ ସାମୂହିକ ବିକାଶ ଓ ସମୃଦ୍ଧି ପଥରେ ଆଗେଇ ନେଉଛନ୍ତି। ଦୀପ ତେଜିଲେ ହାତରେ ତେଲ ଲାଗିବ। ସେଇଥିରେ ସେମାନେ ଖୁସି। କିନ୍ତୁ ଦୀପ ତେଜିବା ନାଁରେ ପୂରା ତେଲ ହଡ଼ପ କରି ଶୁଖିଲା ସଳିତାକୁ ଜଳେଇଦେବା ପଞ୍ଚାୟତ ପଲିଟିକ୍ସ ଠିକ ନୁହେଁ। ଲୋକେ ସେହିଭଳି ସେବକ ବାଛନ୍ତୁ। ଯେଉଁ ସେବକକୁ ଡାକିଲେ ଓ କରୁଥିବ, ଦୁଆରେ ହାଜର ହେଉଥିବ, ନମାଗିଲେ ବି ଦୁଃଖ ଦେଖି ପକ୍କାଘର ଓ ଭତ୍ତା ଆଦି ଦେଉଥିବ। କାରଣ ସେ ଜାଣିଥିବ ତାଙ୍କ ପଞ୍ଚାୟତରେ କିଏ ପ୍ରକୃତିରେ ଗରୀବ, କିଏ ପ୍ରକୃତରେ ଅଭାବୀ, କାହାର କ’ଣ ଦରକାର। ଜଣକର ଆବଶ୍ୟକତା ଓ ଗଣଙ୍କର ଆବଶ୍ୟକତାକୁ ଯିଏ ବୁଝିଥିବ ସେ ହିଁ ହେଉ ଆପଣମାନଙ୍କର ପ୍ରତିନିଧି। ଗାଁର ସେବକ। ପଞ୍ଚାୟତର ମୁଖ୍ୟମନ୍ତ୍ରୀ। ଲୋକେ ପ୍ରତିନିଧି ନବାଛି କଲେକ୍ଟର ବାଛିଲେ ଯାହା ହେବା କଥା ହେବ। ପଛକୁ ‘ସବୁ ଖାଇଗଲେ, ନେଇଗଲେ’ ବୋଲି ହାଇଁପି ସାଇଁପି ହେବାର ମୂଲ୍ୟ କିଛି ନାହିଁ। ଏକଥାକୁ ହେଜନ୍ତୁ। ସେଇ ଅନୁସାରେ ଭୋଟ୍ ଦିଅନ୍ତୁ। ଗାଁର ଭବିଷ୍ୟତ ଗ୍ରାମବାସୀଙ୍କ ହାତରେ। ଶାସକ କି ବିରୋଧୀ ଦଳ ହାତରେ ନୁହେଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।