ଫେସ୍‌ବୁକିଆ ଓ ଟ୍ୱିଟରିଆଙ୍କ ପଖାଳୋତ୍ସବ

ଭୁବନେଶ୍ୱର (ଜିତେନ୍ଦ୍ର ଗଡ଼ନାୟକ): ଆସ ଜୀବନ ଧନ…ମୋର ପଖାଳ କଂସା, ସଜନୀରେ ତୋ ବିହୁନେ ଉଡ଼େ ମୋ ହଂସା…। ସ୍ୱର୍ଗତ ବାଳକୃଷ୍ଣ ଦାସଙ୍କର ଏଇ ଗୀତଟି ଆଜି ମନେ ପଡ଼ି ଯାଉଛି ‘ବିଶ୍ୱ ପଖାଳ ଦିବସ’ ଉପଲକ୍ଷେ। ସତରେ ପଖାଳ ହେଉଛି ଓଡ଼ିଆଙ୍କ ଜୀବନ। ଯୁଗ ବଦଳିଛି। ଓଡ଼ିଶା ବଦଳିଛି। କିନ୍ତୁ ପଖାଳ ବଦଳିନି। ପାଖାଳ ଏବେବି ଅଛି। ଏବେବି ଓଡ଼ିଆଙ୍କ ଘରେ ପଖାଳ ପ୍ରିୟ ଖାଦ୍ୟ। ଖାଲି ଘର କାହିଁକି, ଖରା ଦିନ ଆସିଗଲେ ରାଜ୍ୟର […]

pakhala

pakhala

Rakesh Mallick
  • Published: Monday, 20 March 2017
  • Updated: 20 March 2017, 05:28 PM IST

Sports

Latest News

ଭୁବନେଶ୍ୱର (ଜିତେନ୍ଦ୍ର ଗଡ଼ନାୟକ): ଆସ ଜୀବନ ଧନ...ମୋର ପଖାଳ କଂସା, ସଜନୀରେ ତୋ ବିହୁନେ ଉଡ଼େ ମୋ ହଂସା...। ସ୍ୱର୍ଗତ ବାଳକୃଷ୍ଣ ଦାସଙ୍କର ଏଇ ଗୀତଟି ଆଜି ମନେ ପଡ଼ି ଯାଉଛି ‘ବିଶ୍ୱ ପଖାଳ ଦିବସ’ ଉପଲକ୍ଷେ। ସତରେ ପଖାଳ ହେଉଛି ଓଡ଼ିଆଙ୍କ ଜୀବନ।

ଯୁଗ ବଦଳିଛି। ଓଡ଼ିଶା ବଦଳିଛି। କିନ୍ତୁ ପଖାଳ ବଦଳିନି। ପାଖାଳ ଏବେବି ଅଛି। ଏବେବି ଓଡ଼ିଆଙ୍କ ଘରେ ପଖାଳ ପ୍ରିୟ ଖାଦ୍ୟ। ଖାଲି ଘର କାହିଁକି, ଖରା ଦିନ ଆସିଗଲେ ରାଜ୍ୟର ବଡ଼, ଛୋଟ ପ୍ରାୟ ଅଧିକାଂଶ ହୋଟେଲ୍‌ରେ ମିଳେ ପଖାଳ। ଘର ବାରଣ୍ଡା ଡେଇଁ ସୋସିଆଲ୍ ମିଡିଆରେ ମଧ୍ୟ ପହଞ୍ଚି ଯାଇଛି ଆମ ପ୍ରିୟ ପଖାଳ। ସୋସିଆଲ୍ ମିଡିଆରେ ପଖାଳକୁ ଆଣି ପହଞ୍ଚାଇଛନ୍ତି ଆମ ଓଡ଼ିଆ ଭାଇଭଉଣୀମାନେ।

pfine
ଫେସ୍‌ବୁକ୍ ଓ ଟ୍ୱିଟର ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଅନେକ ଓଡ଼ିଆ ପଖାଳର ବେଶ୍ ପ୍ରଚାର କରୁଛନ୍ତି। ପ୍ରାୟ ଦଶ ଦିନ ହେଲାଣି ଏମାନେ ବାରବାର ମନେ ପକାଇ ଦେଇଛନ୍ତି ଯେ ମାର୍ଚ୍ଚ ୨୦ରେ ପଡୁଛି ପଖାଳ ଦିବସ। ଆଉ ଆଜି ତ ଯେମିତି ମନେ ହେଲେ ପଖାଳ ଦିବସରେ ଉତ୍ସବ ମୁଖର ହୋଇପଡ଼ିଛି ଟ୍ୱିଟର ଓ ଫେସ୍‌ବୁକ୍ ପୃଷ୍ଠା। ସକାଳୁ ସକାଳୁ ପଖାଳ କଂସା ସହିତ ଆଳୁ ଚଟଣି, ବଡ଼ି ଚୁରା, ମାଛ, ବାଇଗଣ ଚଟଣି ଓ ଆହୁରି ଏମିତି କେତେ ଖାଣ୍ଟି ଓଡ଼ିଆ ଆଇଟମ୍ (ଯାହା ପଖାଳ ସଙ୍ଗେ ଖିଆ ଯାଏ) ସମ୍ବଳିତ ଫଟୋ ଟ୍ୱିଟର୍ ପେଜ୍‌ରେ ଛାଇ ଯାଇଥିଲା। ଏଭଳି ଫଟୋ ମାଧ୍ୟମରେ ଅନେକ ପଖାଳ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଥିଲେ, ତ କିଏ ଆଜିର ଦିନରେ ଘରକୁ ଆସୁଥିବା ଅତିଥିମାନଙ୍କୁ ପଖାଳ ଖାଇବାକୁ ଦେବାକୁ ଅନୁରୋଧ କରିଥିଲେ। ଆଉ କେହି କେହି ମଧ୍ୟାହ୍ନ ଭୋଜନ ଖାଇବା ବେଳେ ପଖାଳ ଓ ତା’ସହିତ ଆଇଟମ୍‌ର ଫଟୋ ଛାଡ଼ିଥିଲେ। ଆମେ ଦେଖିଲୁ କିଛି ଲୋକ ପଖାଳକୁ ନେଇ ତିନି ଚାରି ଲାଇନ୍‌ର କବିତା ମଧ୍ୟ ଲେଖି ପକାଇଛନ୍ତି। ବରଦା ଦାସ ଲେଖିଛନ୍ତି- ପଖାଳ ଖାଇଲେ ହୋଇବ ତାଜା, ସବୁରି ଖାଦ୍ୟ ଭିତରେ ସେ ରାଜା, ଯିଏ ଖାଇଛି ସେ ପାଇଛି ତା’ ମଜା। ଶ୍ୱେତପଦ୍ମା ଶତପଥୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ପଖାଳ କଂସା ଟ୍ୱିଟ୍ କରିଛନ୍ତି। ଏହା ସୁଗନ୍ଧ ପଖାଳ ବୋଲି ସେ ଲେଖିଛନ୍ତି। ଏଥିରେ ଅଦା, ଭଜା ଜିରା ଓ ଲୁଣ ପଡ଼ିଛି ବୋଲି ସେ ଲେଖିଛନ୍ତି। ବିଜେଡି ବିଧାୟକ ରାଜା ସ୍ୱାଇଁ ମଧ୍ୟ ବାଦ୍ ପଡ଼ି ନାହାନ୍ତି। ସେ ତାଙ୍କର ଗତ ବର୍ଷର ଏକ ଫଟୋକୁ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ସେ କୌଣସି ସ୍ଥାନରେ ଚେୟାର ଟେବୁଲ୍‌ରେ ବସି ପଖାଳ ଖାଉଛନ୍ତି।

pakhalfivas

ପଖାଳ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର କଳାକୃତି କରିଛନ୍ତି ପଖାଳକୁ ନେଇ। ଏହାକୁ ସେ ଟ୍ୱିଟ୍ କରିଛନ୍ତି। ସଂଜୀବ କପୁର, ରସିନା ଏନ୍‌ ଖିଲଡିରାଙ୍କ ଭଳି ଦେଶର ନାମକାର ସେଫ୍ ଏହାକୁ ରି-ଟ୍ୱିଟ୍ ମଧ୍ୟ କରିଛନ୍ତି।

ଦିଲ୍ଲୀ ଓ ବାଙ୍ଗାଲୋରରେ ସମେତ ଓଡ଼ିଶା ବାହାରେ ରହୁଥିବା ଅନେକ ଓଡ଼ିଆ ଆଜି ପଖାଳ ଖାଇବାର ଫଟୋ ଟ୍ୱିଟ୍ କରିଛନ୍ତି।

ମୋର ଅନେକ ଫେସ୍‌ବୁକ୍‌ ବନ୍ଧୁ ଆଜି ଘରେ, ବାହାରେ ପଖାଳ ଖାଇବାର ଫଟୋ ପୋଷ୍ଟ୍‌ କରିଛନ୍ତି। ଅଧ୍ୟାପକ ଜ୍ୟୋତିପ୍ରକାଶ ମହାପାତ୍ର ଘରେ ପଖାଳ ଖାଇବାର ଫଟୋ ପୋଷ୍ଟ କରିଛନ୍ତି। ସେ ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି,‘ଶ୍ରେୟା ସକାଳୁ ତିଆରି କରିଥିଲା- ପଖାଳ, ଆଳୁ ଭର୍ତ୍ତା, ବଡିରସୁଣ ଦଳା, ବନ୍ଧାକୋବି ପକୁଡ଼ି। ତା’ ସାଙ୍ଗକୁ ଚଣାଚୁର, ଲେମ୍ବୁ ଓ କଞ୍ଚା ଲଙ୍କା। ପେଟେ ଠୁଙ୍କି ଦେଇ ଆସିଲି।’

pakhal2

ସୁଶାନ୍ତ ଦାସ ପରିବାର ସହିତ ପଖାଳ ଖାଉଥିବାର ଫଟୋ ଫେସ୍‌ବୁକ୍‌ରେ ପୋଷ୍ଟ୍ କରିଛନ୍ତି। ସେହିପରି ଆହୁରି ଅନେକ ଫେସ୍‌ବୁକ୍ ବନ୍ଧୁ- ଇପ୍‌ସିତା ଦାସ, ଅମୀୟ ଦାସ, ରଶ୍ମିତା ରଥ, ସୁରେନ୍ଦ୍ର ସାହୁ ପ୍ରମୁଖ ପଖାଳ ସହି ବିଭିନ୍ନ ଖାଣ୍ଟି ଓଡ଼ିଆ ଘର ଆଇଟମ୍‌ର ଫଟୋ ପୋଷ୍ଟ୍ କରିଛନ୍ତି ଯାହା ଆଜି ସେମାନଙ୍କ ଘରେ ପ୍ରସ୍ତୁତ ହୋଇଥିଲା।

ଫେସ୍‌ବୁକ୍‌ ଓ ଟ୍ୱିଟର ଦେଖି ଆମେ ଜାଣିଲୁ ପଖାଳ ଆଜି ସମସ୍ତଙ୍କୁ କରି ଦେଇଛି ତାଜା। ପଖାଳ ଦିବସ ଉପଲକ୍ଷେ ଆଶା କରିବୁ ପଖାଳର ଅଜେୟ ଯାତ୍ରା ଅବ୍ୟାହତ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos