/odisha-reporter/media/post_attachments/uploads/2020/06/perfume.jpg)
perfume
ସୀମାରେ ଚୀନର ମନ୍ଦ ପ୍ରକୃତିକୁ ନେଇ ସାରା ଦେଶ ଅବଗତ ହୋଇସାରିଛି। ଏଭଳି ସ୍ଥିତିରେ ଚୀନ ସହ ବ୍ୟବସାୟିକ ସମ୍ପର୍କ ସମାପ୍ତ କରିବାକୁ ଦେଶବ୍ୟାପୀ ଏକ ପ୍ରକାର ଅଭିଯାନ ଆରମ୍ଭ ହୋଇଯାଇଛି ବୋଲି କୁହାଯାଇପାରେ। ଚୀନ ସାମଗ୍ରୀକୁ ବହିଷ୍କାର କରିବାକୁ ଆହ୍ୱାନ ଦିଆଯାଉଛି। ଏସବୁ ଭିତରେ କନ୍ନୌଜର ଅତର ବ୍ୟବସାୟୀମାନେ ଆଉ ପାଦେ ଆଗେଇ ଚୀନକୁ କରିଛନ୍ତି ସମ୍ପୂର୍ଣ୍ଣ ବୟକଟ୍।
ସୂଚନା ଯେ, ଅତରର ସହର କନ୍ନୌଜ କଲା ଚୀନକୁ ବ୍ୟାନ୍। ଏଠାକାର ଅତର ବ୍ୟବସାୟୀମାନେ କୌଣସି ପରିସ୍ଥିତିରେ ଚୀନରୁ ଆମଦାନୀ ସାମଗ୍ରୀ ବ୍ୟବହାର କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଅତର ରଖିବାକୁ ଆବଶ୍ୟକ ହେଉଥିବା ଶିଶି ମୁଖ୍ୟତଃ ଚୀନରୁ ଆମଦାନୀ ହୋଇଥାଏ। ଏଣିକି ଅତର ପାଇଁ ଦେଶୀ ଶିଶି ବ୍ୟବହାର କରାଯିବ। ତେବେ ଏଥିଲାଗି ସାରା ଦେଶରେ ଥିବା କମ୍ପାନୀଗୁଡ଼ିକଠାରୁ ସହାୟତା ଲୋଡ଼ାଯିବ ଏବଂ କନୌଜରେ ମଧ୍ୟ ଶିଶି ନିର୍ମାଣ କରିବା ଲାଗି କମ୍ପାନୀ ସ୍ଥାପନ କରାଯିବ।
ପ୍ରକୃତରେ ଅତରର ସହର କନୌଜ ସହ ଚୀନର ସମ୍ପର୍କ ବହୁ ପୁରୁଣା। ରାଜା ହର୍ଷବର୍ଦ୍ଧନଙ୍କ ସମୟରେ ଚୀନ ପରିବ୍ରାଜକ ହ୍ବେନସାଙ୍ଗ୍ ଭାରତ ଭ୍ରମଣରେ ଆସିଥିଲେ ଏବଂ ମାସ ମାସ ଧରି କନ୍ନୌଜରେ ରହିଥିଲେ। ସେତେବେଳେ କନୌଜର ଅତରକୁ ହ୍ବେନସାଙ୍ଗ୍ ଖୁବ୍ ପ୍ରଶଂସା କରିଥିଲେ। ଚୀନ ସହ ଯେତେବେଳେ ବ୍ୟବସାୟିକ ସମ୍ପର୍କ ଆରମ୍ଭ ହେଲା ସେତେବେଳେ ଅତର ପାଇଁ ଛୋଟ ଛୋଟ ଶିଶି ଚୀନରୁ ଆମଦାନୀ କରାଗଲା।
ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଏ ପର୍ଯ୍ୟନ୍ତ 70 ପ୍ରତିଶତ ଡିଜାଇନର ଏବଂ ଫ୍ୟାନ୍ସି ଶିଶି ଆସୁଥିଲା। ତେବେ କରୋନା ସଙ୍କଟ ସମୟରେ ଅନଲକ୍ ପରେ ସୀମାରେ ତିକ୍ତତା ପରିସ୍ଥିତି ସୃଷ୍ଟି ହେବାରୁ ଶିଶି ଆମଦାନୀ ଲାଗି ନୂଆ ଅର୍ଡର ମଧ୍ୟ ଦିଆଯାଇନାହିଁ। ଏନେଇ ଜାତୀୟ ଗଣମାଧ୍ୟମକୁ ଜଣେ ପ୍ରତିଷ୍ଠିତ ଅତର ବ୍ୟବସାୟୀ କହିଛନ୍ତି ଯେ, ଏବେ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରାଯିବ ଏବଂ କନ୍ନୌଜ ଏବଂ ମୁମ୍ବାଇରେ ଥିବା କମ୍ପାନୀଗୁଡ଼ିକରେ ଶିଶି ତିଆରି କରାଯିବ। ଚୀନର ଉତ୍ପାଦକୁ ବହିଷ୍କାର କରି ଏଣିକି ଘରୋଇ ଉତ୍ପାଦ ଉପରେ ନିର୍ଭର ହେବାକୁ ହେବ।
ସେ ଆହୁରି ମଧ୍ୟ କହିଛନ୍ତି, କନ୍ନୌଜରେ ନିର୍ମିତ ହେଉଥିବା ଜେରିକନ୍ ଏବଂ ଭେଲବେଟ୍ ଶିଶି ଚୀନରୁ ଆସୁଥିବା ଶିଶିଗୁଡ଼ିକଠାରୁ ଅଧିକ ଆଦୃତ ହୋଇପାରେ। ଏହି ଶିଶିଗୁଡ଼ିକ ହାତତିଆରି ହୋଇଖଥିବା ବେଳେ ପୁନଃ ବ୍ୟବହାରପୋଯୋଗୀ ମଧ୍ୟ। ତେବେ ଚୀନରୁ ଆସୁଥିବା ଶିଶିଗୁଡ଼ିକ କେବଳ ଥରେ ବ୍ୟବହାର କରାଯାଏ କାରଣ ଏଗୁଡ଼ିକ ୟୁଜ୍-ଆଣ୍ଡ୍-ଥ୍ରୋ ଉତ୍ପାଦ ବୋଲି ସେ କହିଛନ୍ତି।
ଅନ୍ୟ ଜଣେ ଅତର ବ୍ୟବସାୟୀ କହିଛନ୍ତି, ଚୀନରୁ ଆମଦାନୀ ହେଉଥିବା ଶିଶିର ଡିଜାଇନ୍ ଖୁବ୍ ସୁନ୍ଦର। ଏଣୁ ବଜାର ଚାହିଦାକୁ ନଜରରେ ରଖି ଆମଦାନୀ କରାଯାଏ। ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି କୌଣସି ପରିସ୍ଥିତିରେ ମଧ୍ୟ ଚୀନରୁ ସାମଗ୍ରୀ ଆମଦାନୀ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଏଣିକି ମୁମ୍ବାଇରେ ଥିବା କମ୍ପାନୀଗୁଡ଼ିକଠାରୁ ଅତର ପାଇଁ ଶିଶି ଅଣାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
