ରୋଜି ଓ ରୀନା- ଭିଡ଼ ଭିତରେ ଭିନ୍ନ

କଟକ (ଦେବାଶିଷ ମହାନ୍ତି): ଆପଣମାନେ ଦହିବାର ଖାଇଥିବେ ନିଶ୍ଚୟ। ରେସ୍ତୋରାଁରେ ବି ଖାଇଥିବେ, ରାସ୍ତାକଡ଼ ଠେଲାରେ ବି ଖାଇଥିବେ। ତେବେ ମନେ ପକାନ୍ତୁ ତ ରାସ୍ତାକଡ଼ରେ କୌଣସି ମହିଳା ଦହିବରା ବିକ୍ରି କରୁଥିବାର ଆପଣ ଦେଖିଛନ୍ତି କି? ଯଦି ଦେଖି ନାହାନ୍ତି, ତା’ହେଲେ ଚାଲି ଆସନ୍ତୁ କଟକର ବାରବାଟୀ ଷ୍ଟାଡିୟମ୍ ସ୍ଥିତ ବାଲିଯାତ୍ରା ପଡ଼ିଆ ନିକଟକୁ। ଏଇଠି ଦହିବରା ବିକନ୍ତି ଜଣେ ଯୁବତୀ। ସଞ୍ଜ ନଇଁଲା କ୍ଷଣି ସେଠାରେ ଲାଗି ଯାଏ ତାଙ୍କ ଦହିବରା ଗାଡ଼ି।  ତାଙ୍କ ନାଁ ରୋଜି ଦାସ। ବୟସ ମାତ୍ର ୨୦ ବର୍ଷ। ମହିଳା ହୋଇ ମଧ୍ୟ ସେ ଜଣେ ଦହିବରା ବିକାଳି ଭାବେ ଏହି ଅଞ୍ଚଳରେ ବେଶ୍‌ ଜଣାଶୁଣା।

ଦୀର୍ଘ ବର୍ଷ ହେବ ରୋଜିଙ୍କ ବାପା ଦହିବରା ବିକି ଆସୁଥିଲେ। ଛୋଟବେଳୁ ବାପାଙ୍କୁ ସାହାଯ୍ୟ କରିବାକୁ ଆସୁଥିଲେ ସେ। କିନ୍ତୁ ଗଲା ୫ ବର୍ଷ ହେଲା ଦହିବରା ବେପାରକୁ ସମ୍ଭାଳି ଆସୁଛନ୍ତି ରୋଜି। ତାଙ୍କ ସାଙ୍ଗରେ ଆସନ୍ତି ତାଙ୍କ ବାପା ଓ ସାନ ଭାଇ। ବେପାର ସମ୍ଭାଳିବା ଦାୟିତ୍ୱ ରୋଜି ନିଜ କାନ୍ଧକୁ ନେଇ ଥିବାରୁ ଭାରି ଖୁସି ତାଙ୍କ ବାପା ସୁଶୀଲ କୁମାର ଦାସ। ସେ କହନ୍ତି,“ରୋଜି ମୋ ଝିଅ ନୁହେଁ ପୁଅ। ମୁଁ ମୋ ଝିଅ ପାଇଁ ଖୁବ୍ ଗର୍ବିତ।”

ସୁଶୀଲଙ୍କ ମୁହଁରୁ ଏକଥା ଶୁଣିଲା ବେଳକୁ ମୋର ମନେ ପଡ଼ିଗଲା ଟେଲିଭିଜନରେ ପ୍ରସାରିତ ହେଉଥିବା ଆମୀର ଖାନଙ୍କ ସେହି ବିଜ୍ଞାପନ- ‘ଗୁରଦୀପ ସିଂହ ଆଣ୍ଡ୍ ଡଟରର୍ସ’ କଥା। ଭାରି ଗର୍ବରେ ମିଠା ଦୋକାନୀ (ଅଭିନୟରେ) ଆମୀର କହୁଛନ୍ତି,“ବେଟା ନହିଁ ଜୀ, ବେଟିୟାଁ”।

ଏ ତ ଗଲା ରୋଜିଙ୍କ କାହାଣୀ। ଏବେ ଆମେ ଜାଣିବା ରୀନା ବିଶ୍ୱାଳଙ୍କୁ। ସେ କଟକର ହାଓଡ଼ା ମଟର ସ୍ଥିତ ପେଟ୍ରୋଲ୍ ପମ୍ପରେ କାମ କରନ୍ତି। ଚାଉଳିଆଗଞ୍ଜରେ ରହୁଥିବା ରୀନା ଦୁଇଟି ପିଲାର ମା’। ସ୍ୱାମୀ ଜଣେ ରାଜମିସ୍ତ୍ରୀ। ପରିବାର ପୋଷିବାକୁ ରୀନା ପେଟ୍ରୋଲ୍‌ ପମ୍ପରେ କାମ କରନ୍ତି।  ଘରେ କାମ ସାରି ସକାଳେ ଆସି ହାଜର ହୋଇ ଯାଆନ୍ତି ପେଟ୍ରୋଲ୍ ପମ୍ପରେ। ଘରକୁ ଫେରନ୍ତି ଦିନ ଦୁଇଟାରେ।  ମାସକୁ ତାଙ୍କୁ ମିଳେ ୫,୨୦୦ ଟଙ୍କା। ଆମେ ସାଧାରଣତଃ ଦେଖୁ ପେଟ୍ରୋଲ୍‌ ପମ୍ପଗୁଡ଼ିକରେ ପୁରୁଷମାନେ କାମ କରନ୍ତି। କିନ୍ତୁ ପୁରୁଷ ଓ ମହିଳା ନେଇ କାମ ଭାଗ କରିବା ଆଦୌ ଠିକ୍ ନୁହେଁ ବୋଲି ପ୍ରମାଣିତ କରି ଦେଇଛନ୍ତି ରୀନା।

ଏ ଦୁଇ ମହିଳାଙ୍କ କାହାଣୀ ଏଠାରେ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଉଛି ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଦିବସକୁ ପ୍ରକୃତରେ ଅନ୍ତର୍ଜାତୀୟ କର୍ମଜୀବୀ ମହିଳା ଦିବସ ବୋଲି କୁହାଯାଏ। ଭାଗ୍ୟକୁ ନ ଆଦରି ସ୍ୱାବଲମ୍ବୀ ହେବା ପାଇଁ ଏ ଦୁଇ ମହିଳାଙ୍କ ଦୃଢ଼ ଇଚ୍ଛାଶକ୍ତି କ’ଣ କମ୍ ପ୍ରେରଣାଦାୟୀ?